ପ୍ରବନ୍ଧ लेबलों वाले संदेश दिखाए जा रहे हैं. सभी संदेश दिखाएं
ପ୍ରବନ୍ଧ लेबलों वाले संदेश दिखाए जा रहे हैं. सभी संदेश दिखाएं

मंगलवार, 31 मार्च 2020

ଓଡ଼ିଆ ଭାଷା ଆନ୍ଦୋଳନ ଓ ଗୋପବନ୍ଧୁ ଦାସ

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ ଚିନ୍ତାଧାରାର ଲୋକଙ୍କୁ ଆଜି ProOdia କୁହାଯାଏ କାରଣ ସେ ସେତେବେଳେ ବି ଅନୁଭବ କରିଥିଲେ ଯେ ତତ୍କାଳୀନ ସର୍ବଭାରତୀୟ ସ୍ତରର ନେତାମାନେ କେଵଳ ଉତ୍ତର ଭାରତ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରୁଥିଲେ ଏବଂ ଅଖଣ୍ଡଭାରତର ବର୍ମା,ସିଂହଳ ଆଦି ଅଞ୍ଚଳ ପ୍ରତି ସେତେଟା ଦୃଷ୍ଟି ଦେଉନଥିଲେ(ଏ ଅଞ୍ଚଳ ଗୁଡିକ ସହ ସେସମୟର ରାଷ୍ଟ୍ରୀୟ ନେତାମାନେ ସେତେବେଳେ ସୁଦୃଢ଼ ସମ୍ପର୍କ ସ୍ଥାପନ କରିପାରିନଥିଲେ ବୋଲି ଏଗୁଡିକ ଏବେ ଭାରତରେ ନାହାନ୍ତି) ।
ତେବେ  ତତ୍କାଳୀନ ମହାଭାରତୀୟ ସମାଜର ଜାତୀୟ ଜାଗରଣରେ ପ୍ରଭାବିତ ହୋଇ ଅନେକ ଓଡ଼ିଆ ଯୁବକ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କରିଦେଇଥିଲେ । ୧୯୧୮ ଉତ୍କଳ ସମ୍ମିଳନୀର ଅଧିବେଶନ ସହ ଆଉ ଏକ ଛାତ୍ର ସମ୍ମିଳନୀ କରିବା ପାଇଁ ଶ୍ରୀ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ୱରେ ଛାତ୍ର ମାନେ ଉଦ୍ୟମ କରିଥିଲେ । ତେବେ ମଧୁବାବୁ ସେମାନଙ୍କ ଏତାଦୃଶ ସ୍ଵେଚ୍ଚାଚାରିତାକୁ ଅଗ୍ରାହ୍ୟ କରିଦେଇଥିଲେ । ୧୯୧୯ ମସିହାରେ ରାଉଲାଟ ଆନ୍ଦୋଳନ ବିରୁଦ୍ଧରେ ସତ୍ୟାଗ୍ରହ କରିବେ ବୋଲି ମହାତ୍ମା ଗାନ୍ଧୀ ଘୋଷଣା କଲେ । ଏହି ଘୋଷଣା ଫଳରେ ଦେଶ ଦୃଷ୍ଟିରୁ ସମସ୍ତ ଵିଷୟ ଵିଚାରକରିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଇଥିଲା । ଏହି ଦେଶାତ୍ମବୋଧକ ଜାଗରଣ ଫଳରେ ସେ ସମୟର ରକ୍ଷଣଶୀଳ ଓ ଉଗ୍ର ଓଡ଼ିଆ ଜାତୀୟବୋଧଯୁକ୍ତ ନେତୃତ୍ଵ ବିରୁଦ୍ଧରେ ସ୍ଵରୋତ୍ତୋଳନ ପାଇଁ ଛାତ୍ର ଓ ଯୁବକ ମାନେ ପ୍ରଥମେ ସାହସୀ ହୋଇଥିଲେ ।
ସେତେବେଳେ ସମଗ୍ର ଓଡିଆଭାଷୀ ଅଞ୍ଚଳର ସରକାରୀ ଓ ବେସରକାରୀ କ୍ଷେତ୍ରରେ
ଧନୀ,ଜମିଦାର ତଥା ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ମଧୁସୂଦନ ଦାସଙ୍କ ଅଖଣ୍ଡ ପ୍ରତିପତ୍ତି ଥିଲା । ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ ଓଡ଼ିଆ ଜାତୀୟତାର  ବିରୋଧୀ ବୋଲି ବିଚାର କରାଯାଉଥିଲା । ତଥାପି ଯଦୁମଣୀ ମଙ୍ଗରାଜଙ୍କ ନେତୃତ୍ୱରେ କଟକର ଯେଉଁ ଛାତ୍ର ମାନେ ପ୍ରଥମେ ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ କଲେ ସେମାନେ ତା ପରବର୍ଷ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଭାରତୀ ମନ୍ଦିର ନିର୍ମାଣ କରିଥିଲେ । ଓଡ଼ିଆତ୍ଵ ଅପେକ୍ଷା ଭାରତୀୟତା ଉପରେ ଏମାନେ ଅଧିକ ଗୁରୁତ୍ୱ ଦେଉଥିଲେ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳ ଉଦ୍ଦେଶ୍ୟ “ଓଡ଼ିଆ ଜାତିପ୍ରାଣ ଜାଗ୍ରୁତି” ରୁ ଦୂରେଇ ଯାଇଥିଲେ । 
ମଧୁସୂଦନ ଦାସଙ୍କ ପ୍ରତି ଵୈରୀଭାବ ପୋଷଣ କରି ଏହି ଛାତ୍ର ଓ ତାଙ୍କ ନେତା ମାନେ ୧୯୧୮ ଓ ୧୯୧୯ ଉତ୍କଳ ସମ୍ମିଳନୀରେ ଯୋଗଦେବାକୁ  ସିଧାସଳଖ ମନା କରିଦେଇଥିଲେ । ମଧୁସୂଦନ ଦାସ ସେମାନଙ୍କୁ ଏହି ସମ୍ମିଳନୀରେ ସ୍ଵେଚ୍ଛାସେବୀ ଭାବରେ ଯୋଗଦେବାକୁ ଆହ୍ଵାନ କରିଥିଲେ ହେଁ ଅକୃତକାର୍ଯ୍ୟ ହୋଇଥିଲେ । ମଧୁବାବୁ ଉତ୍କଳମଣିଙ୍କ ଠାରୁ ଏ ବିଷୟରେ ସାହାଯ୍ୟ ଲୋଡି଼ଲାରୁ ସେ ତତକ୍ଷଣାତ୍ ସତ୍ୟବାଦୀ ବନବିଦ୍ୟାଳୟର ପଣ୍ଡିତ ନୀଳକଂଠ ଦାସଙ୍କ ନେତୃତ୍ୱରେ ଦଳେ ଛାତ୍ରଙ୍କୁ ସ୍ଵେଚ୍ଛାସେବୀ ଭାବେ କଟକ ପଠାଇଦେଇଥିଲେ । ସେମାନଙ୍କ ସାହାଯ୍ୟ ହେତୁରୁ ଉତ୍କଳ ସମ୍ମିଳନୀ ସେ ବର୍ଷ ସୁରୁଖୁରୁରେ ସମ୍ପନ୍ନ ଓ ସଫଳ ହୋଇଥିଲା ।
ପରଵର୍ଷ ଅର୍ଥାତ୍ ୧୯୧୯ରେ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦିଶ ବାର୍ଷିକ ଅଧିବେଶନରେ ସଭାପତିତ୍ଵ କରିବାକୁ ମଧୁବାବୁ ଉତ୍କଳମଣିଙ୍କୁ ଅନୁରୋଧ କରିଥିଲେ ।
ପଣ୍ଡିତ ଗୋପବନ୍ଧୁ କଟକରେ ୧୯୨୦ ମସିହା ଉତ୍କଳ ସମ୍ମିଳନୀର ଏହି ଅଧିବେଶନରେ ସଭାପତିତ୍ଵ କରି ଏକ ଉଜସ୍ଵିନୀ ଭାଷଣ ଦେଇଥିଲେ । ତାଙ୍କର ଭାଷଣ ଯୁବ ସମାଜର ହୃଦୟକୁ ଵିଶେଷ ଭାବରେ ସ୍ପର୍ଶ କରିଥିଲା । ସେତେବେଳେ ଗୋପବନ୍ଧୁ ବ୍ରିଟିଶ ଶାସନ ଉପରୁ ସମ୍ପୂର୍ଣ୍ଣ ଭାବରେ ଆସ୍ଥା ହରାଇଥିଲେ ପୁଣି ସେ ଦେଶରେ ନୂତନ ଜାଗରଣ ଵିଷୟରେ ମଧ୍ଯ ସଜାଗଥିଲେ ....

