କାଳଜୟୀ लेबलों वाले संदेश दिखाए जा रहे हैं. सभी संदेश दिखाएं
କାଳଜୟୀ लेबलों वाले संदेश दिखाए जा रहे हैं. सभी संदेश दिखाएं

गुरुवार, 9 अप्रैल 2020

ସସେମିରା କଥା

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ ।

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲାଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବିନି”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା
“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁବ ଓ ଭାଲୁ ଶୋଇବ,ଏହିପରି କଥା ଆଗରୁ ଠିକ୍ ହୋଇଥିବାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏବଂ ଭାଲୁ ତାକୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ବ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ । ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା
“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିବ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିବାରୁ ତଳେ ନପଡି ଯାଇ ଅଳ୍ପକେ ବର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ ।

କେତେଦିନ ପରେ ରାଜପୁତ୍ର ର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନବର କୁ ଅଣାଇଲେ …
ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେବ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ବରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିବା ବିଷୟକ କଥା କହିଥିବାରୁ କାଳିଦାସଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ ହେଲେ ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେବା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏବଂ ଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେବ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ନେଇନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁଅବଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ‛ସସେମିରା’ର ଆଦ୍ୟ ଅକ୍ଷର ବିଶିଷ୍ଟ ଚାରୋଟି ପୂର୍ଣ୍ଣାବୟବ ଶ୍ଳୋକ ବୋଇଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ବିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵର କୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପି ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ।
ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁ ମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏଁ ନରକ ଗାମୀ ହେଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେବତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେବ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁ ଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣ ଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିବା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟବ୍ୟାଂ ନୈବ ଗଚ୍ଛସିଋକ୍ଷବ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।
(ହେ କୁମାରୀ ! ତୁ ତ ଘରେ ରହୁ ଅଟବ୍ୟାଂ ବା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିବା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅବଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସ କହିଲେ…
“ଦେବଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ବ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିବା ନିଜ ପୂର୍ବ ଅନ୍ୟାୟ ପାଇଁ ପଶ୍ଚାତାପ କରିବା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ବକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

(ଵି:ଦ୍ର— ପ୍ରାୟ ତିନିଵର୍ଷ ତଳେ #ଜାଗୃତ_ଓଡି଼ଶା ୱେବସାଇଟ ପାଇଁ ଏହି ଲେଖାଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ସସେମିରା ଗଳ୍ପ ଆଧାରରେ ନିଜ ଶୈଳୀରେ ସାମାନ୍ୟ ବଦଳେଇ ସଂକ୍ଷିପ୍ତ କରିଣ ଲେଖିଥିଲି । ଦୁଃଖର ଵିଷୟ ସେହି ଜାଲସ୍ଥଳ ଏଵେ ମୃତ । ତେଵେ  ଆଜି ଏହି ଲେଖା ଇଣ୍ଟରନେଟରେ ଅନେକ ସ୍ଥାନରେ ଏହି ଲେଖା ମିଳିଯାଏ । ଟିପ୍ପଣୀ ପେଟିକାରେ ଚିତ୍ର ଦ୍ରଷ୍ଟଵ୍ଯ ଏଵଂ ଚିତ୍ର ସନ୍ଦର୍ଭ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ )

ଦେଵରସ୍ ସହ ଭେଟ

ଆଦମ -ହିନ୍ଦୁ ରାଷ୍ଟ୍ର ର କଳ୍ପନା କ’ଣ ?

ଦେଵରସ-ଦେଖନ୍ତୁ,ନିରନ୍ତର ସଂକୀର୍ଣ୍ଣ ହୋଇ ହୋଇ ଯିବା ହିଁ ରାଷ୍ଟ୍ର ଧର୍ମ ଅଟଇ । ଆଗେ ଆମେ ଜମ୍ବୁଦୀପର ଲୋକ ଥିଲେ । ଏହା ସଂପୂର୍ଣ୍ଣ ଏସିଆ ଥିଲା । ସେତେବେଳେ ଗାଉଥିଲେ ବସୁଧୈବ କୁଟୁମ୍ଵକମ୍ ର ଗୀତ !  ତତ୍ପରେ ଆମେ ଭାରତଵର୍ଷର ହେଲେ,ଆହୁରି ଛୋଟ ହେଲେ । 

ଆଦମ- ତାହେଲେ ଆଗାମୀ ଵର୍ଷ ଗୁଡିକ ରେ ଆମର ସଂକୀର୍ଣ୍ଣତା ର ଵିକାଶ କେମିତି ରହିବ ?

