रविवार, 9 जनवरी 2022

ସ୍ଵର୍ଣ୍ଣଗର୍ତ୍ତର କାହାଣୀ

ପିଙ୍ଗଳପ୍ରିୟ ନାମରେ ଜଣେ ରାଜା କନକଦେଶରେ ରାଜତ୍ଵ କରୁଥିଲେ ଏଵଂ ତାଙ୍କର ସବୁଠାରୁ ପ୍ରିୟ ରଙ୍ଗ ଥିଲା ହଳଦିଆ ରଙ୍ଗ । ତାଙ୍କ ରାଜପ୍ରସାଦ ପିଙ୍ଗଳଵର୍ଣ୍ଣ, ତାଙ୍କ ଶରୀର ମଧ୍ୟ ପିଙ୍ଗଳଵର୍ଣ୍ଣର ଥିଲା । ସେ ହଳଦିଆ ରଙ୍ଗର ଖାଦ୍ୟ ଖାଉଥିଲେ, ହଳଦିପାଣିରେ ଗାଧୋଉଥିଲେ, ହଳଦିଆ ଵସ୍ତ୍ରାଭୂଷଣ ପିନ୍ଧୁଥିଲେ,ହଳଦୀ ରଙ୍ଗର ପୁଷ୍ପମାଳା  ଧାରଣ କରୁଥିଲେ ଆଉ ହଳଦିଆ ରଙ୍ଗର ସୁନା ତାଙ୍କର ଅତି ପ୍ରିୟ ଥିଲା ।

କଥିତ ଅଛି ଯେ ସେ ଏତେ ମାତ୍ରାରେ ହଳଦିଆ ଦ୍ରବ୍ୟର ସେଵନ କଲେ ଯେ ତାଙ୍କ ଵିଷ୍ଠା,କେଶ,ଶରୀର ସବୁ ପିଙ୍ଗଳ ଵା ହଳଦି ରଙ୍ଗର ହୋଇଯାଇଥିଲା ।

ରାଜାଙ୍କ ସେଵକମାନେ ରାଜାଙ୍କର ଯାଵତୀୟ ଵର୍ଜ୍ୟଵସ୍ତୁ ଏକଠାଁରେ ବଡ଼ ଗର୍ତ୍ତ ଖୋଳି ପକାଇ ଦିଅନ୍ତି । ରାଜାଙ୍କ ଦିହର ହଳଦୀ ଧୁଆ ପାଣିଠାରୁ ରାଜାଙ୍କ ଵିଷ୍ଠାଯାଏଁ ସବୁକିଛି ସେହି ଗର୍ତ୍ତରେ ପକେଇ ଦିଆଯାଏ ।

ଉକ୍ତ ରାଜାଙ୍କର ରାଜସେଵକମାନେ ଵର୍ଜ୍ୟଵସ୍ତୁ ଫିଙ୍ଗାଯିଵା ଗର୍ତ୍ତଟି ଵିଷୟରେ ବାହାର ଲୋକଙ୍କ ଆଗରେ କହିଵା ବେଳେ ଅତିରଞ୍ଜିତ କରି ଵର୍ଣ୍ଣନା କଲେ । କେହି କେହି ରାଜସେଵକ ଗପୁ ଗପୁ କହିଦେଲେ ରାଜାଙ୍କର ଯୋଉ ସୁନାରୁ ମନ ଛାଡି଼ଯାଏ ତାକୁ ମଧ୍ୟ ଆମେ ସେହି ଗର୍ତ୍ତରେ ପକାଇ ଦେଉ ‌। ସେ ଗର୍ତ୍ତରେ ତ ଗଦା ଗଦା ସ୍ଵର୍ଣ୍ଣାଳଙ୍କାର ପଡି଼ଛି । ରାଜଦଣ୍ଡ ଭୟରେ କେହି ଗୋଟାନ୍ତି ନାହିଁ ‌।

କାଳକ୍ରମେ ସେହି ରାଜାଙ୍କ ଦେହାଵସାନ ହୋଇଗଲା କିନ୍ତୁ ଉକ୍ତ ଦେଶରେ ରାଜାଙ୍କର ଵର୍ଜ୍ୟଵସ୍ତୁ ପଡୁ଼ଥିଵା ଗର୍ତ୍ତଟି ଗୋଟିଏ କିମ୍ବଦନ୍ତୀରେ ଜୀଵନ୍ତ ହୋଇ ରହିଲା ।

ଫଳତଃ କେତେକ ଵର୍ଷ ମଧ୍ୟରେ ସେଇ ରାଜ୍ୟରେ ଗୋଟିଏ କିମ୍ବଦନ୍ତୀ ସୃଷ୍ଟି ହୋଇଗଲା । କିମ୍ବଦନ୍ତୀ ଅନୁସାରେ ପିଙ୍ଗଳପ୍ରିୟ ରାଜାଙ୍କ ପାଖରେ ଅମାପ ସ୍ଵର୍ଣ୍ଣ ସମ୍ପତ୍ତି ଥିଲା ଏଵଂ ଯେତେବେଳେ ରାଜାଙ୍କର କୌଣସି ସ୍ଵର୍ଣ୍ଣ ସମ୍ବନ୍ଧିତ ଵସ୍ତୁ ପ୍ରତି ଆସକ୍ତି କମିଯାଉଥିଲା ସେ ଉକ୍ତ ସ୍ଵର୍ଣ୍ଣଦରଵକୁ ନଵର ମଧ୍ୟରେ ଏକ ଗର୍ତ୍ତରେ ପକାଇ ଦେଇ ଦେଉଥିଲେ ।

ଶହ ଶହ ଵର୍ଷ ଧରି ଏହି ଜନସୃତି ଲୋକ ମୁଖରେ ବଞ୍ଚି ରହିଥିଲା । ପଚାଶ ଦଶକରେ ପିଙ୍ଗଳପ୍ରିୟ ଓ ତାଙ୍କର ସ୍ଵର୍ଣ୍ଣପ୍ରେମକୁ ନେଇ ଵିଭିନ୍ନ କଵିତା ଗଳ୍ପ ଲେଖାଗଲା । ଫଳତଃ ଅନେକ ଗଵେଷକ ସେହି ଗର୍ତ୍ତ ଉଣ୍ଡିଵାରେ ଲାଗିପଡି଼ଲେ । ତେବେ ପଚାଶଵର୍ଷ ବିତିଗଲେ ହେଁ ଗର୍ତ୍ତ ସମ୍ବନ୍ଧରେ କୌଣସି ଆଖିଦୃଶିଆ ତଥ୍ୟ ମିଳିଲା ନାହିଁ ।