ସେଦିନିଆ ଓଡ଼ିଆ ସ୍ଵାଭିମାନର ମହାଆନ୍ଦୋଳନକୁ ବଙ୍ଗାଳି ଓ ଉତ୍ତରଭାରତୀୟ ତଥାକଥିତ ଅହଂକାରୀ ନେତା ଓ ଲୋକମାନେ ଆଞ୍ଚଳିକ ଆନ୍ଦୋଳନ ମନେକରୁଥିଲେ ।
୧୯୨୦ ଉତ୍କଳ ସମ୍ମିଳନୀର ତାଙ୍କ ଭାଷଣରେ ଗୋପବନ୍ଧୁ ଜଣେ ମହାଭାରତୀୟ ନେତା ଭାବେ ଓଡ଼ିଆ ଶବ୍ଦର ବିଶ୍ଳେଷଣ କରିବାକୁ ଯାଇ କହିଥିଲେ―“ଜଣେ ବ୍ୟକ୍ତି ବଙ୍ଗାଳି ବା ପଞ୍ଜାବୀ ହେଉ,ମାରୁଆଡି଼ ବା ତାମିଲ ହେଉ,ହିନ୍ଦୁ ହେଉ ବା ମୁସଲମାନ ହେଉ,ଆର୍ଯ୍ୟ ହେଉ ବା ଦ୍ରାବିଡ଼, ହେଉ ,ଓଡ଼ିଶା ସହିତ ଯେ ନିଜକୁ ଜଡ଼ିତ କରିଛି,ତାକୁ ଓଡ଼ିଶାଵାସୀ ବୋଲି ବୁଝିବାକୁ ହେବ । ସେ ସ୍ପଷ୍ଟ କରିଦେଇଥିଲେ ଯେ ଉତ୍କଳସମ୍ମିଳନୀ ଆନ୍ଦୋଳନ ଏକ ସମ୍ପୂର୍ଣ୍ଣ ଆନ୍ଦୋଳନ ନୁହେଁ । ଏହା କେବଳ ଓଡି଼ଶାବାସୀଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ,ଏହା ଜାତୀୟ ଆନ୍ଦୋଳନ ର କଦାପି ପରିପନ୍ଥୀ ନୁହେଁ । ଓଡ଼ିଶାର ନଦୀ ମହାନଦୀ,ଓଡ଼ିଶାର ସମୁଦ୍ର ମହୋଦଧୀ,ଓଡ଼ିଶାର ପର୍ବତ ମହେନ୍ଦ୍ର,ଓଡ଼ିଶାର ବୃକ୍ଷ କଳ୍ପଲତା,ଓଡ଼ିଶାର ଦେବତା ଶ୍ରୀଜଗନ୍ନାଥ । ଓଡ଼ିଶାଵାସୀ ସର୍ବତ୍ର ଏହିପରି ମହାନ ଚିନ୍ତା କରି ଆସିଛନ୍ତି,ସେମାନଙ୍କ ପକ୍ଷରେ ସଂକୀର୍ଣ୍ଣତା ସମ୍ଭବ ନୁହେଁ । ପଣ୍ଡିତ ଗୋପବନ୍ଧୁଙ୍କ ଉପରେ ଜାତୀୟତା ସ୍ରୋତର ପ୍ରଭାବ ଏହି ଭାଷଣରୁ ସୂଚନା ମିଳେ ।
ପ୍ରାଥନା କବିତାରେ ଗୋପବନ୍ଧୁଙ୍କର ଭାରତ ଓ ଭାରତୀଙ୍କ ପ୍ରତି ଜାତୀୟତା ବୋଧ ସ୍ପଷ୍ଟ ଅନୁଭୂତ କରିହୁଏ