ଦେଵରସ -ଦେଖନ୍ତୁ,ଆଗକୁ ଆମେ ଆର୍ଯ୍ୟଵର୍ତ୍ତ ମଧ୍ୟରେ ସୀମିତ ହୋଇ ରହିଯିବୁ । ଫଳରେ ଦକ୍ଷିଣ ର ଏ ଦ୍ରାଵିଡ ଲୋକ ଭିନ୍ନେ ହେବେ । ପୁଣି ଆର୍ଯ୍ୟଵର୍ତ୍ତ କୁ ଵି ଛୋଟ କରିଵାକୁ ହେବ । ଏ ବଙ୍ଗାଳି ଗୁଡା଼କ ଘୋର କମ୍ୟୁନିଷ୍ଟ ଯାକ ଆଉ ଓଡ଼ିଆ ଲୋକ ସବୁ ନିଷାଦ କାରଣ ମାଛମାଂସ ବହୁତ ଖାଆନ୍ତି । ଏମାନଙ୍କୁ ହିନ୍ଦୁ ରାଷ୍ଟ୍ର ରେ ସ୍ଥାନ ମିଳିବ ନାହିଁ । ତ ଆମେ ଗଢିବୁ ଉତ୍ତରାଖଣ୍ଡ । ଏଥିରୁ ଆମକୁ ପୂର୍ବ ଭାରତର ମ୍ଲେଛ ମାନଙ୍କଠାରୁ ସ୍ଵତନ୍ତ୍ରତା ମିଳିଯିବ । 

ଆଦମ -ତାହେଲେ ତ ହିନ୍ଦୀଭାଷୀ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ ?

ଦେଵରସ- ନା-ନା,ସବୁ ହିନ୍ଦୀ ଭାଷୀ ଵି ହିନ୍ଦୁ ରାଷ୍ଟ୍ର ର ହେବେ ନି ! ଆମେ ଦ୍ଵିଜରାଷ୍ଟର ନାରା ଦେବୁ ।

ଆଦମ -ଅର୍ଥାତ୍ ବ୍ରାହ୍ମଣ କ୍ଷତ୍ରିୟ ଵୈଶ୍ୟ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ । ଶୂଦ୍ର ଏଥିରୁ ବାହାରେ ରହିବେ ?

ଦେଵରସ - ଶୁଣନ୍ତୁ ଆଜ୍ଞା ! ଏହା ପରେ ଆମର ପରଵର୍ତ୍ତୀ ନାରା ହେବ -ଵିପ୍ରରାଷ୍ଟ୍ର !

(ହରିଶଙ୍କର ପରସାଇଙ୍କ “ଦେଵରସ ସେ ମୁଲାକାତ୍” ର ଓଡ଼ିଆ ଭାବାନୁଵାଦ-
ମୂଳ ଲେଖାରେ ଓଡ଼ିଆ ଲୋକ ଙ୍କ ଵାଵଦରେ କୌଣସି କଥା ନାହିଁ ତାହା ଏ ଅକିଞ୍ଚନ ଯୋଡି଼ଛି । ଏଠାରେ କହିରଖେ ଯେ ଏହି ଵ୍ୟଙ୍ଗଟା ସିଧାସଳଖ ତଥାକଥିତ ଉତ୍ତରଭାରତୀୟ ଦେଶଵାଦୀ(ସ୍ଵଘୋଷିତ ରାଷ୍ଟ୍ରଵାଦୀ)ଙ୍କ ଵିପକ୍ଷରେ ଲେଖା ହୋଇଥିଲା ଯେଉଁମାନେ ପ୍ରାଚୀନ ଭାରତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ “ବସୁଧୈବ କୁଟୁମ୍ଵକମ୍” ର ଜ୍ଞାନ ଦିଅନ୍ତି କିନ୍ତୁ ଯେତେବେଳେ କୌଣସି ଅଞ୍ଚଳ ଵିଶେଷର ଲୋକଙ୍କୁ ଅପମାନ ଦେବାର ଥାଏ ସେମାନେ ତାଙ୍କ ଵିରୋଧରେ ନିଷାଦ, କମ୍ୟୁନିଷ୍ଟ, ମ୍ଲେଛ,ଶୂଦ୍ର ଓ ଛୋଟଜାତିଆ ଆଦି ଜାତିଵାଦୀ ଆଖ୍ୟା ପ୍ରଦାନ କରିଦିଅନ୍ତି-ଏଭଳି ହୀନରାଷ୍ଟ୍ରଵାଦ ଵିରୋଧରେ ଦେଶର ନିରପେକ୍ଷ ବୁଦ୍ଧିଜୀବୀ ମାନେ ଵିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଅନ୍ୟଥା ଏମାନେ ଆଉ ଏକ ହିଟଲର ଜନ୍ମର କାରଣ ହେବେ ! ବି:ଦ୍ର::-ଏଭଳି ଵ୍ୟଙ୍ଗ ଯୋଗୁଁ ଏକଦା  ଏକ ପ୍ରଶିଦ୍ଧ ରାଷ୍ଟଵାଦୀ ସଂଗଠନର ଗୁଣ୍ଡା ମାନେ ହରିଶଙ୍କର ପରସାଇଙ୍କୁ ପିଟିଦେଇଥିଲେ-ଵ୍ୟକ୍ତି ସ୍ଵତନ୍ତ୍ରତା ର ଏମାନେ ହେଉଛନ୍ତି ପ୍ରଧାନ ଶତୃ-ତେଣୁ ଏମାନଙ୍କ ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ  )

ଜାତି(ହରିଶଙ୍କର ପରସାଈ)

ମହାନ୍ତିବାବୁଙ୍କ ପୁଅ ଓ ପଣ୍ଡାବାବୁଙ୍କ ଝିଅ ଗୋଟାଏ ବାହାଘରରେ ଭେଟିଥିଲେ । ପରିଚୟ ହେଲା । ଦିନକୁ ଦିନ ତାହା ନିବିଡ଼ ରୁ ନିବିଡ଼ତର ହେବାକୁ ଲାଗିଲା ।କଥା ବଢି ବଢି ଶେଷକୁ ପ୍ରେମ ଓ ପ୍ରେମ ଵିଵାହ ଯାଏଁ ପହଞ୍ଚି ଗଲା ।