କନକ ଦେଶକୁ ଲାଗି ସମ୍ବଳଦେଶ । ସେଠାକାର କିଛି ଲୋକେ ନିଜକୁ ମନେ ମନେ କନକଦେଶଵାସୀ ଭାବୁଥାନ୍ତି କାରଣ ପିଙ୍ଗଳପ୍ରିୟଙ୍କ ଶାସନକାଳରେ ତାଙ୍କ ଅଞ୍ଚଳର କିଛି ଅଂଶ କନକଦେଶରେ ଥିଲା । ସେମାନେ ମନେକଲେ ହୁଏତ ସେହି ଗର୍ତ୍ତଟି ତାଙ୍କ ଅଞ୍ଚଳରେ କୋଉଠି ଅଛି ‌ । ବହୁତ ଯାଗାରେ ଖୋଳାଖୋଳି ହେଲା । ରାଷ୍ଟ୍ରୀୟ ଇତିହାସ ଗଵେଷଣା ସଂସ୍ଥାନକୁ ଚିଠି ଲେଖି ସେମାନେ ଏଥିରେ ସାହାଯ୍ୟ କରିଵାକୁ ଅନୁରୋଧ କଲେ । ଫଳତଃ ରାଷ୍ଟ୍ରୀୟ ଗଵେଷଣା ସଂସ୍ଥା ସେମାନଙ୍କୁ ଉତ୍ତରରେ ଜଣେଇ ଦେଲେ ଯେ ସମ୍ବଳଦେଶରେ କନକ ଦେଶର ଗର୍ତ୍ତ ଥିଵାର କୌଣସି ପ୍ରମାଣ ମିଳିଵ ନାହିଁ । କନକ ଦେଶ , ପିଙ୍ଗଳପ୍ରିୟ ରାଜାଙ୍କ ସ୍ଵର୍ଣ୍ଣଗର୍ତ୍ତ କିମ୍ବଦନ୍ତୀ ମାତ୍ର ।   ସେ ଵା ତାଙ୍କ ବଂଶଜ ସମ୍ବଳଦେଶର ଶାସକ ଥିଲେ କି ନାହିଁ ସେ ସମ୍ବନ୍ଧରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ମିଳେ ନାହିଁ ।

ଏହାର କିଛି ଵର୍ଷପରେ କଳକପ୍ରଦେଶରେ ହିଁ ଗୋଟିଏ ଭଙ୍ଗା ରାଜ ଉଆସ ଭିତରେ ପୋତା ପଡି଼ଥିଵା ଏକ ବଡ଼ ଗାତ ମିଳିଲା କିନ୍ତୁ ସେଥିରେ ସୁନା କି ରୂପା କିଛି ନଥିଲା । ଵୈଜ୍ଞାନିକମାନେ ଗାତ ଭିତରର ମାଟିକୁ ପରୀକ୍ଷା କରି ଜାଣିଲେ ତାହା ରାଜପୁରୁଷମାନଙ୍କର ମଳମୂତ୍ରାଦି ଫିଙ୍ଗାଯାଉଥିଵା ଗୋଟିଏ ବଡ଼ ଗାଡ଼ ମାତ୍ର ଥିଲା ।

ଆମ ଓଡ଼ିଶାରେ ଦଳେ ଵିଚ୍ଛନ୍ନତାଵାଦୀ ଏହିପରି ଗୋଟିଏ କିମ୍ବଦନ୍ତୀଙ୍କୁ ଧରି ଵିଭାଜନର ଗୀତ ଗାନ କରୁଛନ୍ତି । ଏମାନଙ୍କର ପରିଣତି ମଧ୍ୟ ଶେଷରେ ଵିଷ୍ଠାଗର୍ତ୍ତ ଲାଭ ଛଡ଼ା ଆଉ କିଛି ହେଵ ନାହିଁ ‌ ।

बुधवार, 12 मई 2021

🐸🐸🐸🐸 ଗଙ୍ଗଦତ୍ତ ବେଙ୍ଗର କଥା🐸🐸🐸🐸

ବେଙ୍ଗମାନଙ୍କ ରାଜା ‘ଗଙ୍ଗଦତ୍ତ’ ଗୋଟାଏ ସାପ ଦ୍ଵାରା ନିଜର ସମସ୍ତ ପ୍ରତିଦ୍ଵନ୍ଦୀ ଓ ଵିରୋଧୀମାନଙ୍କୁ ମରେଇ ଦେଲା ହେଲେ ସାପ ସେମାନଙ୍କ ପରେ ପରେ  ଗଙ୍ଗଦତ୍ତ କୁଟୁମ୍ବର ଭେକମାନଙ୍କୁ ବି ଖାଇଗଲା ।

ଏଵେ ଗଙ୍ଗଦତ୍ତ ସେଇ କୂଅରେ ଏକେଲା ବଞ୍ଚିଯାଇଥାଏ । ସାପ ତାକୁ ବି ଖାଇଵାକୁ ଉଦ୍ଯତ ହୁଅନ୍ତେ ଗଙ୍ଗଦତ୍ତ ବେଙ୍ଗ କହିଲା

“ହେ ସାପଭାଇ ଦୟାକରି ତୁମ୍ଭେ ମୋତେ ଗିଳନାହିଁ ଏଥିରେ ତୁମ୍ଭର କ୍ଷତି ହିଁ ହେଵ  ଵରଂ ମୁଁ ତୁମ୍ଭ ପାଇଁ ଅନ୍ୟ ଏକ କୂପକୁ ଯାଇ ଆହୁରି ଅନେକ ବେଙ୍ଗଙ୍କୁ ଏଠାକୁ ନେଇ ଆସିଵି”

ଏଭଳି କୌଶଳ କରି ଗଙ୍ଗଦତ୍ତ  ସେଇ କୂଅରୁ ଅଳ୍ପକେ ଵର୍ତ୍ତିଯାଇଥିଲା । କୂଅରୁ ବାହାରି ସେ ଯେମିତି ପଦାକୁ ଆସି ଦେଖିଲା ପୃଥିଵୀଟା କେତେ ଵିଶାଳ ତାହା ଅନୁଭଵ କରିପାରିଲା । କୂଅରେ ତ ସାପ ଅଛି ତେଣୁ କୂଅର ଲୋଭ ଛାଡ଼ି ଏବେ ଅନ୍ୟ ଏକ ଵାସସ୍ଥାନ ଅନ୍ଵେଷଣ କରିଵାକୁ ଗଙ୍ଗଦତ୍ତ ବାହାରି ପଡି଼ଛି । କୂଅଠାରୁ ମାତ୍ର ଦୁଇ କୋଶ ଦୂରରେ ହ୍ରଦଟିଏ ଥାଏ ଯେ ଗଙ୍ଗଦତ୍ତ ଡେଇଁ ଡେଇଁ ଆସି ସେଇ ହ୍ରଦ ପାଖରେ ପହଞ୍ଚିଗଲା ।

