रविवार, 20 मार्च 2022

ତିନି ସଙ୍ଗାତ କଥା


ଏକ ଜଙ୍ଗଲରେ ହରିଣ ଓ  କାଉ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା । ବିଲୁଆ ଏହା ଦେଖି ସହି ପାରୁନଥାଇ ‌।  ହରିଣ ସହିତ  କାଉ ଥିଵାରୁ ହରିଣକୁ ମାରିଵା ସହଜ ନଥିଲା କାରଣ ସେହି  କାଉଟା କାଉ ପଲ୍ଲଙ୍କ ମୁଖିଆ ଥିଲା ତେଣୁ କାଉମାନଙ୍କ ଆକ୍ରମଣ ଭୟରେ ସିଂହ ଵ୍ୟାଘ୍ର ମଧ୍ୟ  ଉକ୍ତ ହରିଣଠାରୁ ଦୂରେଇ ରହୁଥିଲେ ।

ବିଲୁଆ କେମିତି କଳେ ବଳେ କୌଶଳେ ହରିଣ ଓ କାଉ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗି ହରିଣକୁ ମାରି ଖାଇଵ ଏହି ଵିଚାର କରିଵାକୁ ଲାଗିଲା ।

ହରିଣ ଓ କାଉ ଉଭୟେ ପରସ୍ପରର ପରମମିତ୍ର ଥିଲେ ଏଵଂ ବିଲୁଆ ଏକ ହିଂସ୍ରଜନ୍ତୁ ହୋଇଥିଵାରୁ ହରିଣ ତାକୁ ଵିଶ୍ଵାସ କରୁନଥିଲା ।

ବିଲୁଆ ବହୁତ ବୁଦ୍ଧିଆ ଜୀଵ । ହରିଣ ସହ ମିତ୍ରତା କରିଵାକୁ ବିଲୁଆ ଅନେକ ପ୍ରୟାସ କଲା ହେଲେ ପ୍ରଥମେ ପ୍ରଥମେ ସଫଳ ହୋଇପାରିଲା ନାହିଁ ।‌

ବିଲୁଆ ମନେ ମନେ ଭାବିଲା ଯେ ଯେତେଦିନ ଯାଏଁ ମୁଁ ଏ ହରିଣ ସହ ସାମାଜିକ ସମ୍ପର୍କ ସ୍ଥାପନ ନକରିଛି ଇଏ ମୋତେ ଵିଶ୍ଵାସ କରିଵ ନାହିଁ ।

ବିଲୁଆର ଚାରିଗୋଟି ଛୁଆ ଜନମିଥିଲେ ଏଵଂ ହରିଣର ମଧ୍ୟ ଦୁଇଗୋଟି ଛୁଆ ଥିଲେ । ବିଲୁଆ ନିଜର ପରିଵାର ଘେନି ହରିଣର ଗୃହ ପାଖରେ ରହିଵାକୁ ଲାଗିଲା । ଫଳତଃ ବିଲୁଆ ଓ ହରିଣର ଛୁଆମାନେ ପରସ୍ପର ସହିତ ଖେଳିଵାକୁ ଲାଗିଲେ ଏଵଂ ସେମାନଙ୍କ ମଧ୍ୟରେ ସ୍ଵଭାଵତଃ ବନ୍ଧୁତା ହୋଇଗଲା ।

ବିଲୁଆ ନିଜ ପିଲାମାନଙ୍କୁ କାଉ ମାନଙ୍କ ଵିରୋଧରେ ନାନା କାହାଣୀ ଶୁଣାଇ ସେମାନଙ୍କ ମତିଭ୍ରମ କରିଦେଲା । କାଉମାନେ କେମିତି ହରିଣ ଓ ବିଲୁଆଙ୍କ ମଧ୍ୟରେ ଥିଵା ବନ୍ଧୁତା ଭାଙ୍ଗିଦେଇଥିଲେ ସେକଥା ବିଲୁଆ ତାହାର ଛୁଆଙ୍କୁ ପ୍ରାୟତଃ କହୁଥିଲା ।

