शुक्रवार, 28 फ़रवरी 2020

ଉପଦେଶ

ଗୋଟିଏ ଛୋଟ ଦେଶର ଏକ ଅଖ୍ଯାତ ପଲ୍ଲୀରେ  ଜଣେ ଲୋକପ୍ରିୟ ସିଦ୍ଧ ଥିଲେ |  ସେ ମହାତ୍ମା ମାସରେ ତିନିଥର ମହାନଗର ପରିଦର୍ଶନ କରୁଥିଲେ |

ସେଠାର ବଡ଼ହାଟକୁ ଯାଇ ସେ ପରସ୍ପରକୁ ଟଙ୍କା ଦ୍ଵାରା ସାହାଯ୍ୟ କରିଵାକୁ ଉପଦେଶ ଦେଉଥିଲେ ।  ସମସ୍ତେ ତାଙ୍କୁ ଜଣେ ଶାନ୍ତ ଶିଷ୍ଟ ଲୋକ ଭାଵେ ଜାଣିଥିଲେ ଏଵଂ ନିଜର ନିଆରା ଉପଦେଶ ପାଇଁ ସେ ଜଣାଶୁଣା ଥିଲେ |

ଦିନେ ସନ୍ଧ୍ୟାରେ ଉକ୍ତ ନଗରସ୍ଥ ହାଟକୁ ତିନି ଜଣ ଲୋକ ଆସିଥିଲେ ।  ସେତେଵେଳକୁ ସିଦ୍ଧ ଵ୍ଯକ୍ତି ଜଣକ ଭଗଵାନଙ୍କ ଵନ୍ଦନା ଶେଷ କରି ବସିଥାଆନ୍ତି । ଆଗନ୍ତୁକମାନଙ୍କୁ ଦେଖି ସିଦ୍ଧଵ୍ଯକ୍ତି ତାଙ୍କୁ ସ୍ୱାଗତ କଲେ ।

ତହୁଁ ଆଗନ୍ତୁକମାନେ ସିଦ୍ଧଙ୍କୁ ପଚାରିଲେ,

"ଆମେ ଶୁଣିଅଛୁ ତୁମ୍ଭେ ଟଙ୍କା ଦ୍ଵାରା ପରସ୍ପରକୁ ସାହାଯ୍ୟ କର ବୋଲି ଉପଦେଶ ଦେଉଛ । ପୁଣି ତୁମେ ଏହି ଉପଦେଶ କେଵଳ ଧନୀମାନଙ୍କୁ ହିଁ  ଦେଇଥାଅ,ଦରିଦ୍ର ଜନତାଙ୍କୁ ତୁମେ କେଵେ ବି ଏମନ୍ତ ଉପଦେଶ ଦିଅନାହିଁ । ତୁମର ଖ୍ୟାତି ଯୋଗୁଁ ତୁମେ ନିଶ୍ଚିତ ଭାଵରେ ଜଣେ ବଡ଼ ଧନୀ ହୋଇସାରିଛ ତେଣୁ, ଵର୍ତ୍ତମାନ ତୁମ ପାଖରେ ଥିଵା ସମସ୍ତ ଟଙ୍କା ଆମକୁ ଦିଅ । ଆମେମାନେ ବହୁତ ଦରିଦ୍ର, ଆମକୁ ଅର୍ଥର ବଡ଼ ଅଭାଵ ପଡି଼ଛି  । "

ସିଦ୍ଧ କହିଲେ,
ମୋ ପାଖରେ ଏହି ଶଯ୍ୟା, ସେଇ ଖଟ ଆଉ ପାଣିଗରାଟିଏ  ଛଡା଼ ଆଉ କିଛି ବି ନାହିଁ। ଯଦି ଆପଣମାନେ ଆଵଶ୍ୟକ ମନେକରନ୍ତି ତେଵେ ଏସବୁ ନେଇପାରନ୍ତି । ମୋ ପାଖରେ ସୁନା କି ରୂପା ନାହିଁ ନା ଟଙ୍କା ପଇସା ଅଛି ଯେ ଆପଣମାନଙ୍କୁ ଦେଇପାରିବି ।"

ଏହା ଶୁଣି ଦୁଇଜଣ ଆଗନ୍ତୁକ ସିଦ୍ଧଙ୍କୁ  ହୀନଦୃଷ୍ଟିରେ ଅନାଇ ଅନାଇ ଫେରିଗଲେ |  କିନ୍ତୁ ଜଣେ ଆଗନ୍ତୁକ ଵ୍ଯକ୍ତି, ସିଦ୍ଧଙ୍କ ନିକଟରେ ତଥାପି ଠିଆ ହୋଇଥାଏ ।

କିଛି କ୍ଷଣ ପରେ ସେ ସିଦ୍ଧଙ୍କୁ କହିଲା,
"ଠକ ! ଖଣ୍ଟ !! ତୁ ଲୋକମାନଙ୍କୁ ସେହି କଥା ସବୁ ଉପଦେଶ କରୁ, ଯାହାକୁ ତୁ ନିଜେ ନିଜ ଜୀଵନରେ କେଵେ କାର୍ଯ୍ୟକାରୀ କରିନାହୁଁ କି କେଵେ କରିପାରିବୁନାହିଁ।"

(ଲେଵାନନ୍ ଦେଶର ଗାଳ୍ପିକ ଖଲୀଲ ଜିବ୍ରାନ୍'ଙ୍କର ଏକ ଗଳ୍ପର ଓଡ଼ିଆ ଭାଵାନୁଵାଦ)

"ଅତିଥି ! ତେମେ କେବେ ଯିଵ ହେ ଅତିଥି ?"

ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିବ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିବ ?

ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାର କରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମର ଯିବାର କୌଣସି ସମ୍ଭାବନା ଦୃଶ୍ଯ ହେଉନାହିଁ |

ଜ୍ୟୋତିର୍ବିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ  ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵନ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ? 

ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା | ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି | ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର୍ ହେଉଥିଲା ।

ହେ  ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା  ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।

ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |

ଆମର ଆଶା ଥିଲା ତେମେ ଆପଣ  ଦ୍ୱିତୀୟ ଦିନରେ ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।

ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ଅନୁସନ୍ଧାନ କରିଦେଇଥିଲେ । ଏତେ ଅଏନ ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ କିନ୍ତୁ ତଥାପି ତୁମେ ଏଠାରେ ଅଛ ।

ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ  । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।

"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"

ମାନେ ?

ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ  ତୁମେ ଆମ ଘର ଛାଡ଼ିବ ନାହିଁ?

ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା | ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି | ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ |

ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |

ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ | ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି  ତଥାପି ତୁମେ ଏଠାରେ ଅଛ ।

ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ଆମେ ସବୁ ଵିଷୟରେ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।

ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ ଯେ ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?

ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ  । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ ।  ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?

ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି  ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ   ।

ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ ଅଛି ଯାହା ବୋଲା ଯାଇପାରେ |

ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ଏହା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ  ।

ଏହା ସତ୍ୟ ଯେ ତୁମେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।

ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି କିନ୍ତୁ ସେ ବି ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି ।  ତୁମେ ବି ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି  । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !

ଧେତ୍ ! ତୁମେ କେବେ ଯିଵ ହେ ଅତିଥି  !

(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)

रविवार, 16 फ़रवरी 2020

ଦୁର୍ଘଟଣା

ଗୋଟାଏ ବଡ଼ ନଗରର ଛୋଟ ଗଳିବାଟଦେଇ
କାରଟେ ଯାଉଥିଲା । ସେ ଗାଡି଼ ଆଗକୁ ସ୍କୁଲରୁ ଲେଉଟୁଥିଵା ସାତ ଆଠ ଵର୍ଷର ଛୁଆଟେ ଭୁଲରେ ଆସିଯିଵାରୁ  ଖଣ୍ଡିଆଖାବରା ହୋଇଗଲା । ଛୁଆର ମୁଣ୍ଡରୁ ଧାର ଧାର ରକ୍ତ ବୋହି ଯାଉଥାଏ । ପିଲାଟି କିଛି ସମୟ କାନ୍ଦି ଅଚେତ ହୋଇଗଲା । 

ଆଖପାଖର ଲୋକ ଘରିଗଲେ । ସବୁ ରାଗିଯାଇଥାନ୍ତି । ଏତେ ଛୋଟ ପିଲାର ଏଭଳି ଅଵସ୍ଥା ଦେଖିଲେ କିଏ ନ ରାଗିବ ଯେ....!

ଛୁଆର ମାଆ ବାପା ଵି ଆସିଗଲେଣି 
ଏତିକି ଵେଳେ କେହି ଜଣେ
କହି ପକେଇଲା 

“ଡ୍ରାଇଵରଟା କୁଆଡେ଼ ଗଲା ଵେ
ଧର ତାକୁ.....
ଆଉ ଜଣେ କହିଲା ମାର ମାର ...”

ଆମ ଦେଶର ଲୋକେ ବଡ଼ ଭାଵପ୍ରଵଣ  ।
ଅନ୍ୟାୟ ଦେଖିଲେ ଆମ ଲୋକଙ୍କୁ ଆଉ
ସତ-ମିଛ,ଭଲ-ଭେଲ କିଛି ଦିଶେନି ।

ତେଣୁ ଏହା ନିଶ୍ଚିତ ଯେ
ଏବେ ଯଦି ଵାହନଚାଳକ  ସେଠାରୁ ଖସି ପଳେଇଵାକୁ
ଉଦ୍ୟତ୍ତ ହୁଏ ତ ନିଶ୍ଚିତ କୁଟା ଖାଇଵ ହିଁ ଖାଇଵ ।

ସେ କ’ଣ ଭାଵିଲା କେଜାଣି,
ଆଗେଇ ଯାଇ
ରକ୍ତ ଜୁଡୁ଼ବୁଡୁ଼ ପିଲାଟିକୁ ଛାତିରେ ଲଗାଇ
ପିଠି ଆଉଁସି ଆଉଁସି କହିଲା-

“ବାପରେ ଧନରେ ....! ଓ ହୋ !
ଏ କ’ଣ ହେଇଗଲା ତୋର !!!!”

ଏଣେ ଲୋକଙ୍କ କ୍ରୋଧ କୁଆଡ଼େ ଉଭାନ ହୋଇଯାଇଥିଲା ।

ଛୁଆଟାର ମାଆ-ବାପା  କହୁଥାନ୍ତି
“ସେ କେତେ ଭଲ ଲୋକ ଦେଖ !
ଆଉ କେ ହେଇଥିଲେ କେବେଠୁଁ
ପଳାନ୍ତାଣି ନା......”