ଅନୁବାଦ लेबलों वाले संदेश दिखाए जा रहे हैं. सभी संदेश दिखाएं
ଅନୁବାଦ लेबलों वाले संदेश दिखाए जा रहे हैं. सभी संदेश दिखाएं

गुरुवार, 9 अप्रैल 2020

ଦେଵରସ୍ ସହ ଭେଟ

ଆଦମ -ହିନ୍ଦୁ ରାଷ୍ଟ୍ର ର କଳ୍ପନା କ’ଣ ?

ଦେଵରସ-ଦେଖନ୍ତୁ,ନିରନ୍ତର ସଂକୀର୍ଣ୍ଣ ହୋଇ ହୋଇ ଯିବା ହିଁ ରାଷ୍ଟ୍ର ଧର୍ମ ଅଟଇ । ଆଗେ ଆମେ ଜମ୍ବୁଦୀପର ଲୋକ ଥିଲେ । ଏହା ସଂପୂର୍ଣ୍ଣ ଏସିଆ ଥିଲା । ସେତେବେଳେ ଗାଉଥିଲେ ବସୁଧୈବ କୁଟୁମ୍ଵକମ୍ ର ଗୀତ !  ତତ୍ପରେ ଆମେ ଭାରତଵର୍ଷର ହେଲେ,ଆହୁରି ଛୋଟ ହେଲେ । 

ଆଦମ- ତାହେଲେ ଆଗାମୀ ଵର୍ଷ ଗୁଡିକ ରେ ଆମର ସଂକୀର୍ଣ୍ଣତା ର ଵିକାଶ କେମିତି ରହିବ ?

ଦେଵରସ -ଦେଖନ୍ତୁ,ଆଗକୁ ଆମେ ଆର୍ଯ୍ୟଵର୍ତ୍ତ ମଧ୍ୟରେ ସୀମିତ ହୋଇ ରହିଯିବୁ । ଫଳରେ ଦକ୍ଷିଣ ର ଏ ଦ୍ରାଵିଡ ଲୋକ ଭିନ୍ନେ ହେବେ । ପୁଣି ଆର୍ଯ୍ୟଵର୍ତ୍ତ କୁ ଵି ଛୋଟ କରିଵାକୁ ହେବ । ଏ ବଙ୍ଗାଳି ଗୁଡା଼କ ଘୋର କମ୍ୟୁନିଷ୍ଟ ଯାକ ଆଉ ଓଡ଼ିଆ ଲୋକ ସବୁ ନିଷାଦ କାରଣ ମାଛମାଂସ ବହୁତ ଖାଆନ୍ତି । ଏମାନଙ୍କୁ ହିନ୍ଦୁ ରାଷ୍ଟ୍ର ରେ ସ୍ଥାନ ମିଳିବ ନାହିଁ । ତ ଆମେ ଗଢିବୁ ଉତ୍ତରାଖଣ୍ଡ । ଏଥିରୁ ଆମକୁ ପୂର୍ବ ଭାରତର ମ୍ଲେଛ ମାନଙ୍କଠାରୁ ସ୍ଵତନ୍ତ୍ରତା ମିଳିଯିବ । 

ଆଦମ -ତାହେଲେ ତ ହିନ୍ଦୀଭାଷୀ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ ?

ଦେଵରସ- ନା-ନା,ସବୁ ହିନ୍ଦୀ ଭାଷୀ ଵି ହିନ୍ଦୁ ରାଷ୍ଟ୍ର ର ହେବେ ନି ! ଆମେ ଦ୍ଵିଜରାଷ୍ଟର ନାରା ଦେବୁ ।

ଆଦମ -ଅର୍ଥାତ୍ ବ୍ରାହ୍ମଣ କ୍ଷତ୍ରିୟ ଵୈଶ୍ୟ ହିଁ ହିନ୍ଦୁ ରାଷ୍ଟ୍ର ରେ ରହିଯିବେ । ଶୂଦ୍ର ଏଥିରୁ ବାହାରେ ରହିବେ ?

ଦେଵରସ - ଶୁଣନ୍ତୁ ଆଜ୍ଞା ! ଏହା ପରେ ଆମର ପରଵର୍ତ୍ତୀ ନାରା ହେବ -ଵିପ୍ରରାଷ୍ଟ୍ର !

(ହରିଶଙ୍କର ପରସାଇଙ୍କ “ଦେଵରସ ସେ ମୁଲାକାତ୍” ର ଓଡ଼ିଆ ଭାବାନୁଵାଦ-
ମୂଳ ଲେଖାରେ ଓଡ଼ିଆ ଲୋକ ଙ୍କ ଵାଵଦରେ କୌଣସି କଥା ନାହିଁ ତାହା ଏ ଅକିଞ୍ଚନ ଯୋଡି଼ଛି । ଏଠାରେ କହିରଖେ ଯେ ଏହି ଵ୍ୟଙ୍ଗଟା ସିଧାସଳଖ ତଥାକଥିତ ଉତ୍ତରଭାରତୀୟ ଦେଶଵାଦୀ(ସ୍ଵଘୋଷିତ ରାଷ୍ଟ୍ରଵାଦୀ)ଙ୍କ ଵିପକ୍ଷରେ ଲେଖା ହୋଇଥିଲା ଯେଉଁମାନେ ପ୍ରାଚୀନ ଭାରତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ “ବସୁଧୈବ କୁଟୁମ୍ଵକମ୍” ର ଜ୍ଞାନ ଦିଅନ୍ତି କିନ୍ତୁ ଯେତେବେଳେ କୌଣସି ଅଞ୍ଚଳ ଵିଶେଷର ଲୋକଙ୍କୁ ଅପମାନ ଦେବାର ଥାଏ ସେମାନେ ତାଙ୍କ ଵିରୋଧରେ ନିଷାଦ, କମ୍ୟୁନିଷ୍ଟ, ମ୍ଲେଛ,ଶୂଦ୍ର ଓ ଛୋଟଜାତିଆ ଆଦି ଜାତିଵାଦୀ ଆଖ୍ୟା ପ୍ରଦାନ କରିଦିଅନ୍ତି-ଏଭଳି ହୀନରାଷ୍ଟ୍ରଵାଦ ଵିରୋଧରେ ଦେଶର ନିରପେକ୍ଷ ବୁଦ୍ଧିଜୀବୀ ମାନେ ଵିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଅନ୍ୟଥା ଏମାନେ ଆଉ ଏକ ହିଟଲର ଜନ୍ମର କାରଣ ହେବେ ! ବି:ଦ୍ର::-ଏଭଳି ଵ୍ୟଙ୍ଗ ଯୋଗୁଁ ଏକଦା  ଏକ ପ୍ରଶିଦ୍ଧ ରାଷ୍ଟଵାଦୀ ସଂଗଠନର ଗୁଣ୍ଡା ମାନେ ହରିଶଙ୍କର ପରସାଇଙ୍କୁ ପିଟିଦେଇଥିଲେ-ଵ୍ୟକ୍ତି ସ୍ଵତନ୍ତ୍ରତା ର ଏମାନେ ହେଉଛନ୍ତି ପ୍ରଧାନ ଶତୃ-ତେଣୁ ଏମାନଙ୍କ ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ  )

ଜାତି(ହରିଶଙ୍କର ପରସାଈ)

ମହାନ୍ତିବାବୁଙ୍କ ପୁଅ ଓ ପଣ୍ଡାବାବୁଙ୍କ ଝିଅ ଗୋଟାଏ ବାହାଘରରେ ଭେଟିଥିଲେ । ପରିଚୟ ହେଲା । ଦିନକୁ ଦିନ ତାହା ନିବିଡ଼ ରୁ ନିବିଡ଼ତର ହେବାକୁ ଲାଗିଲା ।କଥା ବଢି ବଢି ଶେଷକୁ ପ୍ରେମ ଓ ପ୍ରେମ ଵିଵାହ ଯାଏଁ ପହଞ୍ଚି ଗଲା ।