ଯେବେ ପଟ୍ଟନାୟକବାବୁ ଵିଵାହ ପ୍ରସ୍ତାବ ନେଇ ପଣ୍ଡାବାବୁଙ୍କ ଘରେ ପହଞ୍ଚିଲେ
ପଣ୍ଡାବାବୁ ସଫା ସଫା ମନା କରିଦେଲେ
“ଏମିତି କଣ୍ କୋଉଠି ହୁଏ ନା ହଉଚି ? ବ୍ରାହ୍ମଣ ଝିଅ ର ବାହାଘର ପୁଣି ଅନ୍ୟ ଜାତିରେ ହେଉଥିବା କେବେ ଶୁଣିଛନ୍ତି ? ଏ ହେ ! ଆଉ ଜାତି ରହିବ ଟି ? ”

ପଣ୍ଡାବାବୁଙ୍କର ଜଣେ ସମ୍ପର୍କୀୟ ସେଇଠି ଥାଆନ୍ତି
ସେ ପଣ୍ଡା ବାବୁଙ୍କୁ କହୁଥାନ୍ତି...
“ହଇଓ ଭାଇ ! ପୁଅ ଝିଅ ବୟସ୍କ ପୁଣି ପଢାଶିକ୍ଷିତ ଆଉ କୁଶଳୀ ବି
ତାଙ୍କୁ ବାହା ହେବାକୁ ଦିଅ
ବାହାଘର ନହେଲେ ବି ସେମାନେ ଲୁଚିଛପି ମିଶିବେ
ଆଉ ସେତେବେଳେ ତାଙ୍କର ଯୋଉ ସମ୍ବନ୍ଧ ହବ ତା’କୁ ତ ପୁରା ଵ୍ୟଭିଚାର କୁହାଯିବ
ଆଉ ସେତେ ଏଇ ସହିପଡିଶାରେ ସମିତେ କେତେ ଛି-ଛାକର ନ କରିବେ ଯେ ?”

ତା ଶୁଣି ପାଖରେ ବସିଥିବା ପଡୋ଼ଶୀଘରର
ବୁଢୀ଼ ମାଉସୀ ଟା ମୁହଁ ମୋଡି଼ଦେଇ  କହିଲା

“ମଲା ମଲା ! ଵ୍ୟଭିଚାର ଯୋଗୁଁ କଣ୍ ଜାତି ଯାଏ କି । ବାହାଘର ଯୋଗୁଁ ଚାଲିଯାଏ ନା ”

😀😀😀

©ହରିଶଙ୍କର ପରସାଇଙ୍କ ‛ଜାତି’ ହାସ୍ୟକଥାର ଓଡ଼ିଆ ଭାଵାନୁଵାଦ..
.
..

गुरुवार, 2 अप्रैल 2020

■■■■ଖାଦ୍ୟ ଓ ଭିକ୍ଷା■■■■

ଭଗଵାନ ଆମ୍ଭକୁ ଦିନେ ସପନେଇ ଥିଲେ,
'ଆମ୍ଭକୁ ଆଦେଶ ହେଲା-

“ଯାଅ ଆମ୍ଭ ନାମରେ ଗଢା ହୋଇଥିବା ଆମୁକ ମନ୍ଦିର ଖୋଳି ପକା । ମନ୍ଦିର ନୁହେଁ ତ ସେଠି ସାକ୍ଷାତ ଭ୍ରଷ୍ଟାଚାର ତୋଳା ହେଇଚି"

ଆମ୍ଭେ କହିଲୁ, ପ୍ରଭୁ ଏ ଅକିଞ୍ଚନ ପାଖରେ ମାତ୍ର କଲମଟାଏ ଅଛି ଆଉ ତହିଁ ଦ୍ଵାରା ଶିଘ୍ର ଖୋଳାଖୋଳି ହେବା ସମ୍ଭବ ନୁହେଁ । ଯା’ ପାଖରେ ହାତ-ହତିଆର ଅଛି,ଆପଣ ତାଙ୍କେତିକି କାହିଁକି କହୁନାହାନ୍ତି’
ଏହା ଶୁଣି ଭଗଵାନ ବୋଇଲେ,
“ହେମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି,ତାଙ୍କ ଦିହରେ ବଳ କାହୁଁ ଆଇବ ଯେ ଖୋଳିପାରିବେ”
ତହୁଁ ଆମ୍ଭେ କହିଲୁ, “ପ୍ରଭୁ ! ଆପଣ ତାଙ୍କୁ ଖାଦ୍ୟ ଦେଇ ବଳୁଆ କାହିଁକି କରିଦେଉନାହାନ୍ତି ?”

ଭଗଵାନ ବୋଇଲେ, ଆମ୍ଭେ ତାଙ୍କୁ ଖାଦ୍ୟ ତ ଦେଇ ଦିଅନ୍ତୁ କିନ୍ତୁ ତାହା ତାଙ୍କର ଅଧିକାରର ନୁହେଁ, ତାହା ଭିକ ହୋଇଯିବ । ଭିକରେ ମିଳିଥିବା ଖାଦ୍ୟ ମନୁଷ୍ୟକୁ ଅଳସୁଆ କରିଦିଏ ଏବଂ ଅଳସୁଆ ଲୋକେ ଖୋଳିବା ତାଡି଼ବା ଦୂରେ ଥାଉ ଖଣ୍ଡେ ବାଟ ଚାଲିବାକୁ ସୁଦ୍ଧା ନାପସନ୍ଦ କରନ୍ତି” !

