मंगलवार, 31 मार्च 2020

◆◆ଶୌଚାଳୟ ଓ କ୍ରାନ୍ତି◆◆

ଭାରତ ନୂଆ ନୂଆ ସ୍ଵାଧୀନ ହୋଇଥାଏ । ସେଦିନିଆ ଏକ ବିଶ୍ବବିଦ୍ୟାଳୟର ଛାତ୍ର ତାଙ୍କ ପାଇଁ ଗୋଟିଏ ଶୌଚାଳୟ ନିର୍ମାଣ ହେତୁରୁ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କଲେ ।
ମନ୍ତ୍ରିମଣ୍ଡଳର ଏକ ବୈଠକରେ ଶିକ୍ଷା ମନ୍ତ୍ରୀ ଉକ୍ତ ପତ୍ର ପାଠ କଲା ଉତ୍ତାରୁ କହିଲେ-
“ଛାତ୍ରମାନଙ୍କ ମଧ୍ୟରେ ଏଭଳି ଅନୁଶାସନହୀନତା ମୁଁ ଆଜିଯାଏଁ ଦେଖିନଥିଲି । ଆହା ! ଏ ପିଢି କେତେ ନିର୍ଲଜ ନୁହେଁ ସତେ !  ନିଜ ବୟସ୍କଙ୍କ ସହିତ ମଳମୂତ୍ରାଦି ବାବଦରେ କଥା ହେବାକୁ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି”

ଜଣେ ମନ୍ତ୍ରୀ କହିଲେ

“ସେହି ଟୋକା ଗୁଡାକୁ ଵିରୋଧୀ ଦଳର ଲୋକ ଏତକ କରେଇବାକୁ ସିଖେଇଛନ୍ତି । ମୋ ପାଖରେ ତାହାର ରିପୋର୍ଟ ଅଛି । ମୁଁ ଜାଣିଛି ଯେ ଵିରୋଧୀ ଦଳର ଲୋକ ଏହିଭଳି ତରୁଣ ମାନଙ୍କୁ କ୍ରାନ୍ତି ନାମରେ ଉସୁକାଉଛନ୍ତି । ମଦି ଏଗୁଡା଼କୁ ଶିଘ୍ର ରୋକା ନଯାଏ ତେବେ ଏମାନେ ଆମ୍ଭମାନଙ୍କର ସୁବକଥାରେ ଲଘୁଶଙ୍କା ଓ ଶୌଚ କରିବାକୁ ଦୌଡ଼ିବେ !”

ତା’ ଶୁଣି ଗୃହମନ୍ତ୍ରୀ କହିଲେ,
“ଏହି ମାମଲାଟା ଆଇନ କାନୁନ ଓ ବ୍ୟବସ୍ଥା ସମ୍ଵନ୍ଧୀତ ତେବେ ସରକାର
ଙ୍କର କାର୍ଯ୍ୟ ଶୌଚାଳୟ ତିଆରି କରିବା କଦାପି ହୋଇନପାରେ,ଆଇନ ଵ୍ୟଵସ୍ଥା ତଦାରଖ କରିବା ହେଉଛି ସରକାର ର ପ୍ରକୃତ ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ”

ତହୁଁ ପ୍ରଧାନମନ୍ତ୍ରୀ କହିଲେ
‘ଶୌଚାଳୟ ହେବ କି ନାହିଁ ସେ ତ ପର କଥା ପ୍ରକୃତରେ ସେ କଲେଜରେ ଵିଗତ ପଇଁତିରିଶି ବର୍ଷ ହେବ ଶୌଚାଳୟ ଟେ ଗଢା ହେଇନି । ଏବେ ହଟାତ୍ ସେଠି ଗୋଟାଏ ଶୌଚାଳୟ କରିଦେବା ଟା ପୁରା କ୍ରାନ୍ତିକାରୀ କଥା ହେଇଯିବ ।  କଣ୍ ଆମେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି କି ? ସତ କହିବାକୁ ଗଲେ ଆମେ ଧୀରେ ଧୀରେ ହେଉଥିବା ଵିକାଶରେ ଵିଶ୍ଵାସ କରନ୍ତି କ୍ରାନ୍ତି ରେ ନୁହେଁ ! ଯଦି ଆମେ ଏଭଳି କ୍ରାନ୍ତିକାରୀ ପ୍ରଦକ୍ଷେପ ଉଠାଇବା ତେବେ ଦେଶ ଵିଦେଶରେ ଆମ ସରକାରର ଯେଉଁ ଛବି ପ୍ରଚାରିତ ହେବ ତାହାର ଵ୍ୟାପକ ରାଜନୈତିକ ପରିଣାମ ଭୋଗ କରିବାକୁ ପଡି଼ପାରେ ।  ମୁଁ ଭାବୁଛି, ସରକାର ନିଜକୁ ଏବେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବା ହେତୁରୁ ଅସମର୍ଥ ମଣୁଅଛି”

ସରକାରଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇଲାପରେ ଛାତ୍ର ମାନେ ଧୈର୍ଯ୍ୟହରା ହେଇଗଲେ । ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଦେଲେ । ତହୁଁ ଅନ୍ୟ କଲେଜର ଛାତ୍ର ମାନଙ୍କ ପାଖକୁ ଶଙ୍ଖା-ଚୁଡି଼ ସହ ଲେଖିକି ପଠେଇ ଦେଲେ―
‘ଆନ୍ଦୋଳନ କର ନହେଲେ *ମଧୁରୀ* ପରି ଏତକ ପିନ୍ଧି ଘରେ ବସିଯାଅ !’
ଶଙ୍ଖା―ଚୁଡି଼ ର ବାଡ଼ବାଗ୍ନି ଛାତ୍ର ସମାଜ ମଧ୍ୟରେ  ବ୍ୟାପିଗଲା । ଫଳରେ ଦେଶର ସ୍ଥାନେ ସ୍ଥାନେ ଆନ୍ଦୋଳନ ଆରମ୍ଭ ହେଇଗଲା ।
ଏଠିକା ଲୋକେ ଅକାଳ କହିବାକୁ ସେତିକି ଉତ୍ସୁକ ନୁହନ୍ତି ଯେତିକି ଆଗ୍ରହୀ ସେମାନେ ନରତା ପ୍ରମାଣିତ କରିବାରେ ଲାଗି ଥାଆନ୍ତି ।  ଏଠି ଯଦି କିଏ କହେ ନିଜ ମୁଣ୍ଡକୁ ଜୋତାରେ ପିଟ ନହେଲେ ଏଇ କାଚ ଚୁଡି଼ ପିନ୍ଧ ତ ଲୋକେ ଚୁଡି଼ ର ଭୟରେ ଜୋତା ମାଡ଼ ଖାଇବା ଶ୍ରେୟସ୍କର ମଣନ୍ତି ।

ଲୋକମାନେ ଅନେକ ଛାତ୍ରଙ୍କୁ ପଚାରୁଥାନ୍ତି
“ହଇରେ ବାଳୁଙ୍ଗା ଦଳ ! ଏତେ ହୋହାଲ୍ଲା କିସ ନାଗି କରୁଚ କିରେ ?”
ଅଧିକାଂଶଙ୍କ ଠାରୁ ପ୍ରାୟ ଏଇ ଏକା ଉତ୍ତର ମିଳୁଥିଲା
“ସେ ବିଷୟରେ ସେମିତି କିଛି ଜାଣି ନାହୁଁ,ଆମକୁ ଶଙ୍ଖା-ଚୁଡି଼ ମିଳିଯାଇଥିଲା ସେଥିରଲାଗି ଆନ୍ଦୋଳନ କରୁଚୁ ନା ଆଉ”

କିନ୍ତୁ ରାଜଧାନୀର ଵିଦେଶୀ ଦୂତାଵାସ ଓ ସାମ୍ବାଦିକ ଆଶ୍ଚର୍ଯ୍ୟ ଚକିତ ପୂର୍ଵକ ଏସବୁ ଘଟଣା ଉପରେ ନିଘା ରଖିଥାନ୍ତି । ଵିଶ୍ଵର ବଡ଼ ବଡ଼ ସମ୍ଵାଦପତ୍ରରେ ଏବେ ପ୍ରତ୍ୟେକ ଦିନ ଏ ଦେଶର କ୍ରାନ୍ତି କଥା ହିଁ ଛପୁଅଛି ।
ବିବିସି ରେଡ଼ିଓର ଲୋକେ ମାଇକ ଧରି
ଖାଆସେ ରିପୋର୍ଟ ତିଆରି କରିବାରେ ବ୍ୟସ୍ତ
ରେଡ଼ିଓ ରୁ ସଦାବେଳେ ତାଙ୍କର ଚିରାଚରିତ ଢଙ୍ଗରେ  ରିପୋର୍ଟ ଶୁଣିବାକୁ ମିଳିଯାଏ
‛ହେଇ ଦେଖ ଏ ଦେଶର କି ଅଵସ୍ଥା ହେଲାଣି ? ଚାରିଆଡେ ଖାଲି ବିଦ୍ରୋହ ! କ୍ରାନ୍ତି ଆଉ ଗଣ ଆନ୍ଦୋଳନ ହେଉଛି !’ ଇତ୍ୟାଦି ଇତ୍ୟାଦି....