ଯେବେ ପଟ୍ଟନାୟକବାବୁ ଵିଵାହ ପ୍ରସ୍ତାବ ନେଇ ପଣ୍ଡାବାବୁଙ୍କ ଘରେ ପହଞ୍ଚିଲେ
ପଣ୍ଡାବାବୁ ସଫା ସଫା ମନା କରିଦେଲେ
“ଏମିତି କଣ୍ କୋଉଠି ହୁଏ ନା ହଉଚି ? ବ୍ରାହ୍ମଣ ଝିଅ ର ବାହାଘର ପୁଣି ଅନ୍ୟ ଜାତିରେ ହେଉଥିବା କେବେ ଶୁଣିଛନ୍ତି ? ଏ ହେ ! ଆଉ ଜାତି ରହିବ ଟି ? ”

ପଣ୍ଡାବାବୁଙ୍କର ଜଣେ ସମ୍ପର୍କୀୟ ସେଇଠି ଥାଆନ୍ତି
ସେ ପଣ୍ଡା ବାବୁଙ୍କୁ କହୁଥାନ୍ତି...
“ହଇଓ ଭାଇ ! ପୁଅ ଝିଅ ବୟସ୍କ ପୁଣି ପଢାଶିକ୍ଷିତ ଆଉ କୁଶଳୀ ବି
ତାଙ୍କୁ ବାହା ହେବାକୁ ଦିଅ
ବାହାଘର ନହେଲେ ବି ସେମାନେ ଲୁଚିଛପି ମିଶିବେ
ଆଉ ସେତେବେଳେ ତାଙ୍କର ଯୋଉ ସମ୍ବନ୍ଧ ହବ ତା’କୁ ତ ପୁରା ଵ୍ୟଭିଚାର କୁହାଯିବ
ଆଉ ସେତେ ଏଇ ସହିପଡିଶାରେ ସମିତେ କେତେ ଛି-ଛାକର ନ କରିବେ ଯେ ?”

ତା ଶୁଣି ପାଖରେ ବସିଥିବା ପଡୋ଼ଶୀଘରର
ବୁଢୀ଼ ମାଉସୀ ଟା ମୁହଁ ମୋଡି଼ଦେଇ  କହିଲା

“ମଲା ମଲା ! ଵ୍ୟଭିଚାର ଯୋଗୁଁ କଣ୍ ଜାତି ଯାଏ କି । ବାହାଘର ଯୋଗୁଁ ଚାଲିଯାଏ ନା ”

😀😀😀

©ହରିଶଙ୍କର ପରସାଇଙ୍କ ‛ଜାତି’ ହାସ୍ୟକଥାର ଓଡ଼ିଆ ଭାଵାନୁଵାଦ..
.
..

गुरुवार, 2 अप्रैल 2020

■■■■ଖାଦ୍ୟ ଓ ଭିକ୍ଷା■■■■

ଭଗଵାନ ଆମ୍ଭକୁ ଦିନେ ସପନେଇ ଥିଲେ,
'ଆମ୍ଭକୁ ଆଦେଶ ହେଲା-

“ଯାଅ ଆମ୍ଭ ନାମରେ ଗଢା ହୋଇଥିବା ଆମୁକ ମନ୍ଦିର ଖୋଳି ପକା । ମନ୍ଦିର ନୁହେଁ ତ ସେଠି ସାକ୍ଷାତ ଭ୍ରଷ୍ଟାଚାର ତୋଳା ହେଇଚି"

ଆମ୍ଭେ କହିଲୁ, ପ୍ରଭୁ ଏ ଅକିଞ୍ଚନ ପାଖରେ ମାତ୍ର କଲମଟାଏ ଅଛି ଆଉ ତହିଁ ଦ୍ଵାରା ଶିଘ୍ର ଖୋଳାଖୋଳି ହେବା ସମ୍ଭବ ନୁହେଁ । ଯା’ ପାଖରେ ହାତ-ହତିଆର ଅଛି,ଆପଣ ତାଙ୍କେତିକି କାହିଁକି କହୁନାହାନ୍ତି’
ଏହା ଶୁଣି ଭଗଵାନ ବୋଇଲେ,
“ହେମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି,ତାଙ୍କ ଦିହରେ ବଳ କାହୁଁ ଆଇବ ଯେ ଖୋଳିପାରିବେ”
ତହୁଁ ଆମ୍ଭେ କହିଲୁ, “ପ୍ରଭୁ ! ଆପଣ ତାଙ୍କୁ ଖାଦ୍ୟ ଦେଇ ବଳୁଆ କାହିଁକି କରିଦେଉନାହାନ୍ତି ?”

ଭଗଵାନ ବୋଇଲେ, ଆମ୍ଭେ ତାଙ୍କୁ ଖାଦ୍ୟ ତ ଦେଇ ଦିଅନ୍ତୁ କିନ୍ତୁ ତାହା ତାଙ୍କର ଅଧିକାରର ନୁହେଁ, ତାହା ଭିକ ହୋଇଯିବ । ଭିକରେ ମିଳିଥିବା ଖାଦ୍ୟ ମନୁଷ୍ୟକୁ ଅଳସୁଆ କରିଦିଏ ଏବଂ ଅଳସୁଆ ଲୋକେ ଖୋଳିବା ତାଡି଼ବା ଦୂରେ ଥାଉ ଖଣ୍ଡେ ବାଟ ଚାଲିବାକୁ ସୁଦ୍ଧା ନାପସନ୍ଦ କରନ୍ତି” !

(ହିନ୍ଦୀ ଲେଖକ ‘शंकर पुणतांबेकर’ ଙ୍କ ଲଘୁକଥା ‛रोटी’ର ଓଡ଼ିଆ ଭାଵାନୁଵାଦ)

मंगलवार, 31 मार्च 2020

ନୋଇଁ ନାହିଁ ନଇଁବ ନାହିଁ

ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।
ଅଗଣିତ ବଳିଦାନରୁ ଅର୍ଜିତ ଏ ସ୍ଵାଧୀନତା
ତ୍ୟାଗ, ତପ,ବଳ ଦ୍ଵାରା ରକ୍ଷିତ ଏ ସ୍ଵାଧୀନତା ।।
ପ୍ରାଣଠାରୁ ମଧ୍ଯ ପ୍ରିୟତର ଆମର ସ୍ଵାଧୀନତା
ଛଡେଇ ନେବାର ଷଡଯନ୍ତ୍ରକାରୀ ଲୋକଙ୍କୁ ।।
କହିଦିଅ ନିଆଁରେ ଖେଳିବା ବଡ଼ ମନ୍ଦ କଥା
ଆନଘରେ ନିଆଁ ଲଗେଇବାର ଯେଉଁ ସପନ ।।
ଆପଣା ଘରକୁ ହିଁ ଜଳେଇ ସ୍ଵୟଂ ଶାନ୍ତ ହୁଏ
ନିଜ ହାତରେ ତୁମେ ନିଜର କବର ଖୋଳନା ।।
ନିଜ ହାତେ ନିଜ ଗୋଡେ଼ କାତି ଚୋଟ ମାରନା
ଏ ମୂର୍ଖ ପଡୋଶୀ ଶିଘ୍ର ନିଜର ଆଖି ଖୋଲ
ସ୍ବାଧୀନତା ଅମୂଲ୍ୟ ତାହାର ମୂଲ୍ୟ କଳ ନା’ ।।
ହେଲେ ତମେ କି ଜାଣିବ ସ୍ଵାଧୀନତା କଣ୍
ତୁମକୁ ତ ମାଗଣା ମିଳିଛି ନା ସୁଖର ଭଣ୍ଡାର
ଦୁଃଖ କ୍ଲେଶ କଷ୍ଟ ତୁମେ ଆଦୌ ଭୋଗିନା ।।
ଇଂରେଜଙ୍କ ବଳରେ ଦୁଇ ଟୁକଡା ପାଇଛ
ମାଆକୁ ବାଣ୍ଟି ଲଜ୍ୟାବୋଧ ବି କରିନା ।।
ଆମେରିକା ର ଶସ୍ତ୍ରରେ ତୁମର ସ୍ଵାଧୀନତା ଜଗତେ ବଞ୍ଚେଇଦେବ  ବୋଲି ଭାବ ନା’   ।।
ଦସ କୋଡିଏ ଆରବ ଡଲାର ନେଇ କି
ତୁମେ ପ୍ରଳୟରୁ ବଞ୍ଚିଯିବ, ଏମନ୍ତ ଭାବ ନା’ ।।
ଭାବ ନା’,ଧମକ,ଜେହାଦୀ ନାରାରେ,
ହତିଆର ରେ କାଶ୍ମୀର ଅକ୍ତିଆର କରିନେବ !!
ଭାବ ନା’,ଆକ୍ରମଣରେ,ଅତ୍ୟାଚାରରେ,ସଂହାର ରେ ଭାରତର ମସ୍ତକ ନୁଆଁଇ ଦେବ !!
ଯେତେଦିନ ଯାଏଁ ଗଙ୍ଗାର ଧାର,
ସିନ୍ଧୁରେ ଜୁଆର,ଅଗ୍ନି ରେ ଜ୍ଵଳନ,
ସୂର୍ଯ୍ୟରେ ତପନ ରହିଥିବ ଶେଷ..
ସ୍ଵାତନ୍ତ୍ର୍ୟ ସମର ବେଦୀରେ ଅର୍ପିତ ହେଉଥିବ
ଅଗଣିତ ଜୀଵନ,ଯୌବନ ଅଶେଷ ।।