ଉତ୍କଳ ମଣି ଭଗବାନଙ୍କ ନିକଟରେ ଉତ୍କଳ ପାଇଁ
ବ୍ୟାକୁଳ ନିବେଦନ କରି କହୁଛନ୍ତି ....

“ଉତ୍କଳ ମାତାର ଅତୀତ ଯଶ
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ
ଦେଖି ଅବସ୍ଥାର ଏ ବିପର୍ଯ୍ୟୟ
ରକ୍ତମାଂସ ଦେହ ଧରି
ଅଧୀର ଆତୁର କିଏ ସେ ନ ହେବ
ଦେଖି ମାତ୍ର ଏତେ ସରି ସେ”

କିନ୍ତୁ ଗୋପବନ୍ଧୁ ଥିଲେ ଗଭୀର ଆଶାଵାଦୀ ନେତା ! ଉତ୍କଳ ର ଜାତୀୟ ଦୁର୍ଗତିରେ ବିଚଳିତ ହେଲେ ହେଁ କାମନା କରି ଶେଷରେ କହିଛନ୍ତି

“ଘେନି ଅପୂର୍ବ ଉତ୍ସାହ
ଭାରତର ମହା ଜାତୀୟ ତରଙ୍ଗେ
ମିଶୁ ଉତ୍କଳ ପ୍ରବାହ ଯେ”

