शनिवार, 11 अप्रैल 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

शुक्रवार, 10 अप्रैल 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

गुरुवार, 9 अप्रैल 2020

ଯୁଵକ ଓ ସ୍ଵେଚ୍ଛାସେଵୀ

ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।

ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ
ସେ ଯୁଵକ ପାଖକୁ ଆସି କହିଲେ—

“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ  ସିଧା ଦର୍ଶନ ପାଇପାରିବେ !”

ଯୁଵକ କହିଲା — “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ  !”

ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା—
“ହେଇରେ ଟୋକା କମ୍ ବହପ ନୁହେଁ ତ ତୋର ! ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି ! କିଏ ରେ ତୁ !”

ଯୁଵକ ପୁଣି କହିଲା—
“ରାଗୁଛନ୍ତି କାହିଁକି ଯେ ? ୧୦୦୦୧.୦୦ ଦେବି
ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଆସି ଥରେ ମାତ୍ର ଭେଟି ଯିଵେ ଟି”

ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ! ସ୍ଵେଚ୍ଛାସେଵୀଟା ଚାଲ୍ଲେଇକି କହିଲା
“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ !”

ଯୁଵକ ବି ପ୍ରତ୍ୟୁତ୍ତର ଦେଲା—
“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ?”

ଭୋଜି

ଥରେ ଜଣେ ଜମିଦାର ଗାଆଁର ସବୁ ଲୋକଙ୍କୁ
ନିମନ୍ତ୍ରଣ କରିଆଣି ଗୋଟାଏ ବଡ଼ ଭୋଜି ଦେଲେ । ଦିନବେଳେ ଓ ରାତିରେ ଦୁଇ ଓଳିଯାକ ଲୋକେ ତାଙ୍କ ଘରେ ପେଟେ ଲେଖାଏଁ ଖାଇଲେ । କିନ୍ତୁ ଏହି ଭୁରିଭୋଜନରେ ଯୋଗ ଦେଇପାରିନଥିଲା ଗାଆଁର ସବୁଠାରୁ ଦରିଦ୍ର ଲୋକ କାଶିଆ । କେତେଦିନ ଉତ୍ତାରୁ ଦିନେ କାଶିଆକୁ ଦେଖି ଜମିଦାର ପଚାରିଲେ

“ଗାଆଁରେ ଏତେ ବଡ଼ ଭୋଜି ଟେ ଦିଆଗଲା ତୁମ ଘରକୁ ଅନେକ ଥର ଲୋକ ଡକେଇ ପଠାଗଲା ହେଲେ ତମେ କିପାଁଇ ଆସିନଥିଲ  ” ?
କାଶିଆ କହିଲା―
“ଆଜ୍ଞା ! ମୁଁ ଜଙ୍ଗଲରୁ ଯୋଉ କାଠକାଟିଆଣେ
ତାକୁ ଆରଦିନ ବିକିକରି ଯାହା ଟଙ୍କା ପାଏ ତହିଁରୁ ହାଟବାଟ ଖରଚ କଲାରୁ ଯାଇ ମୋ ଘରେ ଚୁଲି ଜଳେ । ଆପଣଙ୍କ ଘରେ ସେଦିନ ସଭିଁଏ ଖାଇବେ ବୋଲି ମୋ କାଠ ଆଉ କେ କିଣିଲେନି । ସେହି ଦିନ ମୋତେ ଉପାସ ରହିବାକୁ ହେଲା”

ଜମିଦାର ବୋଇଲେ―
“ହଁ ଯେ ! ଉପାସ କିଲାଗି ରହିଲୁ କହ ତ !
ଆମ ଘରେ ଆସି ଖାଇଦେଲୁନି
କେତେ ଅନ୍ନ ବଳିଥିଲା ଯେ ନଷ୍ଟ ଗଲା ଜାଣିଚୁ”

କାଶିଆ କହିଲା―
“ଆଜ୍ଞା ! ଅନ୍ୟମାନେ ନିମନ୍ତ୍ରଣ ରକ୍ଷା ଲାଗି ଥିଲାଘରର ଲୋକ ହେଇ ଵି ଆପଣଙ୍କ ଘରେ ଖାଇଲେ । ମୁଁ ଯଦି ଖାଇଥାଆଁନ୍ତି ତାହେଲେ ସେଟା ପୁରା ବାଜେ କଥାଟେ ହେଇଥାଁନ୍ତା । ଯଦି ଖାଇଥାଁନ୍ତି ତେବେ ଲାଗିଥାଁନ୍ତା ସତେ କି ମୋତେ ଖାଇବାକୁ ନମିଳିଲାରୁ ମୁଁ ଭିକମାଗି କି ଖାଉଛି !
କିରା ଆଉ କରିଥାଆଁନ୍ତି ଯେ ସେଇଥି ଲାଗି ମୁଁଇ ଭୋଜିକୁ ଯାଇନଥିଲି ” ।