ଆମେରିକା କିୟଣ ସାରା ସଂସାର ମଧ୍ଯ ହେଉ ବିରୋଧୀ କିନ୍ତୁ ଭାରତର ଧ୍ଵଜ ନୋଇଁବ ନାହିଁ  ।
ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।

©ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା ର ଭାବନୁବାଦ

◆◆ଶୌଚାଳୟ ଓ କ୍ରାନ୍ତି◆◆

ଭାରତ ନୂଆ ନୂଆ ସ୍ଵାଧୀନ ହୋଇଥାଏ । ସେଦିନିଆ ଏକ ବିଶ୍ବବିଦ୍ୟାଳୟର ଛାତ୍ର ତାଙ୍କ ପାଇଁ ଗୋଟିଏ ଶୌଚାଳୟ ନିର୍ମାଣ ହେତୁରୁ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କଲେ ।
ମନ୍ତ୍ରିମଣ୍ଡଳର ଏକ ବୈଠକରେ ଶିକ୍ଷା ମନ୍ତ୍ରୀ ଉକ୍ତ ପତ୍ର ପାଠ କଲା ଉତ୍ତାରୁ କହିଲେ-
“ଛାତ୍ରମାନଙ୍କ ମଧ୍ୟରେ ଏଭଳି ଅନୁଶାସନହୀନତା ମୁଁ ଆଜିଯାଏଁ ଦେଖିନଥିଲି । ଆହା ! ଏ ପିଢି କେତେ ନିର୍ଲଜ ନୁହେଁ ସତେ !  ନିଜ ବୟସ୍କଙ୍କ ସହିତ ମଳମୂତ୍ରାଦି ବାବଦରେ କଥା ହେବାକୁ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି”

ଜଣେ ମନ୍ତ୍ରୀ କହିଲେ

“ସେହି ଟୋକା ଗୁଡାକୁ ଵିରୋଧୀ ଦଳର ଲୋକ ଏତକ କରେଇବାକୁ ସିଖେଇଛନ୍ତି । ମୋ ପାଖରେ ତାହାର ରିପୋର୍ଟ ଅଛି । ମୁଁ ଜାଣିଛି ଯେ ଵିରୋଧୀ ଦଳର ଲୋକ ଏହିଭଳି ତରୁଣ ମାନଙ୍କୁ କ୍ରାନ୍ତି ନାମରେ ଉସୁକାଉଛନ୍ତି । ମଦି ଏଗୁଡା଼କୁ ଶିଘ୍ର ରୋକା ନଯାଏ ତେବେ ଏମାନେ ଆମ୍ଭମାନଙ୍କର ସୁବକଥାରେ ଲଘୁଶଙ୍କା ଓ ଶୌଚ କରିବାକୁ ଦୌଡ଼ିବେ !”

ତା’ ଶୁଣି ଗୃହମନ୍ତ୍ରୀ କହିଲେ,
“ଏହି ମାମଲାଟା ଆଇନ କାନୁନ ଓ ବ୍ୟବସ୍ଥା ସମ୍ଵନ୍ଧୀତ ତେବେ ସରକାର
ଙ୍କର କାର୍ଯ୍ୟ ଶୌଚାଳୟ ତିଆରି କରିବା କଦାପି ହୋଇନପାରେ,ଆଇନ ଵ୍ୟଵସ୍ଥା ତଦାରଖ କରିବା ହେଉଛି ସରକାର ର ପ୍ରକୃତ ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ”

ତହୁଁ ପ୍ରଧାନମନ୍ତ୍ରୀ କହିଲେ
‘ଶୌଚାଳୟ ହେବ କି ନାହିଁ ସେ ତ ପର କଥା ପ୍ରକୃତରେ ସେ କଲେଜରେ ଵିଗତ ପଇଁତିରିଶି ବର୍ଷ ହେବ ଶୌଚାଳୟ ଟେ ଗଢା ହେଇନି । ଏବେ ହଟାତ୍ ସେଠି ଗୋଟାଏ ଶୌଚାଳୟ କରିଦେବା ଟା ପୁରା କ୍ରାନ୍ତିକାରୀ କଥା ହେଇଯିବ ।  କଣ୍ ଆମେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି କି ? ସତ କହିବାକୁ ଗଲେ ଆମେ ଧୀରେ ଧୀରେ ହେଉଥିବା ଵିକାଶରେ ଵିଶ୍ଵାସ କରନ୍ତି କ୍ରାନ୍ତି ରେ ନୁହେଁ ! ଯଦି ଆମେ ଏଭଳି କ୍ରାନ୍ତିକାରୀ ପ୍ରଦକ୍ଷେପ ଉଠାଇବା ତେବେ ଦେଶ ଵିଦେଶରେ ଆମ ସରକାରର ଯେଉଁ ଛବି ପ୍ରଚାରିତ ହେବ ତାହାର ଵ୍ୟାପକ ରାଜନୈତିକ ପରିଣାମ ଭୋଗ କରିବାକୁ ପଡି଼ପାରେ ।  ମୁଁ ଭାବୁଛି, ସରକାର ନିଜକୁ ଏବେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବା ହେତୁରୁ ଅସମର୍ଥ ମଣୁଅଛି”

ସରକାରଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇଲାପରେ ଛାତ୍ର ମାନେ ଧୈର୍ଯ୍ୟହରା ହେଇଗଲେ । ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଦେଲେ । ତହୁଁ ଅନ୍ୟ କଲେଜର ଛାତ୍ର ମାନଙ୍କ ପାଖକୁ ଶଙ୍ଖା-ଚୁଡି଼ ସହ ଲେଖିକି ପଠେଇ ଦେଲେ―
‘ଆନ୍ଦୋଳନ କର ନହେଲେ *ମଧୁରୀ* ପରି ଏତକ ପିନ୍ଧି ଘରେ ବସିଯାଅ !’
ଶଙ୍ଖା―ଚୁଡି଼ ର ବାଡ଼ବାଗ୍ନି ଛାତ୍ର ସମାଜ ମଧ୍ୟରେ  ବ୍ୟାପିଗଲା । ଫଳରେ ଦେଶର ସ୍ଥାନେ ସ୍ଥାନେ ଆନ୍ଦୋଳନ ଆରମ୍ଭ ହେଇଗଲା ।
ଏଠିକା ଲୋକେ ଅକାଳ କହିବାକୁ ସେତିକି ଉତ୍ସୁକ ନୁହନ୍ତି ଯେତିକି ଆଗ୍ରହୀ ସେମାନେ ନରତା ପ୍ରମାଣିତ କରିବାରେ ଲାଗି ଥାଆନ୍ତି ।  ଏଠି ଯଦି କିଏ କହେ ନିଜ ମୁଣ୍ଡକୁ ଜୋତାରେ ପିଟ ନହେଲେ ଏଇ କାଚ ଚୁଡି଼ ପିନ୍ଧ ତ ଲୋକେ ଚୁଡି଼ ର ଭୟରେ ଜୋତା ମାଡ଼ ଖାଇବା ଶ୍ରେୟସ୍କର ମଣନ୍ତି ।