ସେଇ ହ୍ରଦଟି ବହୁତ ବଡ଼ ପୁଣି ସେଠାରେ ଅନେକ ଜାତିର ଜୀଵ ଵସଵାସ କରୁଥାନ୍ତି । ହ୍ରଦଟିରେ ଜଳତନ୍ତ୍ର ଶାସନ ଵ୍ୟଵସ୍ଥାରେ ଶାସନ ହେଉଥାଇ । ଏଥିରେ କୁମ୍ଭୀର ଓ ସର୍ପାଦି ଜୀଵଭକ୍ଷକ ଗୋଷ୍ଠୀ ଶାସନ କାର୍ଯ୍ୟ ପରିଚାଳନା କରୁଥିଵାଵେଳେ ଅନ୍ୟ ଜଳଚର ଜୀଵମାନେ ମତଦାତାଠାରୁ ପ୍ରଶାସନିକ ଅଧିକାରୀ ଯାଏଁ ଵିଭିନ୍ନ କାର୍ଯ୍ୟ କରୁଥିଲେ ।

ସେହି ହ୍ରଦର ସମ୍ବିଧାନ ଅନୁସାରେ ଜଳଚର ଜୀଵଟିଏ ଜଳଚର ଜୀଵକୁ ଆଦୌ ଭକ୍ଷଣ କରିଵ ନାହିଁ ଵରଂ ଏକ ଜଳଚର ଜୀଵଭକ୍ଷକ କୌଣସି ସ୍ଥଳଚର ଜୀଵକୁ ଭକ୍ଷଣ କରିଣ ଆପଣା ଜୀଵନଯାପନ କରିଵ । ଏ ନିୟମ ଲକ୍ଷ ଲକ୍ଷ ଵର୍ଷ ଧରି ସେ ହ୍ରଦର ଜୀଵମାନେ ପାଳୁଅଛନ୍ତି । ଫଳତଃ ଉକ୍ତ ହ୍ରଦରେ ବେଙ୍ଗ ଆଦି ନୀରିହ ଜୀଵମାନେ ଅତି ସୁଖରେ କାଳାତିପାତ କରୁଥାଆନ୍ତି ।

ଗଙ୍ଗଦତ୍ତ ଦେଖିଲା ସେଠାରେ ତାହାର ଅନେକ ଭାଇବନ୍ଧୁ ଅଛନ୍ତି ଯେଉଁମାନେ ଠିକ୍ ତା ଭଳି କେଁ କଟର କେଁ କଟର କରିପାରନ୍ତି । ସେମାନଙ୍କର ପରସ୍ପରର ଭାଷା ଏକ ଥିଲା ହାଵଭାଵ,ମଉଡା଼ ସବୁ ମିଶିଯାଉଥିଲା ।  ତେଣୁ ପୁଷ୍କରିଣୀର ବେଙ୍ଗମାନଙ୍କ ସହ ଗଙ୍ଗଦତ୍ତର ସମ୍ପର୍କ ଘନିଷ୍ଠରୁ ଘନିଷ୍ଠତର ହେଵାକୁ ଲାଗିଲା ।

ଦିନେ ପୁଷ୍କରିଣୀରେ ବୁଲୁବୁଲୁ ଗଙ୍ଗଦତ୍ତ ଅନେକ ସର୍ପମାନଙ୍କୁ ମଧ୍ୟ ଦେଖିପାରିଲା । ଏକ ସର୍ପଦ୍ଵାରା କୂପ ମଧ୍ଯରେ ତାହାର ସବୁ ଭ୍ରାତାବନ୍ଧୁଙ୍କୁ ହତ୍ୟା କରାଯାଇଥିଵା ହେତୁରୁ ସେ ସଂପୂର୍ଣ୍ଣ ସର୍ପଜାତିଟାକୁ ଘୃଣା କରୁଥାଏ । କିନ୍ତୁ ଏତେସଂଖ୍ୟକ ସର୍ପଙ୍କଠାରୁ ସିଏ ଏକାକୀ ତ ପ୍ରତିଶୋଧ ନେଇପାରିଵ ନାହିଁ ତେଣୁ ମନେ ମନେ ବହେ ଉପାୟ ପାଞ୍ଚିଲା । କେଁ କଟର କରି କରି ଗୋଟାଏ ପଦ୍ମ ପତ୍ରରୁ ଆନ ଏକ ପତ୍ରକୁ ଯହ ଡିଆଁ ଡେଇଁ କରୁଥାଇ । ଶେଷରେ ତା ମୁଣ୍ଡକୁ ଉପାୟଟିଏ ଯୁଟିଲା ।

ପ୍ରତିଦିନ ସକାଳୁ ସକାଳୁ ପାଣିରେ ରହୁଥିଵା ବୋଡ଼ା ଆଦି ସାପମାନେ ସ୍ଥଳଭାଗକୁ ଖାଦ୍ୟ ଉଣ୍ଡିଵାକୁ ବୁଲି ବାହାରନ୍ତି ।
ଯେମିତି ସେମାନଙ୍କୁ ଗଙ୍ଗଦତ୍ତ ବେଙ୍ଗ ଦେଖିଦିଏ ତାଙ୍କ ଆଗ ସାମ୍ନାକୁ ଚାଲିଆସି ମିଛଟାରେ ତା ବେଙ୍ଗ ଜାତିଭାଇଙ୍କୁ ବଡ଼ ପାଟି କରି ଡାକେ

“ହେ ବଞ୍ଚାଅ ବଞ୍ଚାଅ ମୋତେ ଖାଇଗଲେ ହେ ଭାଇମାନେ”

ଏ ରାମା ଏ ଭୀମା ହଇରେ ଶଙ୍କରା ଆବେ ମକରା
ଆରେ ସବୁ କୋଉଠି ଅଛ ଧାଇଁ ଆସରେ ଧାଇଁ ଆସ
ଏ ରାକ୍ଷସ ସର୍ପମାନେ ଏଇନାକେ ମେତେ ଚଳୁକରିଦେଵେ ରେ”

ପ୍ରଥମେ ପ୍ରଥମେ ଗଙ୍ଗଦତ୍ତର ନାଟକ ଦେଖି ସ୍ଵୟଂ ତାହାର ବେଙ୍ଗ ଜାତିଭାଇମାନେ ହିଁ ଵିଶ୍ଵାସ କରୁନଥିଲେ ।  ‘ଖୋ ରେ  ! ଶଳା ବାହାରିଆଟା ବୋ ! ଏଟା କଥାରେ କିଏ ପଡୁ଼ଛି ମ’ !!