ସସେମିରା କଥା

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ ।

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲାଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବିନି”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା
“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁବ ଓ ଭାଲୁ ଶୋଇବ,ଏହିପରି କଥା ଆଗରୁ ଠିକ୍ ହୋଇଥିବାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏବଂ ଭାଲୁ ତାକୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ବ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ । ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା
“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିବ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିବାରୁ ତଳେ ନପଡି ଯାଇ ଅଳ୍ପକେ ବର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ ।

କେତେଦିନ ପରେ ରାଜପୁତ୍ର ର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନବର କୁ ଅଣାଇଲେ …
ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେବ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ବରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିବା ବିଷୟକ କଥା କହିଥିବାରୁ କାଳିଦାସଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ ହେଲେ ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେବା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏବଂ ଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେବ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ନେଇନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁଅବଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ‛ସସେମିରା’ର ଆଦ୍ୟ ଅକ୍ଷର ବିଶିଷ୍ଟ ଚାରୋଟି ପୂର୍ଣ୍ଣାବୟବ ଶ୍ଳୋକ ବୋଇଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ବିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵର କୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପି ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ।
ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁ ମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏଁ ନରକ ଗାମୀ ହେଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେବତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେବ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁ ଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣ ଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିବା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟବ୍ୟାଂ ନୈବ ଗଚ୍ଛସିଋକ୍ଷବ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।
(ହେ କୁମାରୀ ! ତୁ ତ ଘରେ ରହୁ ଅଟବ୍ୟାଂ ବା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିବା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅବଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସ କହିଲେ…
“ଦେବଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ବ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିବା ନିଜ ପୂର୍ବ ଅନ୍ୟାୟ ପାଇଁ ପଶ୍ଚାତାପ କରିବା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ବକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

(ଵି:ଦ୍ର— ପ୍ରାୟ ତିନିଵର୍ଷ ତଳେ #ଜାଗୃତ_ଓଡି଼ଶା ୱେବସାଇଟ ପାଇଁ ଏହି ଲେଖାଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ସସେମିରା ଗଳ୍ପ ଆଧାରରେ ନିଜ ଶୈଳୀରେ ସାମାନ୍ୟ ବଦଳେଇ ସଂକ୍ଷିପ୍ତ କରିଣ ଲେଖିଥିଲି । ଦୁଃଖର ଵିଷୟ ସେହି ଜାଲସ୍ଥଳ ଏଵେ ମୃତ । ତେଵେ  ଆଜି ଏହି ଲେଖା ଇଣ୍ଟରନେଟରେ ଅନେକ ସ୍ଥାନରେ ଏହି ଲେଖା ମିଳିଯାଏ । ଟିପ୍ପଣୀ ପେଟିକାରେ ଚିତ୍ର ଦ୍ରଷ୍ଟଵ୍ଯ ଏଵଂ ଚିତ୍ର ସନ୍ଦର୍ଭ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ )

ଦେଵରସ୍ ସହ ଭେଟ

ଆଦମ -ହିନ୍ଦୁ ରାଷ୍ଟ୍ର ର କଳ୍ପନା କ’ଣ ?

ଦେଵରସ-ଦେଖନ୍ତୁ,ନିରନ୍ତର ସଂକୀର୍ଣ୍ଣ ହୋଇ ହୋଇ ଯିବା ହିଁ ରାଷ୍ଟ୍ର ଧର୍ମ ଅଟଇ । ଆଗେ ଆମେ ଜମ୍ବୁଦୀପର ଲୋକ ଥିଲେ । ଏହା ସଂପୂର୍ଣ୍ଣ ଏସିଆ ଥିଲା । ସେତେବେଳେ ଗାଉଥିଲେ ବସୁଧୈବ କୁଟୁମ୍ଵକମ୍ ର ଗୀତ !  ତତ୍ପରେ ଆମେ ଭାରତଵର୍ଷର ହେଲେ,ଆହୁରି ଛୋଟ ହେଲେ । 

ଆଦମ- ତାହେଲେ ଆଗାମୀ ଵର୍ଷ ଗୁଡିକ ରେ ଆମର ସଂକୀର୍ଣ୍ଣତା ର ଵିକାଶ କେମିତି ରହିବ ?