ଲୋକମାନେ ଅନେକ ଛାତ୍ରଙ୍କୁ ପଚାରୁଥାନ୍ତି
“ହଇରେ ବାଳୁଙ୍ଗା ଦଳ ! ଏତେ ହୋହାଲ୍ଲା କିସ ନାଗି କରୁଚ କିରେ ?”
ଅଧିକାଂଶଙ୍କ ଠାରୁ ପ୍ରାୟ ଏଇ ଏକା ଉତ୍ତର ମିଳୁଥିଲା
“ସେ ବିଷୟରେ ସେମିତି କିଛି ଜାଣି ନାହୁଁ,ଆମକୁ ଶଙ୍ଖା-ଚୁଡି଼ ମିଳିଯାଇଥିଲା ସେଥିରଲାଗି ଆନ୍ଦୋଳନ କରୁଚୁ ନା ଆଉ”

କିନ୍ତୁ ରାଜଧାନୀର ଵିଦେଶୀ ଦୂତାଵାସ ଓ ସାମ୍ବାଦିକ ଆଶ୍ଚର୍ଯ୍ୟ ଚକିତ ପୂର୍ଵକ ଏସବୁ ଘଟଣା ଉପରେ ନିଘା ରଖିଥାନ୍ତି । ଵିଶ୍ଵର ବଡ଼ ବଡ଼ ସମ୍ଵାଦପତ୍ରରେ ଏବେ ପ୍ରତ୍ୟେକ ଦିନ ଏ ଦେଶର କ୍ରାନ୍ତି କଥା ହିଁ ଛପୁଅଛି ।
ବିବିସି ରେଡ଼ିଓର ଲୋକେ ମାଇକ ଧରି
ଖାଆସେ ରିପୋର୍ଟ ତିଆରି କରିବାରେ ବ୍ୟସ୍ତ
ରେଡ଼ିଓ ରୁ ସଦାବେଳେ ତାଙ୍କର ଚିରାଚରିତ ଢଙ୍ଗରେ  ରିପୋର୍ଟ ଶୁଣିବାକୁ ମିଳିଯାଏ
‛ହେଇ ଦେଖ ଏ ଦେଶର କି ଅଵସ୍ଥା ହେଲାଣି ? ଚାରିଆଡେ ଖାଲି ବିଦ୍ରୋହ ! କ୍ରାନ୍ତି ଆଉ ଗଣ ଆନ୍ଦୋଳନ ହେଉଛି !’ ଇତ୍ୟାଦି ଇତ୍ୟାଦି....

ତାପରେ ଦେଶରେ
ଦିନା କେତେ ଭୀଷଣ ଲାଠିଚାର୍ଜ ଓ ଫାୟରିଙ୍ଗ ହେଲା,ଗୁଡାଏ ଲୋକ ଆହତ ଏବଂ ନିହତ ମଧ୍ଯ ହେଲେ । ବିଦେଶୀ ସାମ୍ବାଦିକ ମନ୍ତ୍ରମୁଗ୍ଧ ପରି ଦେଶଯାକରେ ବୁଲୁଥାନ୍ତି । ସେମାନେ ସଙ୍ଘର୍ଷ ସମିତିର ପ୍ରତିନିଧି ସହିତ ସାକ୍ଷାତ କଲେ । ଜଣେ ସାମ୍ବାଦିକ କହିଲା,
“ଆପଣଙ୍କ ଦେଶବ୍ୟାପୀ ବିଦ୍ରୋହ ଦେଖି ଆମ୍ଭେମାନେ ଏବଂ ଏମିତି କି ସାରା ଵିଶ୍ଵ ମଧ୍ଯ ଚକିତ ହୋଇଯାଇଛି । ଆନ୍ଦୋଳନ ର ଵ୍ୟାପକତାକୁ ଦେଖି ଲାଗୁଚି ଆପଣମାନ ଦେଶକୁ ବଦଳେଇବା ହେତୁରୁ ଲଢୁଅଛନ୍ତି । ଆପଣଙ୍କ ସଂଗଠନର ‛ମେନିଫେଷ୍ଟୋ’ ତ ଦିଅନ୍ତୁ ଆଉ ଆମକୁ କୁହନ୍ତୁ ଯେ ଏ ଦେଶର ଵର୍ତ୍ତମାନ ସାମାଜିକ-ଆର୍ଥିକ ଅବସ୍ଥାରେ ଆପଣ ମାନେ କି କି ମହତ୍ତ୍ୱପୂର୍ଣ୍ଣ ପରଵର୍ତ୍ତନ ଚାହୁଁଅଛନ୍ତି ?”

ଛାତ୍ର ନେତା ଉତ୍ତର ରଖିଲେ–
“ଆମକୁ ଏବେ କେଵଳ ଗୋଟାଏ ଶୌଚାଳୟ ଆବଶ୍ୟକ ଲୋଡା଼ ପଡି଼ଛି !”

  *(ମଧୁରୀ=ମାଇଚିଆ)
【ଦ୍ର:-ଵ୍ୟଙ୍ଗ ସମ୍ରାଟ ଶ୍ରୀहरिशंकर परसाईଙ୍କର
#लघुशंका_गृह_और_क्रांति ଵ୍ୟଙ୍ଗକଥାର ଭାଵାନୁଵାଦ】

ଜାତୀୟପତାକା ନମୋ ନମୋ

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

କରରେ ନେଇ ଵୀର–ଵୀରା
କୋଟି କୋଟି ଭାରତ ସନ୍ତାନ ।

ହସି ହସି ମାତୃଭୂମି ଚରଣେ
ଦିଅନ୍ତି ଜୀବନ ବଳିଦାନ ।।

ହେଉ ଘୋଷିତ ନିର୍ଭୀକ ଵିଶ୍ଵରେ
ତରଳ ତିରଙ୍ଗା ନଵଲ ନିଶାଣ ।

ଵୀରର ହୃଦୟ ଚହଲି ଉଠୁ
ଜିତୁ କ୍ଷଣକେ ମଇଦାନ ।

ହେଉ ଶିରା ପ୍ରଶିରେ ବ୍ୟାପ୍ତ ଚରିତ୍ର
ଵୀରା ଶିବାଙ୍କ ନମୋ ନମୋ ।

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଉଚ୍ଚ ହିମାଳୟର ଉର୍ଦ୍ଧ୍ଵ ଦେଶରେ
ଯାଇ ତିରଙ୍ଗାକୁ ଉଡାଇବା ।

ଵିଶ୍ଵ―ଵିଜୟିନୀ ରାଷ୍ଟ୍ର―ପତାକାର
ଗୌରବ ଆମେ ବଢାଇବା ।

ସମରାଙ୍ଗଣେ ପୁତା ପୁତ୍ରୀ
ସର୍ବେ ଲଢିବାକୁ ବଢିଯିବା  ।

ଉଚ୍ଚରେ ଉଡୁଥିବ ଫର୍ ଫର୍
ପତାକା ନୁଆଇଁବାକୁ ନଦେବା ।

ଝଙ୍କୃତ ସ୍ଵର ସଂସାର ସିନ୍ଧୁରେ
ସ୍ଵାଧୀନତାର ନମୋ ନମୋ ।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

(ମୂଳ ରଚନା―श्यामलाल गुप्त पार्षद)