କାଉମାନେ ସର୍ଵଭକ୍ଷୀ ହୋଇଥିଵାରୁ କେମିତି ଜଙ୍ଗଲର ଫଳ ମୂଳ ଓ ମାଂସ ସବୁ ଖାଇ ଦେଇ ହରିଣ ଓ ବିଲୁଆମାନଙ୍କୁ ଭୁଆଁ ବୁଲେଇ ରଖିଛନ୍ତି ସେ କଥା ମଧ୍ୟ କହିଲା ।
ଅନେକ ଵର୍ଷ ବିତିଗଲା ଏଵଂ ବିଲୁଆର ଆଶା କେଵଳର ଆଶାରେ ରହିଗଲା । ସେ କେବେ ବି ହରିଣକୁ ଖାଇପାରିଲା ନାହିଁ ସତ କିନ୍ତୁ ହରିଣ ଓ କାଉ ମଧ୍ୟରେ ଭେଦ ଭାଵ ବଢ଼ାଇଵା ଯୋଜନା ଛାଡି଼ଲା ନାହିଁ ।

ବିଲୁଆର ଛୁଆମାନେ ନିଜ ହରିଣ ସାଙ୍ଗମାନଙ୍କ ସହିତ ଖେଳ ଓ ବୁଲାବୁଲି ସମୟରେ ନିଜ ବାପଠାରୁ କାଉମାନଙ୍କ ସମ୍ବନ୍ଧରେ ଶୁଣିଥିଵା କଥା ଵିଷୟରେ ଆଲୋଚନା କରୁଥିଲେ । ଧିରେ ଧିରେ ବୁଢ଼ା ବିଲୁଆ ଦ୍ଵାରା ପ୍ରଚାରିତ କଥାକୁ ସେ ଜଙ୍ଗଲର ସବୁ ନହେଲେ ମଧ୍ୟ ଅନେକ ହରିଣମାନେ  ଵିଶ୍ଵାସ କରିଵାକୁ ଲାଗିଲେ ।

କ୍ରମେ ହରିଣ ଓ କାଉମାନଙ୍କ ମଧ୍ୟରେ ଭେଦଭାଵ ବୃଦ୍ଧି ପାଇଲା ଏଵଂ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ସୌହାର୍ଦ୍ଦ୍ୟ ରହିଲା ନାହିଁ ।

ଥରେ ଭାରତଵର୍ଷରେ ଭୀଷଣ ମରୁଡ଼ି ପଡି଼ଵାରୁ ଏହାର ପ୍ରଭାଵ ଉକ୍ତ ଜଙ୍ଗଲ ଉପରେ ମଧ୍ୟ ଦେଖାଦେଲା । ଅନେକ ଵୃକ୍ଷ ପତ୍ର ପୁଷ୍ପ ଫଳହୀନ ହେଵାରୁ ଖାଦ୍ୟର ଘୋର ଅଭାଵ ହେଲା ।

ସର୍ଵଭକ୍ଷୀ ଜୀଵ ହୋଇଥିଵାରୁ ଏହି ମରୁଡ଼ି ଜନିତ ଖାଦ୍ୟାଭାଵ ପାଇଁ ଉଭୟ ହରିଣ ଓ ବିଲୁଆମାନେ କାଉମାନଙ୍କୁ ଦୋଷ ଦେଵାକୁ ଲାଗିଲେ । କାଉମାନେ ମଧ୍ୟ ନିର୍ଦ୍ଦୋଷ ବୋଲି ଅନେକ ଥର ଯୁକ୍ତି କରି ନୟାନ୍ତ ହେଵାରୁ ହରିଣଙ୍କୁ ତାଙ୍କ ବାଟରେ ଛାଡ଼ି ନିଜ କଥା ବୁଝିଲେ ।