ଦେଵରସ -ଦେଖନ୍ତୁ,ଆଗକୁ ଆମେ ଆର୍ଯ୍ୟଵର୍ତ୍ତ ମଧ୍ୟରେ ସୀମିତ ହୋଇ ରହିଯିବୁ । ଫଳରେ ଦକ୍ଷିଣ ର ଏ ଦ୍ରାଵିଡ ଲୋକ ଭିନ୍ନେ ହେବେ । ପୁଣି ଆର୍ଯ୍ୟଵର୍ତ୍ତ କୁ ଵି ଛୋଟ କରିଵାକୁ ହେବ । ଏ ବଙ୍ଗାଳି ଗୁଡା଼କ ଘୋର କମ୍ୟୁନିଷ୍ଟ ଯାକ ଆଉ ଓଡ଼ିଆ ଲୋକ ସବୁ ନିଷାଦ କାରଣ ମାଛମାଂସ ବହୁତ ଖାଆନ୍ତି । ଏମାନଙ୍କୁ ହିନ୍ଦୁ ରାଷ୍ଟ୍ର ରେ ସ୍ଥାନ ମିଳିବ ନାହିଁ । ତ ଆମେ ଗଢିବୁ ଉତ୍ତରାଖଣ୍ଡ । ଏଥିରୁ ଆମକୁ ପୂର୍ବ ଭାରତର ମ୍ଲେଛ ମାନଙ୍କଠାରୁ ସ୍ଵତନ୍ତ୍ରତା ମିଳିଯିବ । 

ଆଦମ -ତାହେଲେ ତ ହିନ୍ଦୀଭାଷୀ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ ?

ଦେଵରସ- ନା-ନା,ସବୁ ହିନ୍ଦୀ ଭାଷୀ ଵି ହିନ୍ଦୁ ରାଷ୍ଟ୍ର ର ହେବେ ନି ! ଆମେ ଦ୍ଵିଜରାଷ୍ଟର ନାରା ଦେବୁ ।

ଆଦମ -ଅର୍ଥାତ୍ ବ୍ରାହ୍ମଣ କ୍ଷତ୍ରିୟ ଵୈଶ୍ୟ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ । ଶୂଦ୍ର ଏଥିରୁ ବାହାରେ ରହିବେ ?

ଦେଵରସ - ଶୁଣନ୍ତୁ ଆଜ୍ଞା ! ଏହା ପରେ ଆମର ପରଵର୍ତ୍ତୀ ନାରା ହେବ -ଵିପ୍ରରାଷ୍ଟ୍ର !

(ହରିଶଙ୍କର ପରସାଇଙ୍କ “ଦେଵରସ ସେ ମୁଲାକାତ୍” ର ଓଡ଼ିଆ ଭାବାନୁଵାଦ-
ମୂଳ ଲେଖାରେ ଓଡ଼ିଆ ଲୋକ ଙ୍କ ଵାଵଦରେ କୌଣସି କଥା ନାହିଁ ତାହା ଏ ଅକିଞ୍ଚନ ଯୋଡି଼ଛି । ଏଠାରେ କହିରଖେ ଯେ ଏହି ଵ୍ୟଙ୍ଗଟା ସିଧାସଳଖ ତଥାକଥିତ ଉତ୍ତରଭାରତୀୟ ଦେଶଵାଦୀ(ସ୍ଵଘୋଷିତ ରାଷ୍ଟ୍ରଵାଦୀ)ଙ୍କ ଵିପକ୍ଷରେ ଲେଖା ହୋଇଥିଲା ଯେଉଁମାନେ ପ୍ରାଚୀନ ଭାରତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ “ବସୁଧୈବ କୁଟୁମ୍ଵକମ୍” ର ଜ୍ଞାନ ଦିଅନ୍ତି କିନ୍ତୁ ଯେତେବେଳେ କୌଣସି ଅଞ୍ଚଳ ଵିଶେଷର ଲୋକଙ୍କୁ ଅପମାନ ଦେବାର ଥାଏ ସେମାନେ ତାଙ୍କ ଵିରୋଧରେ ନିଷାଦ, କମ୍ୟୁନିଷ୍ଟ, ମ୍ଲେଛ,ଶୂଦ୍ର ଓ ଛୋଟଜାତିଆ ଆଦି ଜାତିଵାଦୀ ଆଖ୍ୟା ପ୍ରଦାନ କରିଦିଅନ୍ତି-ଏଭଳି ହୀନରାଷ୍ଟ୍ରଵାଦ ଵିରୋଧରେ ଦେଶର ନିରପେକ୍ଷ ବୁଦ୍ଧିଜୀବୀ ମାନେ ଵିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଅନ୍ୟଥା ଏମାନେ ଆଉ ଏକ ହିଟଲର ଜନ୍ମର କାରଣ ହେବେ ! ବି:ଦ୍ର::-ଏଭଳି ଵ୍ୟଙ୍ଗ ଯୋଗୁଁ ଏକଦା  ଏକ ପ୍ରଶିଦ୍ଧ ରାଷ୍ଟଵାଦୀ ସଂଗଠନର ଗୁଣ୍ଡା ମାନେ ହରିଶଙ୍କର ପରସାଇଙ୍କୁ ପିଟିଦେଇଥିଲେ-ଵ୍ୟକ୍ତି ସ୍ଵତନ୍ତ୍ରତା ର ଏମାନେ ହେଉଛନ୍ତି ପ୍ରଧାନ ଶତୃ-ତେଣୁ ଏମାନଙ୍କ ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ  )