ଯେମିତି ମହାତ୍ମାଗାନ୍ଧୀ ଜାଣିଥିଲେ ଯେ
ଭାରତବର୍ଷରେ ହିଂସା ବଳରେ ସ୍ଵାଧୀନତା ପ୍ରାପ୍ତ ହେବା କାଠିକର ପାଠ, ସମାନ ଭାବେ
ଗୋପବନ୍ଧୁ ମଧ୍ଯ ଜାଣିଥିଲେ ଯେ ବିଭିନ୍ନ ଜାତୀୟତାରେ ଛନ୍ଦା ଓଡ଼ିଆମାନଙ୍କୁ ProOdia କରିବା ମଧ୍ଯ ଦୁରହ ବ୍ୟାପାର ।
ତେବେ ଏହି ଜାତୀୟତାର ବାଦବିବାଦ ଭିତରେ ଯେ ଉତ୍କଳ ସମ୍ମିଳନୀ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ଵପ୍ନ ଧୂଳିସାତ୍ ହୋଇଯାଇପାରେ ତାହା ସେ ଅନୁଭବ କରିଥିଲେ । ତେଣୁ ଉତ୍କଳମଣି ଗୋପବନ୍ଧୁ ଉତ୍କଳୀୟଙ୍କର ତତ୍କାଳୀନ ଭାରତୀୟ ଜାତୀୟତାକୁ ଢାଲକରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିରୁଦ୍ଧରେ ସଂଗଠିତ ହେବାକୁ ଯାଉଥିବା ଶକ୍ତି କୁ ସୃଷ୍ଟି ପୂର୍ବରୁ ହିଁ ଧ୍ଵସ୍ତ କରିଦେଇଥିଲେ ।
ହେଲେ ସ୍ଵାଧୀନତା ର ସତୁରି ବର୍ଷ ପରେ ଆମ୍ଭେ ମାନେ ଦେଖୁଅଛୁ ଯେ ଦୂରଦର୍ଶୀ ମଧୁସୂଦନ ଦାସ ଉତ୍ତର ଭାରତୀୟ ନେତୃତ୍ବ ବିଷୟରେ କରିଥିବା ଅନୁମାନ ବହୁପରିମାଣରେ ସଠିକ ପ୍ରମାଣିତ ହୋଇଅଛି । ଭାରତରେ ଓଡ଼ିଶାର ସ୍ଥିତି ପୁଣି ଓଡ଼ିଆଙ୍କ ପ୍ରତି ଅନ୍ୟ ଭାରତୀୟଜାତିର ଲୋକଙ୍କ ଘୃଣାତ୍ମକ ବ୍ୟବହାରରେ ଆଦୌ ପରିବର୍ତ୍ତନ ଆସିନାହିଁ । ବିଭିନ୍ନ ଜାତୀୟତାରେ ଛନ୍ଦି ହୋଇପଡି଼ଥିବା ଓଡ଼ିଆ ଲୋକେ ତେଣୁ ଭାଷା ଜାତି ସଂସ୍କୃତି ପାଇଁ ସର୍ବପ୍ରଥମେ ଲଢି ମଧ୍ଯ ତାମିଲ ଲୋକଙ୍କ ପରି ସ୍ଵାଭିମାନୀ ହୋଇପାରିନାହାନ୍ତି ଏବଂ ବହୁତ ସମ୍ଭବ କେବେ ହୋଇ ଵି ପାରିବେନି ବୋଲି ସ୍ଵତଃ ଅନୁଭବ ହେଉଅଛି ।

ଅବକାଶ ଚିନ୍ତାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମାନବତାବାଦର ପରିଚୟ


ଅବକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାବ୍ୟ କବିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ରଚିତ ଏହି କବିତା ପୁସ୍ତକଟି ସତରେ ନିଆରା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି କବିତା ସଙ୍କଳନରେ କବି ତାଙ୍କର ରାଷ୍ଟ୍ରପ୍ରେମୀ ଓ ମାନଵଵାଦୀ ଚିନ୍ତାଧାରାର ସାର୍ଥକ ପରିପ୍ରକାଶ କରିଅଛନ୍ତି ।

ଏଠାରେ ଆମ୍ଭେ ଅବକାଶଚିନ୍ତା କବିତା ସଂକଳନରେ ଉତ୍କଳମଣିଙ୍କର ମାନଵଵାଦୀ ଚିନ୍ତାଧାରା କେଉଁଠି କେଉଁଠି ଵର୍ଣ୍ଣିତ ହୋଇଅଛି ତତ୍ ବିଷୟରେ ଆଲୋଚନା କରିବା.......

ଏହି କବିତା ସଙ୍କଳନର ପ୍ରାଥନା କବିତାରେ
ଗୋପବନ୍ଧୁ ବିଶ୍ଵଭାତୃତ୍ଵର କଥା ସୁନ୍ଦର ଛନ୍ଦରେ ଆଙ୍କି ଅଛନ୍ତି । ଏଥିରେ ବିଶେଷତଃ ଈଶ୍ଵରପ୍ରୀତି,ଦେଶପ୍ରୀତି ଓ ମାନବପ୍ରୀତି ର ଅବତାରଣା କରାଯାଇଛି ।

“ହିନ୍ଦୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଧି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ବିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ ।”

ପୁଣି ଜାତିଭେଦ ଠାରୁ ଉର୍ଦ୍ଧ୍ବରେ ଉଠି
ଜାତୀୟତାର ଏକତାରେ ବାନ୍ଧି ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ର ପରିକଳ୍ପନା କରିବା ଆହ୍ଵାନ ଦେବାକୁ ଯାଇ କହୁଛନ୍ତି