ବିଲୁଆମାନେ ତ ସ୍ଵଭାଵତଃ ମାଂସଭକ୍ଷକ । ଖାଦ୍ୟ ଅଭାଵ ହେଵାରୁ ସେମାନଙ୍କ ମନରେ  ତାଙ୍କ ପୂର୍ଵଜଙ୍କ ସେହି ପ୍ରାଚୀନ ସ୍ଵଭାଵ ସ୍ଵତଃ ଜାତ ହେଲା । ଶାରୀରିକ ଓ ମାନସିକ ଭୋକ ସମୟରେ ମନୁଷ୍ୟ ପରି ବୁଦ୍ଧିମାନ ଜୀଵ ମଧ୍ୟ ଧର୍ମ କର୍ମ ଭୁଲି ଅନ୍ୟାଚାର କରିଵାକୁ ପଛାଏ ନାହିଁ । ଅତଃ ବିଲୁଆମାନେ ଉକ୍ତ ପ୍ରାଚୀନ ହିଂସ୍ର ସ୍ଵଭାଵର ଵଶଵର୍ତ୍ତୀ ହୋଇ ଅନେକ ହରିଣଙ୍କୁ ଆକ୍ରମଣ କରି ସେମାନଙ୍କୁ ଖାଇଗଲେ ।‌

•(ଏହି କାହାଣୀଟି ଓଡ଼ିଶା ମଧ୍ୟରେ ଵର୍ତ୍ତମାନ ବୃଦ୍ଧି ପାଉଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀଙ୍କୁ ଉପଲକ୍ଷ୍ଯ କରି ଲିଖିତ ହୋଇଅଛି । ତେବେ ଏ କାହାଣୀଟି ହିତୋପଦେଶର ମୃଗ ଓ କାକ ସମ୍ବନ୍ଧୀୟ ଏକ ଗଳ୍ପର ଅନୁକରଣରେ ଲିଖିତ । ହିତୋପଦେଶର ଉକ୍ତ କାହାଣୀ ଅନୁସାରେ ମୃଗ ଓ କାକ ବନ୍ଧୁ ଥିଲେ । ମୃଗ ସହିତ ଶୃଗାଳ ମିଠା ମିଠା କଥା କହି ବନ୍ଧୁତା କରିଥିଲା ଏଵଂ କାକ ଏହାକୁ ପ୍ରଥମେ ଵିରୋଧ କରି ପରେ ଶୃଗାଳର ଯୁକ୍ତିରେ ପରାସ୍ତ ହୋଇ ଶେଷରେ ଗ୍ରହଣ କରିଥିଲା ।  ଦିନେ ଏକ କୃଷକଦ୍ଵାରା ପକାଇଯାଇଥିଵା ଜାଲରେ ମୃଗ ପଡି଼ଯିଵାରୁ ଶୃଗାଳ ମାଂସ ଲୋଭରେ ତାକୁ ଉଦ୍ଧାର ନକରି ତାହାର ମରଣକୁ ଅପେକ୍ଷା କରି ଲୁଚି ବସି ରହିଲା । କାକ ସନ୍ଧ୍ୟାରେ ବନ୍ଧୁ ନଫେରିଵା ଦେଖି ଚାରିଆଡ଼େ ଉଣ୍ଡାଉଣ୍ଡି କରି ସେହି କୃଷିକ୍ଷେତ୍ରରେ ପହଞ୍ଚି ମୃଗକୁ ଜାଲରେ ପଡି଼ଥିଵାର ଦେଖିଲା । କାକଟି ତାହାର ବନ୍ଧୁ ମୃଗକୁ କହିଲା କୃଷକ ଆସିଵା ସମୟରେ ସେ ମରିଵାର ମିଛ ଅଭିନୟ କରି ପଡି଼ରହିଵ ଏଵଂ ତାହାର କା କା ରାଵ ଶୁଣିଲା ମାତ୍ରେ ଉଠି ପଳାୟନ କରିଵ । ବଡିଭୋରରେ କୃଷକ ଜାଲ ପଡି଼ଥିଵା ସ୍ଥାନରେ ମୃଗଟିଏ ମରି ପଡି଼ଥିଵା ଦେଖି ତାକୁ ଜାଲରୁ ବାହାର କରିଵାକୁ ଉଦ୍ୟନ୍ତ ହୁଅନ୍ତେ କାକ ରାବି ଦେଵାରୁ ମୃଗ ଝଟ୍ ଉଠି ପଳାୟନ କଲା । କୃଷକ ଏହା ଦେଖି କ୍ରୋଧଵଶତଃ ଏକ ଠେଙ୍ଗା ତାହା ଉପରକୁ ନିକ୍ଷେପ କରିଵା ଯୋଗୁଁ ତାହା ଯାଇ ଶୃଗାଳ ମସ୍ତକରେ ବାଜିଲା ଏଵଂ ସେଇଠି ହିଁ ଉକ୍ତ ଶୃଗାଳର ମୃତ୍ୟୁ ହୋଇଯାଇଥିଲା)•

