ପ୍ରାଚୀନ କାଳରେ ଗୋଟିଏ ବଣମଧ୍ୟର ବୁଦାମୂଳେ ଅନେକ କୁକୁଡା଼ ଏକାଠି ରହୁଥିଲେ । ଥରେ ଗୋଟିଏ ପେଣ୍ଠିର ଭୁଲ୍ ଵଶତଃ ନଵୋଦ୍ଭଵ ପ୍ରକ୍ରିୟାରେ ଏକ ମୟୁରରୂପ ସାମ୍ଯ କୁକୁଡା଼ଚିଆଁଟିଏ ଜାତ ହେଲା । ସେ ଭିନ୍ନ ଦିଶୁଥିଵାରୁ ସବୁ କୁକୁଡା଼ମାନେ ତାକୁ ଦେଖିଲେ ଘଡି଼ଏ ଅନାଉଥିଲେ ।
ତେଵେ ଦିନୁଁ ଦିନ ସେ ବଡ଼ ହେଵାକୁ ଲାଗିଲା କିନ୍ତୁ ତା ମୁଣ୍ଡରେ ଗୋଟିଏ ପ୍ରଶ୍ନ ସବୁଵେଳେ ଗୁଡେ଼ଇ ତୁଡେ଼ଇ ହେଇରହିଥାଏ ଯେ ସବୁ କୁକୁଡା଼ ତାକୁ ଦେଖି ଏତେ ଵିଶେଷ ଵ୍ଯଵହାର କାହିଁକି ପ୍ରଦର୍ଶନ କରୁଅଛନ୍ତି ? ତହୁଁ ଦିନେ ପୋଖରୀରେ ନିଜ ରୂପ ଦେଖି ସେ ଏ ପ୍ରଶ୍ନର ଉତ୍ତର ବି ପାଇଗଲା ।
ସେତେଵେଳକୁ ତା ମନ ତାକୁ ଏ ବ୍ରହ୍ମଜ୍ଞାନ ଦେଇସାରିଥିଲା ଯେ ସେ ଏ କୁକୁଡା଼ ଜାତିର ଅନ୍ତର୍ଭୁକ୍ତ ନୁହେଁ ଵରଂ କୌଣସି ଏକ ଭିନ୍ନ ଜାତୀୟ ଜୀଵର ଵଂଶଜ । ସେ ସ୍ଵତନ୍ତ୍ର ! ଏଇ ଭ୍ରମ ସେଇଦିନଠାରୁ ତା ମନରେ ବସା ବାନ୍ଧି ରହିଗଲା ...
ତେବେ ସେ କୁକୁଡା଼ଟା ତା ମନର ସନ୍ଦେହ ଦୂର କରିଵା ପାଇଁ ଜଙ୍ଗଲ ଗୋଟାଯାକ ଉଣ୍ଡିଆସିଲା ହେଲେ କୋଉଠେ ବି ତା’ରି ଭଳି ଜୀଵଟିଏ ତାକୁ ଦିଶିଲା ନାହିଁ...
ଏଣେ ତା ମନରେ କୁକୁଡା଼ମାନଙ୍କ ପ୍ରତି ବହେ କେଣ୍ଟି ଭାଵ ଘର କଲାଣି । ସେ ଯେ ଗୋଟିଏ ଭିନ୍ନ ଜୀଵ ଓ ସ୍ଵତନ୍ତ୍ର ତଥା କୁକୁଡା଼ମାନଙ୍କ ସହିତ ତାହାର କୌଣସି ପାରିଵାରିକ କି ସାଂସ୍କୃତିକ ସମ୍ପର୍କ ନାହିଁ ଏକଥାରେ ସେ ସମ୍ପୂର୍ଣ୍ଣ ଵିଶ୍ଵାସ କରିନେଇଥାଏ ।
ଶୀତ ଯାଇ ଵସନ୍ତ ଋତୁ ହେଲାରୁ ଆହୁରି ଅନେକ ଜୀଵ ସେହି ବଣକୁ ଆସିଵାକୁ ଲାଗିଲେ । ଲମ୍ବା ଥଣ୍ଟିଆ ଵିଦେଶୀ ହଂସ-ଵକଙ୍କ ଠାରୁ ଚାଖେଣ୍ଡିକିଆ ଅନେକ ଜାତିର ପକ୍ଷୀ ଯାଏଁ ଅନେକ ଚଢ଼େଇ ଆସି ସେ ବଣରେ ଵସାବାନ୍ଧି ରହିଵାକୁ ଲାଗିଲେ ।
ସେ କୁକୁଡ଼ା ଚିଆଁ ଟିକିଏ ବଡ଼ ହେଇଯାଇଥାଏ ଆଉ ଚାରିଆଡ଼େ ବାରବୁଲା ଭଳି କିନ୍ଦିରି ବୁଲୁଥାଏ । ଦିନେ ସେ ହଟାତ୍ ତା ସହ ସାମ୍ଯଥିଵା ଗୋଟିଏ ଜୀଵକୁ ଜଙ୍ଗଲ ମଧ୍ୟରେ ଦେଖିଵାକୁ ପାଇଲା । ସେଇ ଜୀଵଟି ଗୋଟାଏ ମୟୂର ପକ୍ଷୀ । ସେଇଦିନ ସେ ପୁରା ନିଶ୍ଚିତ ହୋଇଗଲା ଯେ ସେ ଗୋଟାଏ କୁକୁଡା଼ ନୁହେଁ ଵରଂ ଏକ ମୟୂର ଅଟେ ।