ଉଠ ଧରାର ଅମର ସପୁତ

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।

ଜନ-ଜନର ଜୀବନେ ପୁଣ
ନଵ ସ୍ଫୁର୍ତ୍ତି, ନଵ ପ୍ରାଣ ଭର ।

ନୂଆ ପ୍ରାତଃ ୟେ ନୂଆ କଥା
ନଵ କିରଣ ଏ ଜ୍ୟୋତି ନୂଆ ।

ନଵ ଉନ୍ମାଦେ,ନଵ ତରଙ୍ଗେ
ନଵ ଆଶା ଅଛି ଶ୍ଵାସ ନୂଆ ।

ଯୁଗ–ଯୁଗରୁ ମୁକୁଳା ପୁଷ୍ପେ
ନଵ–ନୂଆ ହାସ୍ୟରସ ଭର ।

ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।1।।

ଡାଳେ-ଡାଳେ ବସି ବିହଗ
ନଵ ତାନରେ ଗାଉଛନ୍ତି ।

ଗୁଣୁ-ଗୁଣୁ,ଗୁଣୁ-ଗୁଣୁ କରି
ଭ୍ରମର ସୁଖରେ ଉଡୁ଼ଛନ୍ତି ।

ନଵଯୁଗର ନୂତନ ଵୀଣାରେ
ନୂଆ ରାଗ,ନଵ ଗାନ ଭର ।

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।2।।

କଳିକା ଯେତେ ହସୁଛନ୍ତି ସର୍ଵ
ଫୁଲସବୁ ନାଚୁଅଛନ୍ତି
ପୃଥିବୀ ମାତା ନଵପଲ୍ଲଵେ
ନଵ କାୟା ଲଭି ଅଛନ୍ତି ।

ନୂତନ ମଙ୍ଗଳମୟ ଧ୍ଵନିର
ଝଙ୍କୃତ ଜଗ-ଉଦ୍ୟାନ କର ।
ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।3।।

ସରସ୍ଵତୀ ର ପାଵନ ମନ୍ଦିର
ଶୁଭ ସମ୍ପତ୍ତି ତୁମରି
ତୁମେ ମାନେ ସର୍ବେ ତାହାର
ରକ୍ଷକ ଓ ପୂଜାରୀ ।

ଶତ-ଶତ ଦୀପ ଜାଳି ଜ୍ଞାନର
ନଵଯୁଗର ଆହ୍ଵାନ କର ।
ଉଠ,ଧରା ର ଅମର ସପୁତ ।
ପୁନଃ ନଵ ନିର୍ମାଣ କର ।4।।

ମୂଳ ରଚନା-द्वारिका प्रसाद माहेश्वरी

ଦେଶର ମାଟି ଦେଶର ଜଳ

ଦେଶର ମାଟି ଦେଶର ଜଳ
ଦେଶର ବାୟୁ ଦେଶର ଫଳ
ସରସ ହୁଅନ୍ତୁ ପ୍ରଭୁ ସରସ ହୁଅନ୍ତୁ ।।

ଦେଶର ଘର ଓ ଦେଶର ଘାଟ
ଦେଶର ବନ ଓ ଦେଶର ବାଟ
ସରଳ ହୁଅନ୍ତୁ ପ୍ରଭୁ ସରଳ ହୁଅନ୍ତୁ ।।

ଦେଶର ତନ ଓ ଦେଶର ମନ
ଭାତୃ-ଭଗିନୀ ଓ ଆନ  ଜନ
ବିମଳ ହୁଅନ୍ତୁ ପ୍ରଭୁ ବିମଳ ହୁଅନ୍ତୁ ।।

ମୂଳରଚନା-ଵିଶ୍ଵକବି ରବିନ୍ଦ୍ରନାଥ ଠାକୁର

କିଏ ଅପରାଧୀ

ଯାହା ହେଉ ପଛେ ଧର୍ମ  ଯାହାର
ହୋଇଥାଅ ଯିଏ ଯୋଉ ମଦଵାଦୀ ।

ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ
ତେବେ ସିଏ ଜଣେ ଅପରାଧୀ ।

ଯାହାର ଅନ୍ନ-ଜଳର ଋଣଭାର
ଆମ୍ଭ ଶରୀର ପରେ ରହିଛି ରହିବ !

ଯା’ ପଵନେ ଶ୍ଵାସ ନେଉ ବୋଲି
ଜୀବନ ଆମ ବଞ୍ଚିରହିଛି ରହିବ ।

ତାହାରି ମାଟିରେ ଖେଳିଅଛୁ
କେତେ କଥା ପୁଣ ଶିଖିଛେ ଶିଖିବା ।

ତା ପାଇଁ ଯଦି  ନ ବୁହାଉ ଲହୁକୁ
ଜଗତେ ଉଚ୍ଚ ନା ହେଇଚେ ହୋଇବା ।

ଲାଭ ନାହିଁ ଯେତେ ଧନ ମାନ ଥାଇ
ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।

ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି
ଯଦି ଆନକୁ ଯାତନା ଦେଇ କି ଅର୍ଜ ।

ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ
ସେଭଳି ଜୀବନ ଜାତୀୟତା ହୀନ ।

ନୁହେଁ ଦେଶଭକ୍ତ ସେ କେବଳ ଜୀବ
ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।

ହୋଇ ଥାଇ ପାରେ ସେ ଜଣେ
ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ  !

ଜୀବନ ଉତ୍ସର୍ଗ ନୁହେଁ ଦେଶହିତେ ଯଦି
ତେବେ ସିଏ ଅପରାଧୀ ।

उदयप्रताप सिंहଙ୍କର ଏକ ଦେଶାତ୍ମବୋଧକ କବିତା ଅନୁକରଣରେ.....

बुधवार, 22 जनवरी 2020

ଆଳସ୍ଯ ଭକ୍ତ


ହିନ୍ଦୀରେ ଏକ ପ୍ରଶିଦ୍ଧ ଲୋକୋକ୍ତି ଅଛି
“ଅଜଗର କରେ ନି ଚାକିରୀ,
ପକ୍ଷୀ କରେନି କାମ ।।
ଦାସ ମଲୁଖା କହିଗଲେ
ସଭିଙ୍କ ଦାତା ରାମ ।।”

ସାଧୁ !
ମନୁଷ୍ୟ ଶରୀର ଆଳସ୍ୟ ପାଇଁ ହିଁ ତିଆରି ହୋଇଛି । ଯଦି ଏମନ୍ତ ହୋଇନଥାନ୍ତା ତେବେ ମାନବ-ଶିଶୁ ମଧ୍ଯ ଜନ୍ମ ହେବା ମାତ୍ରେ ମୃଗଶାଵକ ପରି ଡିଁଆକୁଦା ଆରମ୍ଭ କରିଦିଅନ୍ତା,କିନ୍ତୁ ପ୍ରକୃତି ର ଶିକ୍ଷା କୁ ଆଜି ମାନୁଛି କିଏ ?

ନୂଆ ନୂଆ ଆଵଶ୍ୟକତା ବଢାଇ କରି ମଣିଷ ନିଜ ଜୀଵନକୁ ଆଜି ଅସ୍ଵାଭାଵିକ କରିସାରିଛି । ମନୁଷ୍ୟ କୁ ହିଁ ଈଶ୍ଵର ପୂର୍ଣ୍ଣ ଆରାମ ପାଇଁ ଗଢିଛନ୍ତି । ଅନ୍ୟ ଜୀଵଙ୍କର ଓ ମଣିଷ ର ଶୟନ ଵିଷୟରେ ଥରେ ଭାବନ୍ତୁ ତ !

ହାୟେ ! ଧନ୍ୟ ସେ ଈଶ୍ୱର ଯିଏ ମଣିଷଙ୍କୁ ଖଟ ଉପରେ ପିଠିକରି  ଶୋଇପାରିଵାର ଯୋଗ୍ୟତା ଦେଇଅଛନ୍ତି କିନ୍ତୁ ଅନ୍ୟ ଅଧିକାଂଶ ଜୀଵଙ୍କୁ ଭଲରେ ଦେଖନ୍ତୁ ସେମାନଙ୍କୁ ଆପଣ ପେଟେଇ ଶୋଇଵାର ହିଁ ଦେଖିବାକୁ ପାଇବେ । ମନୁଷ୍ୟ ଚାହିଁଲେ ଯେତେ ପେଟ ଫଟେଇ ଖାଇଲେ ଵି ତା’ର ଚିନ୍ତା ନାହିଁ । ସେ ତ ପିଠି ବଳରେ ଆରାମ ରେ ଶୋଇଯାଇପାରେ । ଈଶ୍ୱର ମନୁଷ୍ୟ ମାନଙ୍କ ପାଇଁ ବହୁ ପୂର୍ବରୁ ଆରାମର ଵ୍ୟଵସ୍ଥା କରିସାରିଛନ୍ତି କିନ୍ତୁ ମଣିଷ ମାନେ କେବେ ବି ଏହାର ପୂର୍ଣ୍ଣ ଉପଯୋଗ କରୁନାହାନ୍ତି ।

ନିଦ୍ରାର ସୁଖ ସମାଧି ସଖଠାରୁ ମଧ୍ଯ ଉଚ୍ଚତର ତେବେ ଲୋକେ ଏ ସୁଖ ଅନୁଭବ କରିବା କ୍ଷେତ୍ରରେ ବାଧାବିଘ୍ନ ଉପୁଜାନ୍ତି । କୁହନ୍ତି ସଖାଳୁ ଉଠ,କାହିଁକି ନା ପକ୍ଷୀ ଆଉ ଜୀବ ସକାଳୁ ଉଠନ୍ତି କିନ୍ତୁ ସେମାନେ ଭୂଲିଯାନ୍ତି ଯେ ଆମେ ମନୁଷ୍ୟ ସେମାନେ ପଶୁ ଅଟନ୍ତି....
କଣ୍ ଆମର ଏତିକି ଵି ଵିଶେଷତା ନାହିଁ ଯେ ସୁଖ ର ନିଦ୍ରା ଶୋଇପାରିବା .....!