ତାପରେ ଦେଶରେ
ଦିନା କେତେ ଭୀଷଣ ଲାଠିଚାର୍ଜ ଓ ଫାୟରିଙ୍ଗ ହେଲା,ଗୁଡାଏ ଲୋକ ଆହତ ଏବଂ ନିହତ ମଧ୍ଯ ହେଲେ । ବିଦେଶୀ ସାମ୍ବାଦିକ ମନ୍ତ୍ରମୁଗ୍ଧ ପରି ଦେଶଯାକରେ ବୁଲୁଥାନ୍ତି । ସେମାନେ ସଙ୍ଘର୍ଷ ସମିତିର ପ୍ରତିନିଧି ସହିତ ସାକ୍ଷାତ କଲେ । ଜଣେ ସାମ୍ବାଦିକ କହିଲା,
“ଆପଣଙ୍କ ଦେଶବ୍ୟାପୀ ବିଦ୍ରୋହ ଦେଖି ଆମ୍ଭେମାନେ ଏବଂ ଏମିତି କି ସାରା ଵିଶ୍ଵ ମଧ୍ଯ ଚକିତ ହୋଇଯାଇଛି । ଆନ୍ଦୋଳନ ର ଵ୍ୟାପକତାକୁ ଦେଖି ଲାଗୁଚି ଆପଣମାନ ଦେଶକୁ ବଦଳେଇବା ହେତୁରୁ ଲଢୁଅଛନ୍ତି । ଆପଣଙ୍କ ସଂଗଠନର ‛ମେନିଫେଷ୍ଟୋ’ ତ ଦିଅନ୍ତୁ ଆଉ ଆମକୁ କୁହନ୍ତୁ ଯେ ଏ ଦେଶର ଵର୍ତ୍ତମାନ ସାମାଜିକ-ଆର୍ଥିକ ଅବସ୍ଥାରେ ଆପଣ ମାନେ କି କି ମହତ୍ତ୍ୱପୂର୍ଣ୍ଣ ପରଵର୍ତ୍ତନ ଚାହୁଁଅଛନ୍ତି ?”

ଛାତ୍ର ନେତା ଉତ୍ତର ରଖିଲେ–
“ଆମକୁ ଏବେ କେଵଳ ଗୋଟାଏ ଶୌଚାଳୟ ଆବଶ୍ୟକ ଲୋଡା଼ ପଡି଼ଛି !”

  *(ମଧୁରୀ=ମାଇଚିଆ)
【ଦ୍ର:-ଵ୍ୟଙ୍ଗ ସମ୍ରାଟ ଶ୍ରୀहरिशंकर परसाईଙ୍କର
#लघुशंका_गृह_और_क्रांति ଵ୍ୟଙ୍ଗକଥାର ଭାଵାନୁଵାଦ】

ଜାତୀୟପତାକା ନମୋ ନମୋ

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

କରରେ ନେଇ ଵୀର–ଵୀରା
କୋଟି କୋଟି ଭାରତ ସନ୍ତାନ ।

ହସି ହସି ମାତୃଭୂମି ଚରଣେ
ଦିଅନ୍ତି ଜୀବନ ବଳିଦାନ ।।

ହେଉ ଘୋଷିତ ନିର୍ଭୀକ ଵିଶ୍ଵରେ
ତରଳ ତିରଙ୍ଗା ନଵଲ ନିଶାଣ ।

ଵୀରର ହୃଦୟ ଚହଲି ଉଠୁ
ଜିତୁ କ୍ଷଣକେ ମଇଦାନ ।

ହେଉ ଶିରା ପ୍ରଶିରେ ବ୍ୟାପ୍ତ ଚରିତ୍ର
ଵୀରା ଶିବାଙ୍କ ନମୋ ନମୋ ।

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଉଚ୍ଚ ହିମାଳୟର ଉର୍ଦ୍ଧ୍ଵ ଦେଶରେ
ଯାଇ ତିରଙ୍ଗାକୁ ଉଡାଇବା ।

ଵିଶ୍ଵ―ଵିଜୟିନୀ ରାଷ୍ଟ୍ର―ପତାକାର
ଗୌରବ ଆମେ ବଢାଇବା ।

ସମରାଙ୍ଗଣେ ପୁତା ପୁତ୍ରୀ
ସର୍ବେ ଲଢିବାକୁ ବଢିଯିବା  ।

ଉଚ୍ଚରେ ଉଡୁଥିବ ଫର୍ ଫର୍
ପତାକା ନୁଆଇଁବାକୁ ନଦେବା ।

ଝଙ୍କୃତ ସ୍ଵର ସଂସାର ସିନ୍ଧୁରେ
ସ୍ଵାଧୀନତାର ନମୋ ନମୋ ।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

(ମୂଳ ରଚନା―श्यामलाल गुप्त पार्षद)

ଉଠ ଧରାର ଅମର ସପୁତ

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।

ଜନ-ଜନର ଜୀବନେ ପୁଣ
ନଵ ସ୍ଫୁର୍ତ୍ତି, ନଵ ପ୍ରାଣ ଭର ।

ନୂଆ ପ୍ରାତଃ ୟେ ନୂଆ କଥା
ନଵ କିରଣ ଏ ଜ୍ୟୋତି ନୂଆ ।

ନଵ ଉନ୍ମାଦେ,ନଵ ତରଙ୍ଗେ
ନଵ ଆଶା ଅଛି ଶ୍ଵାସ ନୂଆ ।

ଯୁଗ–ଯୁଗରୁ ମୁକୁଳା ପୁଷ୍ପେ
ନଵ–ନୂଆ ହାସ୍ୟରସ ଭର ।

ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।1।।

ଡାଳେ-ଡାଳେ ବସି ବିହଗ
ନଵ ତାନରେ ଗାଉଛନ୍ତି ।

ଗୁଣୁ-ଗୁଣୁ,ଗୁଣୁ-ଗୁଣୁ କରି
ଭ୍ରମର ସୁଖରେ ଉଡୁ଼ଛନ୍ତି ।

ନଵଯୁଗର ନୂତନ ଵୀଣାରେ
ନୂଆ ରାଗ,ନଵ ଗାନ ଭର ।

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।2।।

କଳିକା ଯେତେ ହସୁଛନ୍ତି ସର୍ଵ
ଫୁଲସବୁ ନାଚୁଅଛନ୍ତି
ପୃଥିବୀ ମାତା ନଵପଲ୍ଲଵେ
ନଵ କାୟା ଲଭି ଅଛନ୍ତି ।

ନୂତନ ମଙ୍ଗଳମୟ ଧ୍ଵନିର
ଝଙ୍କୃତ ଜଗ-ଉଦ୍ୟାନ କର ।
ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।3।।

ସରସ୍ଵତୀ ର ପାଵନ ମନ୍ଦିର
ଶୁଭ ସମ୍ପତ୍ତି ତୁମରି
ତୁମେ ମାନେ ସର୍ବେ ତାହାର
ରକ୍ଷକ ଓ ପୂଜାରୀ ।

ଶତ-ଶତ ଦୀପ ଜାଳି ଜ୍ଞାନର
ନଵଯୁଗର ଆହ୍ଵାନ କର ।
ଉଠ,ଧରା ର ଅମର ସପୁତ ।
ପୁନଃ ନଵ ନିର୍ମାଣ କର ।4।।

ମୂଳ ରଚନା-द्वारिका प्रसाद माहेश्वरी

ଦେଶର ମାଟି ଦେଶର ଜଳ

ଦେଶର ମାଟି ଦେଶର ଜଳ
ଦେଶର ବାୟୁ ଦେଶର ଫଳ
ସରସ ହୁଅନ୍ତୁ ପ୍ରଭୁ ସରସ ହୁଅନ୍ତୁ ।।

ଦେଶର ଘର ଓ ଦେଶର ଘାଟ
ଦେଶର ବନ ଓ ଦେଶର ବାଟ
ସରଳ ହୁଅନ୍ତୁ ପ୍ରଭୁ ସରଳ ହୁଅନ୍ତୁ ।।

ଦେଶର ତନ ଓ ଦେଶର ମନ
ଭାତୃ-ଭଗିନୀ ଓ ଆନ  ଜନ
ବିମଳ ହୁଅନ୍ତୁ ପ୍ରଭୁ ବିମଳ ହୁଅନ୍ତୁ ।।

ମୂଳରଚନା-ଵିଶ୍ଵକବି ରବିନ୍ଦ୍ରନାଥ ଠାକୁର

କିଏ ଅପରାଧୀ

ଯାହା ହେଉ ପଛେ ଧର୍ମ  ଯାହାର
ହୋଇଥାଅ ଯିଏ ଯୋଉ ମଦଵାଦୀ ।

ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ
ତେବେ ସିଏ ଜଣେ ଅପରାଧୀ ।

ଯାହାର ଅନ୍ନ-ଜଳର ଋଣଭାର
ଆମ୍ଭ ଶରୀର ପରେ ରହିଛି ରହିବ !

ଯା’ ପଵନେ ଶ୍ଵାସ ନେଉ ବୋଲି
ଜୀବନ ଆମ ବଞ୍ଚିରହିଛି ରହିବ ।

ତାହାରି ମାଟିରେ ଖେଳିଅଛୁ
କେତେ କଥା ପୁଣ ଶିଖିଛେ ଶିଖିବା ।

ତା ପାଇଁ ଯଦି  ନ ବୁହାଉ ଲହୁକୁ
ଜଗତେ ଉଚ୍ଚ ନା ହେଇଚେ ହୋଇବା ।

ଲାଭ ନାହିଁ ଯେତେ ଧନ ମାନ ଥାଇ
ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।

ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି
ଯଦି ଆନକୁ ଯାତନା ଦେଇ କି ଅର୍ଜ ।

ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ
ସେଭଳି ଜୀବନ ଜାତୀୟତା ହୀନ ।

ନୁହେଁ ଦେଶଭକ୍ତ ସେ କେବଳ ଜୀବ
ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।

ହୋଇ ଥାଇ ପାରେ ସେ ଜଣେ
ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ  !