© ଶିଶିର ସାହୁ ମନୋଜ

मंगलवार, 15 मार्च 2022

ଗରିଲାର ବୁଦ୍ଧି

ହନୁ ଓ ମାଙ୍କଡ଼ମାନେ ଭାରତରେ ଶାନ୍ତିପ୍ରିୟ ମନୁଷ୍ୟମାନଙ୍କଦ୍ଵାରା ଅତ୍ୟାଚାରିତ ହେଲେ ଫଳତଃ ଅତିଷ୍ଠ ହୋଇ ଆଫ୍ରିକାକୁ ପଳାୟନ କଲେ ‌।

ଆଫ୍ରିକାରେ ଗରିଲା,ସିମ୍ପାଜୀ,କଳା ମାଙ୍କଡ଼ ଆଦି ପ୍ରାୟ ୨୧୬ ପ୍ରଜାତିର ଵାନର ଦେଖିଵାକୁ ମିଳନ୍ତି ତନ୍ମଧ୍ୟରେ ୧୧୧ଟି ମୂଳ ଆଫ୍ରିକା ଏଵଂ ବାକି ୧୦୫ଟି ଵାନର ପ୍ରଜାତି ମାଡାଗାସ୍କର ଦ୍ଵୀପରେ ଦେଖାଯାଆନ୍ତି ‌ ।

ସେ ଯାହା ହେଉ ଆଫ୍ରିକୀୟ ଵାନରମାନେ ଭାରତୀୟ ଵାନରଙ୍କ ଦୁଃଖ ଜାଣିଲେ ବଡ଼ ଦୁଃଖ କଲେ ।

ଭାରତୀୟ ଵାନର କାନ୍ଦିଵାରୁ ତାଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନଙ୍କର ମଧ୍ୟ କାନ୍ଦ ବୋବାଳି ବାହାରି ପଡ଼ିଲା ।

ଵର୍ଷ ପରେ ଵର୍ଷ ବିତିଗଲା କିନ୍ତୁ ଭାରତୀୟ ଵାନର କାନ୍ଦିଵା ଛାଡି଼ଲେ ନାହିଁ କି ଲଢି଼ଵା ଶିଖିଲେ ନାହିଁ ।

ପ୍ରଥମେ ପ୍ରଥମେ ଭାରତୀୟ ଵାନରଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନେ ବି କାନ୍ଦି ପକାଇଥିଲେ ତାପରେ ଧିରେ ଧିରେ ଏସବୁ ପାଣିଚିଆ ଲାଗିଲା ।

ଧେତ୍ ସବୁଦିନ ସେଇ କାନ୍ଦ...
ଭୀରୁ କାପୁରୁଷ ଦଳ ଯୁଦ୍ଧ କି ଵିରୋଧ ନରି ନିଜ ଦେଶ ଛାଡ଼ି ଏଠିକି ପଳାଇ ଆସିଛନ୍ତି ଆଉ ଖାଲି ଲୁହ ଗଡ଼ାଉଛନ୍ତି

ଛି ଛି ଛି...

ପୁଣି କେତେକ ଵର୍ଷ ଗତ ହୋଇଗଲା...

ଆଫ୍ରିକୀୟ ଵାନରଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଵିଵାଦ ଦେଖା ଦେଲା ।ଆଫ୍ରିକାରେ Baboons ଓ Gorilla ଵାନରଙ୍କ ମଧ୍ୟରେ ଵିଵାଦ ବହୁତ ଦିନ ଯାଏଁ ଚାଲିଲା ।

ଆଫ୍ରିକାରେ ସବୁ ଜାତୀୟ ଵାନରମାନେ ଗରିଲାମାନଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ ।

ଜଣେ ଚତୁର ଗରିଲା ଦେଖିଲା ଏହାର ସମାଧାନ ନକଲେ ଗରିଲାଙ୍କୁ “ପତର- ପାଣି” କିଛି ବି ମିଳିଵ ନାହିଁ ।