କାହିଁ ଶଯ୍ୟାର ସ୍ଵର୍ଗୀୟ ସୁଖ ଆଉ କାହିଁ ବାହାରର ଖରା ଉଷୁମ ପଵନ ଏଵଂ ଅସହ୍ୟ କଷ୍ଟ ? ଏହି ଵିଷୟରେ ନିର୍ଦ୍ଦୟୀ ସମାଜ କାହିଁକି ଚିନ୍ତାକରେନି ? ଯଦି ତାଙ୍କ ଭାଗ୍ୟରେ ଶୟନସୁଖ ନାହିଁ ତାହେଲେ କ’ଣ ଅନ୍ୟ ମାନଙ୍କୁ ଵି ନିଦ୍ରାରୁ ବଞ୍ଚିତ କରି ମାରିବେ ?

ଗୋଟାଏ ପଟେ କିଛି ଲୋକ ସୁଖନିଦ୍ରା ପାଇଁ ସହସ୍ର ସହସ୍ର ଟଙ୍କା ପାଣି ପରି ବହାଇ ଦିଅନ୍ତି କିନ୍ତୁ ଏ ଅଵୈତନିକ ଉପଦେଶକ ଲୋକ ସ୍ଵାଭାଵିକ ନିଦ୍ରାକୁ ଆଳସ୍ୟ ଓ ଦରିଦ୍ରତାର ଚିହ୍ନ ବୋଲି ପ୍ରଚାର କରନ୍ତି ।
ଲୋକେ କୁହନ୍ତି ଅଳସୁଆଙ୍କ ଦ୍ଵାରା ସଂସାର ର କିଛି ଵି ଲାଭ ହୁଏନାହିଁ କିନ୍ତୁ ମୁଁ କହିବି ଯଦି ମନୁଷ୍ୟ ମଧ୍ୟରେ ଆଳସ୍ୟ ନଥାନ୍ତା ତେବେ ଆଜି ତା’ର ଏ ଵାସ୍ତୁଵାଦୀ ଉନ୍ନତି କେବେଵି ସମ୍ଭବପର ହୋଇପାରିନଥାନ୍ତା ।
ଆଳସ୍ୟ ଯୋଗୁଁ ହିଁ ମଣିଷ ଖଟ ଠାରୁ ଗାଡି଼ ଯାଏଁ ସମସ୍ତ ସୁଖସୁଵିଧାର ଵସ୍ତୁ ସୃଷ୍ଟି ହୋଇନଥାନ୍ତା ଅଉ ମଣିଷ ତା ପ୍ରାଚୀନ ପୂର୍ଵଜଙ୍କ ପରି କା ଏ ଗଛରୁ ସେ ଗଛ ଡେଇଁ ବୁଲୁଥାନ୍ତା ।

ମନୁଷ୍ୟ ଆଳସ୍ୟର ପୂଜକ ଥିଲା ତେଣୁ ତାକୁ ଆଉ ଗଛରୁ ଗଛକୁ ଡେଇଁବାକୁ ହେଉନାହିଁ ଵରଂ ସେ ଲୋଡ଼ା ପଡି଼ଲେ  ପକ୍ଷୀ ଭଳି ଆକାଶରେ ଉଡୁଛି ନହେଲେ ମାଛ ପରି ପାଣିରେ ପହଁରି ପାରୁଛି । ଆଳସ୍ୟ ପାଇଁ ହିଁ ଟେଲିଫୋନ ଠାରୁ ଟିଭି ,ରେଡ଼ିଓ ମୋବାଇଲ ଯାଏଁ ସମସ୍ତ ଆଧୁନିକ ଵୈଷୟିକ ଵସ୍ତୁ ର ଆଵିଷ୍କାର ହୋଇପାରିଛି ।

ଇଂରାଜୀ ରେ କୁହନ୍ତି “Necessity is the mother of invention” ଅର୍ଥାତ “ଆଵଶ୍ୟକତା ଆଵିଷ୍କାର ର ଜନନୀ” କିନ୍ତୁ ବହୁତ ଲୋକ ବୋଧହୁଏ ଜାଣିନଥିବେ ଯେ ଆଵଶ୍ୟକତା ଆଳସ୍ୟର ଆତ୍ମଜା ଅଟଇ....

କାରଣ ଆଳସ୍ୟରେ ହିଁ ଆଵଶ୍ୟକତାର ଉଦୟ ହୋଇଥାଏ । ଯଦି ଆପଣ ସ୍ଵୟଂ ଯାଇ ନିଜ ମିତ୍ର ସହିତ କଥା ହେଉଥାନ୍ତେ ତେବେ ଟେଲିଫୋନ ର ଆଵଶ୍ୟକତା କଣ୍ ରହିଯାନ୍ତା ?

ନିଜେ ଗୀତ ଗାଇପାରୁଥିଲେ ନାଚିପାରୁଥିଲେ ନିଜର ମନୋରଞ୍ଜନ ସ୍ଵୟଂ କରିପାରୁଥିଲେ ଟିଭି ରେଡ଼ିଓ ର ଆଵଶ୍ୟକତା ପଡନ୍ତା କି ?

ଯଦି ମନୁଷ୍ୟ ନିଜ ହାତରେ କାମକରିବାକୁ ନେଇ  ଆଳସ୍ୟ  ନକରିଥାନ୍ତା ତେବେ କଣ୍ ଏତେ ସବୁ ଯନ୍ତ୍ରପାତି ଓ କଳକବଜ୍ଜା ଗଢି ଉଠିଥାନ୍ତା ?

ସଂସାରର ବଡ଼ ବଡ଼ ଆଵିଷ୍କାର ଅଳସ୍ୟତାରେ ହିଁ ହୋଇଅଛି । ଵାଷ୍ପଶକ୍ତିକୁ ନେଇ ଯନ୍ତ୍ର ଆଵିଷ୍କାର କରିଥିବା ଵାଟ୍ ମହାଶୟଙ୍କର ସେତେବେଳେ ହିଁ ଏ ଜ୍ଞାନ ଉଦୟ ହୋଇପାରିଥିଲା ଯେତେବେଳେ ସେ ସାଙ୍ଗ ମାନଙ୍କ ସହିତ ଅନାଵଶ୍ୟକ ଖଟି ଓ ମଜା ମସ୍ତି ରେ ନିମଜ୍ଜିତ ରହୁଥିଲେ ।