ଜୀବନ ଉତ୍ସର୍ଗ ନୁହେଁ ଦେଶହିତେ ଯଦି
ତେବେ ସିଏ ଅପରାଧୀ ।

उदयप्रताप सिंहଙ୍କର ଏକ ଦେଶାତ୍ମବୋଧକ କବିତା ଅନୁକରଣରେ.....

ସାର୍କ ଓ ଅମଲା

ଗୋଟେ ସାର୍କ ମାଛ 🐠 ସମୁଦ୍ର କୂଳରେ ବୁଲୁଥାଏ । ସାର୍କ ମାଛ ନିଜର ଘାତକ ଶିକାରଗୁଣ ଯୋଗୁଁ ଵିଶ୍ଵଵିଦିତ । ପାଖରେ ଗୋଟାଏ ରାଜକର୍ମଚାରୀ 👳(ଅମଲା/ଵ୍ୟୁରୋକ୍ରେଟ୍) ବୁଲୁଥିଲା । ସାର୍କ ଓ ରାଜକର୍ମଚାରୀ ପରସ୍ପର ମଧ୍ୟରେ ଵାର୍ତ୍ତାଳାପ କରିବାକୁ ଲାଗିଲେ ।

👳–ସାର୍କ ବାବୁ !  ସବୁ ଭଲ ତ ?
🐠–ଆଜ୍ଞା ! ଆପଣଙ୍କ ସୁଦୟାରୁ ଉଷତେ ଅଛି !
👳–ଆଛା ସାର୍କ ତମର କାର୍ଯ୍ୟପନ୍ଥା କିଭଳି ?
🐠–ମୋର ସବୁ କାର୍ଯ୍ୟ ଭିତରିଆ ହୁଏ ଆଜ୍ଞା  !
👳–ମୁଁ ମଧ୍ଯ ସବୁ ଭିତରିଆ କାମ କରେ !
👳–ସାର୍କ ତୁମ କାର୍ଯ୍ୟ ପ୍ରଣାଳୀ ବିଷୟରେ ଆଉଟିକିଏ ଖୋଲିକି କୁହ
🐠–ମୁଁ ଲୋକତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରିଥାଏ । ଛୋଟ ମାଛ ମାନଙ୍କୁ କୁହେ ଆମ୍ଭେମାନେ ରୂପ,ଵର୍ଣ୍ଣ, ଆକାର, ବୟସ ଓ ଜାତି ନିର୍ଵିଶେଷରେ ସମସ୍ତେ ସମାନ ଅଧିକାରଯୁକ୍ତ ଅଟନ୍ତି । ମୁଁ ସେମାନଙ୍କୁ ତମେ ମତେ ଖାଅ ବୋଲି କହେ । ସେମାନେ ମୋତେ ଖାଇ ପାରନ୍ତି ନାହିଁ ଠିକ୍ ସେତିକି ବେଳେ ମୁଁ ମୋତେ ମିଳିଥିବା ଅଧିକାର ପ୍ରୟୋଗ କରି ସେମାନଙ୍କୁ ଖାଇଯାଏ ।
👳–ଠିକ୍ ଠିକ୍ ! ମୁଁ ଵି ସେଇମିତି କରେ....
🐠–ହେଉ ମୁଁ ଏବେ ପାଣି ଭିତରକୁ ଚାଲିଲି ଆଜ୍ଞା....🙏

ତହୁଁ ଦିହେଁ ଦିହିଁଙ୍କ ଠାରୁ ଵିଦାୟ ନେଇ ଯିଏ ଯେଝା ବାଟରେ ଚାଲିଗଲେ ...
🚶🚶🚶🚶🚶🏃

କିଛି ସମୟପରେ ରାଜକର୍ମଚାରୀ ଟା ଲେଉଟି ଆସି ପାଣି କି ଡେଇଁ ପଡି଼ଲା
ପାଣିରୁ ପଦାକୁ ବାହାରିଲା ବେଳକୁ
ତା ପାଟିରେ ଅଧାଗିଳା ସାର୍କ ମାଛଟା ଥିଲା.....
🐙😕😬😬😬😬

★ଦ୍ର★ଅମଲା,ରାଜକର୍ମଚାରୀ ଵା ଵ୍ୟୁରୋକ୍ରେଟ୍ ନାମକ ପ୍ରାଣୀଟା କେତେ ମାତ୍ରାରେ ଭୟାନକ ତାହା ଏହି ଛୋଟ କାହାଣୀ ମାଧ୍ୟମରେ ଉପସ୍ଥାପିତ କରାଗଲା । ଏହି କାହାଣୀଟି ଏକ ୟୁରୋପୀୟ କ୍ଷୁଦ୍ରଗଳ୍ପ ର ସାରାଂଶ ଆଧାରରେ ରଚିତ ହୋଇଅଛି★■★

शनिवार, 14 मार्च 2020

ଖିର ର ପଇସା ଖିରରେ ପାଣିର ପଇସା ପାଣିରେ

ଗୁଟେ ଦେଶରେ ଗୁଟେ ଗୁଲାଟେ ଗୁଲୁଣିଟେ ଥିଲେ ।  ନିଇତି ଖିର ବିକୁଥିଲେ । କା’କୁ ଖିର ବିକିଲେ ଅଧେ ପାଣି ଅଧେ ଖିର ଦେବାର  । ଗୁଟେ ଦିନ ହାଟ ହେବ । ଗୁଲାର ହାଟରେ ଖିର ବିକିବା ପଇସାଆକ ଛ’ଶ ଟଙ୍କା ହବ । ସିଟା ଧରିକି ଯାଉଥିବ  । ଯାଉ ଯାଉ ରାତି ପାଇଯିବ । ରାତି ପାଇଲେ ସିୟେ ଗୁଟେ ଗଛମୂଳକୁ ଯାଇ  ସିଠି ଛ’ଶ ଟଙ୍କା ରଖିକରି ବନ୍ଧଗାଟୁ ପାଖକୁ ଦାନ୍ତ ଘଷିବାକୁ ଆଇବ । ତା'ପରେ ଗାଧୋଇବାକୁ ଯିବ । ସିୟେ ଗାଧୋଇକି ଆସିଲା ଭିତରେ,ଗୁଟେ କୋତି ଆସିକି,ସେ ପଇସା ଧରିକି ଗଛ ଉପରକୁ ଭାରି ଗଲା । ତାଇଁରୁ ଗୁଟେ ଟଙ୍କାଟି କାଡି଼କିରି ଡୁବେଇ ଦେଖି,ଗୁଟେ ଢେପ ଉପରେ,ଗୁଟେ ପାଣିରେ ସିନ୍ତିକରି ସବୁ ଟଙ୍କାଆକ ପକେଇଦେଲା । ଢେପର ତିନିଶ ଟଙ୍କା ଧରି ସିଏ ଦୁକରେ ଘରକୁ ଆଇଲା । ଖିରର ପଇସା ଖିରରେ ପାଣିର ପଇସା ପାଣିରେ ହେଲା ।

(ଦକ୍ଷିଣ ଓଡ଼ିଆ ଶୈଳୀରେ କାହାଣୀଟିଏ
ଏହା “ଦକ୍ଷିଣ ଓଡ଼ିଶାର କଥିତ ଭାଷା”ପୁସ୍ତକରୁ ନିଆଯାଇଛି । ) 

                   -:ଶବ୍ଦାର୍ଥ:-
ଗୁଲା=ଛେଳୀ ମେଣ୍ଢା ଜଗିବା ଜାତି ଵିଶେଷ
କୋତି-ମାଙ୍କଡ(ତା:-କରଙ୍ଗୁ ଓଡ଼ିଆ=କୋଦା,କୁଦା,ଗୋଦା)

बुधवार, 11 मार्च 2020

ଯୌଵନେ ମର୍କଟୀ ରମ୍ଯାଃ

ଯୌଵନେ ମର୍କଟୀ ରମ୍ଯାଃ ବୋଲି ଶାସ୍ତ୍ରରେ କୁହାଯାଇଛି 🤓 ଅର୍ଥାତ୍ ଯୁଵାକାଳରେ ମର୍କଟୀ ମଧ୍ୟ ସୁନ୍ଦରୀ ଦିଶେ ତେଵେ ଏ ସୌନ୍ଦର୍ଯ୍ୟ ଵାହ୍ଯ ସୌନ୍ଦର୍ଯ୍ୟ ଅଟଇ ।

ଜଗତଯାକରେ ଯେତେ ପ୍ରକୃତ ମଣିଷ ଅଛନ୍ତି ସେମାନେ ଆଭ୍ଯନ୍ତରୀଣ ସୌନ୍ଦର୍ଯ୍ୟ ଦେଖିଵେ ଆଉ ଯୋଉ ମର୍କଟମାନେ ମନୁଷ୍ୟ ହୋଇ ଜନମିଛନ୍ତି ସେମାନେ ସବୁ ମାନଵୀମାନଙ୍କୁ ମର୍କଟୀ ଵିଚାର କରି ତାଙ୍କ ଵାହ୍ଯ ସୌନ୍ଦର୍ଯ୍ୟରେ ହିଁ ଭୋଳ ହେଉଥିଵେ ।

ଏ ଵିଷୟରେ ଗୋଟିଏ କଥା ମନେପଡୁଛି...