ତେଣୁ ସେ ଗୋଟିଏ ନାଟକ ମଣ୍ଡଳୀ ଗଠନ କଲା ଯେ ସେଥିରେ ସବୁ ଜାତୀୟ ଵାନର ଅଭିନେତା ଥିଲେ । ଆଫ୍ରିକା ସାରା ବୁଲି ବୁଲି ସେମାନେ ନାଟକ ପରିଵେଷଣ କରୁଥିଲେ । 

ଭାରତୀୟ ଵାନରଙ୍କର ଭାରତରୁ ଆଫ୍ରିକ ପଳାୟନର ଲୋମହର୍ଷଣକାରୀ ଘଟଣାଵଳୀକୁ ନାଟକ ଦ୍ଵାରା ବଡ଼ ଚମତ୍କାର ଭାବରେ ପ୍ରଦର୍ଶିତ କରାଗଲା ଏଵଂ ସେଥିରେ ଭାରତୀୟ ଵାନର ଭାଵରେ ଅଭିନୟ କଲେ ଗରିଲା ଵାନରମାନେ...

ବାସ୍ ଆଉ ଗରିଲାଙ୍କ ପ୍ରତି ଆଫ୍ରିକାରେ ଅନ୍ୟ ଵାନରମାନଙ୍କର ଦ୍ୱେଷ ରହିଲା ନାହିଁ । ଗରିଲାମାନେ ବବୁନ୍‌ମାନଙ୍କ ସହିତ ଯୋଉ ଅତ୍ୟାଚାର କରିଥିଲେ ତାକୁ ସମସ୍ତେ ଭୁଲିଗଲେ ...

© ଶିଶିର ସାହୁ ମନୋଜ

रविवार, 9 जनवरी 2022

ସ୍ଵର୍ଣ୍ଣଗର୍ତ୍ତର କାହାଣୀ

ପିଙ୍ଗଳପ୍ରିୟ ନାମରେ ଜଣେ ରାଜା କନକଦେଶରେ ରାଜତ୍ଵ କରୁଥିଲେ ଏଵଂ ତାଙ୍କର ସବୁଠାରୁ ପ୍ରିୟ ରଙ୍ଗ ଥିଲା ହଳଦିଆ ରଙ୍ଗ । ତାଙ୍କ ରାଜପ୍ରସାଦ ପିଙ୍ଗଳଵର୍ଣ୍ଣ, ତାଙ୍କ ଶରୀର ମଧ୍ୟ ପିଙ୍ଗଳଵର୍ଣ୍ଣର ଥିଲା । ସେ ହଳଦିଆ ରଙ୍ଗର ଖାଦ୍ୟ ଖାଉଥିଲେ, ହଳଦିପାଣିରେ ଗାଧୋଉଥିଲେ, ହଳଦିଆ ଵସ୍ତ୍ରାଭୂଷଣ ପିନ୍ଧୁଥିଲେ,ହଳଦୀ ରଙ୍ଗର ପୁଷ୍ପମାଳା  ଧାରଣ କରୁଥିଲେ ଆଉ ହଳଦିଆ ରଙ୍ଗର ସୁନା ତାଙ୍କର ଅତି ପ୍ରିୟ ଥିଲା ।

କଥିତ ଅଛି ଯେ ସେ ଏତେ ମାତ୍ରାରେ ହଳଦିଆ ଦ୍ରବ୍ୟର ସେଵନ କଲେ ଯେ ତାଙ୍କ ଵିଷ୍ଠା,କେଶ,ଶରୀର ସବୁ ପିଙ୍ଗଳ ଵା ହଳଦି ରଙ୍ଗର ହୋଇଯାଇଥିଲା ।

ରାଜାଙ୍କ ସେଵକମାନେ ରାଜାଙ୍କର ଯାଵତୀୟ ଵର୍ଜ୍ୟଵସ୍ତୁ ଏକଠାଁରେ ବଡ଼ ଗର୍ତ୍ତ ଖୋଳି ପକାଇ ଦିଅନ୍ତି । ରାଜାଙ୍କ ଦିହର ହଳଦୀ ଧୁଆ ପାଣିଠାରୁ ରାଜାଙ୍କ ଵିଷ୍ଠାଯାଏଁ ସବୁକିଛି ସେହି ଗର୍ତ୍ତରେ ପକେଇ ଦିଆଯାଏ ।

