रविवार, 20 मार्च 2022

ତିନି ସଙ୍ଗାତ କଥା


ଏକ ଜଙ୍ଗଲରେ ହରିଣ ଓ  କାଉ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ବିଲୁଆ ଏହା ଦେଖି ସହି ପାରୁନଥାଇ ‌।  ହରିଣ ସହିତ  କାଉ ଥିଵାରୁ ହରିଣକୁ ମାରିଵା ସହଜ ନଥିଲା କାରଣ ସେହି  କାଉଟା କାଉ ପଲ୍ଲଙ୍କ ମୁଖିଆ ଥିଲା ତେଣୁ କାଉମାନଙ୍କ ଆକ୍ରମଣ ଭୟରେ ସିଂହ ଵ୍ୟାଘ୍ର ମଧ୍ୟ  ଉକ୍ତ ହରିଣଠାରୁ ଦୂରେଇ ରହୁଥିଲେ ।

ବିଲୁଆ କେମିତି କଳେ ବଳେ କୌଶଳେ ହରିଣ ଓ କାଉ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗି ହରିଣକୁ ମାରି ଖାଇଵ ଏହି ଵିଚାର କରିଵାକୁ ଲାଗିଲା ।

ହରିଣ ଓ କାଉ ଉଭୟେ ପରସ୍ପରର ପରମମିତ୍ର ଥିଲେ ଏଵଂ ବିଲୁଆ ଏକ ହିଂସ୍ରଜନ୍ତୁ ହୋଇଥିଵାରୁ ହରିଣ ତାକୁ ଵିଶ୍ଵାସ କରୁନଥିଲା ।

ବିଲୁଆ ବହୁତ ବୁଦ୍ଧିଆ ଜୀଵ । ହରିଣ ସହ ମିତ୍ରତା କରିଵାକୁ ବିଲୁଆ ଅନେକ ପ୍ରୟାସ କଲା ହେଲେ ପ୍ରଥମେ ପ୍ରଥମେ ସଫଳ ହୋଇପାରିଲା ନାହିଁ ।‌

ବିଲୁଆ ମନେ ମନେ ଭାବିଲା ଯେ ଯେତେଦିନ ଯାଏଁ ମୁଁ ଏ ହରିଣ ସହ ସାମାଜିକ ସମ୍ପର୍କ ସ୍ଥାପନ ନକରିଛି ଇଏ ମୋତେ ଵିଶ୍ଵାସ କରିଵ ନାହିଁ ।

ବିଲୁଆର ଚାରିଗୋଟି ଛୁଆ ଜନମିଥିଲେ ଏଵଂ ହରିଣର ମଧ୍ୟ ଦୁଇଗୋଟି ଛୁଆ ଥିଲେ । ବିଲୁଆ ନିଜର ପରିଵାର ଘେନି ହରିଣର ଗୃହ ପାଖରେ ରହିଵାକୁ ଲାଗିଲା । ଫଳତଃ ବିଲୁଆ ଓ ହରିଣର ଛୁଆମାନେ ପରସ୍ପର ସହିତ ଖେଳିଵାକୁ ଲାଗିଲେ ଏଵଂ ସେମାନଙ୍କ ମଧ୍ୟରେ ସ୍ଵଭାଵତଃ ବନ୍ଧୁତା ହୋଇଗଲା ।

ବିଲୁଆ ନିଜ ପିଲାମାନଙ୍କୁ କାଉ ମାନଙ୍କ ଵିରୋଧରେ ନାନା କାହାଣୀ ଶୁଣାଇ ସେମାନଙ୍କ ମତିଭ୍ରମ କରିଦେଲା । କାଉମାନେ କେମିତି ହରିଣ ଓ ବିଲୁଆଙ୍କ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗିଦେଇଥିଲେ ସେକଥା ବିଲୁଆ ତାହାର ଛୁଆଙ୍କୁ ପ୍ରାୟତଃ କହୁଥିଲା ।

କାଉମାନେ ସର୍ଵଭକ୍ଷୀ ହୋଇଥିଵାରୁ କେମିତି ଜଙ୍ଗଲର ଫଳ ମୂଳ ଓ ମାଂସ ସବୁ ଖାଇ ଦେଇ ହରିଣ ଓ ବିଲୁଆମାନଙ୍କୁ ଭୁଆଁ ବୁଲେଇ ରଖିଛନ୍ତି ସେ କଥା ମଧ୍ୟ କହିଲା ।
ଅନେକ ଵର୍ଷ ବିତିଗଲା ଏଵଂ ବିଲୁଆର ଆଶା କେଵଳର ଆଶାରେ ରହିଗଲା । ସେ କେବେ ବି ହରିଣକୁ ଖାଇପାରିଲା ନାହିଁ ସତ କିନ୍ତୁ ହରିଣ ଓ କାଉ ମଧ୍ୟରେ ଭେଦ ଭାଵ ବଢ଼ାଇଵା ଯୋଜନା ଛାଡି଼ଲା ନାହିଁ ।