ଦୁଇଜଣ ବଙ୍ଗାଳୀ ସାଙ୍ଗଙ୍କ ସହ ପାଞ୍ଚ ଵର୍ଷ ତଳେ ରହୁଥିଲି । ଆଜିକାଲିକା ଟୋକା ଜାଣିଶୁଣି ଇଆଡେ଼ ସିଆଡେ଼  ଫୋନ୍ ଲଗାନ୍ତି । ଦିନେ କୁଶ୍ ମଲ୍ଲିକ ବୋଲି ଗୋଟିଏ ବଙ୍ଗାଳୀ ଟୋକାର ଫୋନ୍ ରାୟଗଡ଼ ଜିଲ୍ଲା(ଓଡ଼ିଶା) ଆଡେ଼ ଲାଗିଯାଇଥିଲା ।

ଫୋନଟା ଜଣେ ଝିଅ ଉଠେଇଲା  ଆଉ ଏ ଅଭଦ୍ରକୁ ଓଡ଼ିଆ ଭାଷାରେ ଗାଳି ବସେଇ ଦେଲା 😜😜😜
ଯଥା― ଯୋଗଣିଖିଆ,ବଡ଼ରୋଗିଆ,କୁଷ୍ଟରୋଗିଆ,ବାଡି଼ପଡା଼,ସଵାଖିଆ ଇତ୍ୟାଦି ଇତ୍ୟାଦି 😛😛😛

ଫୋନ୍ ଆରପଟୁ ମେଘଗର୍ଜନ ସମ ଗାଳିଵର୍ଷଣ ଶୁଣି
ସେ ଟୋକାର ପିହ୍ଳେଇପାଣି 🤣
ଅତର୍ଛିଆ ଫୋନ କାଟିଦେଇଛି...

ଗୋଟିଏ ଦିନ ପରେ ସେ ସେହି ନମ୍ବରଟିକୁ ତାହାର ଜଣେ ସାଙ୍ଗ ପ୍ରହ୍ଲାଦ ରାୟକୁ ଦେଲା ।

ପ୍ରହ୍ଲାଦ ରାୟ ୨୭ଵର୍ଷର ସୁନ୍ଦର ସୌମ୍ୟ ବୁଦ୍ଧିମାନ ଯୁଵକ । ସେ ଉକ୍ତ ଓଡ଼ିଆ ଝିଅକୁ ଫୋନ୍ କରି ତାକୁ କ୍ଷମା ମାଗିଲା ଓ ତା ସାଙ୍ଗକୁ ମଧ୍ୟ କ୍ଷମା ମାଗିଵାକୁ କହିଲା ।

କିଛି ଦିନ ମଧ୍ୟରେରେ ଦେଖାଗଲା ତାଙ୍କ ଭିତରେ ତିନିକୋଣିଆ ପ୍ରେମସମ୍ପର୍କ ସୃଷ୍ଟି ହେଲାଣି ।

ଝିଅଟେ ପାଇଁ ଦୁଇଜଣ ବନ୍ଧୁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଵାକୁ ଲାଗିଲା । ତେଵେ ସେମାନେ ମୋତେ ଆସି ବାରମ୍ବାର ପଚାରନ୍ତି, ଓଡ଼ିଆରେ i love you କେମିତି କୁହନ୍ତି ଇତ୍ୟାଦି...

କୁଶ୍ ମଲ୍ଲିକ ଉକ୍ତ ଝିଅ ସହିତ ଘଣ୍ଟା ଘଣ୍ଟା ଧରି କଥା ହୁଏ । ସେ ତାକୁ ଅନେକ ପ୍ରେମମୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣାଏ ମାତ୍ର ପ୍ରହ୍ଲାଦ ରାୟ କଥା ସମ୍ପୂର୍ଣ୍ଣ ଅଲଗା ! ସେ ଫୋନରେ ପଚାରେ ଘର ପରିଵାରର କଥା, ସୁଖ ଦୁଃଖର କଥା !

ପ୍ରାୟ ଚାରିମାସ ଧରି ଏମନ୍ତ ଵାର୍ତ୍ତାଳାପ ପରେ ଝିଅଟି ଦୁଇ ବଙ୍ଗାଳୀ ଟୋକାଙ୍କୁ ତାଙ୍କ ଫେସବୁକ ଆଇଡି ଲିଂକ୍ ମାଗିଲା ଆଉ ଉଭୟ ଟୋକାଙ୍କୁ ଦେଖି ସାରିଵା ପରେ ସେ ପ୍ରହ୍ଲାଦ ରାୟକୁ ହିଁ ବାହା ହେଵ ବୋଲି ଜଣାଇ ଦେଲା ।

କୁଶ୍ ମଲ୍ଲିକର ହୃଦୟ ଭାଙ୍ଗିଗଲା ତେଵେ ସେ ଧୈର୍ଯ୍ୟହରା ନହୋଇ ପ୍ରହ୍ଲାଦ ରାୟକୁ ସେହି ଝିଅର ଫେସବୁକ ଆଇଡି ଲିଂକ୍ ମାଗିଵାକୁ ପ୍ରଵର୍ତ୍ତାଇଲା । ଦୁଇଦିନ ପରେ ଝିଅଟି ତାହାର ଆଇଡି ଲିଂକ୍ ଦେଲା ଓ ସେମାନେ ତାକୁ ଖୋଲି ଦେଖିଲେ ।

ଝିଅର ଗୋରା ଅଙ୍ଗ ମାତ୍ର ମୁଖମଣ୍ଡଳର ମଉଡା଼ଟା ସାମାନ୍ୟ ଜନଜାତୀୟ ଲୋକଙ୍କ ପରି ହୋଇଥାଏ । ମୋତେ ସେମାନେ ଉକ୍ତ ଫୋଟୋ ଦେଖାଇଲେ । ଓଡ଼ିଶାର ଲୋକଙ୍କ ମୁଖମଣ୍ଡଳ ମଧ୍ୟରେ ଅଞ୍ଚଳଗତ ଵିଭିନ୍ନତା ରହିଛି ତେଵେ ଅଧିକାଂଶ ଜନଜାତୀୟ ମଉଡା଼ର କନ୍ଯାମାନେ ସାବନା ହେଉଥିଵାରୁ ମୋତେ  ସେ ଫୋଟୋଟି ଏଡିଟିଙ୍ଗି ହେଵା ଭଳି ଲାଗିଲା ।

ମୁଁ ପ୍ରହ୍ଲାଦ ରାୟକୁ ମୋ ମନର କଥା କହିଲି କିନ୍ତୁ ସେ ତାହାର ଗୋରା ଚମଡା଼ର ମାୟାରେ ଭୋଳ ହୋଇ ସାରିଥାଏ...

ତାକୁ ସମସ୍ତେ ବୁଝେଇଲେ କିନ୍ତୁ ସେ ସେହି ଝିଅକୁ ଦେଖିଵାକୁ ରାୟଗଡ଼ ଯିଵ ବୋଲି ନିଶ୍ଚୟ କରିନେଇଥାଏ ।

ପ୍ରହ୍ଲାଦ ରାୟ ଓଡ଼ିଶାର ରାୟଗଡ଼ ଜିଲ୍ଲାକୁ ଗଲା ସତ ମାତ୍ର ସେ ଓଡ଼ିଶାରେ ପହଞ୍ଚିଵା ପରେ ପରେ ତାକୁ ଆମେ ଯେତେଥର ଫୋନ୍ ଲଗାଇଲୁ ତା ଫୋନ୍ ଲାଗିଲା ନାହିଁ ।

ପ୍ରାୟ ପନ୍ଦର ଦିନ ପରେ ସେ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାର ତା ଗାଆଁରେ ଥାଇ ଆମକୁ ଫୋନ୍ କରି ଜଣାଇଲା ଯେ ସେ ସେହି ଓଡ଼ିଆ ଝିଅକୁ ବାହା ହୋଇଯାଇଛି...

ଵର୍ଷଟିଏ ଵିତିଗଲା ପରେ ସେ ତା ସ୍ତ୍ରୀକୁ ଧରି
ନଗରକୁ କାମ କରିଵାକୁ ଆସିଲା ଓ ସେମାନେ ଭଡ଼ାଘର ନେଇ ରହିଲେ । ଦିନେ ପ୍ରହ୍ଲାଦ ରାୟ ତା ସ୍ତ୍ରୀକୁ ଧରି ଆମ ବସାଆଡେ଼ ବୁଲି ଆସିଥାଏ...

ଆମେମାନେ ପ୍ରହ୍ଲାଦ ରାୟକୁ ଏକନ୍ତରେ କହିଲୁ
କିହୋ ! ତେମେ ତ ସୁନ୍ଦରୀ ଅପସରୀ ଅନ୍ଵେଷଣରେ ଉତ୍କଳ ଭୂଖଣ୍ଡ ଗମନ କରିଥିଲ ଏ ଶୃପନଖାଙ୍କୁ କେଉଁଠୁ ପାଇଗଲ 😂😂😂

ପ୍ରହ୍ଲାଦ ରାୟ ଜଣେ ସଖ୍ଯ ସକାରାତ୍ମକ ଭାରତୀୟ ଭଳି କହୁଛି...

ଵାହ୍ଯ ସୌନ୍ଦର୍ଯ୍ୟ କଣ୍ ପ୍ରକୃତ ସୌନ୍ଦର୍ଯ୍ୟ ? ମନ ଓ ଚରିତ୍ରର ସୌନ୍ଦର୍ଯ୍ୟ ଦେଖିଵା କଥା ନା ଆଉ !!! 🤗

କିଛି ଦିନ ପରେ ଦିନେ କୁଶ୍ ମଲ୍ଲିକ ମୋତେ ପ୍ରକୃତ ଘଟଣା କହୁଥାଏ...