କିନ୍ତୁ ଗଙ୍ଗଦତ୍ତ ସହଜେ ଛାଡି଼ଵା ଜନ୍ତୁ ନୁହେଁ ।  ଵିଭିନ୍ନ ପ୍ରକାରର ଉପାୟ ଅଵଲମ୍ବନ କରି ସେ  ତାହାର ଅନେକ ବେଙ୍ଗ ଭାଇମାନଙ୍କୁ ତା ଆନ୍ଦୋଳନର ସମର୍ଥକ କଲା । କାହାକୁ “ଭେକ ଜାତୀୟତା”ର ମଦରେ ଅନ୍ଧ କରି ତ କା'କୁ କଙ୍କି ଦେଵାର ଲୋଭରେ ପକେଇ ନିଜ ପକ୍ଷକୁ ଆଣିଲା । ଚାହୁଁ ଚାହୁଁ ଦିନ କେଇଟାରେ ଶହ ଶହ ବେଙ୍ଗ ଏକ ସ୍ଵରରେ କହିଲେ ଏ ମାଂସଭକ୍ଷକ ଜୀଵମାନଙ୍କୁ ଏହି ହ୍ରଦରୁ ବାହାର କର ଅନ୍ୟଥା ହ୍ରଦକୁ ଦୁଇଭାଗ କରି ବାଣ୍ଟିଦିଅ । ଏକ ପାଖରେ ହିଂସ୍ର-ଜଳଚର ରହିଵେ ଆନ ପଟରେ ନୀରିହ କ୍ଷୁଦ୍ର ଜୀଵ ରହିବେ । ମାଛ , କଙ୍କଡ଼ା ଆଦି ଜୀଵମାନେ ବେଙ୍ଗମାନଙ୍କର ସମର୍ଥନରେ ବାହାରିପଡି଼ଲେ ।

ଗୋଳଟା ଶେଷକୁ କଇଁଛ ବିଚାରପତିଙ୍କ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଲା । ଵୟୋଜ୍ୟେଷ୍ଠ କଚ୍ଛପ ଵିଚାରପତି ମହୋଦୟ  ବହୁତ ସମୟ ଧରି ଏ ଵିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରୁଥାଆନ୍ତି ‌। ଶେଷରେ ହ୍ରଦର ସୁପ୍ରିମକୋର୍ଟ ଆଦେଶ ଦେଲା ।

“ହ୍ରଦଟି ପ୍ରାକୃତିକ ଦୃଷ୍ଟିରୁ ଏକ ଓ ଅଭିନ୍ନ ତେଣୁ କୌଣସି ଜୀଵ ଵିଶେଷଙ୍କ ପାଇଁ ତାହାର ଵିଭାଜନ ପ୍ରକୃତି ଵିରୁଦ୍ଧାଚରଣ ଵିଚାର୍ଯ୍ୟ ହେଵ । ଅତଃ ଏହି ହ୍ରଦ-କୋର୍ଟରେ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଯେ ଏଠାକାର ବଡ଼ ବଡ଼ ମାଂସ ଭକ୍ଷୀ ଜୀଵମାନେ ଶିଘ୍ରାତିଶିଘ୍ର ଅନ୍ୟତ୍ର ରହିଵାର ଵ୍ୟଵସ୍ଥା କରନ୍ତୁ ନୋହିଲେ ଜଳ ସମାଜର ସମସ୍ତ ଜୀଵ ମିଶି ସେମାନଙ୍କ ଵିରୁଦ୍ଧରେ ଵଳପୂର୍ଵକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵେ”

କୁମ୍ଭୀର ଓ ବୋଡ଼ା ସର୍ପମାନେ ସ୍ଵଭାଵତଃ ହିଂସ୍ର ହେଲେ ହେଁ ବହୁଦିନ ଧରି ଅନ୍ୟ କ୍ଷୁଦ୍ର ଜଳ ଜୀଵଙ୍କ ସହିତ ଏକତ୍ର ସହାଵସ୍ଥାନ କରୁଥିଵାରୁ ଆପଣାର ମୂଳପ୍ରକୃତି ଭୁଲି ସାରିଥାନ୍ତି । ସେମାନେ ଦୁଃଖ ମନରେ ହ୍ରଦ ଛାଡ଼ି ନିକଟସ୍ଥ ଛୋଟ ଛୋଟ ପୁଷ୍କରିଣୀ ମଧ୍ୟକୁ ଯିଵାକୁ ଲାଗିଲେ ।

ଵିଶାଳ ହିଂସ୍ର ଜଳଜୀଵଙ୍କ ଵିନା ହ୍ରଦଟିରେ କିଛି ଦିନ ପାଇଁ ଶାନ୍ତି ଵିରାଜମାନ କଲା ମାତ୍ର ଧୀରେ ଧୀରେ ମାନଵମାନେ ଓ ତାଙ୍କର ଗୃହପାଳିତ ଜୀଵ ଏ ହ୍ରଦକୁ ଗାଧୋଇଵା ପାଇଁ ତଥା ଜଳ ନେଵା ପାଇଁ ଆସିଵାକୁ ଲାଗିଲେ । ପ୍ରତିଦିନ ଶହ ଶହ ମାଛ କଙ୍କଡ଼ାମାନଙ୍କୁ ମଣିଷମାନେ ମାରି  ଖାଇଲେ । ପୁଣି ଉକ୍ତ ହ୍ରଦରୁ ହଜାର ହଜାର ଲିଟର ଜଳ ପ୍ରତିଦିନ କଟକ ନଗରର ଵିକାଶ କାର୍ଯ୍ୟରେ ଵ୍ୟଵହୃତ ହେଲା । ଆଗ ଭଳି ହିଂସ୍ରଜନ୍ତୁ ନଥିଵାରୁ ଏବେ ମାନଵମାନେ ଉକ୍ତ ହ୍ରଦରେ ଅଵାଧ୍ୟ ପ୍ରଵେଶ କରିଵା ଆରମ୍ଭ କରିଦେଲେ । ହ୍ରଦର ତଥାକଥିତ ନିରୀହ ଜଳଜୀଵମାନେ କିଛି ବୁଝିଵା ପୂର୍ଵରୁ ମନୁଷ୍ୟମାନେ ଉକ୍ତ ହ୍ରଦକୁ ଵାସ୍ତୁଵାଦୀ ଵିକାଶ ପାଇଁ ବଳି ପକେଇ ଦେଵାର ନିର୍ଣ୍ଣୟ ନେଇ ସାରିଥିଲେ ।