ବିଲୁଆର ଛୁଆମାନେ ନିଜ ହରିଣ ସାଙ୍ଗମାନଙ୍କ ସହିତ ଖେଳ ଓ ବୁଲାବୁଲି ସମୟରେ ନିଜ ବାପଠାରୁ କାଉମାନଙ୍କ ସମ୍ବନ୍ଧରେ ଶୁଣିଥିଵା କଥା ଵିଷୟରେ ଆଲୋଚନା କରୁଥିଲେ । ଧିରେ ଧିରେ ବୁଢ଼ା ବିଲୁଆ ଦ୍ଵାରା ପ୍ରଚାରିତ କଥାକୁ ସେ ଜଙ୍ଗଲର ସବୁ ନହେଲେ ମଧ୍ୟ ଅନେକ ହରିଣମାନେ  ଵିଶ୍ଵାସ କରିଵାକୁ ଲାଗିଲେ ।

କ୍ରମେ ହରିଣ ଓ କାଉମାନଙ୍କ ମଧ୍ୟରେ ଭେଦଭାଵ ବୃଦ୍ଧି ପାଇଲା ଏଵଂ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ସୌହାର୍ଦ୍ଦ୍ୟ ରହିଲା ନାହିଁ ।

ଥରେ ଭାରତଵର୍ଷରେ ଭୀଷଣ ମରୁଡ଼ି ପଡି଼ଵାରୁ ଏହାର ପ୍ରଭାଵ ଉକ୍ତ ଜଙ୍ଗଲ ଉପରେ ମଧ୍ୟ ଦେଖାଦେଲା । ଅନେକ ଵୃକ୍ଷ ପତ୍ର ପୁଷ୍ପ ଫଳହୀନ ହେଵାରୁ ଖାଦ୍ୟର ଘୋର ଅଭାଵ ହେଲା ।

ସର୍ଵଭକ୍ଷୀ ଜୀଵ ହୋଇଥିଵାରୁ ଏହି ମରୁଡ଼ି ଜନିତ ଖାଦ୍ୟାଭାଵ ପାଇଁ ଉଭୟ ହରିଣ ଓ ବିଲୁଆମାନେ କାଉମାନଙ୍କୁ ଦୋଷ ଦେଵାକୁ ଲାଗିଲେ । କାଉମାନେ ମଧ୍ୟ ନିର୍ଦ୍ଦୋଷ ବୋଲି ଅନେକ ଥର ଯୁକ୍ତି କରି ନୟାନ୍ତ ହେଵାରୁ ହରିଣଙ୍କୁ ତାଙ୍କ ବାଟରେ ଛାଡ଼ି ନିଜ କଥା ବୁଝିଲେ ।

ବିଲୁଆମାନେ ତ ସ୍ଵଭାଵତଃ ମାଂସଭକ୍ଷକ । ଖାଦ୍ୟ ଅଭାଵ ହେଵାରୁ ସେମାନଙ୍କ ମନରେ  ତାଙ୍କ ପୂର୍ଵଜଙ୍କ ସେହି ପ୍ରାଚୀନ ସ୍ଵଭାଵ ସ୍ଵତଃ ଜାତ ହେଲା । ଶାରୀରିକ ଓ ମାନସିକ ଭୋକ ସମୟରେ ମନୁଷ୍ୟ ପରି ବୁଦ୍ଧିମାନ ଜୀଵ ମଧ୍ୟ ଧର୍ମ କର୍ମ ଭୁଲି ଅନ୍ୟାଚାର କରିଵାକୁ ପଛାଏ ନାହିଁ । ଅତଃ ବିଲୁଆମାନେ ଉକ୍ତ ପ୍ରାଚୀନ ହିଂସ୍ର ସ୍ଵଭାଵର ଵଶଵର୍ତ୍ତୀ ହୋଇ ଅନେକ ହରିଣଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଗଲେ ।‌