“ବ୍ରାହ୍ମଣ-ଶାସନ ଶବରପଲ୍ଲୀ,
କୃଷକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତ ହେଉ ପ୍ଲାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
ତେଜି ସ୍ବାର୍ଥ ଅଭିମାନ ଯେ,
ଜନନୀ- କଲ୍ୟାଣେ ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ ।”

କାଠଯୋଡ଼ି ରେ ସନ୍ଧ୍ୟା କବିତାରେ
ଉତ୍କଳମଣି ମାନବଵାଦୀର ସଂଜ୍ଞା ପ୍ରଦାନ କଲାଭଳି ପ୍ରତିଭାତ ହୁଏ
ସେ କହିଛନ୍ତି ଯେ ଯିଏ ବିଶ୍ଵକୁ ଏକପରିବାର ମନେ କରେ ଓ ସମସ୍ତ ମନୁଷ୍ୟଙ୍କୁ ସମାନ ସେ ହିଁ ମହତଜନ  ଏବଂ ମାନବବାଦୀ ଅଟେ ।

“ମହତ ଜନର ହୃଦେ ଏହି ମତି,
ଆଭାସେ ସତତ ଶତ ପ୍ରତିକୃତି ।
ପ୍ରେମ ଭାବେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ ।
ସର୍ବ ଅନୁଭୁତି ସର୍ବଭୁତେ ତାର
ତା ଦୃଷ୍ଟିରେ ବିଶ୍ଵ ଏକ ପରିବାର ।
ସେହି ନିଜେ ବିଶ୍ଵ, ବିଶ୍ଵ ମଧ୍ୟ ସେହି
ଅନ୍ୟ ହୋଇ ତାର ନାହିଁ ଆଉ କେହି ।”

ଏହି କବିତାର ଶେଷରେ କବି ସଂସାରରେ ଉଚ୍ଚ ନୀଚ୍ଚ ଭେଦଭାବ କୁ ବିକାଶ ବଳରେ ପ୍ରସମିତ କରି ଐକ୍ୟ ପ୍ରାପ୍ତ କରାଯାଇପାରିବ ଏବଂ ମହୀ ମଧ୍ଯ ସ୍ଵର୍ଗରେ ପରିଣତ ହୋଇପାରିବ ବୋଲି ମତ ପୋଷଣ କରିଅଛନ୍ତି

“ଉଚ୍ଚ ନୀଚ ବୃତ୍ତି ସକଳ ଯେବେ ସମେ ବିକାଶେ,
ପୂର୍ଣ୍ଣ ହୁଏ ନର, ସଂସାର ପୁରେ ସ୍ଵର୍ଗ ଉଲ୍ଲାସେ ।”

ଖଣ୍ଡଗିରି ଶିଖରେ କବିତାରେ ଗୋପବନ୍ଧୁ
ଧର୍ମ ନାମରେ ହିଂସା ଦ୍ଵେଷ କୁ ଦୋଷାରୋପ କରି ପଦେରେ ଯାହା କହିଛନ୍ତି ତାହା ଆଜି ବି ପ୍ରାମାଣିକ ଅଟେ

“ଧର୍ମେ ଧର୍ମେ କିମ୍ପା ଦ୍ଵେଷ ବାଦ ଅହଙ୍କାର ?”

ପ୍ରକୃତରେ ବର୍ତ୍ତମାନ ସମୟର ଧାର୍ମିକ ହିଂସାଦ୍ଵେଷ ମାନବବାଦର ସବୁଠାରୁ ବଡ଼ ଶତୃ କହିଲେ ଅତିଶୟୋକ୍ତି ହେବ ନାହିଁ  ।

ଅବକାଶଚିନ୍ତା ର “ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି” କବିତାରେ ଗୋପବନ୍ଧୁ ପୁର୍ନବାର ବିଶ୍ଵଭାତୃତ୍ଵ ହେତୁରୁ ଉତ୍ସାହିତ କରିବାକୁ ଯାଇ ଆହ୍ଵାନ କରି କହୁଛନ୍ତି

“ପ୍ରେମେ ଆଲିଙ୍ଗନ କର ସର୍ବଜନେ,
ଉଛୁଳାଅ ପ୍ରେମ ଉଚ୍ଛ୍ୱାସ ଜୀବନେ।
ତୁମ୍ଭ ଆଦରଶେ ଅନ୍ୟ ଯେତେ ଜାତି,
ଉଠିବେ ପଲକେ ସାଧୁ କାର୍ଯ୍ୟେ ମାତି ।
ସାନ ବଡ଼ପଣ ସିନା ଭାଗ୍ୟାଧୀନ,
ସେଥିଲାଗି ମନ ନ କର ମଳିନ।”