(କଟକ ନଗରରେ ଆଗେ ଗୋଟିଏ ହ୍ରଦ ଥିଲା ଯାହାକୁ ୧୮୧୪ ସୁଦ୍ଧା “ସପନା ଝିଲ୍” କୁହାଯାଉଥିଲା । ହିନ୍ଦୀ ଭାଷାରେ ହ୍ରଦକୁ ଝିଲ୍ କୁହାଯାଏ । ସେତେବେଳେ କଟକର ତୃତୀୟ ମହଲା ଥିଲା ତେଲେଙ୍ଗା ବଜାର ଏଵଂ ଚତୁର୍ଥ ମହଲା ଗଙ୍ଗା ମଞ୍ଜିଲ୍ ଯାହାକୁ ଏବେ ଗଙ୍ଗାମନ୍ଦିର ସାହି କୁହାଯାଉଛି । ଏ ଉଭୟ ଅଞ୍ଚଳରେ କାହ୍ନୁ ଆଚାର୍ଯ୍ୟ ନାମରେ ଜଣେ ଜମିଦାରଙ୍କର ଅନେକ ଜମିବାଡ଼ି ଥିଲା । ସପନା ଝିଲ୍ ମଧ୍ୟ ତାଙ୍କରି ନାମରେ ଥିଲା  । କିନ୍ତୁ ଦୁର୍ଭାଗ୍ୟଵଶତଃ ଆଜି ଗଙ୍ଗାମନ୍ଦିର ଅଞ୍ଚଳରେ ଦୁଇ ତିନୋଟି ଛୋଟ ବନ୍ଧ ଥିଲେ ହେଁ ଝିଲ୍ ଵା କୌଣସି ହ୍ରଦ ଥିଵା ଜଣାଯାଏ ନାହିଁ । ସମ୍ଭଵତଃ ଜନଵସତି ବଢି଼ଵାରୁ ହ୍ରଦଟି ପୋତା ପଡ଼ି ସଂକୁଚିତ ହୋଇ ଯାଇଛି କିଂଵା ନିଶ୍ଚିହ୍ନ ହୋଇଯାଇଛି । ଜଣେ ଇଂରେଜ ପ୍ରଶାସନିକ ଅଧିକାରୀଙ୍କ ଚିଠିରୁ ଏହି ସପନା ଝିଲ୍ ଵିଷୟରେ କେତେକ ତଥ୍ୟ ମିଳିଅଛି  । କାହାଣୀର ହ୍ରଦ ପୃଥିଵୀର ଯେକୌଣସି ହ୍ରଦ ହୋଇପାରେ ଏଵଂ କାହାଣୀ ମଧ୍ୟରେ ଉଲ୍ଲେଖିତ ନିରୀହ ଜଳଜୀଵମାନେ ଜଗତର ଯେକୌଣସି ସରଳ ନିରୀହ ଜୀଵ ହୋଇପାରନ୍ତି ଯେଉଁମାନେ ଈର୍ଷା ଦ୍ଵେଷରେ ଅନ୍ଧ କିଛି ତଥାକଥିତ ଘୃଣ୍ବି ଲୋକଙ୍କ କଥାରେ ପଡ଼ି ନିଜ ଦେଶ ମାଟିକୁ ନିଜ ଭାଇ ବନ୍ଧୁଙ୍କୁ ପର କରି ଦିଅନ୍ତି )

मंगलवार, 2 मार्च 2021

ପଣ୍ଡିତଙ୍କ ଗାମୁଛା

ମୋଗଲକାଳର କଥା । ପୁରୀର ଏକ ଅଖ୍ଯାତ ପଲ୍ଲୀରେ ଜଣେ ନିରୀହ, ନିଷ୍ପାପ ହୃଦୟ ପଣ୍ଡିତ ମହାତ୍ମା ରହୁଥିଲେ ।

ଅଳ୍ପରେ କହିଲେ ପଣ୍ଡିତେ ବଡ଼ ଦରିଦ୍ର ଥିଲେ । ଦିନେ ପଣ୍ଡିତଙ୍କ ଗାମୁଛା ନଦୀରେ ଗାଧୋଇଵା ସମୟରେ ଦୂରକୁ ଭାସି ଗଲା । କୌଣସି ଜିନିଷ ହଜିଗଲେ ସାଧାରଣତଃ ଆମେ ମଣିଷମାନେ ଦୁଃଖୀ ହୋଇଯାଅନ୍ତି ।

ପଣ୍ଡିତେ ମନେ ମନେ ସାମାନ୍ୟ ଦୁଃଖୀ ହେଲେ । ସୁମାରୀ କରି ଦେଖିଲେ କେତେ ଟଙ୍କା ଆଗପଛ କରି ଖରଚ କଲେ ନୁଆ ଗାମୁଛା ଟାଏ କିଣିହେବ ।

ତାଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା
ପଣ୍ଡିତେ ଠିକ୍ କଲେ  ସେ ସେତେ ଦିନ ଯାଏଁ ଦାଢୀ କାଟିବେ ନାହିଁ ଯେତେଦିନ ଯାଏଁ ଗାମୁଛା ମୂଲ୍ଯର ଟଙ୍କା ସଞ୍ଚୟ ନହୋଇଛି ।

କିଛି ଦିନ ଗଡି଼ଯାଆନ୍ତେ ଦିନେ ପଣ୍ଡିତେ ଗାଁରୁ କଟକ ନଗର କୌଣସି କାମରେ ଯାଇ ଥାଅନ୍ତି ।

ଦୂରରୁ ଜଣେ ମୌଲବୀ କୁ ଆସୁଥିଵର  ପଣ୍ଡିତେ ଦେଖିପାରିଲେ...

ମୌଲବୀଙ୍କର ଲମ୍ବା ଦାଢୀ ଥିଲା ପଣ୍ଡିତେ ତ ଆଗରୁ କେବେ ମୁସଲମାନ ଲୋକଙ୍କୁ ଦେଖି ନଥିଲେ କି  ସେ ଜାତି ଵିଷୟରେ ତାଙ୍କର ସେତିକି ଜ୍ଞାନ ନଥିଲା ।

ତହୁଁ ପଣ୍ଡିତେ ମୌଲବୀ ସାହେବଙ୍କ ନିକଟକୁ
ଯାଇ କହିଲେ

"ଏ କଥା ଜାଣି ବହୁତ ଦୁଃଖ ହେଲା ତେବେ ଆପଣଙ୍କର ଗାମୁଛା,ଚଦର ହଜିଯାଇଛି ନା କମ୍ବଳ ଭାଇ” ?