ପ୍ରହ୍ଲାଦ ରାୟ ଓଡ଼ିଶା ଗଲା କିନ୍ତୁ ଝିଅକୁ କୌଣସି ସ୍ଥାନକୁ ଡାକି ତାକୁ ଦୂରରୁ ଦେଖିଵା ପରିଵର୍ତ୍ତେ ସିଏ ସିଧା ଝିଅର ଘରକୁ ଚାଲିଗଲା । ସେହି ଝିଅର ଦଦା ଓ ବଡ଼ଭାଇ ପୋଲିସ ଵିଭାଗରେ କାର୍ଯ୍ୟ କରନ୍ତି ବୋଲି ସିଏ ଜାଣିନଥାଏ । ଝିଅର ଯୌଥ ପରିଵାର ,ସମସ୍ତେ ଏକାଠି ରୁହନ୍ତି ।  ସେମାନେ ସୁନ୍ଦର ଭେଣ୍ଡିଆକୁ ଦେଖି ଶିଘ୍ରାତି ଶିଘ୍ର ଉଭୟଙ୍କର ବାହାଘର କରିଦେଲେ ଆଉ ପ୍ରହ୍ଲାଦ ରାୟ କାନମୁଣ୍ଡା ଆଉଁସି ରହିଗଲା 😂😂😂

सोमवार, 2 मार्च 2020

●●●●ସାଧବ ଓ ନାବିକ●●●●

ଜଣେ ସାଧବ ପ୍ରଥମଥର ପାଇଁ ଏକ ବଡ଼ ବୋଇତରେ ସମୁଦ୍ର ଯାତ୍ରା
କରୁଥାନ୍ତି ।
ଦିନେ ସେ ଉକ୍ତ ବୋଇତର ମୁଖ୍ୟ ନାବିକ ସହ
କେତେ ସମୟ
କଥାଭାଷା ହେଲାପରେ ପଚାରିଲେ
''ଆଛା ତୁମ ପିତା ଜୀଵିତ ଅଛନ୍ତି  କି ?"
ନାବିକ କହିଲା ‛ନା’....

ସାଧବ ଜଣକ ପୁଣି ପଚାରିଲେ
ତେବେ ତାଙ୍କର ମୃତ୍ୟୁ କେମିତି ହୋଇଥିଲା ?
ବୋଇତର ନାବିକ
ଗର୍ବର ସହ କହିଲା
''ଆଜ୍ଞା, ମୋ ବାପ,ଜେଜେ ଆଉ ଗୋସେଇଁ ବାପ ସଭିଏଁ
ସମୁଦ୍ର ଗର୍ଭରେ ସମାଧିସ୍ଥ ହୋଇଛନ୍ତି”

ସେଇଠୁ ସାଧବ କହିଲା
“ତଥାପି ଆପଣ ବାରମ୍ବାର ସମୁଦ୍ର ଯାତ୍ରା କରୁଛନ୍ତି କିନ୍ତୁ ଆପଣଙ୍କୁ ତହିଁ ରେ ବୁଡ଼ି ମରିବାର ଭୟ ହୁଏନାହିଁ ?”

''ମୋଟେ ନୁହେଁ,''
ନାବିକ ପୁଣି ସାଧବ କୁ କହିଲା

''ଆଜ୍ଞା, ତେବେ  ଆପଣଙ୍କ ବାପା,ଜେଜେ,ଗୋସାଇଁ ବାପ କେମିତି ସ୍ଵର୍ଗଵାସୀ ହୋଇଥିଲେ କୃପାକରି ଜଣେଇବେ କି ?"

ସାଧବ ଜଣକ  ସହଜ ସ୍ଵର ରେ ବୋଇଲା,
''ଯେମିତି ସଂସାରର ପ୍ରାୟ ଲୋକ ମରନ୍ତି,
ପଲଙ୍କ ପରେ ଶୋଇଥିବା ଅଵସ୍ଥାରେ” ...

ତାହା ଶୁଣି ନାବିକ ସାମାନ୍ୟ ସ୍ମିତହାସ୍ୟ ପୂର୍ଵକ କହିଲା
“ତେବେ ପଲଙ୍କ ଉପରେ ଶୋଇବାରେ ଆପଣଙ୍କୁ ଯେତିକି ଭୟ ହେବା କଥା
ତହିଁରୁ ଅଧିକ ଭୟ ମୋର ସମୁଦ୍ର ମଧ୍ୟକୁ ଯିବାରେ ନାହିଁ”

“ବିପତ୍ତି ଯେବେ ଅଭ୍ୟାସରେ ପରିଣତ ହୋଇଯାଏ ତାହା ନିତିଦିନିଆ ଘଟଣା ପରି ଦେହସୁହା ହୋଇଯାଇଥାଏ ”

“सूर्यकांत त्रिपाठी निरालाଙ୍କର ଏକ ନୀତିକଥା
“सौदागर और कप्तान” ର ଓଡ଼ିଆ ଭାଵାନୁଵାଦ”

रविवार, 1 मार्च 2020

ଭଲ ଓ ଭେଲ

“ପୁରୁଣା ଲୋକ ବହୁତ ଭଲ କିନ୍ତୁ ନୂଆଯୁଗର ଲୋକେ ବହୁତ ଦୁଷ୍ଟପ୍ରକୃତିର ହୋଇଗଲେଣି ।
ଯେବେ ମୁଁ ନୂଆ ପିିଢି ଥିଲି ସେବେ ପୁରୁଣା ପାଢି ମୋ ପାଇଁ ସେତେ ଭଲ ନ ଥିଲା ।
ଏବେ ମୁଁ ଯେତେ ପୁରୁଣା ପିଢି  ହୋଇ ଯାଉଛି ମୋ ପାଇଁ ନୂଆ ପିଢି ସେତିକି
ମନ୍ଦ ହୋଇ ହୋଇ ଯାଉଛି ।”

“ବୟସ୍କ ଲୋକ ଯାକ ବଡ଼ ରକ୍ଷଣଶୀଳ । ଆଧୁନିକତା ସେମାନଙ୍କୁ ସ୍ପର୍ଶ କରିନାହିଁ ବୋଲି ତାଙ୍କୁ ଆମ ସମୟ ସହ ତାଳ ଦେଇ ଚାଲିବାଟା ସହଜରେ ଗ୍ରହଣୀୟ ହେଉନାହିଁ......”
“ଆଜିର ଯୁବକ ମାନେ ସମାଜକୁ ଆଧୁନିକତା ନାଆଁରେ ତଳତଳାନ୍ତ କରିଦେବାକୁ ବସିଲେଣି ।
ନିଜ ପରବ ଛାଡ଼ି ପର ନୂଆବର୍ଷ, ପର ପରବ ପାଳିଲେଣି । ମଦ ପିଇକି ଗଣେଶ, ସରସ୍ବତୀ, ଦୁର୍ଗା,ଲକ୍ଷ୍ମୀ ଙ୍କ ମେଢ ଆଗରେ ଇଂରାଜୀ ହିନ୍ଦୀ ଗୀତ ର ତାଳରେ ନାଚିଲେଣି.......”

“ପୁରୁଣା ସଂସ୍କୃତି ଓ ସଂସ୍କୃତି ଆଧାରରେ ଗଠିତ ଧର୍ମ ସବୁ ନିରର୍ଥକ,ଅବାନ୍ତର । ଆଧୁନିକ ଯୁଗରେ ସେସବୁ ଆଉ ଲୋଡା଼ ନାହିଁ ......”

“ବିଜ୍ଞାନ ଓ ବିଜ୍ଞାନୀ ଲୋକ ସଂସ୍କୃତି ଭକ୍ଷକ । ଏମାନେ ସଂସ୍କାର ନାଆଁରେ ଆମଠାରୁ ଆମ ଧର୍ମ ଓ ସଂସ୍କୃତି ଛଡେଇ ନେଇ ପର ସଂସ୍କୃତି ଓ ଧର୍ମ ଧରେଇ ଦେବେ......”

“ପୁରୁଣା ବହି ଓ ରଚନା ଶ୍ରଦ୍ଧା ଓ ଆଦରଣୀୟ
ନୂଆ ଲେଖାରେ ସେତେଟା ଆତ୍ମିୟତା,ମଧୁରତା ନଥାଏ । ପୁରୂଣା ଲେଖକ,କବି ଦେବତା ସମାନ ପୂଜନୀୟ ନୂଆ ଲେଖକ ଓ କବି ଗୁଡା ଖାଲି ପର ଭାଷାର ଲେଖା ଅନୁକରଣରେ
ପଦେ ଅଧେ ଲେଖିକି ପ୍ରଶିଦ୍ଧ ହୋଇଯାଇଛନ୍ତି......”

“ନୂଆ ଲେଖକ ଓ କବି ଆଧୁନିକ ଚିନ୍ତାଧାରା ର । ପୁରୁଣା କବି ,ଲେଖକ ସବୁ କାବ୍ୟ କବିତା ନାଆଁ ରେ ଅଭିଧାନମାନ  ଲେଖିଯାଇଛନ୍ତି । ନୂଆ ରଚନାକାର ସାକ୍ଷାତ ସମାଜ ସଂସ୍କାରକ ତେଣୁ ସୁସଂସ୍କୃତ ଶବ୍ଦ ବ୍ୟବହାର କରି ବିଭିନ୍ନ ରଚନା ଲେଖନ୍ତି ଯେବେକି ପୁରୁଣା କବିଙ୍କ ପଦ୍ୟରେ ଗୁଡାଏ ଅଶ୍ଳୀଳ ଶବ୍ଦ ଥାଏ.......”

