गुरुवार, 9 अप्रैल 2020

ପୁରୁଷ ଓ ନାରୀ ଉଭୟ ଭିନ୍ନ ଭିନ୍ନ ଜାତି

ମନୁଷ୍ୟମାନେ ଶରୀର ଗଠନ ଦୃଷ୍ଟିରୁ ଦିଭାଗରେ ଵିଭକ୍ତ । ପୁରୁଷ ଓ ନାରୀ । ଏ ଉଭୟ ଦୁଇଗୋଟି ସ୍ଵତନ୍ତ୍ର ଜାତି ଏଵଂ ଏମାନଙ୍କ ମଧ୍ୟରେ ସଂସର୍ଗ ସୃଷ୍ଟି ଯୋଗୁଁ ମୈଥୁନୀ ଜଗତ ଉତ୍ପନ ହୋଇଛି ଫଳତଃ ଅନେକ ଵଳାତ୍କାରୀ ଜାତ ହେଉଅଛନ୍ତି ।

ଵିଜ୍ଞାନ କହେ ଦୁଇଟି ମୌଳିକ ପରସ୍ପରକୁ ମିଶେଇ ଦେଲେ ନୂଆ ଯୌଗିକଟିଏ ଗଠନ ହୋଇଯାଏ । ଉଦାହରଣ ସ୍ୱରୂପ ଜଳ ଏକ ଯୌଗିକ । ସେଇମିତି ନାରୀ ଓ ପୁରୁଷ ଉଭୟ ପରସ୍ପର ଠାରୁ ବହୁତ ଭିନ୍ନ ସ୍ଵତନ୍ତ୍ର ମୌଳିକ ଅଟନ୍ତି । ଏ ଉଭୟ ଜାତିଙ୍କର ଭିନ୍ନ ଭିନ୍ନ ଦେଶ ହେଵାର ଥିଲା ଏମାନଙ୍କୁ ଷଡ଼ଯନ୍ତ୍ର କରି ଏକାଠି ରଖାଯାଇଛି ।  ଏଥିଯୋଗୁଁ ଗୋଟିଏ ନିରୀହ କନ୍ୟା ବାଟରେ ଘାଟରେ ଆଜି ଵଳାତ୍କାରିତ ହେଉଛି ତ କେଉଁଠି ନିରୀହ ପତି ତା ତିରଲାଠାରୁ ଛାଞ୍ଚୁଣୀ କି ପଁଅରା ମାଡ଼ ଖାଉଛି । ଗୋଟିଏ ପଟେ ଝିଅଟେ ବାପମାଆକୁ ଛାଡ଼ି ପରଘରକୁ ଯାଉଛି ତ ଆଉ ଗୋଟାଏ ପଟେ ପରଘରୁ ଆସିଥିଵା ଝିଅର ହାତକଣ୍ଢେଇ ପାଲଟୁଛି ପୁଅଟିଏ,ଗୋଟିଏ ପଟେ ଝିଅକୁ ତା ଇଛା ଵିରୋଧରେ ଵିଵାହ କରାଯାଉଛି ତ ଅନ୍ଯତ୍ର ଗୋଟିଏ ପୁଅ ଆଉ ଏକ କନ୍ୟାଠାରୁ ପ୍ରେମରେ ଧୋକା ପାଇ କାନ୍ଦୁଛି ।

ଏସବୁ ଅଵ୍ଯଵସ୍ଥା କୋଉଥିପାଇଁ ? କ’ଣ ଵର୍ତ୍ତମାନ ଯୁଗରେ ବି ଏସବୁ ଅଵ୍ଯଵସ୍ଥାଗୁଡି଼କୁ ସଂସ୍କୃତି ନାଆଁରେ ଜାବୁଡ଼ି ଧରିଥିଵେ ?