•(ଏହି କାହାଣୀଟି ଓଡ଼ିଶା ମଧ୍ୟରେ ଵର୍ତ୍ତମାନ ବୃଦ୍ଧି ପାଉଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀଙ୍କୁ ଉପଲକ୍ଷ୍ଯ କରି ଲିଖିତ ହୋଇଅଛି । ତେବେ ଏ କାହାଣୀଟି ହିତୋପଦେଶର ମୃଗ ଓ କାକ ସମ୍ବନ୍ଧୀୟ ଏକ ଗଳ୍ପର ଅନୁକରଣରେ ଲିଖିତ । ହିତୋପଦେଶର ଉକ୍ତ କାହାଣୀ ଅନୁସାରେ ମୃଗ ଓ କାକ ବନ୍ଧୁ ଥିଲେ । ମୃଗ ସହିତ ଶୃଗାଳ ମିଠା ମିଠା କଥା କହି ବନ୍ଧୁତା କରିଥିଲା ଏଵଂ କାକ ଏହାକୁ ପ୍ରଥମେ ଵିରୋଧ କରି ପରେ ଶୃଗାଳର ଯୁକ୍ତିରେ ପରାସ୍ତ ହୋଇ ଶେଷରେ ଗ୍ରହଣ କରିଥିଲା ।  ଦିନେ ଏକ କୃଷକଦ୍ଵାରା ପକାଇଯାଇଥିଵା ଜାଲରେ ମୃଗ ପଡି଼ଯିଵାରୁ ଶୃଗାଳ ମାଂସ ଲୋଭରେ ତାକୁ ଉଦ୍ଧାର ନକରି ତାହାର ମରଣକୁ ଅପେକ୍ଷା କରି ଲୁଚି ବସି ରହିଲା । କାକ ସନ୍ଧ୍ୟାରେ ବନ୍ଧୁ ନଫେରିଵା ଦେଖି ଚାରିଆଡ଼େ ଉଣ୍ଡାଉଣ୍ଡି କରି ସେହି କୃଷିକ୍ଷେତ୍ରରେ ପହଞ୍ଚି ମୃଗକୁ ଜାଲରେ ପଡି଼ଥିଵାର ଦେଖିଲା । କାକଟି ତାହାର ବନ୍ଧୁ ମୃଗକୁ କହିଲା କୃଷକ ଆସିଵା ସମୟରେ ସେ ମରିଵାର ମିଛ ଅଭିନୟ କରି ପଡି଼ରହିଵ ଏଵଂ ତାହାର କା କା ରାଵ ଶୁଣିଲା ମାତ୍ରେ ଉଠି ପଳାୟନ କରିଵ । ବଡିଭୋରରେ କୃଷକ ଜାଲ ପଡି଼ଥିଵା ସ୍ଥାନରେ ମୃଗଟିଏ ମରି ପଡି଼ଥିଵା ଦେଖି ତାକୁ ଜାଲରୁ ବାହାର କରିଵାକୁ ଉଦ୍ୟନ୍ତ ହୁଅନ୍ତେ କାକ ରାବି ଦେଵାରୁ ମୃଗ ଝଟ୍ ଉଠି ପଳାୟନ କଲା । କୃଷକ ଏହା ଦେଖି କ୍ରୋଧଵଶତଃ ଏକ ଠେଙ୍ଗା ତାହା ଉପରକୁ ନିକ୍ଷେପ କରିଵା ଯୋଗୁଁ ତାହା ଯାଇ ଶୃଗାଳ ମସ୍ତକରେ ବାଜିଲା ଏଵଂ ସେଇଠି ହିଁ ଉକ୍ତ ଶୃଗାଳର ମୃତ୍ୟୁ ହୋଇଯାଇଥିଲା)•

© ଶିଶିର ସାହୁ ମନୋଜ

मंगलवार, 15 मार्च 2022

ଗରିଲାର ବୁଦ୍ଧି

ହନୁ ଓ ମାଙ୍କଡ଼ମାନେ ଭାରତରେ ଶାନ୍ତିପ୍ରିୟ ମନୁଷ୍ୟମାନଙ୍କଦ୍ଵାରା ଅତ୍ୟାଚାରିତ ହେଲେ ଫଳତଃ ଅତିଷ୍ଠ ହୋଇ ଆଫ୍ରିକାକୁ ପଳାୟନ କଲେ ‌।

ଆଫ୍ରିକାରେ ଗରିଲା,ସିମ୍ପାଜୀ,କଳା ମାଙ୍କଡ଼ ଆଦି ପ୍ରାୟ ୨୧୬ ପ୍ରଜାତିର ଵାନର ଦେଖିଵାକୁ ମିଳନ୍ତି ତନ୍ମଧ୍ୟରେ ୧୧୧ଟି ମୂଳ ଆଫ୍ରିକା ଏଵଂ ବାକି ୧୦୫ଟି ଵାନର ପ୍ରଜାତି ମାଡାଗାସ୍କର ଦ୍ଵୀପରେ ଦେଖାଯାଆନ୍ତି ‌ ।