“ପୁରୁଣା ଚଳଚ୍ଚିତ୍ର ,ପୁରୁଣା ଗୀତରେ ସଂସ୍କୃତି ନୃତ୍ୟ କରୁଛି । ନୂଆ ଚଳଚ୍ଚିତ୍ର ଓ ଗୀତ
ସବୁ ଅପସଂସ୍କୃତି ପ୍ରଚାରର ମୂଳ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ.....”

“ନୂଆ ଗୀତ ଓ ଫିଲ୍ମ ଗୁଡିକ ଭବ୍ୟ ଓ ସାର୍ଥକ ତେଣୁ ସେସବୁ ଦେଖିଲେ, ଶୁଣିଲେ
ମଣିଷ ଶରୀର ମଧ୍ୟରେ ଗୋଟାଏ ଏନର୍ଜି ଖେଳିଯାଏ । କିନ୍ତୁ ପୁରୁଣା ଚଳଚ୍ଚିତ୍ର ଓ ଗୀତାଦି ଗୁଡିକ ଶୁଣିଲେ ଆଜିକାର ଅଧିକାଂଶ ଲୋକ ଲୋରୀ ଶୁଣି ଛୁଆକୁ ନିଦ ଲାଗିଲା ଭଳିଆ
ଢୁଳାଅନ୍ତି ଯାହା.....”

ବାକି ଲୋକ ବହୁତ ଗନ୍ଧିଆ ।  କେବଳ ଆମେ ମାନେ ହିଁ ଭଲ ଲୋକ ।  ଅନ୍ୟ ଲୋକେ ସମ୍ପୂର୍ଣ୍ଣ
ନଷ୍ଟ ଯାକ । ଆମେ ସବୁ 100% ପ୍ରତିଶତ ସୁନାମୁଣ୍ଡା । ବାକି ସବୁ ହୀନ । ଆମେ ଏକା ଶ୍ରେଷ୍ଠ । ଟୋ଼ୟଁ ଟୁ । ଟାୟଁ ଟୁ । ଟାଁୟ ଟୁ । ଟାଁୟ ଟୁ ।  ଟୁ-ଟୁ । ଦଶବର୍ଷ ପରେ । ଟାଁୟ-ଟାଁୟ ।
ଶହେ ବର୍ଷ ପରେ । ଟାଁୟ ଟୁ । ସହସ୍ର ବର୍ଷ ପରେ । ଟାଁୟ ଟୁ । ଦଶ ସହସ୍ର ବର୍ଷ ପରେ । ଟାଁୟ ଟୁ । ଅନ୍ୟ ମାନେ ସବୁ ମନ୍ଦଲୋକ । ଆମେ ଭଲ । ଟାଁୟ ଟୁ ଟାଁୟ ଟୁ ।

ଜନତା ବହୁତ ଭଲ । ଲୋକେ ସବୁ ଖାଣ୍ଟି ସୁନା ।ନେତା ଯାକ କୁଳାଙ୍ଗାର ।  ଜନତା ମାଟିରେ ଚାଲନ୍ତି । ନେତାଏ ଆକାଶୁଁ ପଡ଼ନ୍ତି । ଜଣାନାହିଁ କେବେ କିଛି ଭଲ ନେତାଙ୍କ ବରଷା ହେବ । ତେବେ କିଛି ଭଲ ନେତା ବି ଅଛନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ମାତ୍ର ତିନି ଚାରିଜଣରୁ ଅଧିକ ନୁହେଁ ।  ଜଣେ ନେତା ମୋ ପାଇଁ
ବୀମା କରେଇ ଦେଇଥିଲା । ଆଉ ଜଣେ ଇନ୍ଦ୍ରାଵାସ କରିଦେଇଥିଲା । ଅନ୍ୟ ଏକ ନେତା ଅଶି ଟଙ୍କିଆ ବିପିଏଲ ବିଜୁଳି ଓ ଟଙ୍କିକିଆ ଚାଉଳର ବ୍ୟବସ୍ଥା କରାଇଦେଇଥିଲା ।
ଆଉ ଏକ ଦଳର ନେତା ଜଣେ  ତ ଆମ ବନ୍ଧୁବାନ୍ଧବ ବୋଲି ବେଳେ ବେଳେ ଆମ ଘରକୁ ବୁଲି ଆସିଥାନ୍ତି ଯେ  ପଡୋଶୀ ମାନଙ୍କ ଆଗରେ ମୋ ଛାତି କୁଣ୍ଢେମୋଟ ହୋଇଯାଏ ।
ସମ୍ପର୍କୀୟ ନେତାଙ୍କ ସୁଦୟାରୁ ରାସନ୍-ଗ୍ୟାସ ଘରେ ବସି ଆମ୍ଭକୁ ମିଳିଯାଇଥାଏ ।
କିଏ ଭଲ କିଏ ଭେଲ ତାହା ନିର୍ଣ୍ଣୟ କରିବାର ଅଧିକାର ଯା ପାଖରେ ଵି ଥାଉ ବେଳେ ବେଳେ ଆମେ ନିଜେ ହିଁ ସେ ଅଧିକାର ପ୍ରୟୋଗ କରି
ଭଲ ମନ୍ଦ ବାଛିନେଇଥାନ୍ତି । ଜଗତରେ ସାଧାରଣତଃ ଦେଖାଯାଇଥାଏ ଯେ ଯଦି କାହାର ସ୍ଵାର୍ଥରେ ଵାଧା ଉତ୍ପନ୍ନ ହୁଏ,ସେ ସ୍ଵାର୍ଥପୂର୍ତ୍ତିରେ ଵାଧକ ଯେ ଉକ୍ତ ଲୋକ ତାକୁ ମନ୍ଦପ୍ରକୃତିର ବ୍ଯକ୍ତି ମନେ କରିଥାଏ । ସ୍ଵାର୍ଥ ପୁରଣ ହେଉଥିଲା ଯାଏଁ ଅନେକ ଲୋକ ଅଧିକାଂଶ ଲୋକଙ୍କ ପାଇଁ ଭଲ ଲୋକ ହୋଇ ରହିଥାନ୍ତି ।

शुक्रवार, 28 फ़रवरी 2020

ଉପଦେଶ

ଗୋଟିଏ ଛୋଟ ଦେଶର ଏକ ଅଖ୍ଯାତ ପଲ୍ଲୀରେ  ଜଣେ ଲୋକପ୍ରିୟ ସିଦ୍ଧ ଥିଲେ |  ସେ ମହାତ୍ମା ମାସରେ ତିନିଥର ମହାନଗର ପରିଦର୍ଶନ କରୁଥିଲେ |

ସେଠାର ବଡ଼ହାଟକୁ ଯାଇ ସେ ପରସ୍ପରକୁ ଟଙ୍କା ଦ୍ଵାରା ସାହାଯ୍ୟ କରିଵାକୁ ଉପଦେଶ ଦେଉଥିଲେ ।  ସମସ୍ତେ ତାଙ୍କୁ ଜଣେ ଶାନ୍ତ ଶିଷ୍ଟ ଲୋକ ଭାଵେ ଜାଣିଥିଲେ ଏଵଂ ନିଜର ନିଆରା ଉପଦେଶ ପାଇଁ ସେ ଜଣାଶୁଣା ଥିଲେ |

ଦିନେ ସନ୍ଧ୍ୟାରେ ଉକ୍ତ ନଗରସ୍ଥ ହାଟକୁ ତିନି ଜଣ ଲୋକ ଆସିଥିଲେ ।  ସେତେଵେଳକୁ ସିଦ୍ଧ ଵ୍ଯକ୍ତି ଜଣକ ଭଗଵାନଙ୍କ ଵନ୍ଦନା ଶେଷ କରି ବସିଥାଆନ୍ତି । ଆଗନ୍ତୁକମାନଙ୍କୁ ଦେଖି ସିଦ୍ଧଵ୍ଯକ୍ତି ତାଙ୍କୁ ସ୍ୱାଗତ କଲେ ।

ତହୁଁ ଆଗନ୍ତୁକମାନେ ସିଦ୍ଧଙ୍କୁ ପଚାରିଲେ,

"ଆମେ ଶୁଣିଅଛୁ ତୁମ୍ଭେ ଟଙ୍କା ଦ୍ଵାରା ପରସ୍ପରକୁ ସାହାଯ୍ୟ କର ବୋଲି ଉପଦେଶ ଦେଉଛ । ପୁଣି ତୁମେ ଏହି ଉପଦେଶ କେଵଳ ଧନୀମାନଙ୍କୁ ହିଁ  ଦେଇଥାଅ,ଦରିଦ୍ର ଜନତାଙ୍କୁ ତୁମେ କେଵେ ବି ଏମନ୍ତ ଉପଦେଶ ଦିଅନାହିଁ । ତୁମର ଖ୍ୟାତି ଯୋଗୁଁ ତୁମେ ନିଶ୍ଚିତ ଭାଵରେ ଜଣେ ବଡ଼ ଧନୀ ହୋଇସାରିଛ ତେଣୁ, ଵର୍ତ୍ତମାନ ତୁମ ପାଖରେ ଥିଵା ସମସ୍ତ ଟଙ୍କା ଆମକୁ ଦିଅ । ଆମେମାନେ ବହୁତ ଦରିଦ୍ର, ଆମକୁ ଅର୍ଥର ବଡ଼ ଅଭାଵ ପଡି଼ଛି  । "