ଉକ୍ତ ରାଜାଙ୍କର ରାଜସେଵକମାନେ ଵର୍ଜ୍ୟଵସ୍ତୁ ଫିଙ୍ଗାଯିଵା ଗର୍ତ୍ତଟି ଵିଷୟରେ ବାହାର ଲୋକଙ୍କ ଆଗରେ କହିଵା ବେଳେ ଅତିରଞ୍ଜିତ କରି ଵର୍ଣ୍ଣନା କଲେ । କେହି କେହି ରାଜସେଵକ ଗପୁ ଗପୁ କହିଦେଲେ ରାଜାଙ୍କର ଯୋଉ ସୁନାରୁ ମନ ଛାଡି଼ଯାଏ ତାକୁ ମଧ୍ୟ ଆମେ ସେହି ଗର୍ତ୍ତରେ ପକାଇ ଦେଉ ‌। ସେ ଗର୍ତ୍ତରେ ତ ଗଦା ଗଦା ସ୍ଵର୍ଣ୍ଣାଳଙ୍କାର ପଡି଼ଛି । ରାଜଦଣ୍ଡ ଭୟରେ କେହି ଗୋଟାନ୍ତି ନାହିଁ ‌।

କାଳକ୍ରମେ ସେହି ରାଜାଙ୍କ ଦେହାଵସାନ ହୋଇଗଲା କିନ୍ତୁ ଉକ୍ତ ଦେଶରେ ରାଜାଙ୍କର ଵର୍ଜ୍ୟଵସ୍ତୁ ପଡୁ଼ଥିଵା ଗର୍ତ୍ତଟି ଗୋଟିଏ କିମ୍ବଦନ୍ତୀରେ ଜୀଵନ୍ତ ହୋଇ ରହିଲା ।

ଫଳତଃ କେତେକ ଵର୍ଷ ମଧ୍ୟରେ ସେଇ ରାଜ୍ୟରେ ଗୋଟିଏ କିମ୍ବଦନ୍ତୀ ସୃଷ୍ଟି ହୋଇଗଲା । କିମ୍ବଦନ୍ତୀ ଅନୁସାରେ ପିଙ୍ଗଳପ୍ରିୟ ରାଜାଙ୍କ ପାଖରେ ଅମାପ ସ୍ଵର୍ଣ୍ଣ ସମ୍ପତ୍ତି ଥିଲା ଏଵଂ ଯେତେବେଳେ ରାଜାଙ୍କର କୌଣସି ସ୍ଵର୍ଣ୍ଣ ସମ୍ବନ୍ଧିତ ଵସ୍ତୁ ପ୍ରତି ଆସକ୍ତି କମିଯାଉଥିଲା ସେ ଉକ୍ତ ସ୍ଵର୍ଣ୍ଣଦରଵକୁ ନଵର ମଧ୍ୟରେ ଏକ ଗର୍ତ୍ତରେ ପକାଇ ଦେଇ ଦେଉଥିଲେ ।

ଶହ ଶହ ଵର୍ଷ ଧରି ଏହି ଜନସୃତି ଲୋକ ମୁଖରେ ବଞ୍ଚି ରହିଥିଲା । ପଚାଶ ଦଶକରେ ପିଙ୍ଗଳପ୍ରିୟ ଓ ତାଙ୍କର ସ୍ଵର୍ଣ୍ଣପ୍ରେମକୁ ନେଇ ଵିଭିନ୍ନ କଵିତା ଗଳ୍ପ ଲେଖାଗଲା । ଫଳତଃ ଅନେକ ଗଵେଷକ ସେହି ଗର୍ତ୍ତ ଉଣ୍ଡିଵାରେ ଲାଗିପଡି଼ଲେ । ତେବେ ପଚାଶଵର୍ଷ ବିତିଗଲେ ହେଁ ଗର୍ତ୍ତ ସମ୍ବନ୍ଧରେ କୌଣସି ଆଖିଦୃଶିଆ ତଥ୍ୟ ମିଳିଲା ନାହିଁ ।

