शुक्रवार, 31 जनवरी 2020

ରାଜଧାନିଆ ଷଣ୍ଢ

ଷଣ୍ଢ ଏକ ସ୍ଵାଭିମାନୀ ଜୀଵ । ତା ଜୀଵନ ନାଚି ଖେଳି ସିଙ୍ଘମରାମରିରେ କଟେ । ରାଜଧାନୀ ଭୂଵନେଶ୍ଵର ଅନାଦିକାଳରୁ ଷଣ୍ଢମାନଙ୍କର ଚରାଭୂଇଁ, ଲୀଳାଭୂଇଁ ରହିଆସିଛି । ଭାରତରେ ଭୂଵନେଶ୍ୱର ଵ୍ଯତୀତ ଅନ୍ୟ କୌଣସି ରାଜଧାନୀ ନାହିଁ ଯେଉଁଠି ଷଣ୍ଢମାନେ ସ୍ଵାଧୀନ ଵିଚରଣ କରିଥାଆନ୍ତି । ନିଶ୍ଚିତ ଭାଵେ ଏହା ସମଗ୍ର ଓଡ଼ିଶା ପାଇଁ ଗର୍ଵ ଓ ଗୌରଵର ଵିଷୟ ।

ତେଵେ ଓଡ଼ିଆ ଲୋକେ ନିଜର ସ୍ଵାଭିମାନକୁ ସର୍ଵଦା ହେୟ ଦୃଷ୍ଟିରେ ଦେଖନ୍ତି । ସେଇଥିପାଇଁ ତ ଏଠାକାର ନୃସଂଶ ପ୍ରଶାସନ ଷଣ୍ଢ ଭଳି ଏକ ସ୍ବାଭିମାନୀ ପ୍ରାଚୀନ ପ୍ରାଣୀକୁ ରାଜଧାନୀରୁ ତଡି଼ପାର କରିବାଦେଵାକୁ ଯୋଜନା କରିଛନ୍ତି । ତାହେଲେ ଏ ଵିଚରା ଷଣ୍ଢମାନେ କୁଆଡ଼େ ଯିଵେ ? କ'ଣ କଂସେଇ ହାତକୁ ଟେକିଦେବେନି ତ ସରକାର ?

ସରକାରଙ୍କୁ ଏ ସଂକ୍ରାନ୍ତରେ ପଚାରିଲେ କହୁଛନ୍ତି ଏ ଜୀଵଗୁଡା଼ ଆମର ଅନେକ କ୍ଷତି କଲେଣି । ବାଟରେ ଘାଟରେ ଗୁଣ୍ଡା ଭଳି ବୁଲୁଛନ୍ତି,ଯାହାକୁ ମନ ତାକୁ ସିଙ୍ଘେଇ ଦେଉଛନ୍ତି ।  ଗାଈମାନଙ୍କୁ ଲାଇନ୍ ମାରିଵା ହେଉ କି ଅଯଥା ବାଟ ଓଗାଳି ଯାନଵାହନ ଚଳାଚଳରେ ଵ୍ଯାଘାତ ଉତ୍ପନ୍ନ କରିଵା ହେଉ ସବୁଥିରେ ଏଇ ଷଣ୍ଢମାନଙ୍କୁ ଦୋଷ ଦିଅନ୍ତି ଗଡି଼ଆଲୋକେ । ଷଣ୍ଢମାନଙ୍କର ଏଭଳି ପ୍ରକୃତିର ଅନୁକରଣ କରୁଛନ୍ତି ରାଜଧାନୀର ଯୁଵଗୋଷ୍ଠୀ ।

ଆଗେ ଆମ ରାଜଧାନୀର ଲୋକେ ବହୁତ ସରଳ ସୁନ୍ଦର ଥିଲେ ତାଙ୍କର କୋଉଠେ ବି ଗୋଟାଏ ‛କେଁ’ ନଥିଲା କିନ୍ତୁ ଯୋଉଦିନଠୁ ଷଣ୍ଢମାନେ ଉଦୁରୁମତା ହେଲେଣି ସେବେଠାରୁ ଏଠାକାର ସ୍ଥାନୀୟ ଅଧିଵାସୀ ବି ସରକାରଙ୍କୁ ଶିଙ୍ଘେଇଵା ଶିଖିଗଲେଣି ।

ସେମାନେ ଶିଙ୍ଘେଇଵା ଦିନଠୁ ସରକାର ଆଉ ଅଣ୍ଟା ସଳଖି ଚାଲିପାରୁନାହାନ୍ତି । ତେଣୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

ତେଵେ ଗାଈଙ୍କର ପ୍ରିୟତମ କେଉଁ ଦେଶକୁ ଯିଵେ ?

ସରକାର କୁହନ୍ତି ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଲା ଢେଙ୍କାନାଳ । ଢେଙ୍କାନାଳଟା ଏମିତି ଯାଗା ଯେ ସେଠାକୁ ଷଣ୍ଢମାନଙ୍କୁ ଛଡା଼ଗଲେ ସରକାରଙ୍କର କେହି ଵିରୋଧ କରିଵେ ନାହିଁ । ଢେଙ୍କାନାଳରେ ହାତୀ, ପାତିମାଙ୍କଡ଼ ଓ ହନୁମାଙ୍କଡ଼ ବହେ ଅଛନ୍ତି ଏଵଂ ସ୍ଥାନୀୟ ଲୋକେ ତାଙ୍କୁ ଆପଣେଇଲେଣି  ତେଣୁ ଆନ ଜୀଵ ଭଳି ଷଣ୍ଢମାନେ ବି ଏଠାରେ କଷ୍ଟେମଷ୍ଟେ ଚଳିଯିଵେ ।