ନ୍ୟୁଟନଙ୍କୁ ତାଙ୍କର ଗୁରୁତ୍ଵାକର୍ଷଣ ସିଦ୍ଧାନ୍ତ ମଧ୍ଯ ନିତାନ୍ତ ଵେକାରୀ କାଳରେ ମିଳିଥିଲା । ଵିଶ୍ଵର ବଡ଼ ବଡ଼ କଳ୍ପନା ସେଇମାନେ ହିଁ କରିଛନ୍ତି ଯେଉଁ ମାନେ ଖଟ ଉପରେ ପଡି଼ ପଡି଼ ଆପଣା ଜୀଵନର ଲକ୍ଷ୍ୟ ପୂରଣ କରିଥିଲେ । ଅସ୍ତୁ,ସଂସାରର ଲାଭ ହେଉ ଅବା ହାନୀ ଆଳସ୍ୟ ପୂଜକ ମାନଙ୍କୁ ସେଥିରୁ କଣ୍ ମିଳିବ ? ଏ ତ ସାଂସାରିକ ଲୋକଙ୍କ ସନ୍ତୋଷ ପାଇଁ କହିଦିଆଗଲା ଯେ ଦେଖ ଆଳସ୍ୟ ର ମହିମା କେତେ ନହେଲେ ଆଳସ୍ୟ ପୂଜକଙ୍କର ନିଜ କାର୍ଯ୍ୟସିଦ୍ଧିରେ ହିଁ ସୁଖ ମିଳି ଥାଏ । ଯଦି ଅଳସୁଆ ସୁଖି ହେବେ ତ ସଂସାର ସୁଖି ହେବ ।

ସେଇଥିପାଇଁ ତ କୁହାଯାଇଛି
“ଆପେ ବଞ୍ଚିଲେ ବାପର ନାଆଁ”
ସୁଖର ସଂପୂର୍ଣ୍ଣ ସିଦ୍ଧାନ୍ତ ଆପଣ ଵେଦରୁ ପାଇପାରିବେ । ସେହି ସୁଖର ଆଦର୍ଶ ହେଲା ଦରକାର ନଥିଲେ ଆଖି ପଲକ ପକେଇବା ମଧ୍ଯ ବହୁତ ବଡ଼ ପାପ । 
ଅଷ୍ଟଵକ୍ର ଗୀତାରେ କୁହାଯାଇଛି ...

“ଵ୍ୟାପାରେ ଖିଦ୍ଯତେ ଯସ୍ତୁ ନିମେଷୋଯୋରପିଃ
ତସ୍ୟାଳସ୍ୟଧୁରୀଣସ୍ୟ ସୁଖ ନାନ୍ୟସ୍ୟ କଶ୍ଚିତ୍”
(ଷୋଡ଼ଶ ପ୍ରକରଣ,ଶ୍ଲୋକ-୪)

ଅର୍ଥାତ୍ ଯେଉଁ ପୁରୁଷ ନେତ୍ରର ନିମେଷ-ଉନ୍ମେଷ ର ଵ୍ୟାପାର(ନେତ୍ର ଖୋଲିବା ବନ୍ଦ କରିବା) କୁ ହିଁ ପରିଶ୍ରମ ମନେ କରି ଦୁଃଖିତ ହୋଇଥାଏ ସେହି ପରମ ଅଳସୁଆ ନିଷ୍କ୍ରିୟ ପୁରୁଷକୁ ହିଁ ପରମ ସୁଖ ମିଳିଥାଏ,ଅନ୍ୟ କାହାକୁ ନୁହେଁ ।

ଲୋକ କୁହନ୍ତି ଏଭଳି ଆଳସ୍ୟ ସିଦ୍ଧାନ୍ତ ଯୋଗୁଁ ହିଁ ଭାରତଵର୍ଷ ର ନାଶ ହୋଇଗଲା କିନ୍ତୁ ସେମାନେ ଏକଥା ଜାଣିନାହାନ୍ତି ଯେ ଭାରତର ନାଶ ଏଇଥିପାଇଁ ହୋଇନାହିଁ କି ଏଠାରେ ଅଳସୁଆ ଓ ତତ୍ ସମ୍ଵନ୍ଧୀୟ ସିଦ୍ଧାନ୍ତ ଚଳୁଅଛି ।  ଵରଂ ଏ ଦେଶର ପରମ ଦୂର୍ଗତି ହୋଇଛି ଏହି ସବୁ ସିଦ୍ଧାନ୍ତ ଗୁଡିକର ପ୍ରଚାର ପ୍ରସାର ଅନ୍ୟ ଦେଶରେ କୁଣ୍ଠାଵଶତଃ ନକରାଯିବା ହେତୁ ....

ଚିନ୍ତାକରନ୍ତୁ ଯଦି ଏସବୁ ସିଦ୍ଧାନ୍ତ ର ପ୍ରଚାର ଆମ ପୂର୍ବଜ ଅନ୍ୟ ଦେଶ ମାନଙ୍କରେ କରିଥାଅନ୍ତେ ତାହେଲେ କ’ଣ ବାହର ଦେଶର ଲୋକ ସ୍ଵ ସ୍ଵ ଖଟ-ପଲଙ୍କରେ ଆଳସ୍ୟର ସୁଖକୁ ପରିତ୍ୟାଗ କରି ଆମ ଦେଶ ଉପରେ ଆକ୍ରମଣ କରିଥାନ୍ତେ ?

ଯଦି ହାତ ଗୋଡ଼ ନ ହଲେଇ ଵି କେବଳ ଶୋଇ ରହିବାରେ ପରମ ସୁଖ ମିଳିପାରୁଛି
ତେବେ ଏତେ କଷ୍ଟ ଉଠେଇବାର ଆଵଶ୍ୟକତା ହିଁ କ’ଣ ରହିଯାଉଛି ।

ଵିଚରା ଅର୍ଜୁନ ଠିକ୍ ହିଁ କହୁଥିଲେ ଯେ  ଯୁଦ୍ଧ ଦ୍ଵାରା ରକ୍ତ-ରଞ୍ଜିତ ରାଜ୍ଯକୁ ପ୍ରାପ୍ତ କରି ମୁଁ ଅଶ୍ରେୟଭୋଗୀ ହେଵାକୁ ଚାହେଁ ନାହିଁ।
ସେ ଵାସ୍ତଵରେ  ଆରାମରେ ଘରେ ବସିଯିଵାକୁ  ଚାହୁଁଥିଲେ, କିନ୍ତୁ ଶେଷକୁ ସେ ବି ଶ୍ରୀକୃଷ୍ଣଙ୍କ କଥାରେ ଫସିଗଲେ ଏଵଂ  'ଯଶୋ ଲଭସ୍ଵ' ଆଗରେ ହାରମାନିଵାକୁ ଵାଧ୍ୟ ହୋଇଥିଲେ ।  ଫଳ କଅଣ ହେଲା ନା ଵଂଶଟା ସମୂଳେ ନାଶ ହୋଇ ଗଲା। ଏହି ଯୁଦ୍ଧରୁ ଶ୍ରୀକୃଷ୍ଣ ଭଗଵାନଙ୍କୁ ବି କି ଫଳ ମିଳିଲା ? ତାଙ୍କ ବଂଶର ବି ପରଵର୍ତ୍ତୀ  ପରଵର୍ତ୍ତୀ ଗୃହଯୁଦ୍ଧରେ ନାଶ ହୋଇଯାଇଥିଲା ।

ମହାଭାରତରେ କୁହାଯାଇଛି–

“ଦୁଃଖାଦୁଦ୍ଵିଜତେ ସର୍ଵଃ ସୁଖଂ ସର୍ଵସ୍ଯ ଚେପ୍ସିତମ୍।”

ଅର୍ଥାତ ଦୁଃଖଠୁଁ ସଭିଏଁ ଦୂରକୁ ଯିଵାକୁ ଚାହିଁଯାନ୍ତି ଏଵଂ ସୁଖ ସମସ୍ତଙ୍କୁ ଲୋଡ଼ା ପଡ଼ିଥାଏ ।  ଆମେ ବି ଏହି ସ୍ଵାଭାଵିକ ନିୟମର ପାଳନ କରୁଅଛୁ । ଏହ ସିଦ୍ଧାନ୍ତଗୁଡି଼କରୁ ଆପଣ ବୁଝିସାରିଥିଵେ ଯେ ସଂସାରରେ  ଆଳସ୍ଯ ମହତ୍ତ୍ଵ କେତେ ।  ଏଥିରୁ ସଂସାରର କ'ଣ ଵା ହାନି ହେଵାର ଅଛି ?