शनिवार, 11 अप्रैल 2020

ଅୟଂ କଃ

ଦିନେ ପଣ୍ଡିତ ସଦାଶିବ  ଶିରୋମଣିଙ୍କ ଗୃହରେ ସଂସ୍କୃତ ଜାଣିନଥିବା ଜଣେ  ବ୍ରାହ୍ମଣ ଙ୍କ ସହ କଥୋପକଥନ କରୁଥାନ୍ତି ।

ଏମନ୍ତ ସମୟରେ ଗଦାଧର ଭାରତୀ ନାମକ ଅନ୍ୟ ଜଣେ ପଣ୍ଡିତ ଉପସ୍ଥିତ ହୋଇ ହଳଧରଙ୍କୁ ଲକ୍ଷକରି ଶିରୋମଣୀଙ୍କୁ ପଚାରିଲେ “ଅୟଂ କଃ”(ଏ କିଏ)  !!! ଶିରୋମଣି ସଂସ୍କୃତ ଭାଷାରେ ଉତ୍ତର ଦେଲେ,ପରେ ଅନ୍ୟାନ୍ୟ​ କଥା ହେଲା ଏବଂ ବିଦ୍ୟାଭୂଷଣ ଚାଲିଗଲେ ।

ହଳଧର “ଅୟଂ କଃ” ଏ କଥାର  ଅର୍ଥ ବୁଝି ନପାରି କୌତୁହଳାକ୍ରାନ୍ତି ହୋଇ ଶିରୋମଣି ଙ୍କୁ
ପଚାରିଲେ,

ପଣ୍ଡିତେ “ଅୟଂ କଃ” କଥା ର ଅର୍ଥ କଣ କି ?

ଶିରୋମଣି- ସେ କଥାରୁ କଣ୍ ମିଳିବ ତୁନି ହୁଅ,ଯା !

ହଳଧର-କାହିଁକି ?

ଶିରୋମଣି- ସେ ବଡ଼ ମନ୍ଦକଥା । ଏପରି ଖରାପ ଗାଳି ଆଉ ନାହିଁ । କିନ୍ତୁ ପଣ୍ଡିତ ଲୋକ କହିତ ପକେଇଲେଣି,ସେ କଥା ଧଇଲେ ଆଉ କଣ୍ ହେବ ?

ହଳଧର - ଚୋପା ନା ! ତା ପଣ୍ଡିତପଣିଆ  ତା ଘରେ । ମୁଁ ତାକୁ ଛାଡ଼ିବି ?

ଏହା କହି ହଳଧର ପଣ୍ଡିତଙ୍କ ପଛରେ ଉର୍ଦ୍ଧ୍ଵଶ୍ବାସରେ ଦଉଡି଼ଗଲେ ଆଉ ତାଙ୍କ ପାଖରେ ପହଞ୍ଚି ତାଙ୍କୁ କହିଵା ଆରମ୍ଭ କରିଦେଲେ...

“ହେ ପଣ୍ଡିତ,ତୁ ଅୟଂ କଃ,ତୋ ବୋପା ଅୟଂ କଃ ତୋ ସାତପୁରୁଷ ଅୟଂ କଃ ତୋ ଚୌଦ ପୁରୁଷ ଅୟଂ କଃ ତୋର ଯିଏ ଯେଉଁଠି ଅଛନ୍ତି ସମସ୍ତେ ଅୟଂ କଃ !!”

ଆମ ଦେଶରେ ହଳଧରଙ୍କ ଭଳି ବହେ ଲୋକ ଅଛନ୍ତି । ସେମାନେ ସତ୍ଯ ନଜାଣି ଏଵଂ କଥାର ମର୍ମ ନବୁଝି ଝଗଡା଼କରିଵାକୁ ବାହାରି ପଡ଼ନ୍ତି ।

शुक्रवार, 10 अप्रैल 2020

ଚୋରର ହାତ ଓ ମନ୍ତ୍ରୀର ଜିଭ

ଜଣେ ରାଜା ସାଧାରଣ ଵେଶ ପୋଷାକ ପିନ୍ଧି ଦେଶରେ ଗୁପ୍ତରୂପେ ବୁଲୁଥାଆନ୍ତି ।

ଯାଉ ଯାଉ ବାଟରେ ଦେଖିଲେ ବହୁତ ଗଧ ଶୃଙ୍ଖଳିତ ଭାଵେ ଚାଲୁଥାଆନ୍ତି ଆଉ ଜଣେ ଧୋବା ଲୋକ ତାକୁ ଅଡେ଼ଇ ନେଉଥାଏ ।

ରାଜା ସେ ଲୋକକୁ ପଚାରିଲେ,
ଏ ଗଧମାନେ ତମକଥା  କେମିତି ମାନି ସିଧା  ଚାଲୁଛନ୍ତି ଏଣେତେଣେ ଯାଉନାହାନ୍ତି ?

ଧୋବାଜଣକ ଉତ୍ତର ଦେଲା,
"ଯୋଉ ଗଧଟା ଅନ୍ୟ ଆଡେ଼ ଯିଵାକୁ ଚେଷ୍ଟା କରୁଛି ତାକୁ ମୁଁ ଏଇ ଠେଙ୍ଗିଣିରେ ପାହାରେ ଦଉଚି,ତେଣୁ ସମସ୍ତେ ଗୋଟାଏ ଦାଣ୍ଡିବାଟରେ ସଳଖ ଚାଲୁଛନ୍ତି,ଅମାନିଆ ହେଉନାହାନ୍ତି”

ରାଜା ନିଜର ପ୍ରକୃତ ପରିଚୟ ଦେଇ କହିଲେ, "ମୁଁ ଏ ଦେଶର ରଜା ତମେ ଏ ଦେଶରେ ଵିଶୃଙ୍ଖଳା କରୁଥିଵା ଲୋକଙ୍କୁ ଏଇଭଳି ସାବାଡ଼ କରିପାରିଵ କି ?”

ଧୋବାଜଣକ ରାଜାଙ୍କ ପ୍ରସ୍ତାଵରେ ରାଜି ହେଇଗଲା ।

ଧୋବାଲୋକଟି ରାଜଧାନୀକୁ ଅଇଲାରୁ ରାଜା ତାକୁ ଦେଶର ମୁଖ୍ୟ ନ୍ଯାୟାଧୀଶ ବନେଇ ଦେଲେ ।

ଦିନେ ଗୋଟାଏ ଚୋରର ଦଣ୍ଡଵିଚାର ହେଵାକୁ ଆସିଲା । ନୂଆ ମୁଖ୍ୟ ଵିଚାରପତି ଆଦେଶ ଦେଲେ ଏ ଚୋରର ଦୁଇ ହାତ କାଟି ଦିଆଯାଉ ...

ରାଜଘାତକଜଣକ ମନ୍ତ୍ରୀଙ୍କ ଆଡ଼କୁ ଅନେଇଲେ ଆଉ ନୂଆ ଵିଚାରପତିଙ୍କ କାନପାଖରେ ଯାଇ କହିଲେ,

ଆଜ୍ଞା,"ଏ ଲୋକଟା ମନ୍ତ୍ରୀଙ୍କର ଜଣେ ଵିଶ୍ଵସ୍ତ ଲୋକ” !