ପୁରୁଷ ଓ ନାରୀ ଉଭୟ ଭିନ୍ନ ଭିନ୍ନ ଜାତି

ମନୁଷ୍ୟମାନେ ଶରୀର ଗଠନ ଦୃଷ୍ଟିରୁ ଦିଭାଗରେ ଵିଭକ୍ତ । ପୁରୁଷ ଓ ନାରୀ । ଏ ଉଭୟ ଦୁଇଗୋଟି ସ୍ଵତନ୍ତ୍ର ଜାତି ଏଵଂ ଏମାନଙ୍କ ମଧ୍ୟରେ ସଂସର୍ଗ ସୃଷ୍ଟି ଯୋଗୁଁ ମୈଥୁନୀ ଜଗତ ଉତ୍ପନ ହୋଇଛି ଫଳତଃ ଅନେକ ଵଳାତ୍କାରୀ ଜାତ ହେଉଅଛନ୍ତି ।

ଵିଜ୍ଞାନ କହେ ଦୁଇଟି ମୌଳିକ ପରସ୍ପରକୁ ମିଶେଇ ଦେଲେ ନୂଆ ଯୌଗିକଟିଏ ଗଠନ ହୋଇଯାଏ । ଉଦାହରଣ ସ୍ୱରୂପ ଜଳ ଏକ ଯୌଗିକ । ସେଇମିତି ନାରୀ ଓ ପୁରୁଷ ଉଭୟ ପରସ୍ପର ଠାରୁ ବହୁତ ଭିନ୍ନ ସ୍ଵତନ୍ତ୍ର ମୌଳିକ ଅଟନ୍ତି । ଏ ଉଭୟ ଜାତିଙ୍କର ଭିନ୍ନ ଭିନ୍ନ ଦେଶ ହେଵାର ଥିଲା ଏମାନଙ୍କୁ ଷଡ଼ଯନ୍ତ୍ର କରି ଏକାଠି ରଖାଯାଇଛି ।  ଏଥିଯୋଗୁଁ ଗୋଟିଏ ନିରୀହ କନ୍ୟା ବାଟରେ ଘାଟରେ ଆଜି ଵଳାତ୍କାରିତ ହେଉଛି ତ କେଉଁଠି ନିରୀହ ପତି ତା ତିରଲାଠାରୁ ଛାଞ୍ଚୁଣୀ କି ପଁଅରା ମାଡ଼ ଖାଉଛି । ଗୋଟିଏ ପଟେ ଝିଅଟେ ବାପମାଆକୁ ଛାଡ଼ି ପରଘରକୁ ଯାଉଛି ତ ଆଉ ଗୋଟାଏ ପଟେ ପରଘରୁ ଆସିଥିଵା ଝିଅର ହାତକଣ୍ଢେଇ ପାଲଟୁଛି ପୁଅଟିଏ,ଗୋଟିଏ ପଟେ ଝିଅକୁ ତା ଇଛା ଵିରୋଧରେ ଵିଵାହ କରାଯାଉଛି ତ ଅନ୍ଯତ୍ର ଗୋଟିଏ ପୁଅ ଆଉ ଏକ କନ୍ୟାଠାରୁ ପ୍ରେମରେ ଧୋକା ପାଇ କାନ୍ଦୁଛି ।

ଏସବୁ ଅଵ୍ଯଵସ୍ଥା କୋଉଥିପାଇଁ ? କ’ଣ ଵର୍ତ୍ତମାନ ଯୁଗରେ ବି ଏସବୁ ଅଵ୍ଯଵସ୍ଥାଗୁଡି଼କୁ ସଂସ୍କୃତି ନାଆଁରେ ଜାବୁଡ଼ି ଧରିଥିଵେ ?