ପୂର୍ଣତଃ ସଫଳ ହେଲି ନାହିଁ, ଏଥିରେ ମୋର କିଛି ବି ଦୋଷ ନହିଁ । ଏଥିପାଇଁ ସଂସାର ହିଁ ଦାୟୀ; କାହିଁକି ନା ଏହି ସିଦ୍ଧାନ୍ତଗୁଡି଼କ ହେତୁ ସଂସାର ଏଵେ ବି ପରିପକ୍ଵ ହୋଇନାହିଁ।

ଅସ୍ତୁ, ଵର୍ତ୍ତମାନ ଅଵସ୍ଥାରେ ବିନା ଉଦ୍ଯୋଗରେ ବି ବହୁତ  ସୁଖ ମିଳି ପାରଇ । ତେଵେ ଉଦ୍ଯୋଗ କରି  ସୁଖ ପ୍ରାପ୍ତ କରିନେଲେ ତ କୋଉ ବଡ଼ କାମଟେ କରିପକାଇଲେ କି ?

ଧନ୍ଯ  ତିବ୍ବତର ଲୋକେ, ତାଙ୍କୁ  ସ୍ନାହାନ କରିଵାର କଷ୍ଟ ବି କରିଵାକୁ  ପଡ଼ିନଥାଏ ।  କେଜାଣି କାହିଁକି ଈଶ୍ଵର ମୋହର ଜନ୍ମ ସେଠାରେ କରେଇ ନାହାନ୍ତି ?

ତିବ୍ବତର ପ୍ରାଚୀନ ନାମ ତ୍ରିଵିଷ୍ଟପ ଥିଲା। ବୋଧହୁଏ ଏହି ସୁଖ ଯୋଗୁଁ ସେ ସ୍ଥାନ ବୈକୁଣ୍ଠ ବୋଲାଏ । ବୈକୁଣ୍ଠଧାମ ପ୍ରାପ୍ତ କରିଵାକୁ ଲୋକେ ଏତେ କାହିଁକି ଇଛା କରନ୍ତି, କାରଣ ସେଠି  ଆଲସ୍ଯ-ଧର୍ମର ପୂର୍ଣତଃ ପାଳନ ହୋଇପାରେ ।

ସେଠାରେ କୌଣସି କୃଷ୍ଟି କରିଵାକୁ ପଡ଼େ ନାହିଁ । କାମଧେନୁ ଓ କଳ୍ପଵୃକ୍ଷକୁ ଈଶ୍ଵର  ଆମପାଇଁ ହିଁ ସୃଷ୍ଟି କରିଅଛନ୍ତି । ଆଜିକାଲିର କଳିଯୁଗରଜ ଆହୁରି ସୁଵିଧା ହୋଇ ଗଲାଣି । ଏଵେ ସ୍ଵର୍ଗ ଯାଏଁ ଯିଵାକୁ କଷ୍ଟ କରିଵାର ମଧ୍ୟ ଆଵଶ୍ଯକତା ରହିଯାଇନାହିଁ।
କଳ୍ପଵୃକ୍ଷ ବିଜୁଲିର ବୋତାମ ରୂପରେ
ମହୀତଳେ  ଅଵତରିତ ହୋଇଯାଇଛି । ବୋତାମ ଟିପିଲେ  ପଙ୍ଖା ଚଳିଵାକୁ ଲାଗେ, ଝାଡ଼ୁ ବି ଆପଣାଛାଏଁ ଲାଗିଯିଵାର ଯନ୍ତ୍ର ଆସିଗଲାଣି, ଏମିତି କି ରନ୍ଧାଖାଦ୍ଯ ମଧ୍ଯ ଯେଵେ ଇଛା କର ହାତପାହାନ୍ତାରେ ମିଳିଯାଉଛି ।

ବିନା ପରିଶ୍ରମରେ ଚାରି ପାଞ୍ଚ ମହଲା ଉପରକୁ ଲିଫ୍ଟରେ ପହଞ୍ଚି ପାରୁଛନ୍ତି । ଏ ସବୁ ଆଲସ୍ଯର  ଆଵଶ୍ଯକତାକୁ ହିଁ ପୂର୍ଣ୍ଣ କରିଵା ହେତୁରୁ ସଂସାରରେ ଉନ୍ନତିର କ୍ରମ ଚଳୁଅଛି । ତେଣୁ ଏହି ଵାସ୍ତୁଵାଦୀ
ଉନ୍ନତିର ଗୌରଵ ଗାଉଥିଵା ଲୋକଙ୍କୁ
ଆମ୍ଭ ଅଳସୁଆଙ୍କ ପ୍ରତି କୃତଜ୍ଞ ହେଵାକଥା ।

ପ୍ରୋକ୍ତ କଥନରୁ ଏହା ହିଁ ପ୍ରମାଣିତ ହେଉଛି ଯେ ସଂସାରରେ ଆଳସ୍ଯର କେତେ ବଡ଼ ମହତ୍ତ୍ଵ ରହିଛି ।

“କର ଏତେ ଅଳସ ଯେ
ଆଳସ୍ୟକୁ ଵି ଅଳସ ଲାଗୁ ।

ନ ଦିଅ ଦେହକୁ କଷ୍ଟ ଯେ
ଶରୀର ଏ ପୀଡା଼ ଭୋଗୁ ।।

କାଇଲା ହେବ କି ଦିନ ରାତି
ଗୋଧ ପରି ଖଟି ଖଟି ।

ଏତେ ଦୌଡ଼ି କି ଲାଭ ଯଦି
ସୁଖେ କାଳ ନପାରେ କଟି ।।

ଶୋଇଲା ଲୋକ କୁ ଉଠେଇ
କିମ୍ପା କର ତାଙ୍କୁ ହଇରାଣ ।

ଶୋଇଥାଏ ବାବୁ ହେ
ସ୍ଵପ୍ନ ଦେଖୁଥାଉ ତା'ର ମନ ।।

ଆଜି ସ୍ଵପ୍ନ ଦେଖିଥିଲେ
କାଲି ତା’ ସତ କରିବାକୁ ଲାଗିବ ।

ତେବେ ଯାଇ ଦେଶ ମୋର ତୋର
ଵିକାଶିତ ହୋଇ ପାରିବ ।।

ଶୋଇଲା ଲୋକ ନୁହଁଇ ଅଳସୁଆ
କର ନାହିଁ ଏତେ ନିନ୍ଦା ।

ଯୋଗ ମଧ୍ୟେଁ ଶ୍ରେଷ୍ଠ ଅଟେ
ଜଗତରେ ଏକା ନିଦ୍ରା ।।

ଶୋଉଛନ୍ତି ସର୍ଵ ଜୀବ
ଯାଗେ ନା କେ ସଦା ବେଳେ ।

କର୍ମ ବେଳେ କର୍ମ କରି
ଶୋଇ ଯାଆନ୍ତି ରାତ୍ରି କାଳେ ।।

ତୁମ୍ଭେ କିମ୍ପା ଦିନ ରାତି
ଖଟ ଏତେ ମୂଢ଼ ବୁଦ୍ଧି କରି ।

ଶୋଇବାକୁ ଦେଇଛି ପିଠି ପରା
ତୋତେ ଏକା ନରହରି ।।

ଦେଖ ଦେଖ ଜଗତରେ
ଯେତେ ଜୀବଙ୍କ ଶୟନକୁ ଥରେ ।

ପଶୁପକ୍ଷୀ ପ୍ରାୟ ଶୋଇ ଥାନ୍ତି
ଆପଣାର ପେଟ ବଳେ ।।

ଆଳସ୍ୟ ପୂଜକେ କିମ୍ପାଇଁ
ଅସୂୟା ତେବେ ଶୟନକୁ ।

ଧନ୍ୟବାଦ ଦେଇ ଝଟ୍ ଶୁଅ ସବୁ
ସେଇ ଚକାନୟନକୁ ।।”

(ପ୍ରଶିଦ୍ଧ  ହିନ୍ଦୀ ଵ୍ଯଙ୍ଗକାର “ଗୁଲାବ ରାୟ”ଙ୍କ  ଵ୍ଯଙ୍ଗ “ଆଲସ୍ଯ ଭକ୍ତ” ର ଓଡ଼ିଆ ଭାଵାନୁଵାଦ । ଉକ୍ତ ଵ୍ଯଙ୍ଗ୍ଯର ଭାଵାର୍ଥ ପଦ୍ଯରୂପେ ତଳେ ଦିଆଯାଇଛି )