କନକ ଦେଶକୁ ଲାଗି ସମ୍ବଳଦେଶ । ସେଠାକାର କିଛି ଲୋକେ ନିଜକୁ ମନେ ମନେ କନକଦେଶଵାସୀ ଭାବୁଥାନ୍ତି କାରଣ ପିଙ୍ଗଳପ୍ରିୟଙ୍କ ଶାସନକାଳରେ ତାଙ୍କ ଅଞ୍ଚଳର କିଛି ଅଂଶ କନକଦେଶରେ ଥିଲା । ସେମାନେ ମନେକଲେ ହୁଏତ ସେହି ଗର୍ତ୍ତଟି ତାଙ୍କ ଅଞ୍ଚଳରେ କୋଉଠି ଅଛି ‌ । ବହୁତ ଯାଗାରେ ଖୋଳାଖୋଳି ହେଲା । ରାଷ୍ଟ୍ରୀୟ ଇତିହାସ ଗଵେଷଣା ସଂସ୍ଥାନକୁ ଚିଠି ଲେଖି ସେମାନେ ଏଥିରେ ସାହାଯ୍ୟ କରିଵାକୁ ଅନୁରୋଧ କଲେ । ଫଳତଃ ରାଷ୍ଟ୍ରୀୟ ଗଵେଷଣା ସଂସ୍ଥା ସେମାନଙ୍କୁ ଉତ୍ତରରେ ଜଣେଇ ଦେଲେ ଯେ ସମ୍ବଳଦେଶରେ କନକ ଦେଶର ଗର୍ତ୍ତ ଥିଵାର କୌଣସି ପ୍ରମାଣ ମିଳିଵ ନାହିଁ । କନକ ଦେଶ , ପିଙ୍ଗଳପ୍ରିୟ ରାଜାଙ୍କ ସ୍ଵର୍ଣ୍ଣଗର୍ତ୍ତ କିମ୍ବଦନ୍ତୀ ମାତ୍ର ।   ସେ ଵା ତାଙ୍କ ବଂଶଜ ସମ୍ବଳଦେଶର ଶାସକ ଥିଲେ କି ନାହିଁ ସେ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ମିଳେ ନାହିଁ ।

ଏହାର କିଛି ଵର୍ଷପରେ କଳକପ୍ରଦେଶରେ ହିଁ ଗୋଟିଏ ଭଙ୍ଗା ରାଜ ଉଆସ ଭିତରେ ପୋତା ପଡି଼ଥିଵା ଏକ ବଡ଼ ଗାତ ମିଳିଲା କିନ୍ତୁ ସେଥିରେ ସୁନା କି ରୂପା କିଛି ନଥିଲା । ଵୈଜ୍ଞାନିକମାନେ ଗାତ ଭିତରର ମାଟିକୁ ପରୀକ୍ଷା କରି ଜାଣିଲେ ତାହା ରାଜପୁରୁଷମାନଙ୍କର ମଳମୂତ୍ରାଦି ଫିଙ୍ଗାଯାଉଥିଵା ଗୋଟିଏ ବଡ଼ ଗାଡ଼ ମାତ୍ର ଥିଲା ।

ଆମ ଓଡ଼ିଶାରେ ଦଳେ ଵିଚ୍ଛନ୍ନତାଵାଦୀ ଏହିପରି ଗୋଟିଏ କିମ୍ବଦନ୍ତୀଙ୍କୁ ଧରି ଵିଭାଜନର ଗୀତ ଗାନ କରୁଛନ୍ତି । ଏମାନଙ୍କର ପରିଣତି ମଧ୍ୟ ଶେଷରେ ଵିଷ୍ଠାଗର୍ତ୍ତ ଲାଭ ଛଡ଼ା ଆଉ କିଛି ହେଵ ନାହିଁ ‌ ।

बुधवार, 12 मई 2021

🐸🐸🐸🐸 ଗଙ୍ଗଦତ୍ତ ବେଙ୍ଗର କଥା🐸🐸🐸🐸

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି  । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )

मंगलवार, 2 मार्च 2021

ପଣ୍ଡିତଙ୍କ ଗାମୁଛା

ମୋଗଲକାଳର କଥା । ପୁରୀର ଏକ ଅଖ୍ଯାତ ପଲ୍ଲୀରେ ଜଣେ ନିରୀହ, ନିଷ୍ପାପ ହୃଦୟ ପଣ୍ଡିତ ମହାତ୍ମା ରହୁଥିଲେ ।