(ହିନ୍ଦୀ ଲେଖକ ‘शंकर पुणतांबेकर’ ଙ୍କ ଲଘୁକଥା ‛रोटी’ର ଓଡ଼ିଆ ଭାଵାନୁଵାଦ)

मंगलवार, 31 मार्च 2020

ନୋଇଁ ନାହିଁ ନଇଁବ ନାହିଁ

ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।
ଅଗଣିତ ବଳିଦାନରୁ ଅର୍ଜିତ ଏ ସ୍ଵାଧୀନତା
ତ୍ୟାଗ, ତପ,ବଳ ଦ୍ଵାରା ରକ୍ଷିତ ଏ ସ୍ଵାଧୀନତା ।।
ପ୍ରାଣଠାରୁ ମଧ୍ଯ ପ୍ରିୟତର ଆମର ସ୍ଵାଧୀନତା
ଛଡେଇ ନେବାର ଷଡଯନ୍ତ୍ରକାରୀ ଲୋକଙ୍କୁ ।।
କହିଦିଅ ନିଆଁରେ ଖେଳିବା ବଡ଼ ମନ୍ଦ କଥା
ଆନଘରେ ନିଆଁ ଲଗେଇବାର ଯେଉଁ ସପନ ।।
ଆପଣା ଘରକୁ ହିଁ ଜଳେଇ ସ୍ଵୟଂ ଶାନ୍ତ ହୁଏ
ନିଜ ହାତରେ ତୁମେ ନିଜର କବର ଖୋଳନା ।।
ନିଜ ହାତେ ନିଜ ଗୋଡେ଼ କାତି ଚୋଟ ମାରନା
ଏ ମୂର୍ଖ ପଡୋଶୀ ଶିଘ୍ର ନିଜର ଆଖି ଖୋଲ
ସ୍ବାଧୀନତା ଅମୂଲ୍ୟ ତାହାର ମୂଲ୍ୟ କଳ ନା’ ।।
ହେଲେ ତମେ କି ଜାଣିବ ସ୍ଵାଧୀନତା କଣ୍
ତୁମକୁ ତ ମାଗଣା ମିଳିଛି ନା ସୁଖର ଭଣ୍ଡାର
ଦୁଃଖ କ୍ଲେଶ କଷ୍ଟ ତୁମେ ଆଦୌ ଭୋଗିନା ।।
ଇଂରେଜଙ୍କ ବଳରେ ଦୁଇ ଟୁକଡା ପାଇଛ
ମାଆକୁ ବାଣ୍ଟି ଲଜ୍ୟାବୋଧ ବି କରିନା ।।
ଆମେରିକା ର ଶସ୍ତ୍ରରେ ତୁମର ସ୍ଵାଧୀନତା ଜଗତେ ବଞ୍ଚେଇଦେବ  ବୋଲି ଭାବ ନା’   ।।
ଦସ କୋଡିଏ ଆରବ ଡଲାର ନେଇ କି
ତୁମେ ପ୍ରଳୟରୁ ବଞ୍ଚିଯିବ, ଏମନ୍ତ ଭାବ ନା’ ।।
ଭାବ ନା’,ଧମକ,ଜେହାଦୀ ନାରାରେ,
ହତିଆର ରେ କାଶ୍ମୀର ଅକ୍ତିଆର କରିନେବ !!
ଭାବ ନା’,ଆକ୍ରମଣରେ,ଅତ୍ୟାଚାରରେ,ସଂହାର ରେ ଭାରତର ମସ୍ତକ ନୁଆଁଇ ଦେବ !!
ଯେତେଦିନ ଯାଏଁ ଗଙ୍ଗାର ଧାର,
ସିନ୍ଧୁରେ ଜୁଆର,ଅଗ୍ନି ରେ ଜ୍ଵଳନ,
ସୂର୍ଯ୍ୟରେ ତପନ ରହିଥିବ ଶେଷ..
ସ୍ଵାତନ୍ତ୍ର୍ୟ ସମର ବେଦୀରେ ଅର୍ପିତ ହେଉଥିବ
ଅଗଣିତ ଜୀଵନ,ଯୌବନ ଅଶେଷ ।।

ଆମେରିକା କିୟଣ ସାରା ସଂସାର ମଧ୍ଯ ହେଉ ବିରୋଧୀ କିନ୍ତୁ ଭାରତର ଧ୍ଵଜ ନୋଇଁବ ନାହିଁ  ।
ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।

©ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା ର ଭାବନୁବାଦ

◆◆ଶୌଚାଳୟ ଓ କ୍ରାନ୍ତି◆◆

ଭାରତ ନୂଆ ନୂଆ ସ୍ଵାଧୀନ ହୋଇଥାଏ । ସେଦିନିଆ ଏକ ବିଶ୍ବବିଦ୍ୟାଳୟର ଛାତ୍ର ତାଙ୍କ ପାଇଁ ଗୋଟିଏ ଶୌଚାଳୟ ନିର୍ମାଣ ହେତୁରୁ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କଲେ ।
ମନ୍ତ୍ରିମଣ୍ଡଳର ଏକ ବୈଠକରେ ଶିକ୍ଷା ମନ୍ତ୍ରୀ ଉକ୍ତ ପତ୍ର ପାଠ କଲା ଉତ୍ତାରୁ କହିଲେ-
“ଛାତ୍ରମାନଙ୍କ ମଧ୍ୟରେ ଏଭଳି ଅନୁଶାସନହୀନତା ମୁଁ ଆଜିଯାଏଁ ଦେଖିନଥିଲି । ଆହା ! ଏ ପିଢି କେତେ ନିର୍ଲଜ ନୁହେଁ ସତେ !  ନିଜ ବୟସ୍କଙ୍କ ସହିତ ମଳମୂତ୍ରାଦି ବାବଦରେ କଥା ହେବାକୁ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି”

ଜଣେ ମନ୍ତ୍ରୀ କହିଲେ

“ସେହି ଟୋକା ଗୁଡାକୁ ଵିରୋଧୀ ଦଳର ଲୋକ ଏତକ କରେଇବାକୁ ସିଖେଇଛନ୍ତି । ମୋ ପାଖରେ ତାହାର ରିପୋର୍ଟ ଅଛି । ମୁଁ ଜାଣିଛି ଯେ ଵିରୋଧୀ ଦଳର ଲୋକ ଏହିଭଳି ତରୁଣ ମାନଙ୍କୁ କ୍ରାନ୍ତି ନାମରେ ଉସୁକାଉଛନ୍ତି । ମଦି ଏଗୁଡା଼କୁ ଶିଘ୍ର ରୋକା ନଯାଏ ତେବେ ଏମାନେ ଆମ୍ଭମାନଙ୍କର ସୁବକଥାରେ ଲଘୁଶଙ୍କା ଓ ଶୌଚ କରିବାକୁ ଦୌଡ଼ିବେ !”

ତା’ ଶୁଣି ଗୃହମନ୍ତ୍ରୀ କହିଲେ,
“ଏହି ମାମଲାଟା ଆଇନ କାନୁନ ଓ ବ୍ୟବସ୍ଥା ସମ୍ଵନ୍ଧୀତ ତେବେ ସରକାର
ଙ୍କର କାର୍ଯ୍ୟ ଶୌଚାଳୟ ତିଆରି କରିବା କଦାପି ହୋଇନପାରେ,ଆଇନ ଵ୍ୟଵସ୍ଥା ତଦାରଖ କରିବା ହେଉଛି ସରକାର ର ପ୍ରକୃତ ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ”

ତହୁଁ ପ୍ରଧାନମନ୍ତ୍ରୀ କହିଲେ
‘ଶୌଚାଳୟ ହେବ କି ନାହିଁ ସେ ତ ପର କଥା ପ୍ରକୃତରେ ସେ କଲେଜରେ ଵିଗତ ପଇଁତିରିଶି ବର୍ଷ ହେବ ଶୌଚାଳୟ ଟେ ଗଢା ହେଇନି । ଏବେ ହଟାତ୍ ସେଠି ଗୋଟାଏ ଶୌଚାଳୟ କରିଦେବା ଟା ପୁରା କ୍ରାନ୍ତିକାରୀ କଥା ହେଇଯିବ ।  କଣ୍ ଆମେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି କି ? ସତ କହିବାକୁ ଗଲେ ଆମେ ଧୀରେ ଧୀରେ ହେଉଥିବା ଵିକାଶରେ ଵିଶ୍ଵାସ କରନ୍ତି କ୍ରାନ୍ତି ରେ ନୁହେଁ ! ଯଦି ଆମେ ଏଭଳି କ୍ରାନ୍ତିକାରୀ ପ୍ରଦକ୍ଷେପ ଉଠାଇବା ତେବେ ଦେଶ ଵିଦେଶରେ ଆମ ସରକାରର ଯେଉଁ ଛବି ପ୍ରଚାରିତ ହେବ ତାହାର ଵ୍ୟାପକ ରାଜନୈତିକ ପରିଣାମ ଭୋଗ କରିବାକୁ ପଡି଼ପାରେ ।  ମୁଁ ଭାବୁଛି, ସରକାର ନିଜକୁ ଏବେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବା ହେତୁରୁ ଅସମର୍ଥ ମଣୁଅଛି”

ସରକାରଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇଲାପରେ ଛାତ୍ର ମାନେ ଧୈର୍ଯ୍ୟହରା ହେଇଗଲେ । ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଦେଲେ । ତହୁଁ ଅନ୍ୟ କଲେଜର ଛାତ୍ର ମାନଙ୍କ ପାଖକୁ ଶଙ୍ଖା-ଚୁଡି଼ ସହ ଲେଖିକି ପଠେଇ ଦେଲେ―
‘ଆନ୍ଦୋଳନ କର ନହେଲେ *ମଧୁରୀ* ପରି ଏତକ ପିନ୍ଧି ଘରେ ବସିଯାଅ !’
ଶଙ୍ଖା―ଚୁଡି଼ ର ବାଡ଼ବାଗ୍ନି ଛାତ୍ର ସମାଜ ମଧ୍ୟରେ  ବ୍ୟାପିଗଲା । ଫଳରେ ଦେଶର ସ୍ଥାନେ ସ୍ଥାନେ ଆନ୍ଦୋଳନ ଆରମ୍ଭ ହେଇଗଲା ।
ଏଠିକା ଲୋକେ ଅକାଳ କହିବାକୁ ସେତିକି ଉତ୍ସୁକ ନୁହନ୍ତି ଯେତିକି ଆଗ୍ରହୀ ସେମାନେ ନରତା ପ୍ରମାଣିତ କରିବାରେ ଲାଗି ଥାଆନ୍ତି ।  ଏଠି ଯଦି କିଏ କହେ ନିଜ ମୁଣ୍ଡକୁ ଜୋତାରେ ପିଟ ନହେଲେ ଏଇ କାଚ ଚୁଡି଼ ପିନ୍ଧ ତ ଲୋକେ ଚୁଡି଼ ର ଭୟରେ ଜୋତା ମାଡ଼ ଖାଇବା ଶ୍ରେୟସ୍କର ମଣନ୍ତି ।

ଲୋକମାନେ ଅନେକ ଛାତ୍ରଙ୍କୁ ପଚାରୁଥାନ୍ତି
“ହଇରେ ବାଳୁଙ୍ଗା ଦଳ ! ଏତେ ହୋହାଲ୍ଲା କିସ ନାଗି କରୁଚ କିରେ ?”
ଅଧିକାଂଶଙ୍କ ଠାରୁ ପ୍ରାୟ ଏଇ ଏକା ଉତ୍ତର ମିଳୁଥିଲା
“ସେ ବିଷୟରେ ସେମିତି କିଛି ଜାଣି ନାହୁଁ,ଆମକୁ ଶଙ୍ଖା-ଚୁଡି଼ ମିଳିଯାଇଥିଲା ସେଥିରଲାଗି ଆନ୍ଦୋଳନ କରୁଚୁ ନା ଆଉ”

କିନ୍ତୁ ରାଜଧାନୀର ଵିଦେଶୀ ଦୂତାଵାସ ଓ ସାମ୍ବାଦିକ ଆଶ୍ଚର୍ଯ୍ୟ ଚକିତ ପୂର୍ଵକ ଏସବୁ ଘଟଣା ଉପରେ ନିଘା ରଖିଥାନ୍ତି । ଵିଶ୍ଵର ବଡ଼ ବଡ଼ ସମ୍ଵାଦପତ୍ରରେ ଏବେ ପ୍ରତ୍ୟେକ ଦିନ ଏ ଦେଶର କ୍ରାନ୍ତି କଥା ହିଁ ଛପୁଅଛି ।
ବିବିସି ରେଡ଼ିଓର ଲୋକେ ମାଇକ ଧରି
ଖାଆସେ ରିପୋର୍ଟ ତିଆରି କରିବାରେ ବ୍ୟସ୍ତ
ରେଡ଼ିଓ ରୁ ସଦାବେଳେ ତାଙ୍କର ଚିରାଚରିତ ଢଙ୍ଗରେ  ରିପୋର୍ଟ ଶୁଣିବାକୁ ମିଳିଯାଏ
‛ହେଇ ଦେଖ ଏ ଦେଶର କି ଅଵସ୍ଥା ହେଲାଣି ? ଚାରିଆଡେ ଖାଲି ବିଦ୍ରୋହ ! କ୍ରାନ୍ତି ଆଉ ଗଣ ଆନ୍ଦୋଳନ ହେଉଛି !’ ଇତ୍ୟାଦି ଇତ୍ୟାଦି....

ତାପରେ ଦେଶରେ
ଦିନା କେତେ ଭୀଷଣ ଲାଠିଚାର୍ଜ ଓ ଫାୟରିଙ୍ଗ ହେଲା,ଗୁଡାଏ ଲୋକ ଆହତ ଏବଂ ନିହତ ମଧ୍ଯ ହେଲେ । ବିଦେଶୀ ସାମ୍ବାଦିକ ମନ୍ତ୍ରମୁଗ୍ଧ ପରି ଦେଶଯାକରେ ବୁଲୁଥାନ୍ତି । ସେମାନେ ସଙ୍ଘର୍ଷ ସମିତିର ପ୍ରତିନିଧି ସହିତ ସାକ୍ଷାତ କଲେ । ଜଣେ ସାମ୍ବାଦିକ କହିଲା,
“ଆପଣଙ୍କ ଦେଶବ୍ୟାପୀ ବିଦ୍ରୋହ ଦେଖି ଆମ୍ଭେମାନେ ଏବଂ ଏମିତି କି ସାରା ଵିଶ୍ଵ ମଧ୍ଯ ଚକିତ ହୋଇଯାଇଛି । ଆନ୍ଦୋଳନ ର ଵ୍ୟାପକତାକୁ ଦେଖି ଲାଗୁଚି ଆପଣମାନ ଦେଶକୁ ବଦଳେଇବା ହେତୁରୁ ଲଢୁଅଛନ୍ତି । ଆପଣଙ୍କ ସଂଗଠନର ‛ମେନିଫେଷ୍ଟୋ’ ତ ଦିଅନ୍ତୁ ଆଉ ଆମକୁ କୁହନ୍ତୁ ଯେ ଏ ଦେଶର ଵର୍ତ୍ତମାନ ସାମାଜିକ-ଆର୍ଥିକ ଅବସ୍ଥାରେ ଆପଣ ମାନେ କି କି ମହତ୍ତ୍ୱପୂର୍ଣ୍ଣ ପରଵର୍ତ୍ତନ ଚାହୁଁଅଛନ୍ତି ?”