ସିଦ୍ଧ କହିଲେ,
ମୋ ପାଖରେ ଏହି ଶଯ୍ୟା, ସେଇ ଖଟ ଆଉ ପାଣିଗରାଟିଏ  ଛଡା଼ ଆଉ କିଛି ବି ନାହିଁ। ଯଦି ଆପଣମାନେ ଆଵଶ୍ୟକ ମନେକରନ୍ତି ତେଵେ ଏସବୁ ନେଇପାରନ୍ତି । ମୋ ପାଖରେ ସୁନା କି ରୂପା ନାହିଁ ନା ଟଙ୍କା ପଇସା ଅଛି ଯେ ଆପଣମାନଙ୍କୁ ଦେଇପାରିବି ।"

ଏହା ଶୁଣି ଦୁଇଜଣ ଆଗନ୍ତୁକ ସିଦ୍ଧଙ୍କୁ  ହୀନଦୃଷ୍ଟିରେ ଅନାଇ ଅନାଇ ଫେରିଗଲେ |  କିନ୍ତୁ ଜଣେ ଆଗନ୍ତୁକ ଵ୍ଯକ୍ତି, ସିଦ୍ଧଙ୍କ ନିକଟରେ ତଥାପି ଠିଆ ହୋଇଥାଏ ।

କିଛି କ୍ଷଣ ପରେ ସେ ସିଦ୍ଧଙ୍କୁ କହିଲା,
"ଠକ ! ଖଣ୍ଟ !! ତୁ ଲୋକମାନଙ୍କୁ ସେହି କଥା ସବୁ ଉପଦେଶ କରୁ, ଯାହାକୁ ତୁ ନିଜେ ନିଜ ଜୀଵନରେ କେଵେ କାର୍ଯ୍ୟକାରୀ କରିନାହୁଁ କି କେଵେ କରିପାରିବୁନାହିଁ।"

(ଲେଵାନନ୍ ଦେଶର ଗାଳ୍ପିକ ଖଲୀଲ ଜିବ୍ରାନ୍'ଙ୍କର ଏକ ଗଳ୍ପର ଓଡ଼ିଆ ଭାଵାନୁଵାଦ)

"ଅତିଥି ! ତେମେ କେବେ ଯିଵ ହେ ଅତିଥି ?"

ତୁମର ଆଗମନର ଚତୁର୍ଥ ଦିନରେ, ଏହି ପ୍ରଶ୍ନ ମୋ ମନରେ ବାରମ୍ବାର ଉଭା ହେଉଛି, ତୁମେ କେବେ ଯିବ ଅତିଥି ! ତୁମେ କେବେ ମୋ ଘରୁ ବାହାରି ସ୍ଵଗୃହକୁ ପ୍ରତ୍ଯାଗମନ କରିବ ?

ଯେଉଁ ଖଟ ଉପରେ ତୁମେ ଗୋଡ ବିସ୍ତାର କରି ବସିଛ, ତା ’ ସାମ୍ନାରେ ଏକ କ୍ୟାଲେଣ୍ଡର ରଖାଯାଇଛି, ଯାହା ମୁଁ ପ୍ରତିଦିନ ବଦଳାଇ ଦେଇଥାଏ | ଆତିଥ୍ୟର ଏହା ଚତୁର୍ଥ ଦିନ, କିନ୍ତୁ ତୁମର ଯିବାର କୌଣସି ସମ୍ଭାବନା ଦୃଶ୍ଯ ହେଉନାହିଁ |

ଜ୍ୟୋତିର୍ବିଜ୍ଞମାନେ ଲକ୍ଷାଧିକ ମାଇଲ ଲମ୍ବା ଯାତ୍ରାକରି ଚନ୍ଦ୍ରପୃଷ୍ଠାରେ ପହଞ୍ଚି ସୁଦ୍ଧା ଏତେ ସମୟ ରହିନଥିଲେ ଯେତିକି କାଳ ତୁମେ ଏଠାରେ ରହିଲଣି । ଏଇ ଚାରିଦିନ ମଧ୍ୟରେ  ତୁମେ ମୋ ଵିଷୟରେ ଯେତିକି ଅନୁସନ୍ଧାନ କରି ଜାଣିଲଣି ସେତିକି ତଥ୍ୟ ଆଜିଯାଏଁ ଚନ୍ଦ୍ର ଵିଷୟରେ ମଧ୍ୟ ସଂଗ୍ରହ ହୋଇନଥିଵନ । ତୁମର କଣ୍ ନିଜ ଘର କଥା ଆଦୌ ମନେପଡେନି କିଂଵା ତୁମେ ନିଜ ଘରପରିଵାର ଵିଷୟରେ କେଵେ ଚିନ୍ତା କରନା ? 

ଯେଉଁ ଦିନ ତୁମେ ଆମ୍ଭ ଘରକୁ ଆସିଲ,ମୁଣା ଭିତରେ ମୋ ଟଙ୍କା ଭୟରେ ଥରି ଉଠୁଥିଲା | ତଥାପି ମୁଁ ହର୍ଷ ଆନନ୍ଦରେ ତୁମର ସ୍ଵାଗତ କଲି | ମୋ ପତ୍ନୀ ବହୁତ ଦୟାଳୁ ସେ ତୁମର ଆଗମନକୁ ଈଶ୍ଵରଙ୍କ ଆଗମନ ଵିଚାର କରି ଵାରମ୍ଵାର ଯୁହାର୍ ହେଉଥିଲା ।

ହେ  ଅତିଥି ! ତୁମର ସେଵା, ହେତୁ ଆମର ଜଳଖିଆଟା  ମଧ୍ୟାହ୍ନ ଭୋଜନରେ ପରିଣତ ହୋଇଗଲା ଆଉ ରାତ୍ରୀ ଭୋଜନରେ ମଧ୍ୟ ଆମେ ଗୁରୁପାକ ଖାଦ୍ଯ ଖାଇଵାକୁ ବାଧ୍ୟ ହେଲୁ । ନିଷ୍ଠାନ୍ନ ଯୁକ୍ତ ଖାଦ୍ୟ ଖାଇ ଖାଇ ଆମର ଅର୍ଶ ବାହାରି ଯିଵାର ସମ୍ଭାଵନା ଉପସ୍ଥିତ ହେଲାଣି କିନ୍ତୁ ତୁମ୍ଭେ ନିର୍ଭୟ ନିର୍ଵିକାର ନିଶ୍ଚିନ୍ତ୍ଯ ହୋଇ ସବୁ ଗେମ୍ଫି ଚାଲିଛ ।

ଆମେ ସେଦିନ ତୁମ ପାଇଁ ନଅ ତିଅଣ ଛଅ ଭଜାର ଆୟୋଜନ କରିଛୁ, କ୍ଷୀରି ତିଆରି କରି ବି କାଳେ ଅତିଥି ସନ୍ତୁଷ୍ଟ ନହେଵେ ସେଇ ଭୟରେ ରସଗୋଲା ମଧ୍ୟ ବନେଇଛୁ |

ଆମର ଆଶା ଥିଲା ତେମେ ଆପଣ  ଦ୍ୱିତୀୟ ଦିନରେ ଉତ୍କୃଷ୍ଟ ଆତିଥ୍ୟରେ ତୃପ୍ତି ଲଭି ଆପଣା ଗୃହ ଅଭିମୁଖେ ବାହୁଡି଼ଯିଵ । କିନ୍ତୁ ଆଜକୁ ଚାରିଦିନ ହୋଇଗଲାଣି ତୁମେ ଏଠାରେ ପଡି଼ରହିଛ ।

ଗତ ରାତ୍ରରେ ଆମ୍ଭ ଘରଣୀ ତୁମଲାଗି ଓଡ଼ିଆ ବାହାଘର ଭୋଜି ଭଳି ଖାଦ୍ୟ ରୋଷେଇ କରି ପରିଷିଥିଲେ,କାନିକା ପାଆସେ ଆମ୍ବୁଲ ଦହି ଖଟା ଘାଣ୍ଟ ତିଅଣର ବାସ୍ନା ବାରି ସାହି ପଡି଼ଶା ଲୋକେ ଦୁଇ ତିନିଥର ଛୁଆ ପଠେଇ ଅନୁସନ୍ଧାନ କରିଦେଇଥିଲେ । ଏତେ ଅଏନ ଭୋଜିର ଆୟୋଜନ କରି ଭାବିଥିଲୁ କାଳେ ଏଥିରେ ତୁମ୍ଭ ଆତ୍ମା ସନ୍ତୁଷ୍ଟ କିନ୍ତୁ ତଥାପି ତୁମେ ଏଠାରେ ଅଛ ।

ତୁମ ଯୋଗୁଁ ଆଜି ଗୃହଲକ୍ଷ୍ମୀ ମୋ ଉପରେ ରାଗି ପଞ୍ଚମ ତେଣୁ ଉପବାସ କରିଵାକୁ ହେଲା କିନ୍ତୁ ତୁମେ ଆଜି ବି ଗଲ ନାହିଁ କହିଲ ପେଟ କଟକଟ କରୁଥିଲା ସପ୍ତାହକୁ ଥରେ ଉପଵାସ କଲେ ଦେହ ଭଲ ରହିଵ  । ତୁମର ଉପସ୍ଥିତି ଆମକୁ ଏତେ ସରି କରିଵ , ଏ ନିଷ୍ପାପ ପୈତୃକ ପ୍ରାଣ ଭୋକରେ ଆଉଟୁପାଉଟୁ ହେଵ, ଏହା କେବେବି ଭାବି ନ ଥିଲୁ ।

"ସକାଳେ ତୁମେ ଆସି କହିଲ, ଧୋଇବାକୁ ପୋଷାକ ଦେଵାର ଅଛି !"