ମୋ ମତରେ ନାରୀ ଓ ପୁରୁଷ ଏ ଉଭୟ ଜାତିଙ୍କୁ ଏକ କାଳ୍ପନିକ ଅଵାସ୍ତଵ ସମାଜ ପାଖରେ ପରାଧୀନ କରି ରଖା ହୋଇଛି । ଏ ଉଭୟ ଜାତି ବହୁତ ଭିନ୍ନ ଏଵଂ ଏକଥା ସେମାନଙ୍କ ଵାହ୍ଯ ଅଙ୍ଗପ୍ରତ୍ଯଙ୍ଗ,ହାଵ ଭାଵ ଆଦିରୁ ସ୍ପଷ୍ଟ ଜଣାପଡୁ଼ଛି । ଉଦାହରଣ ସ୍ୱରୂପ ନାରୀର ଚାଲି ଗୁଣ୍ଠୁଲି ହାତୀ,ଗଜ ଗମନ ଭଳି ହେଉଥିଲାଵେଳେ ଟୋକା ବୁଢାମାନଙ୍କ ଚାଲିରେ କିଛି ତାଳ ଲୟ ନଥାଏ । ସେମାନେ ଏମନ୍ତ ଚାଲନ୍ତି ସତେ ଯେମିତି କେହି ଅଲଜ୍ଯା ବେତାଳିଆ ସୁରରେ ଗୀତ ଗାଉଛି । ନାରୀମାନଙ୍କ ଆଖିକୁ ହରିଣୀର ଆଖି ସହ ତୁଳନା କରାଯାଏ ପୁଣି ତାଙ୍କ ମୁଖଯାକ ଚନ୍ଦ୍ରିକା ସହ ସମାନ ବୋଲି ଅନେକ କଵି ଗାଇଯାଇଛନ୍ତି କିନ୍ତୁ ପୁରୁଷମାନଙ୍କ ଆଖିରେ ସେଇ ମାଧୁର୍ଯ୍ୟ କାହିଁ ପୁଣି କେତେକଙ୍କର ଆଖି ତ ଏତେ ଢିମା ଢିମା ହେଇଥାଏ ଯେ ଯଦି କାହାକୁ ଦାଢେ଼ଇକି ଅନେଇ ଦେଵେ ସେ ସେଇଠି ଟଳିପଡି଼ଵ । ପୁରୁଷମାନଙ୍କ ମୁହଁ ସବୁ ହନୁମାଙ୍କଡ଼ମାନଙ୍କ ଭଳିଆ ସେମାନେ କଣ୍ ନାରୀମାନଙ୍କ ସଙ୍ଗେ ସୌନ୍ଦର୍ଯ୍ୟ ଓ ଠାଣିବାଣୀରେ ତୁଳନୀୟ ହୋଇପାରିଵେ ? ଏସବୁ ଦୃଷ୍ଟିରୁ ନାରୀ ଓ ପୁରୁଷ ଉଭୟ ନିଶ୍ଚିତ ଦୁଇଗୋଟି ଭିନ୍ନ ଜାତି ବୋଲି କୁହାଯାଇଥାଏ । 

ଯଦି ଵା ନାରୀ ଓ ପୁରୁଷଙ୍କ ଡିଏନଏ ଓ ଆଭ୍ଯନ୍ତରୀଣ ଅଙ୍ଗ ଏକ ହୋଇଥିଵାର ଆପଣଙ୍କ ପାଖରେ କୌଣସି ପ୍ରମାଣ ରହିଛି କିନ୍ତୁ ଆମେ ଖାଲି ଆଖିରେ ତାହା ଦେଖିପାରୁନୁ ତେଣୁ ତାହା ମିଛ ହିଁ ପ୍ରମାଣିତ ହେଉଛି । ଯାହା ଖାଲି ଆଖିରେ ଦେଖାଯାଏ କେଵଳ ତାହା ହିଁ ସତ୍ୟ ଵିଵେଚିତ ହୋଇଥାଏ । ଏଇ ଯେମିତି ଓଡ଼ିଆ ଏଵଂ ସମ୍ବଲପୁରୀ ଗୋଟିଏ ଭାଷା ବୋଲି ତମ ପାଖରେ ଗାଡି଼ଏ ପ୍ରମାଣ ରହିଛି । ଓଡ଼ିଆ ଏଵଂ ସମ୍ବଲପୁରୀର ଅଵ୍ଯୟ, ପ୍ରତ୍ଯୟ, ସର୍ଵନାମ, କ୍ରିୟା, କ୍ରିୟା ଵିଶେଷଣ,ଵାକ୍ଯଗଠନ ପ୍ରାୟ ସମାନ ପୁଣି ଐତିହାସିକ ସମ୍ପର୍କ ଦୃଷ୍ଟିରୁ ଏ ଉଭୟ ଭାଷା ଏକ ମୂଳର କିନ୍ତୁ ଵାହ୍ଯ ଵିଶେଷ୍ଯ ଵିଶେଷଣ ଆଧାରରେ ସମ୍ବଲପୁରୀକୁ ଭିନ୍ନ ଭାଷା କୁହାଯାଉଛି  । ଠିକ୍ ସେଇଭଳି ନାରୀ ପୁରୁଷ ମଧ୍ୟରେ ଵାହ୍ଯଦୃଷ୍ଟିରେ ଭିନ୍ନତା ଥିଵାରୁ ଏ ଉଭୟଙ୍କୁ ଆମ୍ଭେ ଭିନ୍ନ ଜାତି ଵିଚାର କରୁଅଛୁ ।

ତାହେଲେ ନାରୀ ଓ ପୁରୁଷମାନଙ୍କ ଉପରେ ବଢୁ଼ଥିଵା ପାରସ୍ପରିକ ଅତ୍ଯାଚାର ସମାପ୍ତ କରିଵାର କିଛି ଉପାୟ ରହିଛି କି ?