ଛାତ୍ର ନେତା ଉତ୍ତର ରଖିଲେ–
“ଆମକୁ ଏବେ କେଵଳ ଗୋଟାଏ ଶୌଚାଳୟ ଆବଶ୍ୟକ ଲୋଡା଼ ପଡି଼ଛି !”

  *(ମଧୁରୀ=ମାଇଚିଆ)
【ଦ୍ର:-ଵ୍ୟଙ୍ଗ ସମ୍ରାଟ ଶ୍ରୀहरिशंकर परसाईଙ୍କର
#लघुशंका_गृह_और_क्रांति ଵ୍ୟଙ୍ଗକଥାର ଭାଵାନୁଵାଦ】

ଜାତୀୟପତାକା ନମୋ ନମୋ

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

କରରେ ନେଇ ଵୀର–ଵୀରା
କୋଟି କୋଟି ଭାରତ ସନ୍ତାନ ।

ହସି ହସି ମାତୃଭୂମି ଚରଣେ
ଦିଅନ୍ତି ଜୀବନ ବଳିଦାନ ।।

ହେଉ ଘୋଷିତ ନିର୍ଭୀକ ଵିଶ୍ଵରେ
ତରଳ ତିରଙ୍ଗା ନଵଲ ନିଶାଣ ।

ଵୀରର ହୃଦୟ ଚହଲି ଉଠୁ
ଜିତୁ କ୍ଷଣକେ ମଇଦାନ ।

ହେଉ ଶିରା ପ୍ରଶିରେ ବ୍ୟାପ୍ତ ଚରିତ୍ର
ଵୀରା ଶିବାଙ୍କ ନମୋ ନମୋ ।

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଉଚ୍ଚ ହିମାଳୟର ଉର୍ଦ୍ଧ୍ଵ ଦେଶରେ
ଯାଇ ତିରଙ୍ଗାକୁ ଉଡାଇବା ।

ଵିଶ୍ଵ―ଵିଜୟିନୀ ରାଷ୍ଟ୍ର―ପତାକାର
ଗୌରବ ଆମେ ବଢାଇବା ।

ସମରାଙ୍ଗଣେ ପୁତା ପୁତ୍ରୀ
ସର୍ବେ ଲଢିବାକୁ ବଢିଯିବା  ।

ଉଚ୍ଚରେ ଉଡୁଥିବ ଫର୍ ଫର୍
ପତାକା ନୁଆଇଁବାକୁ ନଦେବା ।

ଝଙ୍କୃତ ସ୍ଵର ସଂସାର ସିନ୍ଧୁରେ
ସ୍ଵାଧୀନତାର ନମୋ ନମୋ ।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

(ମୂଳ ରଚନା―श्यामलाल गुप्त पार्षद)

ଉଠ ଧରାର ଅମର ସପୁତ

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।

ଜନ-ଜନର ଜୀବନେ ପୁଣ
ନଵ ସ୍ଫୁର୍ତ୍ତି, ନଵ ପ୍ରାଣ ଭର ।

ନୂଆ ପ୍ରାତଃ ୟେ ନୂଆ କଥା
ନଵ କିରଣ ଏ ଜ୍ୟୋତି ନୂଆ ।

ନଵ ଉନ୍ମାଦେ,ନଵ ତରଙ୍ଗେ
ନଵ ଆଶା ଅଛି ଶ୍ଵାସ ନୂଆ ।

ଯୁଗ–ଯୁଗରୁ ମୁକୁଳା ପୁଷ୍ପେ
ନଵ–ନୂଆ ହାସ୍ୟରସ ଭର ।

ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।1।।

ଡାଳେ-ଡାଳେ ବସି ବିହଗ
ନଵ ତାନରେ ଗାଉଛନ୍ତି ।

ଗୁଣୁ-ଗୁଣୁ,ଗୁଣୁ-ଗୁଣୁ କରି
ଭ୍ରମର ସୁଖରେ ଉଡୁ଼ଛନ୍ତି ।

ନଵଯୁଗର ନୂତନ ଵୀଣାରେ
ନୂଆ ରାଗ,ନଵ ଗାନ ଭର ।

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।2।।

କଳିକା ଯେତେ ହସୁଛନ୍ତି ସର୍ଵ
ଫୁଲସବୁ ନାଚୁଅଛନ୍ତି
ପୃଥିବୀ ମାତା ନଵପଲ୍ଲଵେ
ନଵ କାୟା ଲଭି ଅଛନ୍ତି ।

ନୂତନ ମଙ୍ଗଳମୟ ଧ୍ଵନିର
ଝଙ୍କୃତ ଜଗ-ଉଦ୍ୟାନ କର ।
ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।3।।