ନୂଆ ଵିଚାରପତି ଆହୁରି ଦୃଢ଼ ସ୍ଵରରେ କହିଲେ,
“ଏହି ଚୋରର ଶୀଘ୍ର ହାତ କଟାଯାଉ, ଏ ଆଦେଶ ପାଳନରେ ଏତେ ଵିଳମ୍ଵ କାହିଁକି ହେଉଛି ଯେ ?

ଏତେ ସମୟ ଚୁପ୍ ବସିଥିଵା ମନ୍ତ୍ରୀ ଏଵେ ଆସନରୁ ଉଠିପଡ଼ି ତାଉ ଦେଇ କହିଲେ, “ଏ ଲୋକ ଆମ୍ଭର ପାଖଲୋକ ତାକୁ ଶୀଘ୍ର ଆର୍ଥିକ ଦଣ୍ଡ ଦେଇ ଛାଡ଼ି ଦିଆଯାଉ”

ନୂଆ ଵିଚାରପତି ଆଉଥରେ କହିଲେ ,
" ଏ ଚୋରର ହାତ ଓ ମନ୍ତ୍ରୀର ଜିଭ କାଟି ଦିଆଯାଉ"
😂😂😂
ଆଉ ତାପରେ ସେଇ ଗୋଟିଏ ନ୍ଯାୟ ଯୋଗୁଁ ଦେଶରେ ସବୁଲୋକ ସିଧା ହେଇଗଲେ ।

ଆମ ଦେଶରେ ଵର୍ତ୍ତମାନ ଏଇଭଳି ନିୟମ ହେଵା ଉଚିତ୍ । ଯୋଉ ବାୟୋ ଟେରିରିଷ୍ଟ ଛେପ ପକାଉଛି ତା ଜିଭ କାଟିଦିଆଯାଉ ଯୋଉ ଵିଶୃଙ୍ଖଳିତ ଲୋକମାନେ, ସମାଜର ହିତପାଇଁ ଅହରହ ଜଗି ରହୁଥିଵା ପୋଲିସ ଓ ଅକ୍ଳାନ୍ତ ପରିଶ୍ରମ କରୁଥିଵା ଡାକ୍ତରଙ୍କୁ ପଥର ମାରୁଛନ୍ତି,ସେମାନଙ୍କ ଉପରେ ହାତ ଉଠାଉଛନ୍ତି ସେମାନଙ୍କ ହାତ କାଟିଦିଆଯାଉ ।

ଦେଖିଵେ ବହୁତ ଲୋକ ସିଧା ବାଟକୁ ଚାଲିଆସିଵେ...

गुरुवार, 9 अप्रैल 2020

ଯୁଵକ ଓ ସ୍ଵେଚ୍ଛାସେଵୀ

ଆଜି ମନ୍ଦିରରେ ବହୁତ ଭିଡ଼ ଥିଲା । ଦେଵଦର୍ଶନ ପାଇଁ ଶହ ଶହ ଲୋକ ଲମ୍ଵା ଧାଡ଼ି ଲଗେଇ ଠିଆହୋଇଥାନ୍ତି । ଯୁଵକଟେ ବଡ଼ କୌତୁହଳ ପୂର୍ଵକ ସେମାନଙ୍କ ଆଡ଼େ ଚାହିଁଥାଏ ।

ଜଣେ ଧାର୍ମିକ ସ୍ଵେଚ୍ଛାସେଵୀ
ସେ ଯୁଵକ ପାଖକୁ ଆସି କହିଲେ—

“ଦେଖନ୍ତୁ ଆଜି ମନ୍ଦିରରେ ବହୁତ ଭିଡ଼, ଏମିତିରେ ଦର୍ଶନ ସହଜ ନୁହେଁ କିନ୍ତୁ ଵିଶିଷ୍ଟ ଵ୍ଯକ୍ତିଙ୍କ ପାଇଁ ମନ୍ଦିର ପ୍ରଶାସନ ଵିଶେଷ ଵ୍ଯବସ୍ଥା କରିଛନ୍ତି । ଦେଵ ସେଵା ହେତୁ ଟ. ୫୦୧.୦୦ ଙ୍କା ଵ୍ଯୟ କରନ୍ତୁ  ସିଧା ଦର୍ଶନ ପାଇପାରିବେ !”

ଯୁଵକ କହିଲା — “୧୦୦୧.୦୦ ଦେବି । ଭଗଵାନଙ୍କୁ ଟିକିଏ କୁହ ତ ମୋ ସହ ବାହାରେ ଭେଟି ଯିଵେ । ତାଙ୍କୁ କହିଵ ମୁଁ ଆଇଛି,ମୋ ନାଆଁ ଶୁଣିଲେ ସେ ନିଶ୍ଚେଁ ଅସିଵେ ଯେ  !”

ସ୍ଵେଚ୍ଛାସେଵୀ ଟା ସାମାନ୍ୟ ଚିଡ଼ି ଯାଇ କହିଲା—
“ହେଇରେ ଟୋକା କମ୍ ବହପ ନୁହେଁ ତ ତୋର ! ଗମାତ କରୁଛୁ । କେଵେ ଶୁଣିଛୁ ଅଦିନେ ଈଶ୍ଵର ମନ୍ଦିର ଛାଡ଼ି ବାହାରକୁ ଆସନ୍ତି ! କିଏ ରେ ତୁ !”

ଯୁଵକ ପୁଣି କହିଲା—
“ରାଗୁଛନ୍ତି କାହିଁକି ଯେ ? ୧୦୦୦୧.୦୦ ଦେବି
ତାଙ୍କୁ କହିଵ ମୁଁ ଅମେକେଇ ପୁଅ ସମକେଇ ମୋତେ ମୋ ଘରେ ଆସି ଥରେ ମାତ୍ର ଭେଟି ଯିଵେ ଟି”

ଏତକ ଶୁଣିଲା କ୍ଷଣି ସ୍ଵେଚ୍ଛାସେଵୀର ରକ୍ତ ଗରମ ହେଇଗଲା, ଆଖି ରଙ୍ଗ ହେଇଗଲା,ଜଗତ ଅନ୍ଧାର ଦିଶିଲା ! ସ୍ଵେଚ୍ଛାସେଵୀଟା ଚାଲ୍ଲେଇକି କହିଲା
“ଏ ତୁ ଭଗଵାନଙ୍କୁ କଣ୍ ଭାବୁଛୁ ଵେ !”