ଆମ ପୃଥିଵୀରେ ଜାତି,ସଂସ୍କୃତି ଓ ଭାଷା ଆଧାରରେ ଦେଶ ଓ ରାଜ୍ୟ ଵିଭାଜନ ହେଵାର ନିୟମ ରହିଛି । ଆମେ ଦେଖୁ ଭାଷା,ସଂସ୍କୃତି ଓ ଵାହ୍ଯ ଅଙ୍ଗପ୍ରତ୍ଯଙ୍ଗ ତଥା ହାଵଭାଵ ଦୃଷ୍ଟିରୁ ନାରୀ ଜାତି ପୁରୁଷଠାରୁ ବହୁତ ଭିନ୍ନ । ନାରୀମାନଙ୍କ ଓଡ଼ିଆଭାଷା ଓ ପୁରୁଷମାନଙ୍କ ଓଡ଼ିଆ ଭାଷାରେ ଵିଶେଷ୍ଯ ତଥା ଵିଶେଷଣ ଶବ୍ଦଗୁଡି଼କ  ବହୁତ ଭିନ୍ନ ।

ସ୍ତ୍ରୀ ଲୋକଙ୍କ ପାଖରେ ଘରକରଣା ଶବ୍ଦଥିଲେ ପୁରୁଷମାନଙ୍କ ପାଖରେ ବାହାରିଆ ଶବ୍ଦ ରହିଥାଏ, ଯଦି ପୁରୁଷଲୋକେ ବିଲର ଶବ୍ଦ ଜାଣନ୍ତି ତ ନାରୀମାନଙ୍କ ପାଖରେ ବାଡି଼ବଗିଚାର ଶବ୍ଦ ରହିଛି ।   ତେଣୁ ଭାଷା ଦୃଷ୍ଟିରୁ ଏମାନଙ୍କ ଵିଶେଷ୍ଯ ଓ ଵିଶେଷଣ ଶବ୍ଦ ଭିନ୍ନ ଭିନ୍ନ ହୋଇଥିଵା ହେତୁରୁ ସେମାନଙ୍କ ଭାଷା ପରସ୍ପରଠାରୁ ଭିନ୍ନ ଓ ସ୍ଵତନ୍ତ୍ର ଏଣୁ ଭାଷା ଦୃଷ୍ଟିରୁ ଏମାନେ ଦୁଇଗୋଟି ଭିନ୍ନ ଜାତି ଅଟନ୍ତି ।

ଏଵେ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ସଂସ୍କୃତିଗତ ଭିନ୍ନତା ଦେଖାଯାଉ । ଗୋଟିଏ ନାରୀ ମଙ୍ଗଳସୂତ୍ର ପିନ୍ଧେ,ସିନ୍ଦୂର ଲଗାଏ,ନିତିଦିନିଆ ଚଉରା ମୂଳେ ସଞ୍ଜଵତୀ ଜାଳେ ଆଉ ଶହେ ପ୍ରକାରର ଓଷା ଵ୍ରତ ରଖେ କିନ୍ତୁ ପୁରୁଷମାନଙ୍କ ସଂସ୍କୃତି ବହୁତ ଢିଲା ପୁଣି ନାରୀମାନଙ୍କ ସଂସ୍କୃତିଠାରୁ ଭିନ୍ନ ତେଣୁ ଏ ଉଭୟ ଜାତିଙ୍କୁ ସ୍ଵତନ୍ତ୍ର ଵିଚାର କରାଯିଵା ଉଚିତ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ନାରୀ ଓ ପୁରୁଷ ଉଭୟ ଦୁଇଗୋଟି ଭିନ୍ନ ଓ ସ୍ଵତନ୍ତ୍ର ଜାତି ତେଣୁ ଶିଘ୍ରାତିଶିଘ୍ର ସେମାନଙ୍କୁ ସମାଜ ନାମକ ତଥାକଥିତ କାଳ୍ପନିକ ଷଡଯନ୍ତ୍ରରୁ ମୁକୁଳେଇ ପୃଥିଵୀର ଦୁଇଗୋଟି ଭିନ୍ନ ଭିନ୍ନ ଭୂଖଣ୍ଡ ପ୍ରଦାନ କରାଯାଉ । ଭାରତଵର୍ଷକୁ ମଧ୍ୟ ଦୁଇଭାଗରେ ଵିଭକ୍ତ କରିଦେଇ ଗୋଟିଏ ଦେଶର ନାଆଁ ରଖାଯାଉ ନାରୀଵର୍ଷ ଓ ଅନ୍ଯଟି ନରଵର୍ଷ । ଆଉ ରହିଲା ସନ୍ତାନ ଉତ୍ପନ୍ନ କରିଵା କଥା ସେଇଟା ତ ଆଜିକାଲି ଵିଜ୍ଞାନ ଦ୍ଵାରା ବି ସମ୍ଭଵ ହେଲାଣି ତେଣୁ ଵିଭାଜନ ବେଏଗି ହେଉ ...! ଆଉ ଏଭଳି ଵିଭାଜନକୁ ମୋର ସମର୍ଥନ  😀😀😀

कोई टिप्पणी नहीं:

एक टिप्पणी भेजें