ଅଳ୍ପରେ କହିଲେ ପଣ୍ଡିତେ ବଡ଼ ଦରିଦ୍ର ଥିଲେ । ଦିନେ ପଣ୍ଡିତଙ୍କ ଗାମୁଛା ନଦୀରେ ଗାଧୋଇଵା ସମୟରେ ଦୂରକୁ ଭାସି ଗଲା । କୌଣସି ଜିନିଷ ହଜିଗଲେ ସାଧାରଣତଃ ଆମେ ମଣିଷମାନେ ଦୁଃଖୀ ହୋଇଯାଅନ୍ତି ।

ପଣ୍ଡିତେ ମନେ ମନେ ସାମାନ୍ୟ ଦୁଃଖୀ ହେଲେ । ସୁମାରୀ କରି ଦେଖିଲେ କେତେ ଟଙ୍କା ଆଗପଛ କରି ଖରଚ କଲେ ନୁଆ ଗାମୁଛା ଟାଏ କିଣିହେବ ।

ତାଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା
ପଣ୍ଡିତେ ଠିକ୍ କଲେ  ସେ ସେତେ ଦିନ ଯାଏଁ ଦାଢୀ କାଟିବେ ନାହିଁ ଯେତେଦିନ ଯାଏଁ ଗାମୁଛା ମୂଲ୍ଯର ଟଙ୍କା ସଞ୍ଚୟ ନହୋଇଛି ।

କିଛି ଦିନ ଗଡି଼ଯାଆନ୍ତେ ଦିନେ ପଣ୍ଡିତେ ଗାଁରୁ କଟକ ନଗର କୌଣସି କାମରେ ଯାଇ ଥାଅନ୍ତି ।

ଦୂରରୁ ଜଣେ ମୌଲବୀ କୁ ଆସୁଥିଵର  ପଣ୍ଡିତେ ଦେଖିପାରିଲେ...

ମୌଲବୀଙ୍କର ଲମ୍ବା ଦାଢୀ ଥିଲା ପଣ୍ଡିତେ ତ ଆଗରୁ କେବେ ମୁସଲମାନ ଲୋକଙ୍କୁ ଦେଖି ନଥିଲେ କି  ସେ ଜାତି ଵିଷୟରେ ତାଙ୍କର ସେତିକି ଜ୍ଞାନ ନଥିଲା ।

ତହୁଁ ପଣ୍ଡିତେ ମୌଲବୀ ସାହେବଙ୍କ ନିକଟକୁ
ଯାଇ କହିଲେ

"ଏ କଥା ଜାଣି ବହୁତ ଦୁଃଖ ହେଲା ତେବେ ଆପଣଙ୍କର ଗାମୁଛା,ଚଦର ହଜିଯାଇଛି ନା କମ୍ବଳ ଭାଇ” ?

शनिवार, 11 अप्रैल 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

शुक्रवार, 10 अप्रैल 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

गुरुवार, 9 अप्रैल 2020

ଯୁଵକ ଓ ସ୍ଵେଚ୍ଛାସେଵୀ

ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।

ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ
ସେ ଯୁଵକ ପାଖକୁ ଆସି କହିଲେ—

“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ  ସିଧା ଦର୍ଶନ ପାଇପାରିବେ !”

ଯୁଵକ କହିଲା — “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ  !”

ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା—
“ହେଇରେ ଟୋକା କମ୍ ବହପ ନୁହେଁ ତ ତୋର ! ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି ! କିଏ ରେ ତୁ !”

ଯୁଵକ ପୁଣି କହିଲା—
“ରାଗୁଛନ୍ତି କାହିଁକି ଯେ ? ୧୦୦୦୧.୦୦ ଦେବି
ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଆସି ଥରେ ମାତ୍ର ଭେଟି ଯିଵେ ଟି”

ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ! ସ୍ଵେଚ୍ଛାସେଵୀଟା ଚାଲ୍ଲେଇକି କହିଲା
“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ !”

ଯୁଵକ ବି ପ୍ରତ୍ୟୁତ୍ତର ଦେଲା—
“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ?”