ସେ କୁକୁଡା଼ମାନେ ରହୁଥିଵା ବୁଦା ପାଖକୁ ବାହୁଡି଼ ଆସିଲା ସତ କିନ୍ତୁ ସେମାନଙ୍କ ପ୍ରତି ତା ମନରେ ଆଉ ମୁଟରୁ ବି ମୋହ ମମତା ନଥିଲା । କୁକୁଡା଼ମାନେ ତା ଶତ୍ରୁ,ସେମାନେ ପ୍ରତାରକ ଓ ତାକୁ ଅଣ୍ଡା ଅଵସ୍ଥାରେ ତା ମାଆ ପାଖରୁ ଚୋରେଇ ଆଣିଛନ୍ତି ବୋଲି ସେ ମାନିଵାକୁ ଲାଗିଲା ।
କ- କ - କ - କ ବୋବାଳି ଛାଡ଼ି ସେ ସମସ୍ତଙ୍କୁ କହେ ଦେଖ ଦେଖ ପ୍ରତାରକମାନେ ତମେ ସବୁ ମୋ ଜାତି ଭାଇ ନୁହେଁ । ମୁଁ କୁକୁଡା଼ ନୁହେଁ ଗୋଟାଏ ମୟୂର । ମୁଁ ତୁମଠାରୁ ସ୍ଵତନ୍ତ୍ର ଏକ ଭିନ୍ନ ଜାତି ର ଜୀଵ । ତୁମେମାନେ ଚୋର ଖଣ୍ଡ, ମୋତେ ମୋ ମାଆର ବସାରୁ ଚୋରେଇ ଆଣିଛ ।
କୁକୁଡା଼ମାନେ କହିଲେ–ହେଲେ ତୁ ତ ଆମ ଭଳି କକ୍ କକ୍ କରୁଛୁ ?
ଏମିତି ଶୁଣିଲେ ସେ କୁହେ― ତ କଣ୍ ହେଲା ମୁଁ କିନ୍ତୁ କୁକୁଡା଼ ନୁହେଁ ମୟୂର ।
ସେଇଠୁ ବହୁତ ଗୁଡାଏ କୁକୁଡା଼ ସହିତ ତାହାର ଝଗଡ଼ା ହେଇଗଲା ।
ସେ ବୁଦା ଛାଡି଼ ଜଙ୍ଗଲ ଆଡ଼କୁ ଗଲା କିନ୍ତୁ ମୟୂରମାନେ ସେତେବେଳକୁ ସେ ବଣ ଛାଡ଼ି କୁଆଡ଼େ ଚାଲିଯାଇଥାଆନ୍ତି ..
.
ସେ ସ୍ଵାଧୀନଚେତ୍ତା କୁକୁଡା଼ଟି ନିରାଶ ହେଲା । ସେ ସେହି ଜଙ୍ଗଲର ପୂର୍ଵ ପଟରେ ଥିଵା ବ୍ରାହ୍ମଣୀ ନଦୀ କୂଳରେ ବୁଲୁଥାଏ ଏତିକି ଵେଳେ ନଦୀ ଆରପଟେ କେତେଟା ମୟୂର ବୁଲୁଥିଵାର ଦେଖିଵାକୁ ପାଇଲା ...
ସେ ଭାରି ଖୁସି ହୋଇଗଲା । ତାକୁ ଲାଗିଲା ସତେ ଯେମିତି ସେ ତା ହଜିଲା କୁଟୁମ୍ବ ପାଇଯାଇଛି । ହେଲେ ଏବେ ନଦୀ ଆରକଟକୁ କେମିତି ଯିଵ...?
ଦେଖିଲା, ଅନେକ ହାତୀ ନଦୀ ପାର କରୁଛନ୍ତି । ସେ ଗୋଟାଏ ହାତୀ ଉପରେ ବସି ନଈ ପାର ହେଇଗଲା ।
କିନ୍ତୁ,ନଈ ଆରପଟେ ଯାଇ ପହଞ୍ଚିଲାଵେଳକୁ ସେଠି ମୟୂର
ଆଉ ନାହାନ୍ତି । ସେ ଅନେକ ଖୋଜିଲା କିନ୍ତୁ କୋଉଠି ଗୋଟାଏ ବି ମୟୂର ନଥିଲେ ।
ଏତିକି ଵେଳେ ଗୋଟାଏ ବିଲୁଆ ତାକୁ ମାଡ଼ି ବସିଲା ଓ ସେଇ ଭିନ୍ନ ଦିଶୁଥିଵା କୁକୁଡା଼ଟି ସବୁଦିନ ପାଇଁ ସ୍ଵତନ୍ତ୍ର ହେଇଗଲା...
कोई टिप्पणी नहीं:
एक टिप्पणी भेजें