ମୋ ମତରେ ନାରୀ ଓ ପୁରୁଷ ଏ ଉଭୟ ଜାତିଙ୍କୁ ଏକ କାଳ୍ପନିକ ଅଵାସ୍ତଵ ସମାଜ ପାଖରେ ପରାଧୀନ କରି ରଖା ହୋଇଛି । ଏ ଉଭୟ ଜାତି ବହୁତ ଭିନ୍ନ ଏଵଂ ଏକଥା ସେମାନଙ୍କ ଵାହ୍ଯ ଅଙ୍ଗପ୍ରତ୍ଯଙ୍ଗ,ହାଵ ଭାଵ ଆଦିରୁ ସ୍ପଷ୍ଟ ଜଣାପଡୁ଼ଛି । ଉଦାହରଣ ସ୍ୱରୂପ ନାରୀର ଚାଲି ଗୁଣ୍ଠୁଲି ହାତୀ,ଗଜ ଗମନ ଭଳି ହେଉଥିଲାଵେଳେ ଟୋକା ବୁଢାମାନଙ୍କ ଚାଲିରେ କିଛି ତାଳ ଲୟ ନଥାଏ । ସେମାନେ ଏମନ୍ତ ଚାଲନ୍ତି ସତେ ଯେମିତି କେହି ଅଲଜ୍ଯା ବେତାଳିଆ ସୁରରେ ଗୀତ ଗାଉଛି । ନାରୀମାନଙ୍କ ଆଖିକୁ ହରିଣୀର ଆଖି ସହ ତୁଳନା କରାଯାଏ ପୁଣି ତାଙ୍କ ମୁଖଯାକ ଚନ୍ଦ୍ରିକା ସହ ସମାନ ବୋଲି ଅନେକ କଵି ଗାଇଯାଇଛନ୍ତି କିନ୍ତୁ ପୁରୁଷମାନଙ୍କ ଆଖିରେ ସେଇ ମାଧୁର୍ଯ୍ୟ କାହିଁ ପୁଣି କେତେକଙ୍କର ଆଖି ତ ଏତେ ଢିମା ଢିମା ହେଇଥାଏ ଯେ ଯଦି କାହାକୁ ଦାଢେ଼ଇକି ଅନେଇ ଦେଵେ ସେ ସେଇଠି ଟଳିପଡି଼ଵ । ପୁରୁଷମାନଙ୍କ ମୁହଁ ସବୁ ହନୁମାଙ୍କଡ଼ମାନଙ୍କ ଭଳିଆ ସେମାନେ କଣ୍ ନାରୀମାନଙ୍କ ସଙ୍ଗେ ସୌନ୍ଦର୍ଯ୍ୟ ଓ ଠାଣିବାଣୀରେ ତୁଳନୀୟ ହୋଇପାରିଵେ ? ଏସବୁ ଦୃଷ୍ଟିରୁ ନାରୀ ଓ ପୁରୁଷ ଉଭୟ ନିଶ୍ଚିତ ଦୁଇଗୋଟି ଭିନ୍ନ ଜାତି ବୋଲି କୁହାଯାଇଥାଏ । 

ଯଦି ଵା ନାରୀ ଓ ପୁରୁଷଙ୍କ ଡିଏନଏ ଓ ଆଭ୍ଯନ୍ତରୀଣ ଅଙ୍ଗ ଏକ ହୋଇଥିଵାର ଆପଣଙ୍କ ପାଖରେ କୌଣସି ପ୍ରମାଣ ରହିଛି କିନ୍ତୁ ଆମେ ଖାଲି ଆଖିରେ ତାହା ଦେଖିପାରୁନୁ ତେଣୁ ତାହା ମିଛ ହିଁ ପ୍ରମାଣିତ ହେଉଛି । ଯାହା ଖାଲି ଆଖିରେ ଦେଖାଯାଏ କେଵଳ ତାହା ହିଁ ସତ୍ୟ ଵିଵେଚିତ ହୋଇଥାଏ । ଏଇ ଯେମିତି ଓଡ଼ିଆ ଏଵଂ ସମ୍ବଲପୁରୀ ଗୋଟିଏ ଭାଷା ବୋଲି ତମ ପାଖରେ ଗାଡି଼ଏ ପ୍ରମାଣ ରହିଛି । ଓଡ଼ିଆ ଏଵଂ ସମ୍ବଲପୁରୀର ଅଵ୍ଯୟ, ପ୍ରତ୍ଯୟ, ସର୍ଵନାମ, କ୍ରିୟା, କ୍ରିୟା ଵିଶେଷଣ,ଵାକ୍ଯଗଠନ ପ୍ରାୟ ସମାନ ପୁଣି ଐତିହାସିକ ସମ୍ପର୍କ ଦୃଷ୍ଟିରୁ ଏ ଉଭୟ ଭାଷା ଏକ ମୂଳର କିନ୍ତୁ ଵାହ୍ଯ ଵିଶେଷ୍ଯ ଵିଶେଷଣ ଆଧାରରେ ସମ୍ବଲପୁରୀକୁ ଭିନ୍ନ ଭାଷା କୁହାଯାଉଛି  । ଠିକ୍ ସେଇଭଳି ନାରୀ ପୁରୁଷ ମଧ୍ୟରେ ଵାହ୍ଯଦୃଷ୍ଟିରେ ଭିନ୍ନତା ଥିଵାରୁ ଏ ଉଭୟଙ୍କୁ ଆମ୍ଭେ ଭିନ୍ନ ଜାତି ଵିଚାର କରୁଅଛୁ ।

ତାହେଲେ ନାରୀ ଓ ପୁରୁଷମାନଙ୍କ ଉପରେ ବଢୁ଼ଥିଵା ପାରସ୍ପରିକ ଅତ୍ଯାଚାର ସମାପ୍ତ କରିଵାର କିଛି ଉପାୟ ରହିଛି କି ?