ତତ୍ପରେ ଉତ୍କଳମଣି ଦଧିଚୀଙ୍କ ଉଦାହରଣ ଦେଇ କହୁଅଛନ୍ତି
ହେ ବାଳକ ମାନେ,ହେ ମନୁଷ୍ୟ ମାନେ ତୁମ୍ଭେ ସ୍ଵାର୍ଥ ତ୍ୟାଗକରି ଆବଶ୍ୟକ ହେଉଥିଲେ ଲୋକହିତରେ ପ୍ରାଣତ୍ୟାଗ କରିବାକୁ ବି ପଛାଅନି । ଲୋକହିତ ହିଁ ମାନବବାଦ ଓ ମାନବବାଦଯୁକ୍ତ ଦେଶପ୍ରୀତି ହିଁ ରାଷ୍ଟ୍ରବାଦ୍ ବୋଲି ଗୋପବନ୍ଧୁ ଏଠାରେ ଘୋଷଣା କରିଯାଇଥିବା ଅନୁଭବ ହେଉଅଛି ।

“ଲୋକହିତ ପ୍ରାଣ ପ୍ରଦାନ ପ୍ରବଣ,
ଦଧୀଚି ଶୋଣିତ କରିଛି ଧାରଣ ।
ଦିଅ ସ୍ୱାର୍ଥବଳି ଦେଖାଅ ସେ ତ୍ୟାଗ,
ଭାରତ ଜାତୀୟ ମହାଯାଗେ ଲାଗ ।”

ଶେଷରେ ଭାରତର ସଂଖ୍ୟାଗରିଷ୍ଠ
ସନାତନୀ ହିନ୍ଦୁ ମାନଙ୍କୁ ଆନ ସମ୍ପ୍ରଦାୟର
ଲୋକଙ୍କ ପରି ମୌଳିବାଦୀ ନହୋଇ ବରଂ
“ବସୁଧୈବ କୁଟୁମ୍ଵକମ୍” ର ମହାମନ୍ତ୍ରର ସୁମରଣା ପୂର୍ବକ କହୁଅଛନ୍ତି

ନିଜ ସୁଖ ଲାଗି ଜାତି ନୁହେଁ ହିନ୍ଦୁ,
ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ବ ବର୍ଣ୍ଣ କାନେ ।
ସର୍ବେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,
ସାଧ ବିଶ୍ୱହିତ ତେଜି ଅଭିମାନ ।”

ଅବକାଶଚିନ୍ତାର “ଗ୍ରୀଷ୍ମେ ଖୁଣ୍ଟାଗଛ” କବିତା ଛଳରେ ସମାଜ ପାଇଁ ଜୀବନ ର ସବୁକିଛି ତ୍ୟାଗ କରି ଦେବାର ଯେଉଁ ବାର୍ତ୍ତା ସୁନ୍ଦର ଭାବରେ ଵର୍ଣ୍ଣନା କରିଅଛନ୍ତି ତାହା ଉକ୍ତ କବିତାଟିକୁ ସଂପୂର୍ଣ୍ଣ ପାଠ କଲା ପରେ ହିଁ  ହୃଦୟଙ୍ଗମ କରିପାରିବେ

“ହେ ବୃକ୍ଷରାଜ ! କଲି ଯେଉଁ ବିଚାର,
ନୁହେଁ ତୋର ସେପରି ହୀନ ଆଚାର ।
ତୋ ଯୁବାକାଳେ ସାଧି ପ୍ରାଣୀ-ମଙ୍ଗଳ,
କରିଛୁରେ ପାଦପ ! ଜନ୍ମ ସଫଳ ।
ଦେଇ କୋମଳ ଛାୟା ସୁପକ୍ୱ ଫଳ,
କରିଛୁ କେତେ ଦଗଧ-ପ୍ରାଣ ଶୀତଳ ।
କାଟିଲୁ ଯୁବାକାଳ ପରୋପକାରେ,
ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ ।”

ଉତ୍କଳର ଇତିହାସରେ ଧର୍ମପଦ ଓ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉଛି ମାନବବାଦର ସାକ୍ଷାତ ଉଦାହରଣ
ବାରଶହ ବଢେଇଙ୍କ ପାଇଁ ବାରବର୍ଷ ର ଧରମା ମାନବତାର ପରିଚୟ ଦେବାକୁ ଯାଇ ଆତ୍ମବଳୀ ଦେବାକୁ ମଧ୍ଯ ପଛାଇନାହିଁ । ଗୋପବନ୍ଧୁ ସେହି ଉପାଖ୍ୟାନର ଵର୍ଣ୍ଣନା ତାଙ୍କର “ଧର୍ମପଦ” ଦୀର୍ଘ କବିତାରେ କରିଅଛନ୍ତି ।

“ବାଳୁତ ହୃଦୟ ମିଶିଗଲା ସେହି
ମହା ଅନନ୍ତ ବିତାନେ,
ଅଜ ଭାବ ଭୁଲି ମଣେ ଆପଣାକୁ
ଏକୀଭୂତ ବିଶ୍ଵପ୍ରାଣେ ।”