ସରସ୍ଵତୀ ର ପାଵନ ମନ୍ଦିର
ଶୁଭ ସମ୍ପତ୍ତି ତୁମରି
ତୁମେ ମାନେ ସର୍ବେ ତାହାର
ରକ୍ଷକ ଓ ପୂଜାରୀ ।

ଶତ-ଶତ ଦୀପ ଜାଳି ଜ୍ଞାନର
ନଵଯୁଗର ଆହ୍ଵାନ କର ।
ଉଠ,ଧରା ର ଅମର ସପୁତ ।
ପୁନଃ ନଵ ନିର୍ମାଣ କର ।4।।

ମୂଳ ରଚନା-द्वारिका प्रसाद माहेश्वरी

ଦେଶର ମାଟି ଦେଶର ଜଳ

ଦେଶର ମାଟି ଦେଶର ଜଳ
ଦେଶର ବାୟୁ ଦେଶର ଫଳ
ସରସ ହୁଅନ୍ତୁ ପ୍ରଭୁ ସରସ ହୁଅନ୍ତୁ ।।

ଦେଶର ଘର ଓ ଦେଶର ଘାଟ
ଦେଶର ବନ ଓ ଦେଶର ବାଟ
ସରଳ ହୁଅନ୍ତୁ ପ୍ରଭୁ ସରଳ ହୁଅନ୍ତୁ ।।

ଦେଶର ତନ ଓ ଦେଶର ମନ
ଭାତୃ-ଭଗିନୀ ଓ ଆନ  ଜନ
ବିମଳ ହୁଅନ୍ତୁ ପ୍ରଭୁ ବିମଳ ହୁଅନ୍ତୁ ।।

ମୂଳରଚନା-ଵିଶ୍ଵକବି ରବିନ୍ଦ୍ରନାଥ ଠାକୁର

କିଏ ଅପରାଧୀ

ଯାହା ହେଉ ପଛେ ଧର୍ମ  ଯାହାର
ହୋଇଥାଅ ଯିଏ ଯୋଉ ମଦଵାଦୀ ।

ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ
ତେବେ ସିଏ ଜଣେ ଅପରାଧୀ ।

ଯାହାର ଅନ୍ନ-ଜଳର ଋଣଭାର
ଆମ୍ଭ ଶରୀର ପରେ ରହିଛି ରହିବ !

ଯା’ ପଵନେ ଶ୍ଵାସ ନେଉ ବୋଲି
ଜୀବନ ଆମ ବଞ୍ଚିରହିଛି ରହିବ ।

ତାହାରି ମାଟିରେ ଖେଳିଅଛୁ
କେତେ କଥା ପୁଣ ଶିଖିଛେ ଶିଖିବା ।

ତା ପାଇଁ ଯଦି  ନ ବୁହାଉ ଲହୁକୁ
ଜଗତେ ଉଚ୍ଚ ନା ହେଇଚେ ହୋଇବା ।

ଲାଭ ନାହିଁ ଯେତେ ଧନ ମାନ ଥାଇ
ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।

ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି
ଯଦି ଆନକୁ ଯାତନା ଦେଇ କି ଅର୍ଜ ।

ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ
ସେଭଳି ଜୀବନ ଜାତୀୟତା ହୀନ ।

ନୁହେଁ ଦେଶଭକ୍ତ ସେ କେବଳ ଜୀବ
ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।

ହୋଇ ଥାଇ ପାରେ ସେ ଜଣେ
ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ  !

ଜୀବନ ଉତ୍ସର୍ଗ ନୁହେଁ ଦେଶହିତେ ଯଦି
ତେବେ ସିଏ ଅପରାଧୀ ।

उदयप्रताप सिंहଙ୍କର ଏକ ଦେଶାତ୍ମବୋଧକ କବିତା ଅନୁକରଣରେ.....

शुक्रवार, 28 फ़रवरी 2020

"ଅତିଥି ! ତେମେ କେବେ ଯିଵ ହେ ଅତିଥି ?"

ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିବ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିବ ?

ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାର କରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମର ଯିବାର କୌଣସି ସମ୍ଭାବନା ଦୃଶ୍ଯ ହେଉନାହିଁ |

ଜ୍ୟୋତିର୍ବିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ  ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵନ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ? 

ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା | ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି | ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର୍ ହେଉଥିଲା ।

ହେ  ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା  ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।

ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |

ଆମର ଆଶା ଥିଲା ତେମେ ଆପଣ  ଦ୍ୱିତୀୟ ଦିନରେ ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।

ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ଅନୁସନ୍ଧାନ କରିଦେଇଥିଲେ । ଏତେ ଅଏନ ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ କିନ୍ତୁ ତଥାପି ତୁମେ ଏଠାରେ ଅଛ ।

ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ  । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।

"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"

ମାନେ ?

ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ  ତୁମେ ଆମ ଘର ଛାଡ଼ିବ ନାହିଁ?

ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା | ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି | ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ |

ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |

ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ | ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି  ତଥାପି ତୁମେ ଏଠାରେ ଅଛ ।

ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ଆମେ ସବୁ ଵିଷୟରେ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।

ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ ଯେ ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?

ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ  । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ ।  ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?

ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି  ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ   ।

ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ ଅଛି ଯାହା ବୋଲା ଯାଇପାରେ |

ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ଏହା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ  ।

ଏହା ସତ୍ୟ ଯେ ତୁମେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।

ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି କିନ୍ତୁ ସେ ବି ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି ।  ତୁମେ ବି ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି  । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !

ଧେତ୍ ! ତୁମେ କେବେ ଯିଵ ହେ ଅତିଥି  !

(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)