ଢେଙ୍କାନାଳ ଭଳି ଅନ୍ୟ କୌଣସି ଜିଲ୍ଲା ଷଣ୍ଢମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଉତ୍ତର ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଵା ନିରାପଦ ନୁହେଁ ।  ଯଦି ସେଠାକୁ ସେମାନେ ଯାଆନ୍ତି ତେଵେ ତାଙ୍କର ମାଉଁସମୁଢି଼ ଖାଇଵା ବଦଭ୍ଯାସ ହୋଇଯିଵ । ଗୋଟିଏ ନିରାମିଷାସି ଜୀଵକୁ ଆମେ କାହିଁକି ଆମିଷାସି କରିଵାକୁ ଯିଵା ? ପୁଣି ଉତ୍ତର ଓଡ଼ିଶା ଗଲେ କଦାଚ ସେମାନେ ସାହିତ୍ଯିକ କି ବୁଦ୍ଧିଜୀଵୀ ହୋଇଗଲେ ତ ରାଜଧାନୀକୁ ଆସି ଉଠେଇ ପକେଇ ଦେଵେ । ଏମିତି ଏମିତି ସାହିତ୍ୟ ଲେଖିଵେ ଯେ ସବୁ ଗାଈ ଗୋରୁ ଶିକ୍ଷିତ ହୋଇ ସରକାରଙ୍କର ଦୁର୍ଦ୍ଦଶା କରିପକେଇଵେ ।

ପଶ୍ଚିମ ଓଡ଼ିଶାରେ ନିର୍ଵାସିତ ଷଣ୍ଢମାନଙ୍କୁ ଛାଡି଼ଵା ପରମ ମୂର୍ଖତା ହେଵ । ପୂର୍ଵରୁ ଏ ଅଞ୍ଚଳରେ ଅନେକ ଵିଚ୍ଛିନ୍ନତାଵାଦୀ ଅଛନ୍ତି । ନିର୍ଵାସିତ ଷଣ୍ଢମାନେ ସେଠାକୁ ଗଲେ ତାଙ୍କ ସହିତ ମିଶି ସରକାରଙ୍କୁ ନଚେଇ ନଚେଇ ପ୍ରାଣ ନେଵେ । ନା ନା ଷଣ୍ଢମାନଙ୍କୁ ସେଭଳି କୌଣସି ମଉକା ଦେଵା ଅର୍ଥ ଆପଣା ହସ୍ତେ ଜିହ୍ଵା ଛେଦି କା ସଙ୍ଗେ ହେଵା ପ୍ରତିଵାଦୀ ଭଳି କଥା ହୋଇଯିଵ । 

ଆଉ ଦକ୍ଷିଣ ଓଡ଼ିଶାରେ ଷଣ୍ଢମାନଙ୍କୁ ଛାଡି଼ଦେଲେ କିୟଣ ଅସୁଵିଧା ହଵ କି ?

ଏହାର ଉତ୍ତରରେ ସରକାର କହିଲେ
ଆମେ ସେମିତି ଭୁଲ୍ କସ୍ମିନକାଳେ କରିବୁ ନାହିଁ । ଏ ନିର୍ଵାସିତ ଷଣ୍ଢମାନେ ଯଦି ଦକ୍ଷିଣ ଓଡ଼ିଶା ଚାଲିଯାଆନ୍ତି ତେଵେ ରାଜ୍ଯରେ ଗୋଟାଏ ଭୀଷଣ “ଷଣ୍ଢ ମହାଭାରତ” ସଂଘଟିତ ହୋଇଯିଵାର ସମ୍ଭାଵନା ରହିଛି । ଦକ୍ଷିଣ ଓଡ଼ିଶାର ଷଣ୍ଢମାନେ ଏଇ ରାଜଧାନିଆ ଷଣ୍ଢମାନଙ୍କଠାରୁ ଯହଗୁଣ ହୁରୁମା । ସେମାନେ ଏମାନଙ୍କ ସହ ମଲାଯାଏଁ ଶିଙ୍ଘ ଲଢେ଼ଇ କରିଵେ । ସେତେଵେଳେ ସରକାରଙ୍କୁ ସେମାନଙ୍କ ଝଗଡା଼ ରୋକିଵା ହେତୁ କର୍ଫ୍ୟୁ ଲଗେଇଵାକୁ ପଡି଼ପାରେ ।

ଢେଙ୍କାନାଳରେ ଏମନ୍ତ କିଛି ଅସଵିଧା ହେଲା ଭଳି ଅନୁଭୂତ ହେଉନାହିଁ । ଵିଗତ ଦୁଇ କି ତିନିଶତ ଵର୍ଷ ହେଵ ଢେଙ୍କାନାଳିଆମାନେ “ଢେଙ୍କାନାଳ ନିଜ କୀଳା ନିଜେ ସମ୍ଭାଳ” ନ୍ଯାୟରେ ସବୁ ସହିପାରିଵାର ଅପୂର୍ଵ କଳା ଵିକଶିତ କରିନେଇଛନ୍ତି ।

ଆମେ ଆଶାକରୁଛୁ ଯେ ସେଠାକାର ସରଳିଆ ଜନତାଙ୍କ ଭଳି ସ୍ଥାନୀୟ ଷଣ୍ଢମାନେ ବି ନୀରିହ ହୋଇଥିଵେ । ସେମାନେ ନିଶ୍ଚୟ ନିର୍ଵାସିତ ଷଣ୍ଢମାନଙ୍କୁ ଭାଇ ବନ୍ଧୁ ଭାଵି କୋଳେଇ ନେଵେ ଆଉ ନିଜ ଶିଙ୍ଘ ବଜେଇ ସେମାନଙ୍କର ଭଵ୍ଯ ସ୍ଵାଗତ କରିଵେ । 

ଦେଖନ୍ତୁ ଆମ ସରକାର ସାରା ଭାରତରେ ଏକମାତ୍ର କେଵଳ ଜନ ନୁହେଁ ଵରଂ ସର୍ଵଜୀଵହିତକାରୀ ସରକାରଟିଏ ।  ରାଜଧାନିଆ ଷଣ୍ଢମାନଙ୍କର ଓ ରାଜ୍ୟ ଜନତାଙୀ ମଙ୍ଗଳ ଚିନ୍ତାକରି ହିଁ ସେମାନଙ୍କୁ ଢେଙ୍କାନାଳରେ ଛଡା଼ଯାଉଛି ।




बुधवार, 22 जनवरी 2020

ଆଳସ୍ଯ ଭକ୍ତ


ହିନ୍ଦୀରେ ଏକ ପ୍ରଶିଦ୍ଧ ଲୋକୋକ୍ତି ଅଛି
“ଅଜଗର କରେ ନି ଚାକିରୀ,
ପକ୍ଷୀ କରେନି କାମ ।।
ଦାସ ମଲୁଖା କହିଗଲେ
ସଭିଙ୍କ ଦାତା ରାମ ।।”

ସାଧୁ !
ମନୁଷ୍ୟ ଶରୀର ଆଳସ୍ୟ ପାଇଁ ହିଁ ତିଆରି ହୋଇଛି । ଯଦି ଏମନ୍ତ ହୋଇନଥାନ୍ତା ତେବେ ମାନବ-ଶିଶୁ ମଧ୍ଯ ଜନ୍ମ ହେବା ମାତ୍ରେ ମୃଗଶାଵକ ପରି ଡିଁଆକୁଦା ଆରମ୍ଭ କରିଦିଅନ୍ତା,କିନ୍ତୁ ପ୍ରକୃତି ର ଶିକ୍ଷା କୁ ଆଜି ମାନୁଛି କିଏ ?