ମାନେ ?

ଏହାର ମାନେ ଟା ଆମେ ଏଇଆ ବୁଝିଲୁ ଯେ ତୁମ ମଇଳା ପୋଷାକ ଧୁଆହୋଇ ନ ଶୁଖିଵା ଯାଏଁ  ତୁମେ ଆମ ଘର ଛାଡ଼ିବ ନାହିଁ?

ଏ ଆଘାତ ସାଂଘାତିକ ଥିଲା,ଅପ୍ରତ୍ୟାଶିତ ଥିଲା | ମୁଁ ପ୍ରଥମ ଥର ବୁଝିଲି ଯେ ଜଣେ ଅତିଥି କେବଳ ଦେଵତା ନୁହନ୍ତି | ସେ ମଧ୍ୟ ମଣିଷ ଏଵଂ ବେଳେବେଳେ ରାକ୍ଷସ ବି ହୋଇପାରେ |

ତୁମ କଥା ଶୁଣି ମୋ ପତ୍ନୀଙ୍କ ଆଖି ବଡ଼ ବଡ଼ ହୋଇଗଲା । ସେ ଢିମା ଆଖିକୁ ମୋର ବଡ଼ ଭୟ । ତୁମେ ଜାଣିନା, ଯେତେଵେଳେ ମୋ ପତ୍ନୀଙ୍କ ଆଖି ବଡ଼ ହୁଏ, ମୋର ହୃଦୟ ଛୋଟ ହେଵାକୁ ଲାଗେ |

ପୋଷାକ ଧୁଆହୋଇ ଆସିଗଲା କିନ୍ତୁ ତୁମେ ଏବେ ବି ଏଠାରେ ଅଛ | ତୁମ ଖଟର ଚାଦର ଦୁଇ ଦୁଇ ଥର ବଦଳା ଯାଇସାରିଛି  ତଥାପି ତୁମେ ଏଠାରେ ଅଛ ।

ଆଉ ଏ ଗୃହାକାଶରେ ହସର ରଙ୍ଗୀନ ବେଲୁନୁ ଉଡୁନାହିଁ | ମିଷ୍ଟ ମଧୁର ଶବ୍ଦଗୁଡି଼କର ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇଯାଇଛି । ଆଖିରେ ଆଖିରେ ଆମେ କେତେ ଯୁଗର ଅକୁହା କଥା ହୋଇଗଲୁଣି, ଆମେ ସବୁ ଵିଷୟରେ କଥା ହୋଇସାରିଲୁଣି ଆଉ କିଛି କଥା ବାକି ନାହିଁ । କିଛି ନୂଆ କରିଵାର ଵିଚାର ମନକୁ ଯୁଟୁନାହିଁ କି ପରିବାର, ପିଲା, ଚାକିରି, ରାଜନୀତି, ସମ୍ପର୍କ, ପୁରୁଣା ବନ୍ଧୁ, ଚଳଚ୍ଚିତ୍ର, ସାହିତ୍ୟ ଇତ୍ୟାଦି କୌଣସି ଵିଷୟରେ ଆଳାପ ଆଲୋଚନାର ଇଛା ସୁଦ୍ଧା ହେଉନାହିଁ ।

ତୁମ ପ୍ରତି ମୋର ସମ୍ମାନ ଇତିମଧ୍ୟରେ ଦ୍ଵେଷରେ ପରିଣତ ହେଵାକୁ ଲାଗିଛି | ମୁଁ ବୁଝିଵାକୁ ଅସମର୍ଥ ଯେ ତୁମେ କେଉଁ ପ୍ରକାରର ଅଠା ବୋଳି ହୋଇ ଆମ ଘରକୁ ଆସିଛ ଯେ ଏହାକୁ ଛାଡ଼ି ପାରୁନା କି ନିଜଠାରୁ ଛଡ଼ାଇ ପାରୁନାହଁ ?

ମୋ ପତ୍ନୀ ପଚାରନ୍ତି, ଇଏ କେତେ ଦିନ ରହିବେ କି ? ଏହାର ଉତ୍ତରରେ ମୁଁ ଉପରକୁ ହାତ ଟେକିଦିଏ  । ଏହାର ଅର୍ଥ ! ସବୁ ସେଇ ଜଗାକୁ ଜଣା ! ସେଇ ପରମାତ୍ମା ଏଇ ମହାତ୍ମାଙ୍କୁ ଆମ୍ଭ ଘରକୁ ପଠାଇଛନ୍ତି, ଏହାଙ୍କ ବାହୁଡ଼ା ଦିନଟା ବି ସିଏ ଏକ୍କା ଜାଣିଥିଵେ । ମୋ ପତ୍ନୀ ଯେତେବେଳେ ବି ଏଇ ପ୍ରଶ୍ନ ପଚାରନ୍ତି, ମୁଁ ଉତ୍ତର ଦେଇ ନପାରି କେଵଳ କାଳିଆକୁ ମନେ ପକାଏ ।  ଆମ୍ଭ ଘରୁ ତୁମ୍ଭର କେବେ ଯିଵା ହେଵ ଅତିଥି ?

ମୁଁ ବୁଝୁଛି ଯେ ତୁମକୁ ମୋ ଘର ବଡ଼ ଅଏନ୍ ଲାଗୁଛି ଆମ ଘରର ଖାଦ୍ଯରେ ତୁମ୍ଭ ମନ କେତେ ଯେ ଉଷତ ହେଉଛି । ସମସ୍ତେ ଅନ୍ୟମାନଙ୍କ ଘରେ ରହିବାକୁ ବହେ ସୁଖପାଆନ୍ତି । ଯଦି ସମ୍ଭଵ ହୁଅନ୍ତା ତେବେ ଲୋକମାନେ ଅନ୍ୟର ଘରେ ଯାଇ ରହନ୍ତେ, ଅନ୍ୟର ପତ୍ନୀଙ୍କୁ ଵିଭା ହୁଅନ୍ତେ । କିନ୍ତୁ ଘରକୁ ମନ୍ଦିର ଏଵଂ ହୋମ୍ କୁ ସ୍ଵିଟ୍ ହୋମ୍ ଏଇଥିପାଇଁ କୁହାଯାଇଛି  ଯେମିତି ଅତିଥିମାନେ ତାଙ୍କ ନିଜ ଘରକୁ ମନେ ପକାଇ ଲେଉଟିଯିଵେ   ।

ଆମର ଏତେଗୁଡିଏ ରାତ୍ରକୁ ତୁମ ଘୁଙ୍ଗୁଡ଼ି ଧ୍ଵନି ଗୁଞ୍ଜନ ଦ୍ଵାରା
ନଷ୍ଟ କଲା ପରେ ତୁମେ ଚାଲିଯାଅ ବନ୍ଧୁ ! ଦେଖ, ସଚ୍ଚୋଟ ହୋଇ ରହିଵାର ମଧ୍ୟ ଏକ ସୀମା ଅଛି ଏଵଂ ଗେଟ୍ ଆଉଟ୍ ମଧ୍ୟ ଏମିତି ପଦେ ଅଛି ଯାହା ବୋଲା ଯାଇପାରେ |

ଆସନ୍ତାକାଲିର ସୂର୍ଯ୍ୟ ତୁମର ଆଗମନର ଚତୁର୍ଥ ସୂର୍ଯ୍ୟ ହେବ ଏଵଂ ତାହା ମୋର ସହନଶୀଳତାର ଶେଷ ସକାଳ ହେବ | ଏହା ପରେ ମୁଁ ଆଉ ସ୍ଥିର ହୋଇ ରହିପାରିବିନାହିଁ କି ତୁମ ଦୌରାତ୍ମ୍ଯ ସହି ପାରିବି ନାହିଁ  ।

ଏହା ସତ୍ୟ ଯେ ତୁମେ ଅତିଥି ହୋଇ ଥିଵାରୁ ତମେ ସାକ୍ଷାତ ଈଶ୍ୱର, କିନ୍ତୁ ମୁଁ ମଧ୍ୟ ଜଣେ ମଣିଷ | ଜଣେ ମଣିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେବତା ସହିତ ରହିପାରିଵ ନାହିଁ ।

ଦେବତାଙ୍କର କାମ ହେଉଛି ଦର୍ଶନ ଦେବେ ଏଵଂ ବାହୁଡ଼ି ଯିଵେ । ଶ୍ରୀଜଗନ୍ନାଥ ମଧ୍ୟ ତାଙ୍କ ମାଉସୀଘରେ ପ୍ରତିଵର୍ଷ ଅତିଥି ହୁଅନ୍ତି କିନ୍ତୁ ସେ ବି ଧାର୍ଯ୍ୟ ଦିନ ଆପଣା ଗୃହକୁ ବାହୁଡ଼ି ଯାଆନ୍ତି ।  ତୁମେ ବି ଆପଣା ଗୃହାଭିମୁଖେ ବାହୁଡ଼ା ଯାତ୍ରା କର ଅତିଥି  । ମୁଁ ମୋ ଧୈର୍ଯ୍ୟ ହରାଇଵା ପୂର୍ଵରୁ ତୁମେ ତୁମ ଘରକୁ ବାହୁଡ଼ି ଯାଅ ଅତିଥି !

ଧେତ୍ ! ତୁମେ କେବେ ଯିଵ ହେ ଅତିଥି  !

(©ହିନ୍ଦୀ ଲେଖକ ଶରଦ ଯୋଶୀଙ୍କ ଵ୍ଯଙ୍ଗ "अतिथि तुम कब जाओगे" ର ଓଡ଼ିଆ ଭାଵାନୁଵାଦ ।)