ଆମ ପୃଥିଵୀରେ ଜାତି,ସଂସ୍କୃତି ଓ ଭାଷା ଆଧାରରେ ଦେଶ ଓ ରାଜ୍ୟ ଵିଭାଜନ ହେଵାର ନିୟମ ରହିଛି । ଆମେ ଦେଖୁ ଭାଷା,ସଂସ୍କୃତି ଓ ଵାହ୍ଯ ଅଙ୍ଗପ୍ରତ୍ଯଙ୍ଗ ତଥା ହାଵଭାଵ ଦୃଷ୍ଟିରୁ ନାରୀ ଜାତି ପୁରୁଷଠାରୁ ବହୁତ ଭିନ୍ନ । ନାରୀମାନଙ୍କ ଓଡ଼ିଆଭାଷା ଓ ପୁରୁଷମାନଙ୍କ ଓଡ଼ିଆ ଭାଷାରେ ଵିଶେଷ୍ଯ ତଥା ଵିଶେଷଣ ଶବ୍ଦଗୁଡି଼କ  ବହୁତ ଭିନ୍ନ ।

ସ୍ତ୍ରୀ ଲୋକଙ୍କ ପାଖରେ ଘରକରଣା ଶବ୍ଦଥିଲେ ପୁରୁଷମାନଙ୍କ ପାଖରେ ବାହାରିଆ ଶବ୍ଦ ରହିଥାଏ, ଯଦି ପୁରୁଷଲୋକେ ବିଲର ଶବ୍ଦ ଜାଣନ୍ତି ତ ନାରୀମାନଙ୍କ ପାଖରେ ବାଡି଼ବଗିଚାର ଶବ୍ଦ ରହିଛି ।   ତେଣୁ ଭାଷା ଦୃଷ୍ଟିରୁ ଏମାନଙ୍କ ଵିଶେଷ୍ଯ ଓ ଵିଶେଷଣ ଶବ୍ଦ ଭିନ୍ନ ଭିନ୍ନ ହୋଇଥିଵା ହେତୁରୁ ସେମାନଙ୍କ ଭାଷା ପରସ୍ପରଠାରୁ ଭିନ୍ନ ଓ ସ୍ଵତନ୍ତ୍ର ଏଣୁ ଭାଷା ଦୃଷ୍ଟିରୁ ଏମାନେ ଦୁଇଗୋଟି ଭିନ୍ନ ଜାତି ଅଟନ୍ତି ।

ଏଵେ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ସଂସ୍କୃତିଗତ ଭିନ୍ନତା ଦେଖାଯାଉ । ଗୋଟିଏ ନାରୀ ମଙ୍ଗଳସୂତ୍ର ପିନ୍ଧେ,ସିନ୍ଦୂର ଲଗାଏ,ନିତିଦିନିଆ ଚଉରା ମୂଳେ ସଞ୍ଜଵତୀ ଜାଳେ ଆଉ ଶହେ ପ୍ରକାରର ଓଷା ଵ୍ରତ ରଖେ କିନ୍ତୁ ପୁରୁଷମାନଙ୍କ ସଂସ୍କୃତି ବହୁତ ଢିଲା ପୁଣି ନାରୀମାନଙ୍କ ସଂସ୍କୃତିଠାରୁ ଭିନ୍ନ ତେଣୁ ଏ ଉଭୟ ଜାତିଙ୍କୁ ସ୍ଵତନ୍ତ୍ର ଵିଚାର କରାଯିଵା ଉଚିତ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ନାରୀ ଓ ପୁରୁଷ ଉଭୟ ଦୁଇଗୋଟି ଭିନ୍ନ ଓ ସ୍ଵତନ୍ତ୍ର ଜାତି ତେଣୁ ଶିଘ୍ରାତିଶିଘ୍ର ସେମାନଙ୍କୁ ସମାଜ ନାମକ ତଥାକଥିତ କାଳ୍ପନିକ ଷଡଯନ୍ତ୍ରରୁ ମୁକୁଳେଇ ପୃଥିଵୀର ଦୁଇଗୋଟି ଭିନ୍ନ ଭିନ୍ନ ଭୂଖଣ୍ଡ ପ୍ରଦାନ କରାଯାଉ । ଭାରତଵର୍ଷକୁ ମଧ୍ୟ ଦୁଇଭାଗରେ ଵିଭକ୍ତ କରିଦେଇ ଗୋଟିଏ ଦେଶର ନାଆଁ ରଖାଯାଉ ନାରୀଵର୍ଷ ଓ ଅନ୍ଯଟି ନରଵର୍ଷ । ଆଉ ରହିଲା ସନ୍ତାନ ଉତ୍ପନ୍ନ କରିଵା କଥା ସେଇଟା ତ ଆଜିକାଲି ଵିଜ୍ଞାନ ଦ୍ଵାରା ବି ସମ୍ଭଵ ହେଲାଣି ତେଣୁ ଵିଭାଜନ ବେଏଗି ହେଉ ...! ଆଉ ଏଭଳି ଵିଭାଜନକୁ ମୋର ସମର୍ଥନ  😀😀😀

ଜାତି(ହରିଶଙ୍କର ପରସାଈ)