ପଣ୍ଡିତ ଗୋପବନ୍ଧୁ ଦାଶଙ୍କର “ବନ୍ଦୀ ର ଆତ୍ମକଥା” କବିତାରେ  ମାନବବାଦ ଓ ରାଷ୍ଟ୍ରବାଦର ସମ୍ମିଳିତ ଭାବ ପ୍ରକଟିତ ହୋଇଥିଲେ ହେଁ ମାନବବାଦର ମାତ୍ରା ଏଥିରେ ସର୍ବାଧିକ ବୋଧ ହୋଇଥାଏ ।
ଏହି କବିତା ମଧ୍ୟରେ ଥିବା ନିମ୍ନଲିଖିତ ପଦ୍ୟାଂଶ ଗୋପବନ୍ଧୁଙ୍କ  ତ୍ୟାଗପ୍ଲୁତ ମାନବତାବାଦୀ ଚିନ୍ତାଧାରା କୁ ସର୍ବସମ୍ମୁଖରେ ସ୍ପଷ୍ଟ ଉଜାଗର କରିଦିଏ

“ମିଶୁ ମୋର ଦେହ ଏ ଦେଶମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ିି ମୋର ମାଂସ-ହାଡ଼ ।
ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର ।ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ
ଏ ପରାଣେ ଏହି ଶେଷ ଭିକ୍ଷା ।"

ଆଗକୁ ଗୋପବନ୍ଧୁ
ଜାତି ଧର୍ମ ଵର୍ଣ୍ଣ ଓ ଅଵସ୍ଥା ନିର୍ଵିଶେଷରେ
ଏକ ପ୍ରଜାତାନ୍ତ୍ରିକ ଓ ମାନଵଵାଦୀ ଶାସନତନ୍ତ୍ର ବାଞ୍ଛା ପୂର୍ଵକ ଭାରତର ପ୍ରାଚୀନ ପ୍ରଜାନୁରଞ୍ଜକ ଶାସନ ଵ୍ୟଵସ୍ଥା କୁ ମନେ ପକେଇ ଦେବାକୁ ଯାଇ କହିଛନ୍ତି

“ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି,
ପ୍ରଜାଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।
ପ୍ରଜା ଲାଗି ଉଦେ ରବି ଶଶୀ ତାରା,
ପ୍ରଜା ଲାଗି ବହେ ଶତ ନଦୀଧାରା,
ପ୍ରଜା ଲାଗି ରାଜ୍ୟ,ପ୍ରଜାର ଶାସନ,
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ-
ପରଜା ରକ୍ଷଣ ପାଳନ ରଞ୍ଜନ ।”

ଗୋପବନ୍ଧୁ ସମାଜରେ ଧର୍ମ ଜାତି ଵର୍ଣ୍ଣ ନିର୍ଵିଶେଷରେ ମାନବବାଦୀ ସମତା ସ୍ଥାପନକୁ ସର୍ଵଦା ଗୁରୁତ୍ୱ ଦେଉଥିଲେ ତେଣୁ
ବନ୍ଦୀର ଆତ୍ମକଥାରେ ତତ୍ପରଵର୍ତ୍ତୀ ପଦମାନଙ୍କରେ ସେଇକଥାକୁ ମନେ ପକେଇ ଦେବାକୁ ଯାଇ ଉତ୍କଳମଣି କହୁଛନ୍ତି

“ଅରଟ ଚଳାଇ ପ୍ରତି ଘରେ ଘରେ,
ଗ୍ରାମର କଳହ ତୁଟାଅ ଗ୍ରାମରେ ।
ଚାଲ ସତ୍ୟପଥେ ନାହିଁ ଡର ଭୟ, ଅସହଯୋଗରେ ବିଜୟ ନିଶ୍ଚୟ ।
ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର,
ହେଉ ନୀଳାଚଳୁଁ ସମତା ପ୍ରଚାର ।”

ସେହି କବିତା ରେ ଅନ୍ୟ ଏକ ସ୍ଥାନରେ ମଧ୍ଯ ଗୋପବନ୍ଧୁ ଏହି ମାନବବାଦୀ ସମାନତାର କଥା ଆଉଟିକେ ସ୍ପଷ୍ଟ କରି କହିଛନ୍ତି

“ଗ୍ରାମ ବିଚାରରେ ସକଳେ ସମାନ,
ଛାଡ଼ି ମନୁ ବଡ଼ ସାନ ଅଭିମାନ ।
ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ,
ସମସ୍ତେ ଯେ ଏକ ମାତାର ସନ୍ତନ ।”

ଉତ୍କଳମଣିଙ୍କ ମାନବବାଦୀ ହୃଦୟ ଉତ୍କଳ ର ତତ୍କାଳୀନ ଦୀନ ଦୁଃଖୀ ଲୋକ ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ଅନ୍ୟାୟ ଵର୍ଣ୍ଣିବାକୁ ସୁଦ୍ଧା ଏଠାରେ କୁଣ୍ଠିତ ହୋଇନାହିଁ
ତହିଁ ପରେ ସେ ଏଇକଥାକୁ ବଡ଼ ଭାବପ୍ରବଣ ହୋଇ କହୁଛନ୍ତି