ନୂଆ ନୂଆ ଆଵଶ୍ୟକତା ବଢାଇ କରି ମଣିଷ ନିଜ ଜୀଵନକୁ ଆଜି ଅସ୍ଵାଭାଵିକ କରିସାରିଛି । ମନୁଷ୍ୟ କୁ ହିଁ ଈଶ୍ଵର ପୂର୍ଣ୍ଣ ଆରାମ ପାଇଁ ଗଢିଛନ୍ତି । ଅନ୍ୟ ଜୀଵଙ୍କର ଓ ମଣିଷ ର ଶୟନ ଵିଷୟରେ ଥରେ ଭାବନ୍ତୁ ତ !

ହାୟେ ! ଧନ୍ୟ ସେ ଈଶ୍ୱର ଯିଏ ମଣିଷଙ୍କୁ ଖଟ ଉପରେ ପିଠିକରି  ଶୋଇପାରିଵାର ଯୋଗ୍ୟତା ଦେଇଅଛନ୍ତି କିନ୍ତୁ ଅନ୍ୟ ଅଧିକାଂଶ ଜୀଵଙ୍କୁ ଭଲରେ ଦେଖନ୍ତୁ ସେମାନଙ୍କୁ ଆପଣ ପେଟେଇ ଶୋଇଵାର ହିଁ ଦେଖିବାକୁ ପାଇବେ । ମନୁଷ୍ୟ ଚାହିଁଲେ ଯେତେ ପେଟ ଫଟେଇ ଖାଇଲେ ଵି ତା’ର ଚିନ୍ତା ନାହିଁ । ସେ ତ ପିଠି ବଳରେ ଆରାମ ରେ ଶୋଇଯାଇପାରେ । ଈଶ୍ୱର ମନୁଷ୍ୟ ମାନଙ୍କ ପାଇଁ ବହୁ ପୂର୍ବରୁ ଆରାମର ଵ୍ୟଵସ୍ଥା କରିସାରିଛନ୍ତି କିନ୍ତୁ ମଣିଷ ମାନେ କେବେ ବି ଏହାର ପୂର୍ଣ୍ଣ ଉପଯୋଗ କରୁନାହାନ୍ତି ।

ନିଦ୍ରାର ସୁଖ ସମାଧି ସଖଠାରୁ ମଧ୍ଯ ଉଚ୍ଚତର ତେବେ ଲୋକେ ଏ ସୁଖ ଅନୁଭବ କରିବା କ୍ଷେତ୍ରରେ ବାଧାବିଘ୍ନ ଉପୁଜାନ୍ତି । କୁହନ୍ତି ସଖାଳୁ ଉଠ,କାହିଁକି ନା ପକ୍ଷୀ ଆଉ ଜୀବ ସକାଳୁ ଉଠନ୍ତି କିନ୍ତୁ ସେମାନେ ଭୂଲିଯାନ୍ତି ଯେ ଆମେ ମନୁଷ୍ୟ ସେମାନେ ପଶୁ ଅଟନ୍ତି....
କଣ୍ ଆମର ଏତିକି ଵି ଵିଶେଷତା ନାହିଁ ଯେ ସୁଖ ର ନିଦ୍ରା ଶୋଇପାରିବା .....!

କାହିଁ ଶଯ୍ୟାର ସ୍ଵର୍ଗୀୟ ସୁଖ ଆଉ କାହିଁ ବାହାରର ଖରା ଉଷୁମ ପଵନ ଏଵଂ ଅସହ୍ୟ କଷ୍ଟ ? ଏହି ଵିଷୟରେ ନିର୍ଦ୍ଦୟୀ ସମାଜ କାହିଁକି ଚିନ୍ତାକରେନି ? ଯଦି ତାଙ୍କ ଭାଗ୍ୟରେ ଶୟନସୁଖ ନାହିଁ ତାହେଲେ କ’ଣ ଅନ୍ୟ ମାନଙ୍କୁ ଵି ନିଦ୍ରାରୁ ବଞ୍ଚିତ କରି ମାରିବେ ?

ଗୋଟାଏ ପଟେ କିଛି ଲୋକ ସୁଖନିଦ୍ରା ପାଇଁ ସହସ୍ର ସହସ୍ର ଟଙ୍କା ପାଣି ପରି ବହାଇ ଦିଅନ୍ତି କିନ୍ତୁ ଏ ଅଵୈତନିକ ଉପଦେଶକ ଲୋକ ସ୍ଵାଭାଵିକ ନିଦ୍ରାକୁ ଆଳସ୍ୟ ଓ ଦରିଦ୍ରତାର ଚିହ୍ନ ବୋଲି ପ୍ରଚାର କରନ୍ତି ।
ଲୋକେ କୁହନ୍ତି ଅଳସୁଆଙ୍କ ଦ୍ଵାରା ସଂସାର ର କିଛି ଵି ଲାଭ ହୁଏନାହିଁ କିନ୍ତୁ ମୁଁ କହିବି ଯଦି ମନୁଷ୍ୟ ମଧ୍ୟରେ ଆଳସ୍ୟ ନଥାନ୍ତା ତେବେ ଆଜି ତା’ର ଏ ଵାସ୍ତୁଵାଦୀ ଉନ୍ନତି କେବେଵି ସମ୍ଭବପର ହୋଇପାରିନଥାନ୍ତା ।
ଆଳସ୍ୟ ଯୋଗୁଁ ହିଁ ମଣିଷ ଖଟ ଠାରୁ ଗାଡି଼ ଯାଏଁ ସମସ୍ତ ସୁଖସୁଵିଧାର ଵସ୍ତୁ ସୃଷ୍ଟି ହୋଇନଥାନ୍ତା ଅଉ ମଣିଷ ତା ପ୍ରାଚୀନ ପୂର୍ଵଜଙ୍କ ପରି କା ଏ ଗଛରୁ ସେ ଗଛ ଡେଇଁ ବୁଲୁଥାନ୍ତା ।

ମନୁଷ୍ୟ ଆଳସ୍ୟର ପୂଜକ ଥିଲା ତେଣୁ ତାକୁ ଆଉ ଗଛରୁ ଗଛକୁ ଡେଇଁବାକୁ ହେଉନାହିଁ ଵରଂ ସେ ଲୋଡ଼ା ପଡି଼ଲେ  ପକ୍ଷୀ ଭଳି ଆକାଶରେ ଉଡୁଛି ନହେଲେ ମାଛ ପରି ପାଣିରେ ପହଁରି ପାରୁଛି । ଆଳସ୍ୟ ପାଇଁ ହିଁ ଟେଲିଫୋନ ଠାରୁ ଟିଭି ,ରେଡ଼ିଓ ମୋବାଇଲ ଯାଏଁ ସମସ୍ତ ଆଧୁନିକ ଵୈଷୟିକ ଵସ୍ତୁ ର ଆଵିଷ୍କାର ହୋଇପାରିଛି ।

ଇଂରାଜୀ ରେ କୁହନ୍ତି “Necessity is the mother of invention” ଅର୍ଥାତ “ଆଵଶ୍ୟକତା ଆଵିଷ୍କାର ର ଜନନୀ” କିନ୍ତୁ ବହୁତ ଲୋକ ବୋଧହୁଏ ଜାଣିନଥିବେ ଯେ ଆଵଶ୍ୟକତା ଆଳସ୍ୟର ଆତ୍ମଜା ଅଟଇ....

କାରଣ ଆଳସ୍ୟରେ ହିଁ ଆଵଶ୍ୟକତାର ଉଦୟ ହୋଇଥାଏ । ଯଦି ଆପଣ ସ୍ଵୟଂ ଯାଇ ନିଜ ମିତ୍ର ସହିତ କଥା ହେଉଥାନ୍ତେ ତେବେ ଟେଲିଫୋନ ର ଆଵଶ୍ୟକତା କଣ୍ ରହିଯାନ୍ତା ?

ନିଜେ ଗୀତ ଗାଇପାରୁଥିଲେ ନାଚିପାରୁଥିଲେ ନିଜର ମନୋରଞ୍ଜନ ସ୍ଵୟଂ କରିପାରୁଥିଲେ ଟିଭି ରେଡ଼ିଓ ର ଆଵଶ୍ୟକତା ପଡନ୍ତା କି ?

ଯଦି ମନୁଷ୍ୟ ନିଜ ହାତରେ କାମକରିବାକୁ ନେଇ  ଆଳସ୍ୟ  ନକରିଥାନ୍ତା ତେବେ କଣ୍ ଏତେ ସବୁ ଯନ୍ତ୍ରପାତି ଓ କଳକବଜ୍ଜା ଗଢି ଉଠିଥାନ୍ତା ?

ସଂସାରର ବଡ଼ ବଡ଼ ଆଵିଷ୍କାର ଅଳସ୍ୟତାରେ ହିଁ ହୋଇଅଛି । ଵାଷ୍ପଶକ୍ତିକୁ ନେଇ ଯନ୍ତ୍ର ଆଵିଷ୍କାର କରିଥିବା ଵାଟ୍ ମହାଶୟଙ୍କର ସେତେବେଳେ ହିଁ ଏ ଜ୍ଞାନ ଉଦୟ ହୋଇପାରିଥିଲା ଯେତେବେଳେ ସେ ସାଙ୍ଗ ମାନଙ୍କ ସହିତ ଅନାଵଶ୍ୟକ ଖଟି ଓ ମଜା ମସ୍ତି ରେ ନିମଜ୍ଜିତ ରହୁଥିଲେ ।

ନ୍ୟୁଟନଙ୍କୁ ତାଙ୍କର ଗୁରୁତ୍ଵାକର୍ଷଣ ସିଦ୍ଧାନ୍ତ ମଧ୍ଯ ନିତାନ୍ତ ଵେକାରୀ କାଳରେ ମିଳିଥିଲା । ଵିଶ୍ଵର ବଡ଼ ବଡ଼ କଳ୍ପନା ସେଇମାନେ ହିଁ କରିଛନ୍ତି ଯେଉଁ ମାନେ ଖଟ ଉପରେ ପଡି଼ ପଡି଼ ଆପଣା ଜୀଵନର ଲକ୍ଷ୍ୟ ପୂରଣ କରିଥିଲେ । ଅସ୍ତୁ,ସଂସାରର ଲାଭ ହେଉ ଅବା ହାନୀ ଆଳସ୍ୟ ପୂଜକ ମାନଙ୍କୁ ସେଥିରୁ କଣ୍ ମିଳିବ ? ଏ ତ ସାଂସାରିକ ଲୋକଙ୍କ ସନ୍ତୋଷ ପାଇଁ କହିଦିଆଗଲା ଯେ ଦେଖ ଆଳସ୍ୟ ର ମହିମା କେତେ ନହେଲେ ଆଳସ୍ୟ ପୂଜକଙ୍କର ନିଜ କାର୍ଯ୍ୟସିଦ୍ଧିରେ ହିଁ ସୁଖ ମିଳି ଥାଏ । ଯଦି ଅଳସୁଆ ସୁଖି ହେବେ ତ ସଂସାର ସୁଖି ହେବ ।

ସେଇଥିପାଇଁ ତ କୁହାଯାଇଛି
“ଆପେ ବଞ୍ଚିଲେ ବାପର ନାଆଁ”
ସୁଖର ସଂପୂର୍ଣ୍ଣ ସିଦ୍ଧାନ୍ତ ଆପଣ ଵେଦରୁ ପାଇପାରିବେ । ସେହି ସୁଖର ଆଦର୍ଶ ହେଲା ଦରକାର ନଥିଲେ ଆଖି ପଲକ ପକେଇବା ମଧ୍ଯ ବହୁତ ବଡ଼ ପାପ । 
ଅଷ୍ଟଵକ୍ର ଗୀତାରେ କୁହାଯାଇଛି ...

“ଵ୍ୟାପାରେ ଖିଦ୍ଯତେ ଯସ୍ତୁ ନିମେଷୋଯୋରପିଃ
ତସ୍ୟାଳସ୍ୟଧୁରୀଣସ୍ୟ ସୁଖ ନାନ୍ୟସ୍ୟ କଶ୍ଚିତ୍”
(ଷୋଡ଼ଶ ପ୍ରକରଣ,ଶ୍ଲୋକ-୪)

ଅର୍ଥାତ୍ ଯେଉଁ ପୁରୁଷ ନେତ୍ରର ନିମେଷ-ଉନ୍ମେଷ ର ଵ୍ୟାପାର(ନେତ୍ର ଖୋଲିବା ବନ୍ଦ କରିବା) କୁ ହିଁ ପରିଶ୍ରମ ମନେ କରି ଦୁଃଖିତ ହୋଇଥାଏ ସେହି ପରମ ଅଳସୁଆ ନିଷ୍କ୍ରିୟ ପୁରୁଷକୁ ହିଁ ପରମ ସୁଖ ମିଳିଥାଏ,ଅନ୍ୟ କାହାକୁ ନୁହେଁ ।

ଲୋକ କୁହନ୍ତି ଏଭଳି ଆଳସ୍ୟ ସିଦ୍ଧାନ୍ତ ଯୋଗୁଁ ହିଁ ଭାରତଵର୍ଷ ର ନାଶ ହୋଇଗଲା କିନ୍ତୁ ସେମାନେ ଏକଥା ଜାଣିନାହାନ୍ତି ଯେ ଭାରତର ନାଶ ଏଇଥିପାଇଁ ହୋଇନାହିଁ କି ଏଠାରେ ଅଳସୁଆ ଓ ତତ୍ ସମ୍ଵନ୍ଧୀୟ ସିଦ୍ଧାନ୍ତ ଚଳୁଅଛି ।  ଵରଂ ଏ ଦେଶର ପରମ ଦୂର୍ଗତି ହୋଇଛି ଏହି ସବୁ ସିଦ୍ଧାନ୍ତ ଗୁଡିକର ପ୍ରଚାର ପ୍ରସାର ଅନ୍ୟ ଦେଶରେ କୁଣ୍ଠାଵଶତଃ ନକରାଯିବା ହେତୁ ....

ଚିନ୍ତାକରନ୍ତୁ ଯଦି ଏସବୁ ସିଦ୍ଧାନ୍ତ ର ପ୍ରଚାର ଆମ ପୂର୍ବଜ ଅନ୍ୟ ଦେଶ ମାନଙ୍କରେ କରିଥାଅନ୍ତେ ତାହେଲେ କ’ଣ ବାହର ଦେଶର ଲୋକ ସ୍ଵ ସ୍ଵ ଖଟ-ପଲଙ୍କରେ ଆଳସ୍ୟର ସୁଖକୁ ପରିତ୍ୟାଗ କରି ଆମ ଦେଶ ଉପରେ ଆକ୍ରମଣ କରିଥାନ୍ତେ ?

ଯଦି ହାତ ଗୋଡ଼ ନ ହଲେଇ ଵି କେବଳ ଶୋଇ ରହିବାରେ ପରମ ସୁଖ ମିଳିପାରୁଛି
ତେବେ ଏତେ କଷ୍ଟ ଉଠେଇବାର ଆଵଶ୍ୟକତା ହିଁ କ’ଣ ରହିଯାଉଛି ।

ଵିଚରା ଅର୍ଜୁନ ଠିକ୍ ହିଁ କହୁଥିଲେ ଯେ  ଯୁଦ୍ଧ ଦ୍ଵାରା ରକ୍ତ-ରଞ୍ଜିତ ରାଜ୍ଯକୁ ପ୍ରାପ୍ତ କରି ମୁଁ ଅଶ୍ରେୟଭୋଗୀ ହେଵାକୁ ଚାହେଁ ନାହିଁ।
ସେ ଵାସ୍ତଵରେ  ଆରାମରେ ଘରେ ବସିଯିଵାକୁ  ଚାହୁଁଥିଲେ, କିନ୍ତୁ ଶେଷକୁ ସେ ବି ଶ୍ରୀକୃଷ୍ଣଙ୍କ କଥାରେ ଫସିଗଲେ ଏଵଂ  'ଯଶୋ ଲଭସ୍ଵ' ଆଗରେ ହାରମାନିଵାକୁ ଵାଧ୍ୟ ହୋଇଥିଲେ ।  ଫଳ କଅଣ ହେଲା ନା ଵଂଶଟା ସମୂଳେ ନାଶ ହୋଇ ଗଲା। ଏହି ଯୁଦ୍ଧରୁ ଶ୍ରୀକୃଷ୍ଣ ଭଗଵାନଙ୍କୁ ବି କି ଫଳ ମିଳିଲା ? ତାଙ୍କ ବଂଶର ବି ପରଵର୍ତ୍ତୀ  ପରଵର୍ତ୍ତୀ ଗୃହଯୁଦ୍ଧରେ ନାଶ ହୋଇଯାଇଥିଲା ।

ମହାଭାରତରେ କୁହାଯାଇଛି–

“ଦୁଃଖାଦୁଦ୍ଵିଜତେ ସର୍ଵଃ ସୁଖଂ ସର୍ଵସ୍ଯ ଚେପ୍ସିତମ୍।”

ଅର୍ଥାତ ଦୁଃଖଠୁଁ ସଭିଏଁ ଦୂରକୁ ଯିଵାକୁ ଚାହିଁଯାନ୍ତି ଏଵଂ ସୁଖ ସମସ୍ତଙ୍କୁ ଲୋଡ଼ା ପଡ଼ିଥାଏ ।  ଆମେ ବି ଏହି ସ୍ଵାଭାଵିକ ନିୟମର ପାଳନ କରୁଅଛୁ । ଏହ ସିଦ୍ଧାନ୍ତଗୁଡି଼କରୁ ଆପଣ ବୁଝିସାରିଥିଵେ ଯେ ସଂସାରରେ  ଆଳସ୍ଯ ମହତ୍ତ୍ଵ କେତେ ।  ଏଥିରୁ ସଂସାରର କ'ଣ ଵା ହାନି ହେଵାର ଅଛି ?

ପୂର୍ଣତଃ ସଫଳ ହେଲି ନାହିଁ, ଏଥିରେ ମୋର କିଛି ବି ଦୋଷ ନହିଁ । ଏଥିପାଇଁ ସଂସାର ହିଁ ଦାୟୀ; କାହିଁକି ନା ଏହି ସିଦ୍ଧାନ୍ତଗୁଡି଼କ ହେତୁ ସଂସାର ଏଵେ ବି ପରିପକ୍ଵ ହୋଇନାହିଁ।

ଅସ୍ତୁ, ଵର୍ତ୍ତମାନ ଅଵସ୍ଥାରେ ବିନା ଉଦ୍ଯୋଗରେ ବି ବହୁତ  ସୁଖ ମିଳି ପାରଇ । ତେଵେ ଉଦ୍ଯୋଗ କରି  ସୁଖ ପ୍ରାପ୍ତ କରିନେଲେ ତ କୋଉ ବଡ଼ କାମଟେ କରିପକାଇଲେ କି ?

ଧନ୍ଯ  ତିବ୍ବତର ଲୋକେ, ତାଙ୍କୁ  ସ୍ନାହାନ କରିଵାର କଷ୍ଟ ବି କରିଵାକୁ  ପଡ଼ିନଥାଏ ।  କେଜାଣି କାହିଁକି ଈଶ୍ଵର ମୋହର ଜନ୍ମ ସେଠାରେ କରେଇ ନାହାନ୍ତି ?

ତିବ୍ବତର ପ୍ରାଚୀନ ନାମ ତ୍ରିଵିଷ୍ଟପ ଥିଲା। ବୋଧହୁଏ ଏହି ସୁଖ ଯୋଗୁଁ ସେ ସ୍ଥାନ ବୈକୁଣ୍ଠ ବୋଲାଏ । ବୈକୁଣ୍ଠଧାମ ପ୍ରାପ୍ତ କରିଵାକୁ ଲୋକେ ଏତେ କାହିଁକି ଇଛା କରନ୍ତି, କାରଣ ସେଠି  ଆଲସ୍ଯ-ଧର୍ମର ପୂର୍ଣତଃ ପାଳନ ହୋଇପାରେ ।

ସେଠାରେ କୌଣସି କୃଷ୍ଟି କରିଵାକୁ ପଡ଼େ ନାହିଁ । କାମଧେନୁ ଓ କଳ୍ପଵୃକ୍ଷକୁ ଈଶ୍ଵର  ଆମପାଇଁ ହିଁ ସୃଷ୍ଟି କରିଅଛନ୍ତି । ଆଜିକାଲିର କଳିଯୁଗରଜ ଆହୁରି ସୁଵିଧା ହୋଇ ଗଲାଣି । ଏଵେ ସ୍ଵର୍ଗ ଯାଏଁ ଯିଵାକୁ କଷ୍ଟ କରିଵାର ମଧ୍ୟ ଆଵଶ୍ଯକତା ରହିଯାଇନାହିଁ।
କଳ୍ପଵୃକ୍ଷ ବିଜୁଲିର ବୋତାମ ରୂପରେ
ମହୀତଳେ  ଅଵତରିତ ହୋଇଯାଇଛି । ବୋତାମ ଟିପିଲେ  ପଙ୍ଖା ଚଳିଵାକୁ ଲାଗେ, ଝାଡ଼ୁ ବି ଆପଣାଛାଏଁ ଲାଗିଯିଵାର ଯନ୍ତ୍ର ଆସିଗଲାଣି, ଏମିତି କି ରନ୍ଧାଖାଦ୍ଯ ମଧ୍ଯ ଯେଵେ ଇଛା କର ହାତପାହାନ୍ତାରେ ମିଳିଯାଉଛି ।

ବିନା ପରିଶ୍ରମରେ ଚାରି ପାଞ୍ଚ ମହଲା ଉପରକୁ ଲିଫ୍ଟରେ ପହଞ୍ଚି ପାରୁଛନ୍ତି । ଏ ସବୁ ଆଲସ୍ଯର  ଆଵଶ୍ଯକତାକୁ ହିଁ ପୂର୍ଣ୍ଣ କରିଵା ହେତୁରୁ ସଂସାରରେ ଉନ୍ନତିର କ୍ରମ ଚଳୁଅଛି । ତେଣୁ ଏହି ଵାସ୍ତୁଵାଦୀ
ଉନ୍ନତିର ଗୌରଵ ଗାଉଥିଵା ଲୋକଙ୍କୁ
ଆମ୍ଭ ଅଳସୁଆଙ୍କ ପ୍ରତି କୃତଜ୍ଞ ହେଵାକଥା ।

ପ୍ରୋକ୍ତ କଥନରୁ ଏହା ହିଁ ପ୍ରମାଣିତ ହେଉଛି ଯେ ସଂସାରରେ ଆଳସ୍ଯର କେତେ ବଡ଼ ମହତ୍ତ୍ଵ ରହିଛି ।

“କର ଏତେ ଅଳସ ଯେ
ଆଳସ୍ୟକୁ ଵି ଅଳସ ଲାଗୁ ।

ନ ଦିଅ ଦେହକୁ କଷ୍ଟ ଯେ
ଶରୀର ଏ ପୀଡା଼ ଭୋଗୁ ।।

କାଇଲା ହେବ କି ଦିନ ରାତି
ଗୋଧ ପରି ଖଟି ଖଟି ।

ଏତେ ଦୌଡ଼ି କି ଲାଭ ଯଦି
ସୁଖେ କାଳ ନପାରେ କଟି ।।

ଶୋଇଲା ଲୋକ କୁ ଉଠେଇ
କିମ୍ପା କର ତାଙ୍କୁ ହଇରାଣ ।

ଶୋଇଥାଏ ବାବୁ ହେ
ସ୍ଵପ୍ନ ଦେଖୁଥାଉ ତା'ର ମନ ।।

ଆଜି ସ୍ଵପ୍ନ ଦେଖିଥିଲେ
କାଲି ତା’ ସତ କରିବାକୁ ଲାଗିବ ।

ତେବେ ଯାଇ ଦେଶ ମୋର ତୋର
ଵିକାଶିତ ହୋଇ ପାରିବ ।।

ଶୋଇଲା ଲୋକ ନୁହଁଇ ଅଳସୁଆ
କର ନାହିଁ ଏତେ ନିନ୍ଦା ।

ଯୋଗ ମଧ୍ୟେଁ ଶ୍ରେଷ୍ଠ ଅଟେ
ଜଗତରେ ଏକା ନିଦ୍ରା ।।

ଶୋଉଛନ୍ତି ସର୍ଵ ଜୀବ
ଯାଗେ ନା କେ ସଦା ବେଳେ ।

କର୍ମ ବେଳେ କର୍ମ କରି
ଶୋଇ ଯାଆନ୍ତି ରାତ୍ରି କାଳେ ।।

ତୁମ୍ଭେ କିମ୍ପା ଦିନ ରାତି
ଖଟ ଏତେ ମୂଢ଼ ବୁଦ୍ଧି କରି ।

ଶୋଇବାକୁ ଦେଇଛି ପିଠି ପରା
ତୋତେ ଏକା ନରହରି ।।

ଦେଖ ଦେଖ ଜଗତରେ
ଯେତେ ଜୀବଙ୍କ ଶୟନକୁ ଥରେ ।

ପଶୁପକ୍ଷୀ ପ୍ରାୟ ଶୋଇ ଥାନ୍ତି
ଆପଣାର ପେଟ ବଳେ ।।

ଆଳସ୍ୟ ପୂଜକେ କିମ୍ପାଇଁ
ଅସୂୟା ତେବେ ଶୟନକୁ ।

ଧନ୍ୟବାଦ ଦେଇ ଝଟ୍ ଶୁଅ ସବୁ
ସେଇ ଚକାନୟନକୁ ।।”

(ପ୍ରଶିଦ୍ଧ  ହିନ୍ଦୀ ଵ୍ଯଙ୍ଗକାର “ଗୁଲାବ ରାୟ”ଙ୍କ  ଵ୍ଯଙ୍ଗ “ଆଲସ୍ଯ ଭକ୍ତ” ର ଓଡ଼ିଆ ଭାଵାନୁଵାଦ । ଉକ୍ତ ଵ୍ଯଙ୍ଗ୍ଯର ଭାଵାର୍ଥ ପଦ୍ଯରୂପେ ତଳେ ଦିଆଯାଇଛି )

ଏକ ସ୍ଵାଧୀନଚେତା କୁକ୍କୁଟର କଥା

ପ୍ରାଚୀନ କାଳରେ ଗୋଟିଏ ବଣମଧ୍ୟର ବୁଦାମୂଳେ ଅନେକ କୁକୁଡା଼ ଏକାଠି ରହୁଥିଲେ । ଥରେ ଗୋଟିଏ ପେଣ୍ଠିର ଭୁଲ୍ ଵଶତଃ ନଵୋଦ୍ଭଵ ପ୍ରକ୍ରିୟାରେ  ଏକ ମୟୁରରୂପ ସାମ୍ଯ କୁକୁଡା଼ଚିଆଁଟିଏ ଜାତ ହେଲା । ସେ ଭିନ୍ନ ଦିଶୁଥିଵାରୁ ସବୁ କୁକୁଡା଼ମାନେ ତାକୁ ଦେଖିଲେ ଘଡି଼ଏ ଅନାଉଥିଲେ ।

ତେଵେ ଦିନୁଁ ଦିନ ସେ ବଡ଼ ହେଵାକୁ ଲାଗିଲା କିନ୍ତୁ ତା ମୁଣ୍ଡରେ ଗୋଟିଏ ପ୍ରଶ୍ନ ସବୁଵେଳେ ଗୁଡେ଼ଇ ତୁଡେ଼ଇ ହେଇରହିଥାଏ ଯେ ସବୁ କୁକୁଡା଼ ତାକୁ ଦେଖି ଏତେ ଵିଶେଷ ଵ୍ଯଵହାର କାହିଁକି ପ୍ରଦର୍ଶନ କରୁଅଛନ୍ତି ? ତହୁଁ ଦିନେ ପୋଖରୀରେ ନିଜ ରୂପ ଦେଖି ସେ ଏ ପ୍ରଶ୍ନର ଉତ୍ତର ବି ପାଇଗଲା  ।

ସେତେଵେଳକୁ ତା ମନ ତାକୁ ଏ ବ୍ରହ୍ମଜ୍ଞାନ ଦେଇସାରିଥିଲା ଯେ ସେ ଏ କୁକୁଡା଼ ଜାତିର ଅନ୍ତର୍ଭୁକ୍ତ ନୁହେଁ ଵରଂ କୌଣସି ଏକ ଭିନ୍ନ ଜାତୀୟ ଜୀଵର ଵଂଶଜ । ସେ ସ୍ଵତନ୍ତ୍ର ! ଏଇ ଭ୍ରମ ସେଇଦିନଠାରୁ ତା ମନରେ ବସା ବାନ୍ଧି ରହିଗଲା ...

ତେବେ ସେ କୁକୁଡା଼ଟା ତା ମନର ସନ୍ଦେହ ଦୂର କରିଵା ପାଇଁ   ଜଙ୍ଗଲ ଗୋଟାଯାକ ଉଣ୍ଡିଆସିଲା ହେଲେ କୋଉଠେ ବି ତା’ରି ଭଳି ଜୀଵଟିଏ ତାକୁ ଦିଶିଲା ନାହିଁ...