ମହାନ୍ତିବାବୁଙ୍କ ପୁଅ ଓ ପଣ୍ଡାବାବୁଙ୍କ ଝିଅ ଗୋଟାଏ ବାହାଘରରେ ଭେଟିଥିଲେ । ପରିଚୟ ହେଲା । ଦିନକୁ ଦିନ ତାହା ନିବିଡ଼ ରୁ ନିବିଡ଼ତର ହେବାକୁ ଲାଗିଲା ।କଥା ବଢି ବଢି ଶେଷକୁ ପ୍ରେମ ଓ ପ୍ରେମ ଵିଵାହ ଯାଏଁ ପହଞ୍ଚି ଗଲା ।

ଯେବେ ପଟ୍ଟନାୟକବାବୁ ଵିଵାହ ପ୍ରସ୍ତାବ ନେଇ ପଣ୍ଡାବାବୁଙ୍କ ଘରେ ପହଞ୍ଚିଲେ
ପଣ୍ଡାବାବୁ ସଫା ସଫା ମନା କରିଦେଲେ
“ଏମିତି କଣ୍ କୋଉଠି ହୁଏ ନା ହଉଚି ? ବ୍ରାହ୍ମଣ ଝିଅ ର ବାହାଘର ପୁଣି ଅନ୍ୟ ଜାତିରେ ହେଉଥିବା କେବେ ଶୁଣିଛନ୍ତି ? ଏ ହେ ! ଆଉ ଜାତି ରହିବ ଟି ? ”

ପଣ୍ଡାବାବୁଙ୍କର ଜଣେ ସମ୍ପର୍କୀୟ ସେଇଠି ଥାଆନ୍ତି
ସେ ପଣ୍ଡା ବାବୁଙ୍କୁ କହୁଥାନ୍ତି...
“ହଇଓ ଭାଇ ! ପୁଅ ଝିଅ ବୟସ୍କ ପୁଣି ପଢାଶିକ୍ଷିତ ଆଉ କୁଶଳୀ ବି
ତାଙ୍କୁ ବାହା ହେବାକୁ ଦିଅ
ବାହାଘର ନହେଲେ ବି ସେମାନେ ଲୁଚିଛପି ମିଶିବେ
ଆଉ ସେତେବେଳେ ତାଙ୍କର ଯୋଉ ସମ୍ବନ୍ଧ ହବ ତା’କୁ ତ ପୁରା ଵ୍ୟଭିଚାର କୁହାଯିବ
ଆଉ ସେତେ ଏଇ ସହିପଡିଶାରେ ସମିତେ କେତେ ଛି-ଛାକର ନ କରିବେ ଯେ ?”

ତା ଶୁଣି ପାଖରେ ବସିଥିବା ପଡୋ଼ଶୀଘରର
ବୁଢୀ଼ ମାଉସୀ ଟା ମୁହଁ ମୋଡି଼ଦେଇ  କହିଲା

“ମଲା ମଲା ! ଵ୍ୟଭିଚାର ଯୋଗୁଁ କଣ୍ ଜାତି ଯାଏ କି । ବାହାଘର ଯୋଗୁଁ ଚାଲିଯାଏ ନା ”

😀😀😀

©ହରିଶଙ୍କର ପରସାଇଙ୍କ ‛ଜାତି’ ହାସ୍ୟକଥାର ଓଡ଼ିଆ ଭାଵାନୁଵାଦ..
.
..

ଖଟ୍ଵାଙ୍ଗପୁରାଣ କଥା

ଜଣେ ରାଜା ଥିଲେ ।
ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ
‛ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷା ରେ ଲେଖି କି ଦେବେ ଏବଂ ତାହା ରାଜକୋଷରେ ଜମା ହେବ । ଯେଉଁ ମାନେ ପୁରାଣ ରଚନା କରି କି ଦେବେ ସେ ପଣ୍ଡିତମାନେ ଆଜୀବନ ରାଜାଙ୍କ ଠାରୁ ଅର୍ଥଲାଭ କରିବେ ଆଉ ଯୋଉମାନେ ଏ ଆଦେଶ କୁ ଅମାନ୍ୟ କରିବେ ତାଙ୍କୁ ଶୁଳୀ ଦଣ୍ଡ ଦିଆଯିବ ।