“ଦେଖିଛି ଉତ୍କଳେ ଯେ ଦୃଶ୍ୟ ନୟନେ,
ଡରାଏ ତା ଭୂତ ପରାୟେ ଶୟନେ ।
କେତେ କେତେ ଚାଷୀ ଭଲ ଭଲ ଲୋକ,
ନ ପାନ୍ତି ଦି’ ବେଳା ପେଟପୂରା ଢୋକ ।
ଥିଲେ ଯେହୁ ମଲ୍ଲ ଉତ୍କଳ ସୈନିକ,
ପାଇକ ପ୍ରଧାନ ମାଗୁଛନ୍ତି ଭିକ।
ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା,
ଅନାହାରେ ଆହା ନ ଉଠଇ ଅଣ୍ଟା !
ଅର୍ଜ୍ଜନ୍ତି ଯା ତୁଣ୍ଡେ ମାରି ମୁଣ୍ଡଝାଳ,
ଦୁଷ୍ଟ ମହାଜନ, ଗ୍ରାମ କଟୁଆଳ ।
ପ୍ରଜାରକ୍ତ ଶୋଷି କେତେ ଜମିଦାର,
ହରନ୍ତି ସର୍ବସ୍ଵ ବଜାଇ ପାହାର
ଉତ୍କଳର କେତେ କନ୍ୟା ନାରଖାର,
ନ କରନ୍ତି ପେଟ ପୂରାଇ ଆହାର ।
ଲଜ୍ଜା ଢାଙ୍କିବାକୁ ନ ପାନ୍ତି ବସନ,
ଫୁଟେ ନାହିଁ କେବେ ଅଙ୍ଗେ ଯୁଉବନ ।
ଚିକିତ୍ସା ନ ପାଇ ଘରକଣେ ପଡ଼ି,
ରୋଗ, ଅନାହାରେ କେବାମରେ ଗଡ଼ି ।ଉଦରଜାଳାରେ କେତେ ନରନାରୀ,
ଛାଡ଼ି ଘରଦ୍ଵାରଯାଆନ୍ତି ବାହାରି ।”

ବନ୍ଦୀର ଆତ୍ମକଥାରେ ଆଗକୁ ଉତ୍କଳମଣି ବ୍ରାହ୍ମଣୀ ନଦୀକୂଳର ଜେନାପୁର ଗ୍ରାମରେ ବନ୍ୟା ବିତ୍ପାତ ଓ ଭଦ୍ରକରେ ହିନ୍ଦୁ ମୁସ୍ଲିମ୍ ଙ୍କୁ  ସଂହତି ରକ୍ଷା ଉପଦେଶ ଓ କନିକା ଅଞ୍ଚଳରେ ତତ୍କାଳୀନ ଲୋକଙ୍କ ଦୁର୍ଦ୍ଦଶା ବିଷୟରେ ଉଲ୍ଲେଖ କରିଛନ୍ତି ।

ଶେଷରେ ଗୋପବନ୍ଧୁ ଏକତା,ସମତା ଓ ମାନବବାଦ ବଳରେ ହିଁ ବିଶ୍ଵ ଓ ଭାରତର ସ୍ଥିତି ବଦଳିପାରିବ ବୋଲି ଆଶା ପୋଷଣ କରିବା ସହ ବନ୍ଦୀର ଆତ୍ମକଥା ଦୀର୍ଘ କବିତାର ସମାପନ କରିଅଛନ୍ତି ।

“ଉଡିବ ଅମ୍ବରେ ସ୍ୱରାଜ୍ୟ-କେତନ,
ପ୍ରତିଷ୍ଠତ ହେବ ସ୍ୱରାଜ୍ୟ-ଶାସନ ।
ଦେବ ପ୍ରତିଷ୍ଠିତ ମହର୍ଷିସମ୍ମତ,
ଜାଣିବ ଭାରତ, ଦେଖିବ ଜଗତ ।
ବିରାଜିବ ବିଶ୍ୱେ ଏକତା ସମତା,
ଶାନ୍ତି ଉଚ୍ଚାରିବେ ସ୍ୱରଗେ ଦେବତା ।”

ଓଡ଼ିଆ ଭାଷାରେ ସହସ୍ର ସହସ୍ର କବି ହୋଇଛନ୍ତି ଓ ଭବିଷ୍ୟତରେ ହେବେ ମଧ୍ଯ କିନ୍ତୁ ଅବକାଶ ଚିନ୍ତା ପରି ଜାତୀୟତା ସହ ମାନବତାବାଦକୁ ପ୍ରେରଣା ଓ ସମର୍ଥନ ଯୋଗାଉଥିବା କବିତା ସଙ୍କଳନ ନିଶ୍ଚିତ ଭାବରେ ଵିରଳ ହିଁ ଅଟେ ।