ଯୁଵକ ବି ପ୍ରତ୍ୟୁତ୍ତର ଦେଲା—
“ସେଇକଥା ତ ତେମେ ଭଗବାନଙ୍କୁ କିୟଣ ଭାବୁଛ କି ?”

ଭୋଜି

ଥରେ ଜଣେ ଜମିଦାର ଗାଆଁର ସବୁ ଲୋକଙ୍କୁ
ନିମନ୍ତ୍ରଣ କରିଆଣି ଗୋଟାଏ ବଡ଼ ଭୋଜି ଦେଲେ । ଦିନବେଳେ ଓ ରାତିରେ ଦୁଇ ଓଳିଯାକ ଲୋକେ ତାଙ୍କ ଘରେ ପେଟେ ଲେଖାଏଁ ଖାଇଲେ । କିନ୍ତୁ ଏହି ଭୁରିଭୋଜନରେ ଯୋଗ ଦେଇପାରିନଥିଲା ଗାଆଁର ସବୁଠାରୁ ଦରିଦ୍ର ଲୋକ କାଶିଆ । କେତେଦିନ ଉତ୍ତାରୁ ଦିନେ କାଶିଆକୁ ଦେଖି ଜମିଦାର ପଚାରିଲେ

“ଗାଆଁରେ ଏତେ ବଡ଼ ଭୋଜି ଟେ ଦିଆଗଲା ତୁମ ଘରକୁ ଅନେକ ଥର ଲୋକ ଡକେଇ ପଠାଗଲା ହେଲେ ତମେ କିପାଁଇ ଆସିନଥିଲ  ” ?
କାଶିଆ କହିଲା―
“ଆଜ୍ଞା ! ମୁଁ ଜଙ୍ଗଲରୁ ଯୋଉ କାଠକାଟିଆଣେ
ତାକୁ ଆରଦିନ ବିକିକରି ଯାହା ଟଙ୍କା ପାଏ ତହିଁରୁ ହାଟବାଟ ଖରଚ କଲାରୁ ଯାଇ ମୋ ଘରେ ଚୁଲି ଜଳେ । ଆପଣଙ୍କ ଘରେ ସେଦିନ ସଭିଁଏ ଖାଇବେ ବୋଲି ମୋ କାଠ ଆଉ କେ କିଣିଲେନି । ସେହି ଦିନ ମୋତେ ଉପାସ ରହିବାକୁ ହେଲା”

ଜମିଦାର ବୋଇଲେ―
“ହଁ ଯେ ! ଉପାସ କିଲାଗି ରହିଲୁ କହ ତ !
ଆମ ଘରେ ଆସି ଖାଇଦେଲୁନି
କେତେ ଅନ୍ନ ବଳିଥିଲା ଯେ ନଷ୍ଟ ଗଲା ଜାଣିଚୁ”

କାଶିଆ କହିଲା―
“ଆଜ୍ଞା ! ଅନ୍ୟମାନେ ନିମନ୍ତ୍ରଣ ରକ୍ଷା ଲାଗି ଥିଲାଘରର ଲୋକ ହେଇ ଵି ଆପଣଙ୍କ ଘରେ ଖାଇଲେ । ମୁଁ ଯଦି ଖାଇଥାଆଁନ୍ତି ତାହେଲେ ସେଟା ପୁରା ବାଜେ କଥାଟେ ହେଇଥାଁନ୍ତା । ଯଦି ଖାଇଥାଁନ୍ତି ତେବେ ଲାଗିଥାଁନ୍ତା ସତେ କି ମୋତେ ଖାଇବାକୁ ନମିଳିଲାରୁ ମୁଁ ଭିକମାଗି କି ଖାଉଛି !
କିରା ଆଉ କରିଥାଆଁନ୍ତି ଯେ ସେଇଥି ଲାଗି ମୁଁଇ ଭୋଜିକୁ ଯାଇନଥିଲି ” ।

ସସେମିରା କଥା

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ ।

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲାଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବିନି”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା
“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁବ ଓ ଭାଲୁ ଶୋଇବ,ଏହିପରି କଥା ଆଗରୁ ଠିକ୍ ହୋଇଥିବାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏବଂ ଭାଲୁ ତାକୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ବ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ । ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା
“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିବ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିବାରୁ ତଳେ ନପଡି ଯାଇ ଅଳ୍ପକେ ବର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ ।

କେତେଦିନ ପରେ ରାଜପୁତ୍ର ର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନବର କୁ ଅଣାଇଲେ …
ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେବ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ବରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିବା ବିଷୟକ କଥା କହିଥିବାରୁ କାଳିଦାସଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ ହେଲେ ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେବା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏବଂ ଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେବ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ନେଇନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁଅବଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ‛ସସେମିରା’ର ଆଦ୍ୟ ଅକ୍ଷର ବିଶିଷ୍ଟ ଚାରୋଟି ପୂର୍ଣ୍ଣାବୟବ ଶ୍ଳୋକ ବୋଇଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ବିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵର କୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପି ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ।
ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁ ମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏଁ ନରକ ଗାମୀ ହେଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେବତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେବ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁ ଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣ ଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିବା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟବ୍ୟାଂ ନୈବ ଗଚ୍ଛସିଋକ୍ଷବ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।
(ହେ କୁମାରୀ ! ତୁ ତ ଘରେ ରହୁ ଅଟବ୍ୟାଂ ବା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିବା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅବଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସ କହିଲେ…
“ଦେବଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ବ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିବା ନିଜ ପୂର୍ବ ଅନ୍ୟାୟ ପାଇଁ ପଶ୍ଚାତାପ କରିବା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ବକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

(ଵି:ଦ୍ର— ପ୍ରାୟ ତିନିଵର୍ଷ ତଳେ #ଜାଗୃତ_ଓଡି଼ଶା ୱେବସାଇଟ ପାଇଁ ଏହି ଲେଖାଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ସସେମିରା ଗଳ୍ପ ଆଧାରରେ ନିଜ ଶୈଳୀରେ ସାମାନ୍ୟ ବଦଳେଇ ସଂକ୍ଷିପ୍ତ କରିଣ ଲେଖିଥିଲି । ଦୁଃଖର ଵିଷୟ ସେହି ଜାଲସ୍ଥଳ ଏଵେ ମୃତ । ତେଵେ  ଆଜି ଏହି ଲେଖା ଇଣ୍ଟରନେଟରେ ଅନେକ ସ୍ଥାନରେ ଏହି ଲେଖା ମିଳିଯାଏ । ଟିପ୍ପଣୀ ପେଟିକାରେ ଚିତ୍ର ଦ୍ରଷ୍ଟଵ୍ଯ ଏଵଂ ଚିତ୍ର ସନ୍ଦର୍ଭ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ )