ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିବ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିବ ?
ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାର କରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମର ଯିବାର କୌଣସି ସମ୍ଭାବନା ଦୃଶ୍ଯ ହେଉନାହିଁ |
ଜ୍ୟୋତିର୍ବିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵନ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ?
ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା | ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି | ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର୍ ହେଉଥିଲା ।
ହେ ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।
ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |
ଆମର ଆଶା ଥିଲା ତେମେ ଆପଣ ଦ୍ୱିତୀୟ ଦିନରେ ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।
ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ଅନୁସନ୍ଧାନ କରିଦେଇଥିଲେ । ଏତେ ଅଏନ ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ କିନ୍ତୁ ତଥାପି ତୁମେ ଏଠାରେ ଅଛ ।
ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।
"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"
ମାନେ ?
ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ ତୁମେ ଆମ ଘର ଛାଡ଼ିବ ନାହିଁ?
ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା | ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି | ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ |
ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |
ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ | ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି ତଥାପି ତୁମେ ଏଠାରେ ଅଛ ।
ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ଆମେ ସବୁ ଵିଷୟରେ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।
ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ ଯେ ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?
ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ । ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?
ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ ।
ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ ଅଛି ଯାହା ବୋଲା ଯାଇପାରେ |
ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ଏହା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ ।
ଏହା ସତ୍ୟ ଯେ ତୁମେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।
ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି କିନ୍ତୁ ସେ ବି ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି । ତୁମେ ବି ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !
ଧେତ୍ ! ତୁମେ କେବେ ଯିଵ ହେ ଅତିଥି !
(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)