ସେ ଦେଶରେ ଜଣେ ସଂସ୍କୃତ ଜ୍ଞାନଶୂନ୍ୟ କିନ୍ତୁ ବୁଦ୍ଧିଆ ବ୍ରାହ୍ମଣ ଥାନ୍ତି । ସେ ବହୁତ ଭାବିଲେ । କିନ୍ତୁ ଏ ବିପତ୍ତିରୁ ବର୍ତ୍ତିପାରିଲା ଭଳି କୌଣସି ବାଟ ମିଳୁନଥାଏ । ଦିନେ ସେ ପୋଖରୀ ପାଣି ଯାଇଥାନ୍ତି । କିଛି ଲୋକ ଏକ ମୃତକକୁ ଖଟ ଉପରେ ମଶାଣି ଆଡେ଼ ବୋହି ନେଇଯାଉଥିବା ଦୃଶ୍ୟ ଦେଖି ତାଙ୍କ ମୁଣ୍ଡକୁ ଉପାୟଟିଏ ଜୁଟିଲା ।
ବ୍ରାହ୍ମଣ ଜଣକ ଘରକୁ ଯାଇ
ଖଟର ଖୁରାକୁ ଭାଙ୍ଗି ତାକୁ ଗୁଡା଼ଏ କନା ଏବଂ କନାଧଡୀ଼ରେ ଗୁଡା଼ଇ ଗୁଡା଼ଇ ଏକ ବିଶାଳ ବସ୍ତୁ କରି ରାଜାଙ୍କ ନିକଟରେ ଭେଟିଲେ ଓ କହିଲେ ଏହି ପୁରାଣ ର ନାମ ଖଟ୍ବାଙ୍ଗପୁରାଣ ।

ରାଜ ଆଦେଶରେ ସେହି ବିଶାଳକାୟ ବସ୍ତୁ ରାଜକୋଷରେ ରହିଲା ।
ଖଟ୍ବାଙ୍ଗପୁରାଣ ରଚୟିତା ପଣ୍ଡିତଙ୍କୁ ଶତ ସହସ୍ର
ସ୍ବର୍ଣ୍ଣ ମୂଦ୍ରା ତଥା ବିଶିଷ୍ଟ ରାଜସମ୍ମାନ ପ୍ରଦାନ କରାଗଲା ।
ସମ୍ମାନ ଗ୍ରହଣ ସମୟରେ ପଣ୍ଡିତେ ବୋଇଲେ
ମଣିମା ମୁଣ୍ଡ ରକ୍ଷା ବଚନ ଦେଲେ କିଛି କୁହନ୍ତି ।
ରାଜା ସ୍ବୀକୃତି ପାଇ ପଣ୍ଡିତେ କହିଲେ
ଏ ଖଟ୍ବାଙ୍ଗପୁରାଣ ଆମ୍ଭେ ବ୍ରହ୍ମ ଆଜ୍ଞା ରେ ଲେଖିଅଛୁ !!! ବ୍ରହ୍ମା ଆମ୍ଭଙ୍କୁ ଚେତାବନୀ ଦେଇଅଛନ୍ତି ଯେ ଯଦି
ଏହା ମୋ ଜୀବଦ୍ଦଶାରେ ପାଠ କରାଯାଏ ତେବେ ମୋର ଅକାଳ ମୃତ୍ୟୁ ଘଟିବ
ତେଣୁ ଦୟାକରି ମୋ ଅନ୍ତେ ଏହି ପୁରାଣ କୁ ପଠନ ପାଠନ କରିବେ !!!!!
ରାଜା ପଣ୍ଡିତ ଙ୍କ ଏତାଦୃଶ ବଚନ ଶୁଣି ଆଶ୍ଚର୍ଯ୍ୟ ଚକିତ ମନରେ ଏ କଥାକୁ ଗ୍ରହଣ କରନ୍ତେ ପଣ୍ଡିତେ ମହା ଆନନ୍ଦ ରେ ସ୍ଵଗୃହକୁ ବାହୁଡି଼ ଗଲେ । କିଛି ବର୍ଷ ପରେ ବ୍ରାହ୍ମଣଙ୍କର ମୃତ୍ୟୁ ହୋଇଗଲା ।
ରାଜା କୋଷାଧ୍ୟକ୍ଷ କୁ ଖବର ଦେଇ କୋଷାଗାରରୁ ସେହି ଖଟ୍ବାଙ୍ଗପୁରାଣ କୁ ମଗାଇ
ଅଣାଇଲେ । ରାଜ-ଆଦେଶରେ
ସେ କନାଗୁଡି଼ଆ ପୁରାଣରୁ ଆବରଣ ସ୍ତରମାନ ଖୋଲା ହୋଇ ଦେଖାଗଲା ଯେ ତାହା ମଧ୍ୟରେ କେବଳ ମାତ୍ର ଏକ ଖଟଖୁରା ବିଦ୍ୟମାନ । ରାଜା ରାଗୀ କି ଖଣ୍ଡାରେ ସେ ଖଟ ଖୁରାକୁ କାଟି ଟିକ୍ ଟିକ୍ କରିପକେଇଲେ
ଆଉ ବା କଣ୍ କରି ପାରନ୍ତେ ଯେ.....
😨😀😂😜😝😝😝😝😝😝😝

((ସେଇ ଦିନ ଠାରୁ ଯଦି କେହି କୌଣସି ଅଘଟନ ଅଶ୍ରୁତପୂର୍ବ କଥା କହି ବସେ ଲୋକେ କହିଲେ ଏଟା ଖଟ୍ବାଙ୍ଗପୁରାଣ କହୁଛି 😉😎))