ଏଣେ ତା ମନରେ କୁକୁଡା଼ମାନଙ୍କ ପ୍ରତି ବହେ କେଣ୍ଟି ଭାଵ ଘର କଲାଣି । ସେ ଯେ ଗୋଟିଏ ଭିନ୍ନ ଜୀଵ ଓ ସ୍ଵତନ୍ତ୍ର ତଥା କୁକୁଡା଼ମାନଙ୍କ ସହିତ ତାହାର କୌଣସି ପାରିଵାରିକ କି ସାଂସ୍କୃତିକ ସମ୍ପର୍କ ନାହିଁ ଏକଥାରେ ସେ ସମ୍ପୂର୍ଣ୍ଣ ଵିଶ୍ଵାସ କରିନେଇଥାଏ ।

ଶୀତ ଯାଇ ଵସନ୍ତ ଋତୁ ହେଲାରୁ ଆହୁରି ଅନେକ ଜୀଵ ସେହି ବଣକୁ ଆସିଵାକୁ ଲାଗିଲେ । ଲମ୍ବା ଥଣ୍ଟିଆ ଵିଦେଶୀ ହଂସ-ଵକଙ୍କ ଠାରୁ ଚାଖେଣ୍ଡିକିଆ ଅନେକ ଜାତିର ପକ୍ଷୀ ଯାଏଁ ଅନେକ ଚଢ଼େଇ ଆସି ସେ ବଣରେ ଵସାବାନ୍ଧି ରହିଵାକୁ ଲାଗିଲେ ।

ସେ କୁକୁଡ଼ା ଚିଆଁ ଟିକିଏ ବଡ଼ ହେଇଯାଇଥାଏ ଆଉ ଚାରିଆଡ଼େ ବାରବୁଲା ଭଳି କିନ୍ଦିରି ବୁଲୁଥାଏ । ଦିନେ ସେ ହଟାତ୍ ତା ସହ ସାମ୍ଯଥିଵା ଗୋଟିଏ ଜୀଵକୁ ଜଙ୍ଗଲ ମଧ୍ୟରେ ଦେଖିଵାକୁ ପାଇଲା । ସେଇ ଜୀଵଟି ଗୋଟାଏ ମୟୂର ପକ୍ଷୀ । ସେଇଦିନ ସେ ପୁରା ନିଶ୍ଚିତ ହୋଇଗଲା ଯେ ସେ ଗୋଟାଏ କୁକୁଡା଼ ନୁହେଁ ଵରଂ ଏକ ମୟୂର ଅଟେ ।

ସେ କୁକୁଡା଼ମାନେ ରହୁଥିଵା ବୁଦା ପାଖକୁ ବାହୁଡି଼ ଆସିଲା ସତ କିନ୍ତୁ ସେମାନଙ୍କ ପ୍ରତି ତା ମନରେ ଆଉ ମୁଟରୁ ବି ମୋହ ମମତା ନଥିଲା । କୁକୁଡା଼ମାନେ ତା ଶତ୍ରୁ,ସେମାନେ ପ୍ରତାରକ ଓ ତାକୁ ଅଣ୍ଡା ଅଵସ୍ଥାରେ ତା ମାଆ ପାଖରୁ ଚୋରେଇ ଆଣିଛନ୍ତି ବୋଲି ସେ ମାନିଵାକୁ ଲାଗିଲା ।

କ- କ - କ - କ ବୋବାଳି ଛାଡ଼ି ସେ ସମସ୍ତଙ୍କୁ କହେ ଦେଖ ଦେଖ ପ୍ରତାରକମାନେ ତମେ ସବୁ ମୋ ଜାତି ଭାଇ ନୁହେଁ । ମୁଁ କୁକୁଡା଼ ନୁହେଁ ଗୋଟାଏ ମୟୂର । ମୁଁ ତୁମଠାରୁ ସ୍ଵତନ୍ତ୍ର ଏକ ଭିନ୍ନ ଜାତି ର ଜୀଵ । ତୁମେମାନେ ଚୋର ଖଣ୍ଡ, ମୋତେ ମୋ ମାଆର ବସାରୁ ଚୋରେଇ ଆଣିଛ ।

କୁକୁଡା଼ମାନେ କହିଲେ–ହେଲେ ତୁ ତ ଆମ ଭଳି କକ୍ କକ୍ କରୁଛୁ ?

ଏମିତି ଶୁଣିଲେ ସେ କୁହେ― ତ କଣ୍ ହେଲା ମୁଁ କିନ୍ତୁ କୁକୁଡା଼ ନୁହେଁ ମୟୂର ।

ସେଇଠୁ ବହୁତ ଗୁଡାଏ କୁକୁଡା଼ ସହିତ ତାହାର ଝଗଡ଼ା ହେଇଗଲା ।

ସେ ବୁଦା ଛାଡି଼ ଜଙ୍ଗଲ ଆଡ଼କୁ ଗଲା କିନ୍ତୁ ମୟୂରମାନେ ସେତେବେଳକୁ ସେ ବଣ ଛାଡ଼ି କୁଆଡ଼େ ଚାଲିଯାଇଥାଆନ୍ତି ..
.

ସେ ସ୍ଵାଧୀନଚେତ୍ତା କୁକୁଡା଼ଟି ନିରାଶ ହେଲା । ସେ ସେହି ଜଙ୍ଗଲର ପୂର୍ଵ ପଟରେ ଥିଵା ବ୍ରାହ୍ମଣୀ ନଦୀ କୂଳରେ ବୁଲୁଥାଏ ଏତିକି ଵେଳେ ନଦୀ ଆରପଟେ କେତେଟା ମୟୂର ବୁଲୁଥିଵାର ଦେଖିଵାକୁ ପାଇଲା ...

ସେ ଭାରି ଖୁସି ହୋଇଗଲା । ତାକୁ ଲାଗିଲା ସତେ ଯେମିତି ସେ ତା ହଜିଲା କୁଟୁମ୍ବ ପାଇଯାଇଛି । ହେଲେ ଏବେ ନଦୀ ଆରକଟକୁ କେମିତି ଯିଵ...?

ଦେଖିଲା, ଅନେକ ହାତୀ ନଦୀ ପାର କରୁଛନ୍ତି । ସେ ଗୋଟାଏ ହାତୀ ଉପରେ ବସି ନଈ ପାର ହେଇଗଲା ।

କିନ୍ତୁ,ନଈ ଆରପଟେ ଯାଇ ପହଞ୍ଚିଲାଵେଳକୁ ସେଠି ମୟୂର
ଆଉ ନାହାନ୍ତି । ସେ ଅନେକ ଖୋଜିଲା କିନ୍ତୁ କୋଉଠି ଗୋଟାଏ ବି ମୟୂର ନଥିଲେ ।

ଏତିକି ଵେଳେ ଗୋଟାଏ ବିଲୁଆ ତାକୁ ମାଡ଼ି ବସିଲା ଓ ସେଇ ଭିନ୍ନ ଦିଶୁଥିଵା କୁକୁଡା଼ଟି ସବୁଦିନ ପାଇଁ ସ୍ଵତନ୍ତ୍ର ହେଇଗଲା...