ସେ ଯାହା ହେଉ ଆଫ୍ରିକୀୟ ଵାନରମାନେ ଭାରତୀୟ ଵାନରଙ୍କ ଦୁଃଖ ଜାଣିଲେ ବଡ଼ ଦୁଃଖ କଲେ ।

ଭାରତୀୟ ଵାନର କାନ୍ଦିଵାରୁ ତାଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନଙ୍କର ମଧ୍ୟ କାନ୍ଦ ବୋବାଳି ବାହାରି ପଡ଼ିଲା ।

ଵର୍ଷ ପରେ ଵର୍ଷ ବିତିଗଲା କିନ୍ତୁ ଭାରତୀୟ ଵାନର କାନ୍ଦିଵା ଛାଡି଼ଲେ ନାହିଁ କି ଲଢି଼ଵା ଶିଖିଲେ ନାହିଁ ।

ପ୍ରଥମେ ପ୍ରଥମେ ଭାରତୀୟ ଵାନରଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନେ ବି କାନ୍ଦି ପକାଇଥିଲେ ତାପରେ ଧିରେ ଧିରେ ଏସବୁ ପାଣିଚିଆ ଲାଗିଲା ।

ଧେତ୍ ସବୁଦିନ ସେଇ କାନ୍ଦ...
ଭୀରୁ କାପୁରୁଷ ଦଳ ଯୁଦ୍ଧ କି ଵିରୋଧ ନରି ନିଜ ଦେଶ ଛାଡ଼ି ଏଠିକି ପଳାଇ ଆସିଛନ୍ତି ଆଉ ଖାଲି ଲୁହ ଗଡ଼ାଉଛନ୍ତି

ଛି ଛି ଛି...

ପୁଣି କେତେକ ଵର୍ଷ ଗତ ହୋଇଗଲା...

ଆଫ୍ରିକୀୟ ଵାନରଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଵିଵାଦ ଦେଖା ଦେଲା ।ଆଫ୍ରିକାରେ Baboons ଓ Gorilla ଵାନରଙ୍କ ମଧ୍ୟରେ ଵିଵାଦ ବହୁତ ଦିନ ଯାଏଁ ଚାଲିଲା ।

ଆଫ୍ରିକାରେ ସବୁ ଜାତୀୟ ଵାନରମାନେ ଗରିଲାମାନଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ ।

ଜଣେ ଚତୁର ଗରିଲା ଦେଖିଲା ଏହାର ସମାଧାନ ନକଲେ ଗରିଲାଙ୍କୁ “ପତର- ପାଣି” କିଛି ବି ମିଳିଵ ନାହିଁ ।

ତେଣୁ ସେ ଗୋଟିଏ ନାଟକ ମଣ୍ଡଳୀ ଗଠନ କଲା ଯେ ସେଥିରେ ସବୁ ଜାତୀୟ ଵାନର ଅଭିନେତା ଥିଲେ । ଆଫ୍ରିକା ସାରା ବୁଲି ବୁଲି ସେମାନେ ନାଟକ ପରିଵେଷଣ କରୁଥିଲେ । 

ଭାରତୀୟ ଵାନରଙ୍କର ଭାରତରୁ ଆଫ୍ରିକ ପଳାୟନର ଲୋମହର୍ଷଣକାରୀ ଘଟଣାଵଳୀକୁ ନାଟକ ଦ୍ଵାରା ବଡ଼ ଚମତ୍କାର ଭାବରେ ପ୍ରଦର୍ଶିତ କରାଗଲା ଏଵଂ ସେଥିରେ ଭାରତୀୟ ଵାନର ଭାଵରେ ଅଭିନୟ କଲେ ଗରିଲା ଵାନରମାନେ...

ବାସ୍ ଆଉ ଗରିଲାଙ୍କ ପ୍ରତି ଆଫ୍ରିକାରେ ଅନ୍ୟ ଵାନରମାନଙ୍କର ଦ୍ୱେଷ ରହିଲା ନାହିଁ । ଗରିଲାମାନେ ବବୁନ୍‌ମାନଙ୍କ ସହିତ ଯୋଉ ଅତ୍ୟାଚାର କରିଥିଲେ ତାକୁ ସମସ୍ତେ ଭୁଲିଗଲେ ...

© ଶିଶିର ସାହୁ ମନୋଜ